Unknown

 

 

 

 

 

 

 

 

 

 

 

ଆହତ ଅପରାହ୍‍ଣ

ପରମାନନ୍ଦ ଅଧିକାରୀ

 

ଉତ୍ସର୍ଗ

 

ଆମର ଅନ୍ତରଙ୍ଗ ବନ୍ଧୁ, ପ୍ରଖ୍ୟାତ୍‍ ଔପନ୍ୟାସିକ ଓ ଗାଳ୍ପିକ, ଅଧ୍ୟାପକ ବିଭୂତି ପଟ୍ଟନାୟକଙ୍କୁ ଅନାବିଳ ମମତାର ନିଦର୍ଶନ ସ୍ଵରୂପ......

 

କଳାଶ୍ରୀ କୁଟୀର

 

କଟକ

ପରମାନନ୍ଦ ଅଧିକାରୀ

ତା ୮-୯-୧୯୭୭

 

Image

 

କିଂଚିତ୍‍

 

ସାହିତ୍ୟରେ ଉପନ୍ୟାସ ଏକ ଶ୍ରେଷ୍ଠ ବିଭାବ । ଉପନ୍ୟାସ ଲେଖିବା ସମସ୍ତଙ୍କ ଦ୍ଵାରା ସମ୍ଭବ ହୁଏ ନାହିଁ । ଯାହାର ଜୀବନପ୍ରତି ଯେତେ ମମତା, ସାଂସାରିକ ଅଭିଜ୍ଞତାରେ ଯେତେ ଧୂରୀଣତା, ମାନବିକତା ପ୍ରତି ଯେତେ ସମ୍ବେଦନଶୀଳତା, ଲୁହ-ଲହୁରେ ସ୍ନାହାନ କରୁଥିବା ଆହତ ଆତ୍ମା ସହିତ ଯେତେ ନିବିଡ଼ ସମ୍ପର୍କ, ସେ ସେତେ ପୋଖତ, ଅଭିଜ୍ଞ, ପ୍ରଖ୍ୟାତ ଶିଳ୍ପୀ, ଶ୍ରେଷ୍ଠ ଲେଖକ ଓ ସ୍ଵନାମଧନ୍ୟ ଔପନ୍ୟାସିକ । ଉପରୋକ୍ତ ପର୍ଯ୍ୟାୟଭୁକ୍ତ ଔପନ୍ୟାସିକଙ୍କଠାରୁ ଯେଉଁ ଧରଣର ମନୋଜ୍ଞ ସୃଷ୍ଟି ଆଶା କରାଯାଏ, ତାହା ଏ ଦୀନ ଲେଖକର ଲେଖାରେ ପ୍ରତିଫଳିତ ହୋଇଛି କି ନାହିଁ, ସୁଧୀ, ରସଜ୍ଞ, ପଣ୍ଡିତ ପାଠକ ସ୍ଥିର କରିବେ । ତେବେ ଆମେ ଏତିକି ସଚେତନ ଯେ, ଯାହା ଭଲ ତାହା କାଳଜୟୀ ହେବ । ଯାହା ଭେଲ, ତାହା ସମୂଳେ ବିନଷ୍ଟ ହୋଇଯିବ ।

 

‘ଆହତ-ଅପରରାହ୍‌ଣ’ ଏକ ଜୀବନ୍ତ ସାମାଜିକ ଉପନ୍ୟାସ । ଏହାର ଚରିତ୍ରଗୁଡ଼ିକ କାଳ୍ପନିକ ହେଲେ ବି ବାସ୍ତବତାରେ ବିଚରଣ କରନ୍ତି । ଏଇ ମାଟି, ଏଇ ପାଣି ପବନରେ ତାଙ୍କର ଅସ୍ଥି, ମେଦ, ମାଂସ ଗଢ଼ା । ଏଇ ପାଣିପବନ ହିଁ ଶୋଣିତ ହୋଇ ବହେ ସେମାନଙ୍କ ଶିରାପ୍ରଶିରାରେ ।

 

ଉପନ୍ୟାସଟି ଅନେକ ଦିନ ଧରି ଘନ ତମିସ୍ରାର ଜଉଘରେ ବନ୍ଦୀ ହୋଇ ରହିଗଲା । ସୌଭାଗ୍ୟକୁ ବିଶିଷ୍ଟ ପ୍ରକାଶକ, ଲେଖକ ଓ ଏକାନ୍ତ ମମତାପରାୟଣ ବନ୍ଧୁ ଶ୍ରୀଜଗନ୍ନାଥ ରଥ ଏହାକୁ ଲୋକଲୋଚନକୁ ଆଣିବାକୁ ଆଶୁ ଶ୍ରଦ୍ଧାବାନ୍ ହେଲେ । ଏଥିପାଇଁ ତାଙ୍କ ନିକଟରେ ମୁଁ କୃତଜ୍ଞ ।

 

ସ୍ଵନାମଧନ୍ୟ ଶିଳ୍ପୀ ଶ୍ରୀ ଅସୀତ୍‌ ମୁଖାର୍ଜୀ ଓ ସ୍ଵର୍ଣ୍ଣପ୍ରଭା ପ୍ରିଣ୍ଟର୍ସର ମାଲିକ ଶ୍ରୀ ଲିଙ୍ଗରାଜ ବେହେରା ପ୍ରଭୃତି ସହଯୋଗ ପାଇଁ ସେମାନେ ମଧ୍ୟ ଧନ୍ୟବାଦାର୍ହ ।

 

ପରମାନନ୍ଦ ଅଧିକାରୀ

ତା ୮-୯-୧୯୭୭

Image

 

-ଏକ-

 

ରାତି ପାହିଲେ ଶ୍ରୀପଞ୍ଚମୀ । ହେମାଙ୍ଗିନୀ ଦେବୀଙ୍କ ମନରେ ଆନନ୍ଦ କହିଲେ ନସରେ-। ଆଖିରେ ଆଖିଏ କୌତୂହଳ, ଓଠରେ ଓଠେ ଦରହାସ୍ୟ ଘେନି ସେ ଅନାଇ ରହିଛନ୍ତି ବିପ୍ରବାବୁଙ୍କ ଆସିବା ପଥକୁ । ଅସୁମାରି ଆଶାର ଜୁଆର ଖେଳୁଛି ତାଙ୍କର ପ୍ରାଣତଳେ । ଯେତେ ଚେଷ୍ଟା କଲେ ବି ଆଖିକି ତାଙ୍କର ଆଦୌ ନିଦ ଆସୁନାହିଁ ।

 

ରାତ୍ରି କ୍ରମେ ଗଭୀରରୁ ଗଭୀରତର ହୋଇଉଠୁଛି । ଅନ୍ଧକାରର ସୂତା ଫିଟି ଫିଟି ପଡ଼ୁଛି-। ଆକାଶରେ ବସିଛି ମଲା-ଜହ୍ନର ଶୋକସଭା ।

 

ମଣିଷର ମୃତ୍ୟୁପରି ବି ଜହ୍ନର ମୃତ୍ୟୁ ଭୟାବହ । ସମ୍ବେଦନଶୀଳତାର ଲଘୁଚାପ ସୃଷ୍ଟିହୁଏ ଅସଂଖ୍ୟ ହୃଦୟରେ ।

 

ଆହା.....

 

ବିଚରା ଜହ୍ନଟା ମରିଗଲେ ହୃଦୟର ନିଭୃତ କୋଣରେ କାହିଁକି ବାଜିଉଠେ ଅବ୍ୟକ୍ତ ବେଦନାର ଝଡ଼ ଝଙ୍କାର ! ବିରହ-ବିଧୁରା ପ୍ରଣୟିନୀର ନୟନ-ପୁଳିନରେ ଛୁଟେ ଅଶ୍ରୁର ପ୍ଳାବନ ।

 

ଜହ୍ନର ମୃତ୍ୟୁକୁ ବି ସୌନ୍ଦର୍ଯ୍ୟର ମୃତ୍ୟୁ ବୋଲି ଧରାଯାଇ ପାରେ ।

 

ପ୍ରକୃତରେ ଜହ୍ନର ମୃତ୍ୟୁରେ କ’ଣ ନଥାଏ ବିବର୍ତ୍ତନବାଦର ଇଙ୍ଗିତ ? ଦାର୍ଶନିକତାର ନିଗୂଢ଼ ତତ୍ତ୍ଵ ? ଚଳା ଚଳା ରୋମାନ୍‌ସର ମାୟା ? ଜୀବନ ରହସ୍ୟର ସତ୍ୟାନୁସନ୍ଧାନ !

 

ଜହ୍ନଟା ମରିଗଲାଣି କେତେବେଳୁ ସତେ ?

 

ନିଶା ସାଇଁ ସାଇଁ ଗର୍ଜୁଛି । ଦୁଷ୍ଟ, ଚପଳ ଜ୍ୟୋତି ରଙ୍ଗଣ ଆନନ୍ଦ ବିହ୍ଵଳ ହୋଇ ଶିଶଂପା ବୃକ୍ଷରେ ମୁଣ୍ଡ ପିଟୁଛି । ରାତି ଅଧରୁ ଗଡ଼ିଲାଣି ଆସି ।

 

ଗାଆଁ ଯାକର ଲୋକ କିଏ କୁଆଡ଼େ ସୁଖନିଦ୍ରାରେ ଶୋଇ ଘୁଙ୍ଗୁଡ଼ି ମାରିଲେଣି, ହେମାଙ୍ଗିନୀ ଦେବୀ କିନ୍ତୁ ଶୋଇପାରୁ ନାହାନ୍ତି–

 

କାହିଁକି ନା ବିପ୍ରବାବୁ ଆଜି ଆସିବେ ।

 

ହଁ...ହଁ... ବିପ୍ରବାବୁ ଆସିବେ । ଅଧିକ ନିଶ୍ଚିତ ହେବାପାଇଁ ସେ ତାରବାର୍ତ୍ତା ପଠାଇଛନ୍ତି-

 

ହେମାଙ୍ଗିନୀ ଦେବୀଙ୍କ ମନରେ ସେଥିପାଇଁ ଆଦିମ ତୃଷ୍ଣାର ବହ୍ନି ଦପ୍ ଦପ୍ ହୋଇ ଜଳୁଛି, ଆଉ ଆଶୁ ଆସଙ୍ଗଲିପ୍‌ସାର ଆଶ୍ଵାସନାରେ ଲିଭୁଛି । ଦେହରେ ତାଙ୍କର ଭରି ରହିଛି ଅଜସ୍ର ବେପଥୁର ତରଙ୍ଗାୟିତ କମ୍ପନ । ବ୍ୟଥାର ଜ୍ଵଳନରେ ଖାଲି ଛଟପଟ ହେଉଛନ୍ତି ସେ ।

 

ସୀମା ଶୋଇଲାଣି କେତେବେଳୁ ।

 

ମୁମୂର୍ଷୁ ପ୍ରଦୀପର ଏକ କ୍ଷୀଣ ଆଲୋକରେଖା ଆସି ପଡ଼ିଛି ତା’ ଠିକ୍‍ ‘ଠ ବର୍ତ୍ତୁଳ’ ଚନ୍ଦ୍ରାନନରେ । ସୀମା ପାଖକୁ ଲାଗିବସି, ତା’ର ଭ୍ରମରବିନିନ୍ଦୀ କେଶଗୁଚ୍ଛ ଭିତରେ ଅଙ୍ଗୁଳି ସଂଚାଳନ କରୁ କରୁ କେତେ କଥା ଭାବୁଛନ୍ତି ହେମାଙ୍ଗିନୀ ଦେବୀ ।

 

ସୀମା କେମିତି ହାତକୁ ଦି’ହାତ ହେବ ! ଦେହରେ ବାଡ଼ୁଅପାଣି ପଡ଼ିବ । ହାତରେ ଶଙ୍ଖା, ମୁଣ୍ଡରେ ସିନ୍ଦୂର ଶୋଭାପାଇବ । ଘରସଂସାରରେ ପଶି, ଆଖି ଲୁହ ଛାତି ପଥର କରି, ଦୁନିଆଁର ଦାଉ ସମ୍ଭାଳି, ପାଞ୍ଚ ପଚିଶଙ୍କ ମୁହଁରୁ ବାହାବା ପଦ ନେବ ।

 

ପାଣି ସୁଅପରି ଦିନଗୁଡ଼ାକ କୁଆଡ଼େ ଅନନ୍ତ କାଳସମୁଦ୍ରରେ ମିଶିଯାଉଛି ସତେ !

 

ଦିନ ମାସ ହେଉଛି ।

 

ମାସ ବର୍ଷ ହେଉଛି ।

 

କାଲିପରି ଲାଗୁଛି, ହେମାଙ୍ଗିନୀ ଦେବୀଙ୍କୁ ସୀମାର ଜନ୍ମଦିନ କଥା । ଏହା ଭିତରେ ସୀମାର ଜୀବନ ଉପରେ ଷୋହଳଟି ବସନ୍ତ ନାଚି କୁଦି ଚାଲିଯାଇଛି । ସୀମାକୁ ଆଜି ସମସ୍ତେ ପ୍ରଶଂସା କରୁଛନ୍ତି । ସୀମାକୁ ସେ ଗର୍ଭରେ ଧାରଣ କରି ଧନ୍ୟା ହୋଇଛନ୍ତ ବୋଲି ସମସ୍ତେ ଏକ ସ୍ଵରରେ କହୁଛନ୍ତି ।

 

କିନ୍ତୁ....

 

ବନ ପୋଡ଼ିଗଲେ ସମସ୍ତେ ଜାଣନ୍ତି । ମନ ପୋଡ଼ିଗଲେ କିଏ ଜାଣେ ? ଯିଏ ଅନୁଭବୀ ସିଏ ଏକା ବୁଝେ । ସୀମା ପାଇଁ ସତେ କେତେ କଷ୍ଟକରି ନାହାନ୍ତି ହେମାଙ୍ଗିନୀ ଦେବୀ ! କେତେ ଲୁହ ଝାରି ନାହାନ୍ତି, କେତେ ଲହୁ ଢାଳି ନାହାନ୍ତି, କେତେ ନିନ୍ଦା ମଥାପୋତି ସହି ନାହାନ୍ତି, କେତେଥର ଅପମାନରେ ନିଜକୁ ଅସହାୟା ମଣି ଆତ୍ମହତ୍ୟାର ଆଶ୍ରୟ ନେବାକୁ ଚେଷ୍ଟା କରିନାହାନ୍ତି !

 

ମାତ୍ର......

 

ସେ ଆତ୍ମହତ୍ୟା କରିପାରି ନାହାନ୍ତି ।

 

ଏଇ ଧୂଳିଧୂସରିତ ଧରଣୀର ମାୟା, ଶ୍ୟାମ ବନାନୀର ସ୍ଵର୍ଗୀୟ ଶୋଭା, ଶସ୍ୟ ଶୋଭାବନ କେଦାରର ଆକର୍ଷଣ, ସର୍ପିଳ ସରିତର କୁଳୁ କୁଳୁ ନାଦ, ମଧୁଲୋଲୁପୀ ମଧୁପର ମଧୁର ଗୁଞ୍ଜନ, କୋକିଳର ମର୍ମସ୍ପର୍ଶୀ କୁହୁଗୀତ, ମଳୟାନୀଳ-ସେବିତ ଅଜସ୍ର କୁସୁମର ଗନ୍ଧ, ସୁଖ-ଦୁଃଖର ଅସଂଖ୍ୟ ଅପାସୋରା ସ୍ମୃତି ତାଙ୍କୁ ପଛକୁ ଟାଣିଛି । କେତେ ଜନ୍ମର ପୁଣ୍ୟ ଫଳରେ ମଣିଷ ଜନ୍ମ ଯେ ମିଳେ, ଏ ବିଷୟରେ ସେ ଖୁବ୍ ସଚେତନ ।

 

ସେ ଦୁଃଖକୁ ସୁଖ ମଣି କାଳ କାଟିଛନ୍ତି । ନିନ୍ଦାକୁ ପ୍ରଶଂସା ବୋଲି ଗ୍ରହଣ କରିଛନ୍ତି । ବିପଦକୁ ସମ୍ବର୍ଦ୍ଧନା ଜଣାଇ ସାହସର ସହିତ ଲୋକାପବାଦର ସମ୍ମୁଖୀନ ହୋଇଛନ୍ତି ।

 

ଦିନ ଯାଇଛି–

 

କଥା ରହିଛି ।

 

ଦଇବ ଦଉଡ଼ି, ମଣିଷ ଗାଈ, ଯେଣିକି ଅଡ଼ାଇବ ତେଣିକି ନଯାଇ ରକ୍ଷା ନାହିଁ ।

 

ମଣିଷର ଚାରା ଅଛି କ’ଣ ? ମଣିଷର ବଡ଼େଇ ଅଡ଼େଇ ଦିନକୁ, ଗୋସ୍ପଦର ବୁଦ୍ ବୁଦ୍ ପରି । ନିୟତିକୁ ନିଜ ଇଚ୍ଛା ପଥରେ ନେବାକୁ ଜଗତରେ କାହାରି ଶକ୍ତି ନାହିଁ । ସେଭଳି ଚେଷ୍ଟା ଯିଏ କରେ ସିଏ ପାଏ ନିନ୍ଦା, ସିଏ ପାଏ ଅପମାନ, ସିଏ ହୁଏ ଲୋକହସା ।

 

ସବୁ କଥାର ସୀମା ଅଛି । ସୀମା ଡେଇଁଲେ ବିପଦ । ସୀମା ଡେଇଁ ହେମାଙ୍ଗିନୀ ଦେବୀ ଯେଉଁ କଷ୍ଟ ସହିଛନ୍ତି, ଯେଉଁ ଲୋକ ଲଜ୍ଜାରେ ସଢ଼ିଛନ୍ତି, ଯେଉଁ ଦୁର୍ବିସହ ବାଧାବିଘ୍ନର ଶିକାର ହୋଇଛନ୍ତି, ତାହା ସେ ଜାଣନ୍ତି । ଆଜି ଆଉ ସେ କଥା କହି ଲାଭ ନାହିଁ ।

 

ତେବେ....

 

କହି ହେବ ବା କେମିତି ? ଅଦେଖା ସ୍ଥାନର କ୍ଷତ କ’ଣ ଦେଖାଇ ହୁଏ ? ହେମାଙ୍ଗିନୀ ଦେବୀଙ୍କୁ କଳିଷଠା ଛତିଶ ବର୍ଷ ହେଲାଣି । ଆଉ କେଇଟା ବର୍ଷ ମାରିଦେଲେ ଯାଏ ।

 

ଏଇମିତି ଅସରନ୍ତି ଭାବନା ଭିତରେ ସେ ବୁଡ଼ି ରହିଥିଲା ବେଳେ କୁଆଡ଼େ କ’ଣ ଠକ୍‌କରି ହେଲେ ସେ ଚମକିପଡ଼ନ୍ତି । ଛାତିରେ ତାଙ୍କର ଛନକା ପଶେ । ପହିଲି ମଧୁର ମିଳନ ସାର୍ଥକ ମୁହୂର୍ତ୍ତର ମୋହନ ବଂଶୀର ମୂର୍ଚ୍ଛନା ତାଙ୍କ କାନରେ ବାଜିଯାଏ । ଦୀର୍ଘ ବିରହ ପରେ ଆଲିଙ୍ଗନ ପାଶରେ ଆବଦ୍ଧ ହେବାର ଦୁର୍ବାର ଲାଳସାରେ ମନର ମୟୂରୀ ତାଙ୍କର ଅପାର ଆନନ୍ଦରେ ନାଚି ଉଠେ, ଶିରାରେ ଶିରାରେ ଉତ୍ତେଜନାର ଉଷ୍ଣ ପ୍ରସ୍ରବଣ ଛୁଟେ ।

 

ସତେ କ’ଣ ବିପ୍ରବାବୁ ଆସିଲେ କି ?

 

ଦର୍ପଣ ସମ୍ମୁଖକୁ ଯାଇ ନିଜର ବେଶଭୂଷାକୁ ଦେଖିନିଅନ୍ତି ହେମାଙ୍ଗିନୀ ଦେବୀ । ମାଂସଳ ବାହୁ ଯୁଗ୍ମ, ସୁକୋମଳ ଗଣ୍ଡଦେଶ । ତାଙ୍କର ସ୍ଫୁରି ଉଠେ ସ୍ପର୍ଶାନୁଭୂତିର ସ୍ନିଗ୍‌ଧ ଶିହରଣ ପାଇଁ । ସେ ବିଭିନ୍ନ ଭଙ୍ଗୀରେ ଠିଆହୋଇ ଅପଲକ ଦୃଷ୍ଟିରେ ଚାହିଁ ରହନ୍ତି ଦର୍ପଣ ଆଡ଼କୁ । କେଉଁଠି କିଛି ବ୍ୟତିକ୍ରମର ସୂଚନା ପାଇଲେ ଅନତିବିଳମ୍ବେ ସଜାଡ଼ି ନିଅନ୍ତି ସେ । ଆଖିର କଜ୍ଜ୍ୱଳ, ମଥାର ସିନ୍ଦୂରକୁ ସେ ବେଶି ସାବଧାନତାର ସହିତ ଲକ୍ଷ୍ୟ କରନ୍ତି । ଆଖିକି ତାଙ୍କର ଗାରେ କଜ୍ଜ୍ୱଳ, ମଥାକୁ ତାଙ୍କର ଧାରେ ସିନ୍ଦୂର ଭାରି ମାନେ ଏକା ।

 

ସେ ବିବ୍ରତ ହୋଇ ବାତାୟନ ଫାଙ୍କରେ ଯାଇ କେତେବେଳେ କେମିତି ବିପ୍ରବାବୁଙ୍କ ଆସିବା ପଥକୁ ଅନାଇଁ, କାନ ଡେରନ୍ତି ।

 

ରମ୍ଭାପତ୍ର ଉପରେ ବାଦୁଡ଼ି ବସି ପର ଫଡ଼ ଫଡ଼ କଲେ ବି ସେ ଚମକିପଡ଼ି ଛାତିକି ତିନି ନଣ୍ଡା ଛେପ ପକାଇ ଦିଅନ୍ତି । ସାଇଁ ସାଇଁ ହୋଇ ବହିଆସି, ଉନ୍ନତ ବୁକୁର ମାଂସ ପାହାଡ଼କୁ ଛୁଇଁ ଛୁଇଁ ଚାଲିଯାଏ ଚୋରା ବସନ୍ତ ।

 

କଳା କୋଇଲିଟା ଡାକେ କୁହୁ...କୁହୁ...କୁହୁ...

 

ହେମାଙ୍ଗିନୀ ଦେବୀ ତର ତର ହୋଇ ଦାଣ୍ଡ କବାଟ ଖୋଲି, ଯେତେ ଦୂରକୁ ଆଖିପାଏ ସେତେ ଦୂରକୁ ଅନାନ୍ତି ଆସି । କେହି କୁଆଡ଼େ ଆସିବାର ଜଣାପଡ଼େ ନାହିଁ । ସେ ସୀମା ଅଜଣାରେ କବରୀରେ ଖୋସିଥିବା ଫୁଲକୁ ପାଦରେ ଦଳିଦିଅନ୍ତି । ମୁହଁ ତାଙ୍କର ଅଭିମାନରେ ଧାନଉଷୁଁଆ ହାଣ୍ଡି ପରି ହୋଇଯାଏ । ହେମ ଢଳ ଢଳ ଗୌର ତନୁରେ ବିଷାଦର ପାଣିଚିଆ କାଳିମା ହତାଶାଜନିତ ଉଦଗତ୍ ସ୍ଵେଦରେ ମିଶି ନେସି ହୋଇଯାଏ ।

 

ସେ ପୁଣି ଯାଇଁ ବିଛଣା ଉପରେ ଅଳସ ତନୁକୁ ଲୋଟାଇ ଦେଇ, ଊର୍ଦ୍ଧ୍ଵକୁ ଚାହିଁ, ଡାହାଣ ହାତକୁ ମଥା ଉପରେ ରଖି କେତେ କ’ଣ ଭାବନ୍ତି ? ମନ ତାଙ୍କର ମଉଳିପଡ଼େ । ଛାତି ତାଙ୍କର କ’ଣ ହୋଇଯାଏ ।

 

ନିଜକୁ ନିଜେ ପ୍ରଶ୍ନ କରନ୍ତି–ସତେ କ’ଣ ତେବେ ସିଏ ଆଜି ଆସିବେ ନାହିଁ ? କେମିତିକା ଅରସିକ ମଣିଷଟାଏ ମ ?

 

ତାଙ୍କ କଥାକୁ ସମର୍ଥନ କରି......

 

କାନ୍ଥରେ ଥାଇ ଝିଟିପିଟି ବୋବାଏ ।

 

ହେମାଙ୍ଗିନୀ ଦେବୀ ବିଛଣା ଉପରେ ଆଙ୍ଗୁଠିରେ ତିନିଥର ଟିପା ମାରି କହନ୍ତି-‘‘ସତ୍...ସତ୍...ସତ୍....”

 

ସେ ପୁଣି ଭାବନ୍ତି–ରକ୍ତ ମାଂସର ଦେହ ବହି ମଣିଷ ପୁଣି ପାଷାଣଠାରୁ ଏମିତି କଠିଣ ହୋଇପାରେ ? ଥରେ ଏ ରୂପର ଗଛରୁ ଯୌବନର ସୁବାସିତ ଶେଫାଳୀ ଝରିଗଲେ, ବିଭୁକ୍ଷୁ ନୀଳ ଶିରାରେ ଅମାପ ଉତ୍ତେଜନାର ମାଦକତା ଉତୁରି ଉତୁରି ଶେଷ ହୋଇଗଲେ, ସୌନ୍ଦର୍ଯ୍ୟର ସାଗରରେ ଜୁଆର ଉଠି ଭଟ୍ଟା ପଡ଼ିଗଲେ, ଆଉ ଆସଙ୍ଗଲିପ୍‌ସାର ଆକର୍ଷଣ ରହିବ ତ ?

 

ବ୍ୟାଘ୍ର ମଣିଷର ମାଂସ ଖାଏ ସତ; ମାତ୍ର ମଣିଷ ମାଂସର ଗନ୍ଧବାରେ ମଣିଷ । ସେହି ଗନ୍ଧର ଲୋଭ ଭିତରେ ତା’ର ପ୍ରାଣରେ ଜାଗେ ପ୍ରୀତିର ପିପାସା । ଜୀବନ ପ୍ରତି ବଢ଼େ ଅସୀମ ମମତା । ପ୍ରିୟତମର ଉଷ୍ଣ ନିଃଶ୍ଵାସର ଗଭୀର ସମୁଦ୍ରରେ ଅବଗାହନ କରିବାକୁ ଗୌରବ ମଣେ ସେ ।

 

ନାରୀ ମାଂସର ଲୋଭ କ’ଣ ୟାଙ୍କୁ କେବେ ଘାରେ ନା ? ଯେଉଁ ନାରୀର ରୂପ ଯୌବନକୁ ଦେଖି, କବି କବିତା ଲେଖେ, ଭାବୁକ ଭାବନା ବାରିଧିରେ ନିମଜ୍ଜମାନ ହୁଏ, ଶିଳ୍ପୀ ତୂଳିରେ ସୌନ୍ଦର୍ଯ୍ୟକୁ ଧରେ, ଯୋଗ ଭାଙ୍ଗେ, ସାଧକର ସାଧନା ଭ୍ରଷ୍ଟ ହୁଏ, ସେହି ନାରୀକୁ ଏ ଭୁଲି ଯା’ନ୍ତି, କେମିତି ?

 

ଆଶ୍ଚର୍ଯ୍ୟ !

 

ଏକଦମ ଆଶ୍ଚର୍ଯ୍ୟ !!

 

ଷାଠିଏ ବର୍ଷର ବୁଢ଼ା ବିଭା ହୋଇ ନବବଧୂ ସଙ୍ଗରେ ରଙ୍ଗ ରସରେ ମାତୁଛନ୍ତି । ୟାଙ୍କର ଏତେ ବୈରାଗ୍ୟ କାହିଁକି ?

 

ପୁରୁଷ ହୋଇ ଯଦି ସ୍ତ୍ରୀ ସ୍ନେହ ହୃଦରେ ନ ଘାରିଲା, ତେବେ ସେ କି ପୁରୁଷ ? ଦେଖୁ ଦେଖୁ ଏ ଗୋଟିଏ ମଣିଷ ଚାରିବର୍ଷ ହେଲା ଘରଛାଡ଼ି, ବିଦେଶରେ ଛାତିରେ ଛେପ ପକାଇ, ନିଦକ ହୋଇ ବସିଛନ୍ତି, ଏଣେ ପୁଣି ଘରସଂସାର ଚଳେ କେମିତି ?

 

ସାହୁ ମହାଜନ କେଣ୍ଟା କେଣ୍ଟା କରି ଖାଇ, ହାଡ଼ରୁ ମାଂସ ଝାମ୍ପୁଛନ୍ତି । ଏ ପ୍ରତି ମାସରେ କୋଡ଼ିଏ ତିରିଶଟା ଟଙ୍କା ପଠାଇ ଦେଇ ତେଣେ ନିଶ୍ଚିନ୍ତ ହୋଇ ରହୁଛନ୍ତି । ଯଦି ତୁମର ଆଜି ନ ଆସିବାର କଥା, ତେବେ ତାରବାର୍ତ୍ତା ପଠାଇ ଦେଉଥିଲ କାହିଁକି ? ଆସ ଆସ ବୋଲି ଯାଇ କିଏ କ’ଣ ତୁମ ବେକରେ ଓହଳୁଥିଲା କି ?

 

ଯେଉଁ ମଣିଷ ତ !

 

ପାଖରେ ଥିଲେ ସବୁ । ପାଖରୁ ଗଲେ ସବୁ ପାସୋର । ଦଶଖଣ୍ଡ ଚିଠି ଦେଲେ ବି ଖଣ୍ଡେ ଉତ୍ତର ନାହିଁ । ଯାହାଠାରୁ ଶୁଣ ହାକିମ ଭାରି କାର୍ଯ୍ୟ ବ୍ୟସ୍ତ । ଖାଇବାକୁ ଟିକେ ଫୁରୁସତ ନାହିଁ ।

 

ହାକିମ ଲୋ ! ବାପ ଲୋ ହାକିମ ! ଏଇ ଏକା ହାକିମ ହୋଇଛନ୍ତି ନା ଆଉ କିଏ ହାକିମ ହୋଇଛି ? ତୁମେ ଯଦି ଏମିତି ଜାଣୁଥିଲ, ତେବେ ଘରସଂସାରରେ ପଶୁଥିଲ କାହିଁକି ? ପରଝିଅକୁ ଆଣି ବେକରେ ବାନ୍ଧି ଦହଗଞ୍ଜ କରୁଥିଲ କାହିଁକି ? ମହାଦେବଙ୍କ ବୁଲାଷଣ୍ଢ ହୋଇ ବୁଲିଥାନ୍ତ । ଆଜନ୍ମ ବ୍ରହ୍ମଚାରୀ ବୋଲି ପ୍ରୌଢ଼ି କାଢ଼ି, ଲୋକ ଲୋଚନରେ ଅଞ୍ଜନ ବୋଳିଥାନ୍ତ ! ବେକରେ ପଘା ପକାଉଥିଲ କାହିଁକି ?

 

ଧର୍ମକୁ ଆଖିଠାର ମାରି ଯେଉଁମାନେ ଏକାଦଶୀ-ବକର ହୀନବୃତ୍ତି ଆଚରଣ କରନ୍ତି, ସେମାନେ ବିଶ୍ଵାସଘାତକ, ପ୍ରତାରକ, ଠକ ।

 

ଏ ରୂପ, ଏ ଯୌବନ, ଏ ସୌନ୍ଦର୍ଯ୍ୟ ଉପଭୋଗ ପାଇଁ; ମାତ୍ର ହତାଶା-ପାବକରେ ଜାଳିଦେବା ପାଇଁ ନୁହେଁ । ଯେ ଏ କାର୍ଯ୍ୟ କରେ, ତା’ର ଏ ପୃଥିବୀରେ ବଞ୍ଚିବାର ଆଦୌ ଅଧିକାର ନାହିଁ । ସେ ଈଶ୍ଵରଙ୍କ ନିକଟରେ ଦୋଷୀ ।

 

ପଥ ଚାହିଁ ଚାହିଁ ଆଖି ପାଣି ଆଖିରେ ମଲା, ହେମାଙ୍ଗିନୀ ଦେବୀଙ୍କର । ତଥାପି ବିପ୍ରବାବୁ ଆସିଲେ ନାହିଁ କି ତାଙ୍କର ମନକଥା ବୁଝିଲେ ନାହିଁ । ମନରେ ସଞ୍ଚିତ ଅକୁହା କାହାଣୀ ଶୁଣିଲେ ନାହିଁ । କ୍ଷୁଧାତୁରା ହେମାଙ୍ଗିନୀ ଦେବୀ ସୁଧା-ଭୋଜନର ସୁଯୋଗ ପାଇଲେ ନାହିଁ । କାମନା ପୁଲିନରେ ବେପୁଥୁ ଜୁଆର ମୁଣ୍ଡ ପିଟି ପିଟି ଭଟ୍ଟା ପଡ଼ିଲା । କପାଳରେ କର କଚାଡ଼ି ନିଶି ପୁହାଇଲେ ସେ ।

 

ପ୍ରକୃତରେ...

 

ଦୀର୍ଘ ବିରହବିଧୁରା ପ୍ରୋଷିତ ଭର୍ତ୍ତୃକା, ଉଚ୍ଛଳ ଯୌବନା ରମ୍ୟା ନାରୀ ସ୍ଵାମୀ ଆଗମନର ବାର୍ତ୍ତା ଯେତେବେଳେ ଶୁଣେ, ପଲକମାତ୍ରେ ସେ ଆନନ୍ଦ ଅକୂପାରରେ ଝାସ ଦେଇଦିଏ-। ଅଙ୍ଗ ତା’ର ସଙ୍ଗମ ଲାଳସାରେ ମାତିଉଠେ । ତଣ୍ଟି ଶୁଖି ଅଠା ହୋଇଯାଏ-। ପଞ୍ଚବାଣର ଆଘାତରୁ ବଞ୍ଚିବା ପାଇଁ ଉଚ୍ଛନ୍ନ ହୁଏ । ବାର ବାର ଦର୍ପଣ ନିକଟକୁ ଯାଇ ନିଜର ପୁଷ୍ପିତ ଅଙ୍ଗରାଗରେ ତୀକ୍ଷ୍‌ଣ ଅନାଉଣି ଢାଳେ । ବୃଦ୍ଧା ଯୁବତୀର ପ୍ରଶ୍ନ ଉଠେ ନାହିଁ । ରତିର ତାଡ଼ନାରେ ମର୍କଟୀ ମଧ୍ୟ ନିଜକୁ ରମ୍ୟା ବୋଲି ଭାବେ । ଅନୁଭବୀ ବିନା ଆନ ଅନୁଭବ କରିବ କିଏ-?

 

ଯେତେବେଳେ ସବୁ ଆଶା ବିଫଳ ହୁଏ, ସେତେବେଳେ ମରଣାନ୍ତକ ପୀଡ଼ା ଜାତ ହୁଏ, ଅସନ ବସନ ପିତା ଲାଗେ । ଜୀବନ ଥାଇ ନଥିଲା ପରି ଜଣାଯାଏ । ସଂସାରରେ ସବୁ ବେଦନା ଭିତରେ ପ୍ରୀତି ଜନିତ ପୀଡ଼ା ସବୁଠାରୁ ଯନ୍ତ୍ରଣାପ୍ରଦ, ସବୁଠାରୁ ଭୟାବହ ।

 

ପ୍ରୀତିର ଜ୍ଵଳା ସହ୍ୟ କରି ନପାରି ମଣିଷ ମଡ଼ାକୁ ଧରି ନଦୀ ପହଁରି ପଡ଼େ । ସାପ ଲାଞ୍ଜକୁ ଧରି ଅଭିସାର ସ୍ଥାନରେ ଉପସ୍ଥିତ ହୁଏ । ସବୁ ଆକଟ, ସବୁ ବାଧା, ସବୁ ବନ୍ଧନ–ସେ ତୁଚ୍ଛ ମଣେ ।

 

ମଣିଷ ତ ମଣିଷ, ପଶୁପକ୍ଷୀଙ୍କର ବି ମତିଭ୍ରମ ହୁଏ । ଚିତ୍ତ ଚାଞ୍ଚଲ୍ୟ ଘଟେ । ପକ୍ଷୀ ପିଞ୍ଜରା କାଟି ଘନ ବନସ୍ତକୁ ପଳାଏ । ବାଘ ଲୁହାର ବାଡ଼କୁ ଡେଇଁପଡ଼ି ବାଘୁଣୀ ନିକଟରେ ଉପସ୍ଥିତ ହୁଏ । ଦନ୍ତାହାତୀ ଖେଦାରେ ପଡ଼ିଥିବା ମାଈ ଗୁଣ୍ଠୁଣୀ ହାତୀପାଖକୁ ଜୀବନକୁ ବିପଦାପନ୍ନ କରି ଡେଇଁ ପଡ଼ି ଚାଲିଯାଏ ।

 

ବିଚିତ୍ର ଏ ବିଶ୍ଵ ! ବିଚିତ୍ର ଏ ବିଧାତାଙ୍କ ସୃଷ୍ଟି ।

 

ସବୁଠାରୁ ବିଚିତ୍ର ପୁଣି ଏହି ପ୍ରୀତିର ରୀତି ।

 

ଯାହା ହେଉ....

 

ହେମାଙ୍ଗିନୀ ଦେବୀଙ୍କ ମନ ଆଶା ମନରେ ମଲା । ଅତନ୍ଦ୍ର ନୟନରେ ଉଜାଗର ରହି ରହି ବିଫଳରେ ନିଶି ପାହିଲା ।

 

-ଦୁଇ-

 

ସୂର୍ଯ୍ୟଦେବ ଏଥର ପରାଚୀ ଗଗନରେ ହସିଲେ । ଘନ ଅନ୍ଧକାର ପୃଥିବୀ ପୃଷ୍ଠରୁ ଅପସରିଗଲା । ଚାହାଳିର ଚାଟମାନେ ବଗିଚାରେ ଫୁଲ ତୋଳୁ ତୋଳୁ ମନ ଆନନ୍ଦରେ ଗୀତ ଗାଇ ଗାଇ ନାଚି ଯାଉଥିଲେ–

 

‘‘ମାଘ ସ୍ନାହାନକୁ ବାହାର ହୋଇ

ବସନ୍ତ ପଞ୍ଚମୀ ନାମ ବୋଲାଇ

ଏଇ ପଞ୍ଚମୀ ଯେ ଅଟଇ ଭଲ

ଆନ ପଞ୍ଚମୀ ନୁହେଁ ଏହା ତୁଲ ।

 

ଆଜି ଶ୍ରୀପଞ୍ଚମୀ ।

 

କୁନ୍ଦେନ୍ଦୁ ତୁଷାର ହାର ଧବଳା, ବରଦା, ଜ୍ଞାନଦା, ବିଦ୍ୟାଦାତ୍ରୀ ବୀଣାପାଣିଙ୍କର ପୂଜା, ପିଲାଙ୍କ ପାଟିରେ ଗଗନ-ପବନ କମ୍ପୁଛି ।

 

ଅଲିଅଳୀ ସୀମାର ନିଦ ଭାଙ୍ଗିଗଲା ।

 

ସେ ନିଦ ମଳ ମଳ ହୋଇ ଉଠି, ମୁହଁ ଧୋଇବା ପୂର୍ବରୁ ଆଗେ ପଚାରିଲା-‘‘ବୋଉ ଲୋ...ବୋଉ...ବାପା କାଲି ଆସିଛନ୍ତି ?’’

 

କଟା ଘାରେ ଚୂନ ବୋଳିଲା ଭଳି ଅନୁଭବ କଲେ ହେମାଙ୍ଗିନୀ ଦେବୀ । ମନ କଥା ମନରେ ମାରି, ମୁରୁକି ହସା ଦେଇ କହିଲେ–

 

“ହଁ” ।

 

ସୀମା ଆନନ୍ଦରେ ଅଧୀର ହୋଇ ପୁଣି ପଚାରିଲା, ‘‘ବାପା, କାହାନ୍ତି ?”

 

ହେମାଙ୍ଗିନୀ ଦେବୀ ଏଥର କୌତୁକ କରି କହିଲେ–“ବାପା ତୋ’ର ପେଡ଼ିରେ ପଶିଛନ୍ତି-।’’

 

ସୀମା ଗମ୍ଭୀର ହୋଇ କହିଲା–“ବୋଉ, ତୁ ଏପରି କ’ଣ କହୁଛୁ ? ସମସ୍ତଙ୍କର ସୁବିଧା ଅସୁବିଧା ଅଛି । ତାଙ୍କର ଏବେ କ’ଣ ଅସୁବିଧା ହୋଇଥିବ ସେ ଆସିପାରି ନଥିବେ ।’’

 

ସରକାରୀ ଚାକିରି କଥା । ଘଡ଼ିକେ ଘୋଡ଼ା ଛୁଟେ । ନାଲିଫିତା ଆଉ ନାଲି ଆଖି ତଳେ ଲୋକର ବିଦ୍ୟା, ବୁଦ୍ଧି, ଜ୍ଞାନ, ପ୍ରତିଭା ସବୁ ହଜିଯାଏ । ପର ଅଧୀନ କଥା । କାଳେ ଛୁଟି ମିଳିଥିବ, ନ ମିଳିଥିବ ।

 

ହେମାଙ୍ଗିନୀ ଦେବୀ ସୀମା ତୁଣ୍ଡରୁ କଥା ଛଡ଼େଇ ନେଇ କହିଲେ–“ରାଇଜ ସାରା ଲୋକଙ୍କୁ ଛୁଟି ମିଳୁଛି, ଏକା ତୋରି ବାପାଙ୍କୁ ଛୁଟି ମିଳୁ ନାହିଁ ?’’

 

ସୀମା ପୁଣି ତା’ ନିଜ କଥା ଉପରେ ଗୁରୁତ୍ୱ ଆରୋପ କରି କହିଲା–ତୁ’ କୁଆଡ଼ୁ ସେ କଥା ବୁଝିବୁ ବୋଉ ? ପର ଅଧୀନ ହୋଇ ଯେଉଁ ପ୍ରାଣୀ ରହେ, ସେ ଅସରନ୍ତି ଯାତନା ଭୋଗେ । ହାତୀ ପରା ବଳବାନ ଜନ୍ତୁ ବନ୍ଧନରେ ପଡ଼ି ସାମାନ୍ୟ ଅଙ୍କୁଶ ବାଡ଼ିଖଣ୍ଡକୁ ଡରିଥାଏ । ମୁକ୍ତ ଆକାଶର ବିହଙ୍ଗମ ପିଞ୍ଜରାବଦ୍ଧ ହେଲେ ତା’ମନର ସବୁ ସରସତା ସମୂଳେ ବିନାଶ ହୁଏ !

 

ଉପରିସ୍ଥ ହାକିମ ହୁକୁମାଙ୍କ କଥା କହନା; କହନା....ସେମାନେ ଭାରି ସ୍ଵାର୍ଥପର । ସବୁବେଳେ ସେମାନେ କେବଳ ତାଙ୍କରି ସୁଖ, ସୁବିଧା ନେଇ ବ୍ୟସ୍ତ ଥା’ନ୍ତି । ସେମାନଙ୍କୁ ଚଉଖୁଣ ମାଫ୍ । ସବୁ ଅନ୍ୟାୟ କାମ କରି କୌଶଳରେ ଖସିଯାଆନ୍ତି । ସବୁ ଦୋଷ କରି ନିର୍ଦ୍ଦୋଷ ବୋଲି ତ୍ରାହି ପାଇ ଯାଆନ୍ତି ।

 

କିନ୍ତୁ ?

 

ଅଧସ୍ତନ କର୍ମଚାରୀଙ୍କଠାରେ ସାମାନ୍ୟ ଦୋଷ, ସାମାନ୍ୟ ବ୍ୟତିକ୍ରମ ପରିଲକ୍ଷିତ ହେଲେ ବାହାରେ ସବୁ ଆଇନ, ସବୁ ନିୟମ । ଘରେ ମା’ ବାପ ମରି ପଡ଼ିଥିଲେ ବି ଛୁଟି ଦିନେ ମିଳିବା ମହାକଷ୍ଟ । ବାହାରକୁ ଚାକିରିର ମହତ୍ତ୍ଵ ଯେତିକି ଦେଖାଯାଏ, ଭିତରେ ସେତିକି ଲାଞ୍ଛନା, ସେତିକି ଦୁଃଖ, ସେତିକି କଷ୍ଟ ।

 

ବୋଉ ଲୋ, ବାପା ତ ଆସିଲେ ନାହିଁ, ମୁଁ ପିନ୍ଧିବି କ’ଣ ?

 

ସୀମାର ଏଇ କଥା ପଦକରେ ହେମାଙ୍ଗିନୀ ଦେବୀଙ୍କ ମୁଣ୍ଡରେ ତେନ୍ତୁଳିଆ ବିଛା ଚାଲିଗଲା । ମନ ତାଙ୍କର କ’ଣ ହୋଇଗଲା । ନ’ଟା ନାହିଁ, ନା ଛ’ଟା ନାହିଁ । ଗୋଟାଏ ବୋଲି ଝିଅ । ତା’ର ଆଜି ଜନ୍ମଦିନ । ସେ ପୁଣି ଖଣ୍ଡେ ନୂଆ ଲୁଗା ପିନ୍ଧିବାକୁ ପାଇଲା ନାହିଁ ! ଏମିତି ବାପ ଥାଇ ଯାହା ନଥାଇ ତାହା ।

 

ସୀମା କହିଲ–ବୋଉ ଲୋ, ତୁ’ତ ନ କହି ନକହି ଖଞ୍ଜରେ ଭଲ କଥା କହୁଛୁ । ଶ୍ରୀପଞ୍ଚମୀ ପରା ଦିନରେ ତୁ, ବାପାଙ୍କୁ ଗାଳି ଦେଉଛୁ ?

 

ହେମାଙ୍ଗିନୀ ଦେବୀ ତମ ତମ ହୋଇ ଚଢ଼ାଗଳାରେ ଉତ୍ତର ଦେଲେ–ଗାଳି ଦେଲେ ହେଲା କ’ଣ ? ଆତ୍ମାକୁ ବାଧିଲେ ଏଇମିତି ସମସ୍ତେ ଗାଳି ଦିଅନ୍ତି ।

 

ତା’ପରେ ତାଙ୍କ ଆଖିରୁ ଗଡ଼ିପଡ଼ିଲା ଦି’ଟୋପା ତତଲା ଲୁହ ।

 

ହେମାଙ୍ଗିନୀ ଦେବୀଙ୍କୁ କାନ୍ଦିବାର ଦେଖି ସୀମା କହିଲା–‘‘ବୋଉ ଲୋ, ତୁ’ କାହିଁକି ଏମିତି କାନ୍ଦୁଛୁ ? ଭଲମନ୍ଦ କ’ଣ କିଛି ନାହିଁ ? ସବୁବର୍ଷ ଜନ୍ମଦିନ ହେଉଥିଲା, ଏ ବର୍ଷ ଏବେ ନ ହେଉ ।

 

“ଏ ବର୍ଷ କାହିଁକି ଜନ୍ମଦିନ ନ ହେବ ସୀମା ?’’ ଝଡ଼ ବେଗରେ ସାହିକି ପଶି ଆସି ପଚାରିଲା ସ୍ଵୟମ୍ଭୂ ।

 

ଅପ୍ରତିଭ ହେଲେ ହେମାଙ୍ଗିନୀ ଦେବୀ ଆଉ ସୀମା । କ୍ଷଣେ କାଳ କେହି କାହାକୁ କିଛି କହିପାରିଲେ ନାହିଁ ।

 

ତା’ପରେ...

 

ସ୍ଵୟମ୍ଭୂ ହେମାଙ୍ଗିନୀ ଦେବୀଙ୍କୁ ଲକ୍ଷ୍ୟ କରି ପଚାରିଲା–‘‘ମାଉସୀ, ଆଜି ପରା ସୀମାର ଜନ୍ମଦିନ ?’’

 

ହେମାଙ୍ଗିନୀ ଦେବୀ କହିଲେ–“ହଁ ବାପ ।’’

 

ସ୍ଵୟମ୍ଭୂ ପୁଣି ଟିକିଏ ଗମ୍ଭୀର ଭାବରେ ପ୍ରଶ୍ନ କଲା–“ଆଜିପରା ଦିନରେ ସେ କାହିଁକି ମନମାରି ବସିଛି ? କ’ଣ ହୋଇଛି ତା’ର ? ସେ ଏତେ ବେଳଯାଏ ଗାଧୋଇ ନାହିଁ କି ?’’

 

ହେମାଙ୍ଗିନୀ ଦେବୀ ଅଶ୍ରୁ ଗଦ୍‌ଗଦ କଣ୍ଠରେ କହିଲେ–‘‘ଗାଧୋଇ ସେ କରିବ କ’ଣ ? ମଉସା ତ ତୋର ଭୋଳା ମହେଶ । କାଲି ଆସିବା ଲୋକ, ଆଜି ଏତେ ବେଳଯାଏ ଆସିଲେ ନାହିଁ ।’’

 

ସ୍ଵୟମ୍ଭୂ ହସି ହସି ଜବାବଦେଲା–‘‘ଓଃ ଏଇ କଥା ତ !’’ ବ୍ୟାଗରୁ ଖଣ୍ଡିଏ ଲୁଗା କାଢ଼ି ହେମାଙ୍ଗିନୀ ଦେବୀଙ୍କ ହାତକୁ ବଢ଼ାଇ ଦେଇ କହିଲା–“ହେଇ ନିଅ, ସୀମାକୁ ଦିଅ । ସେ ଗାଧୋଇ ଆସି ପିନ୍ଧୁ ।’’

 

ଅଦୂରରେ ମରେଇ ଖୁଣ୍ଟକୁ ଧରି ଠିଆ ହୋଇଥିବା ସୀମାର ମୁଖରେ ବିମଳ ଲଘୁହାସର ରେଖା ଉକୁଟି ଉଠିଲା ।

 

ହେମାଙ୍ଗିନୀ ଦେବୀ କୃତଜ୍ଞତାସୂଚକ ଭଙ୍ଗୀରେ କହିଲେ–“ବାପ, ତୁ’ କାହିଁକି ଏତେ ଜିନିଷ ଆଣି ଦେଉଛୁ ? ଆମେ ତୋତେ କ’ଣ ବା ଦେଇପାରିବୁ ? ତୋ’ ବାପ ତ ବଡ଼ଲୋକ !’’

 

ସ୍ଵୟମ୍ଭୂ ବିନୟପରିପୂର୍ଣ୍ଣ ଭାଷାରେ କଅଁଳେଇ କହିଲା–‘‘ମଣିଷ ମଣିଷ ଭିତରେ ଯେଉଁ ଭେଦର ପାଚେରୀ ଠିଆହୋଇ ବଡ଼ଲୋକ, ଗରିବ ଲୋକ ବୋଲି ହୁରି ପଡ଼ିଛି, ସେହି ଭେଦର ପାଚେରୀର ସୃଷ୍ଟିକର୍ତ୍ତା ଈଶ୍ଵର ନୁହନ୍ତି । ସୃଷ୍ଟିକର୍ତ୍ତା ସ୍ଵୟଂ ଆମ ସ୍ଵାର୍ଥାନ୍ଧ ମଣିଷ । ଏହି ଘୃଣ୍ୟ ଭେଦଭାବ ଯେତେଦିନ ପର୍ଯ୍ୟନ୍ତ ପୃଥିବୀପୃଷ୍ଠରୁ ଲୋପ ପାଇନାହିଁ, ସେତେଦିନ ପର୍ଯ୍ୟନ୍ତ ପୃଥିବୀରେ ସଦ୍ଭାବ, ଶାନ୍ତି ବିରାଜିବ ନାହିଁ । ଈର୍ଷା, ଅସୂୟାର ବିଲୋପ ସାଧନ ଘଟିବ ନାହିଁ । ମଣିଷ ମଣିଷ ଭିତରେ ଭ୍ରାତୃତ୍ଵର ବିକାଶ ଘଟିବ ନାହିଁ । ପ୍ରକୃତରେ ମାଉସୀ, ପୁଣି ଦୁନିଆରେ ଦେବା ନେବାଟା ବଡ଼ କଥା ନୁହେଁ । ସ୍ନେହ, ମମତାର ମିଠା କଥା ପଦେ ମିଳୁଥିଲେ ସେଇ ଯଥେଷ୍ଟ ।

 

କୃତଜ୍ଞତାରେ ଭାଙ୍ଗିପଡ଼ିଲେ ହେମାଙ୍ଗିନୀ ଦେବୀ । ଆଉ ସ୍ଵୟମ୍ଭୂ ସାଙ୍ଗରେ ବେଶି କଥାବାର୍ତ୍ତା ନକରି, ସୀମାକୁ ପାଖକୁ ଡାକି, ଚୁପ୍ ଚୁପ୍ କରି ତା’ କାନରେ କହିଲେ–

 

‘‘ଯା ମା, ଯା, ସ୍ଵୟମ୍ଭୂ ଭାଇକି ଡାକି ନେଇଯା । ଘରେ ବସି କଥାବାର୍ତ୍ତା ହେଉଥିବ । ମୁଁ ଅଣ୍ଟାପାଣି କରି ଆସି ଦି’ଟା ମଣ୍ଡାପିଠା କରିଦିଏଁ, ସେ ଖାଇକରି ଯିବ ।’’ ହେମାଙ୍ଗିନୀ ଦେବୀ ଦାନ୍ତକାଠି ପାଟିରେ ପୂରାଇ ପୋଖରୀ କୂଳକୁ ଚାଲିଗଲେ ।

 

ସୀମା ଆଉ ସ୍ଵୟମ୍ଭୂ ଘରେ ବସି କଥାବାର୍ତ୍ତା ହେଉଁ ହେଉଁ ମୃଦୁ କଳହର ସୂତ୍ରପାତ ହେଲା । ସୀମା କହିଲା ନାରୀ ବଡ଼ । ସ୍ଵୟମ୍ଭୂ କହିଲା ପୁରୁଷ ବଡ଼ । ଯୁକ୍ତିର ଆସର ଜମିଉଠିଲା ।

 

ଏକୁ ଆରେକ ବଳିଆର । କେହି କାହାକୁ ଛାଡ଼ିବା ପିଲା ନୁହଁନ୍ତି । ଉଭୟେ ଉଭୟଙ୍କ ଯୁକ୍ତିରେ ଅଟଳ ରହିଲେ ।

 

ସ୍ଵୟମ୍ଭୂ କହିଲା–‘‘ପୁରୁଷ ପୃଥିବୀରେ ସବୁ କରିପାରେ । ନାରୀ ଯେତେ ଶିକ୍ଷା, ଶିକ୍ଷା ଲାଭ କଲେ ମଧ୍ୟ ସେ ଅବଳା ଆଉ ଦୁର୍ବଳା ମଧ୍ୟ ।’’

 

ସୀମା କ୍ରୁଦ୍ଧା ଫଣିନୀ ପରି ଫଅଁ ଫଅଁ ହୋଇ ଉତ୍ତର ଦେଲା–‘‘ନାରୀପୁରୁଷ ମଧ୍ୟରେ ଆଙ୍ଗିକ ଗଠନର ସ୍ଵାତନ୍ତ୍ର୍ୟତାକୁ ବାଦ ଦେଲେ, ନାରୀ-ପୁରୁଷ ସହିତ ଆଉ ସବୁ କ୍ଷେତ୍ରରେ ସମକକ୍ଷା । ନାରୀର ମହିମା ଅସୀମ । ଗୁଣ ଅନନ୍ତ । ପୃଥିବୀ ପୃଷ୍ଠରେ ଯେତେ ମହାତ୍ମା, ଯେତେ ଯୁଗାବତାର ଜନ୍ମ ଗ୍ରହଣ କରନ୍ତି, ସେମାନଙ୍କର ଅମରତ୍ଵ ଲାଭର ମୂଳ ଉତ୍ସ ହେଉଛି ଜ୍ଞାନଦା, ବରଦା, ସୁଧାମୟୀ ମାତୃରୂପିଣୀ ଜଗଦମ୍ବା–ନାରୀ । ସେ କଦାପି ଅବଳା, ଦୁର୍ବଳା ହୋଇ ପାରେନା-

 

‘‘ସତୀ-କୁଳ-ଶିରୋମଣି ସୀତା, ପତିସୋହାଗିନୀ ସାବିତ୍ରୀ, ପ୍ରୀତି ପୂଜାରିଣୀ ଦମୟନ୍ତୀ ପ୍ରଭୃତିଙ୍କ କଥା କଏ ନ ଜାଣେ ? ନାରୀର ଶକ୍ତି ଓ ସାମର୍ଥ୍ୟ ସମ୍ବନ୍ଧରେ ବେଦ, ପୁରାଣ, ଇତିହାସ ହିଁ ଶତଜିହ୍ଵ ହୋଇ ସତତ ପ୍ରଶଂସା କରୁଛି । ପୁରୁଷ ଯାହା କରିପାରେ, ନାରୀ ତାହାଁହିଁ କରିପାରେ-। ନାରୀ ପୁରୁଷ ଉଭୟଙ୍କୁ ନେଇ ସମାଜ ଗଠିତ । ଉଭୟେ ଉଭୟଙ୍କର ପରିପୂରକ ।’’

 

ହେମାଙ୍ଗିନୀ ଦେବୀ ଗାଧୋଇ ସାରି ଓଦା ଜୁଡ଼ୁବୁଡ଼ୁ ହୋଇ ସାହି ଭିତରକୁ ପଶି ଆସି ସୀମା ଆଉ ସ୍ଵୟମ୍ଭୂଙ୍କ କଳି ଶୁଣିଲେ । ସେ ଲୁଗା ବଦଳାଇବା ପାଇଁ କଣଘର ଅଲଗୁଣି ନିକଟକୁ ଯାଉଥିବା ବେଳେ ମୁରୁକିହସା ଦେଇ ମୁରବୀତ୍ଵଜଡ଼ିତ କଣ୍ଠରେ କହିଲେ, ‘‘ପାଗଳା ପାଗିଳୀ ଦି’ଟା କାହିଁକି ଏମିତି ପାଟି କରୁଛ ?’’

 

ସୀମା ଓ ସ୍ଵୟମ୍ଭୂ ଚୁପ୍ ହୋଇ ରହିଗଲେ ।

 

ହେମାଙ୍ଗିନୀ ଦେବୀ ଲୁଗା ବଦଳାଇ ଆସି ତରତର ହୋଇ ଚୁଲିରେ ଅଥାରହାଣ୍ଡି ବସାଇଲେ । ପିଠା ଗଢ଼ୁଥିଲା ବେଳେ ଆଖି ତାଙ୍କର ଲାଖିଥିଲା ସ୍ଵୟମ୍ଭୂଠାରେ । ସେ ସ୍ଵଗତୋକ୍ତିରେ ନିଜକୁ ନିଜେ କହୁଥିଲେ, “ସତେ ମ ସ୍ଵୟମ୍ଭୂ କେଡ଼େ ଭଲ ପିଲାଟିଏ ? ଏତେଗୁଡ଼ାଏ ପାଠ ପଢ଼ିଲାଣି । ସେ ଛନ୍ଦ, କପଟ, ହିଂସା, ଈର୍ଷା, ପରାପର ଭେଦ କିଛି ଜାଣେ ନାହିଁ । ବିଭବର ପ୍ରାଚୁର୍ଯ୍ୟ ଭିତରେ ରହି ବିଭବର ବଡ଼ିମା ତାକୁ ସ୍ପର୍ଶ କରିନାହିଁ । ବଡ଼ଲୋକୀକି ସେ ପୁଣି ଘୃଣା କରେ ।’’

 

ମାସନ୍ତକୁ ସଂକ୍ରାନ୍ତି ଅଡ଼ୁଆ । ଜାତି ପୁଅ ସେ ହୋଇଥାନ୍ତା କି ? ସୀମାକୁ ତା’ ହାତରେ ଟେକିଦେଇ ନିଶ୍ଚିନ୍ତ ହୋଇଥାନ୍ତି । ଗୋଟିଏ ବୃନ୍ତରେ ଦୁଇଟି ଫୁଲ ପରି ଶୋଭା ପାଇଥାନ୍ତେ ।

 

ଦୁଇଜଣ ବସିଲାବେଳେ କ୍ଷୀରସାଗର ସମ୍ଭବା ଲକ୍ଷ୍ମୀ ନିକଟରେ ନାରାୟଣ ବସିଲା ଭଳି ସାଜନ୍ତେ ।

 

ଏକା ମା’ ପେଟର ଭାଇ ଭଉଣୀ ଭଳି ବି ଦିଶନ୍ତେ । ଯେ ଦେଖନ୍ତା ସେ କହନ୍ତା–“ଏକା ନାହି ଦିଖଣ୍ଡ । ବାମନ ହୋଇ ଚନ୍ଦ୍ରକୁ ହାତ ବଢ଼ାଇ ଲାଭ କ’ଣ ?’’

 

ସୀମାର ଅବଶ୍ୟ ମାତୃତ୍ଵ ଅର୍ଜନ କରିବାର ବୟସ ହୋଇଛି । ଘରସଂସାରରେ ପଶିବାର ବେଳ ଆସିଛି । ତାକୁ ଆଉ ବେଶିଦିନ ବେକରେ ବାନ୍ଧି ଲାଭ କ’ଣ ?

 

ବାର ଲୋକେ ବାର ଶ’ କଥା କହୁଛନ୍ତି । ମୁହଁରେ ସାହସ କରି ନକହି ପଛଆଡ଼େ ଟୁପ୍‌ଟାପ, ଫୁସ୍‌ଫାସ ହେଉଛନ୍ତି । ମୁହଁ ମୋଡ଼ୁଛନ୍ତି । ଲୋକଙ୍କ କଥାରେ ଏବେ ଅଛି କ’ଣ ? ସେ ଦେବେ ନା ନେବେ ? ନାନା ରଙ୍ଗରେ ଖାଲି କଥାଗୁଡ଼ା କହିବେ ।

 

ସୀମା ଲାଖି ବର ମିଳୁଛୁ କେଉଁଠି ? ବର ଯେଉଁଠି ଭଲ ମିଳୁଛି, ଘର ସେଠାରେ ଭଲ ମିଳୁ ନାହିଁ । ଘର ଯେଉଁଠାରେ ପସନ୍ଦ ହେଉଛି, ବର ସେଠାରେ ମନକୁ ଯାଉ ନାହିଁ । ସ୍ଵୟମ୍ଭୂ କଥା ହେଲେ ଆଉ କିଛି କହିବାର ନଥିଲା । ବର ଯେମିତି, ଘର ସେମିତି ।

 

କିନ୍ତୁ.....

 

ଅକାଶ କଇଁଆ ଚିଲିକା ମାଛ । ସମ୍ଭବ ହେବ କେମିତି ? ଏ ପ୍ରସ୍ତାବ ସ୍ଵୟମ୍ଭୂର ବାପ ମା’ଙ୍କ କାନରେ ନେଇ ପକାଇବ କିଏ ? କିଏ ଘର ଦେଖିଛି ନା ଦ୍ଵାର ଦେଖିଛି ?

 

ଲୋକେ କହନ୍ତି–‘‘ଖରସ୍ରୋତା ଖରସୁଆଁ ନଦୀ କୂଳ ପ୍ରୀତିପୁର ଗ୍ରାମର ବିଭବଶାଳୀ ରାଜଗୁରୁ ବଂଶର ପିଲା ସ୍ଵୟମ୍ଭୂ । ଖଣ୍ଡମଣ୍ଡଳରେ ରାଜଗୁରୁ ବଂଶକୁ ନଜାଣେ କିଏ ? ଆଭିଜାତ୍ୟର ଅଭିଧାନ ପୃଷ୍ଠା ଓଲଟାଇଲେ ପ୍ରଥମେ ରାଜଗୁରୁ ବଂଶର ନାମ ପଡ଼େ । ଆଜିକାଲି ଅବଶ୍ୟ ଟିକିଏ ଗରିବ ହୋଇଗଲେଣି । ରାଜଗୁରୁ ବଂଶ ଏକା କାହିଁକି, ଯେତେ ଖାନ୍‍ଦାନ୍‍ ବୁନିଆଦି ଘର ଥିଲା, କାଳର ପ୍ରଭାବରେ ସେସବୁ ଘରର ବିଲୟ ସାଧିତ ହୋଇଛି । ଯେଉଁମାନଙ୍କର ନାମ ସାମାଜିକ ଭୂଗୋଳ ପତରରେ ନଥିଲା, ସେହିମାନେ ଏବେ ମଣିଷ ବୋଲାଉଛନ୍ତି । ସେହିମାନେ ନିଜର ଅହଂପଣିଆରେ ଧରାକୁ ସରା ମଣୁଛନ୍ତି । ସେହିମାନଙ୍କର ଆଜି ନାଆଁ ବାଳିକୀ ଫିଟିଛି ।

 

ଦିନଥିଲା, ଯେତେବେଳେ ରଜାକୁ ପଛେ ପଛରେ ‘ରେ’ କହି ହେଉଥିଲା, ରାଜଗୁରୁଙ୍କୁ କିନ୍ତୁ ରେ ପଦ କହି ଯୋଗାଉ ନଥିଲା । ଜଣେ ଯଦି କହୁଥିଲା, ଆଉ ଜଣେ ତା’ର ପ୍ରତିବାଦ କରୁଥିଲା ।

 

ଯେଉଁ ଯେଉଁ ଗୁଣ ଓ କାରଣ ଥିଲେ ଲୋକ ସଂଭ୍ରାନ୍ତ ଶ୍ରେଣୀରେ ଗଣାଯାଏ, ସେହିସବୁ ଗୁଣ ରାଜଗୁରୁଙ୍କଠାରେ ବିଦ୍ୟମାନ ଥିଲା ।

 

ଛପନବାଟି ଜମି ଥିଲା, ଛପନଖଣ୍ଡ ଗାଆଁର ଜମିଦାର ଥିଲେ । ଦେବୋତ୍ତର ସମ୍ପତ୍ତି ଅଲଗା । ଠାକୁର ମଠବାଡ଼ିର କ୍ଷେତ୍ରଫଳ ଏକା ଦଶମାଣ । ଠାକୁର ମଠରେ ଅତିଥି, ଅଭ୍ୟାଗତ, ଦୁଃଖୀ-ରଙ୍କୀଙ୍କର ପ୍ରସାଦ ସେବନ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ଥିଲା । ବଡ଼ ବଡ଼ ଖଞ୍ଜା ଘର ସବୁ କରିଥିଲେ । ଦୁଇଟି ଘୋଡ଼ା ଥିଲେ । ରାଜଗୁରୁ ଯେତେବେଳେ ବିଜେ କରୁଥିଲେ, ଦାଣ୍ଡରେ ମାଛି ପଡ଼ିଲେ ବି ନବଖଣ୍ଡ ହେଉଥିଲା ।

 

ରାଜଗୁରୁ ବଂଶର ବଂଶାବଳୀ ଆଲୋଚନା କଲେ ଜଣାଯାଏ ଯେ, ଏହି ବଂଶର ଯାହା କିଛି ଉନ୍ନତି ସାଧିତ ହୋଇଥିଲା, ତାହା ଚନ୍ଦ୍ରମୋହନ ରାଜଗୁରୁଙ୍କଠାରୁ । ଚନ୍ଦ୍ରମୋହନ ଉଚ୍ଚ ଶିକ୍ଷା ପାଇ ଛତିଶ ଗଡ଼ଜାତରେ ଦେଓ୍ୱାନ ଥିଲେ । ତାଙ୍କ ଦିହକ କଟିଗଲା ସେଇ ଗଡ଼ଜାତରେ ।

 

ଅବସର ଗ୍ରହଣ କଲାପରେ ସେ ଆଜି ପୁରୀରେ ଘର ଖଣ୍ଡେ କରି ରହିଲେ । ସେହିଠାରେ କାବ୍ୟ-ଶାସ୍ତ୍ର-ବିନୋଦନରେ କାଳକାଟି, ନୀଳାଚଳନାଥ ଜଗନ୍ନାଥଙ୍କ ପାଦପଦ୍ମକୁ ଧ୍ୟାୟି ଶେଷ ନିଃଶ୍ଵାସ ତ୍ୟାଗ କଲେ । ରାଜଗୁରୁ ବଂଶର କୁଳଚନ୍ଦ୍ରମା ସ୍ଵୟମ୍ଭୂ ହେଉଛି ତାଙ୍କରି ନାତି ।

 

ସ୍ଵୟମ୍ଭୂର ଘରକୁ ବିବାହ ପ୍ରସ୍ତାବ ଦେଇ ପଠାଇବାକୁ ହେମାଙ୍ଗିନୀ ଦେବୀଙ୍କ ମନ ଆଗଉଛି ଯେତେ, ପଛଉଛି ସେତେ ।

 

ସେ ବାଟ ଖର୍ଚ୍ଚ କରି ଲୋକ ପଠାଇବେ, କାଳେ କଥା ନ ରହିବ !

 

ହେମାଙ୍ଗିନୀ ଦେବୀଙ୍କ ମନ ପଛାଇବାର ବହୁତ କାରଣ ଅଛି । ସେ କାରଣ କ’ଣ ଲୋକେ ଭୁଲିଗଲେଣି ? କଳିହୁଡ଼ୀ ଆଣ୍ଠୁକୁଡ଼ୀ ମାଇପେଗୁଡ଼ା ଏବେ ବି ଦେଖେଇ ଶିଖେଇ କହନ୍ତି–‘‘ମଲା ମୋର, ଲୁଚିଛି ନା ଗୋଡ଼ ଦି’ଟା ଦିଶୁଛି ! ହେମକୁ ରାଇଜ ନାହିଁ, ଆଉ ହେମାଙ୍ଗିନୀ ଦେବୀ ! ଗରିବ ଲୋକେ ଚାଉଳ ଚୋବେଇଲେ ସମସ୍ତେ ବାରନ୍ତି, ବଡ଼ଲୋକଙ୍କ ଚାଉଳ ଚୋବାଇବାକୁ ବାରୁଛି କିଏ ?’’

 

ହେମକୁ ବିପ୍ରବାବୁ ଆଣିଲା ବେଳେ ଯେଉଁ ଅପବାଦ ନାଗରା ଡିବି ଡିବି ହୋଇ ବାଜୁଥିଲା, ତାକୁ କ’ଣ କିଏ ଭୁଲିପାରିବ ? ବିପ୍ରବାବୁ ସେତେବେଳେ ଜବାନ ଟୋକା । କନ୍ଦର୍ପ ପରି ରୂପ । ଦଶପଲ୍ଲାରେ ଅମିନ ଚାକିରି କରୁଥାନ୍ତି । ଦିନକୁ ଶହ ଶହ ଟଙ୍କା ରୋଜଗାର । ଯମଠାରୁ ହେଲେ ରକ୍ଷା ଅଛି, ମାତ୍ର ଖାନାପୁରୀ ଅମିନଙ୍କଠାରୁ ନିସ୍ତାର ନାହିଁ । ତାଙ୍କ ପ୍ରତାପ କହିଲେ ନସରେ । ସେ ଯାହା ମାଗିବେ, ତାଙ୍କୁ ତାହା ନଦେଲେ ରକ୍ଷା ନାହିଁ । ତା’ ନହେଲେ ପ୍ରତିହିଂସା ପରାୟଣ ହୋଇ ୟା’ ଜମି ଜମାକୁ ତା’ ନାମରେ, ତା’ ଜମି ଜମାକୁ ୟା’ ନାମରେ କରିଦେଇ ଚାଲିଯିବେ । ଲୋକେ କୋର୍ଟ-କଚେରିକି ଦଉଡ଼ି ଦଉଡ଼ି ସର୍ବସ୍ଵାନ୍ତ ହେବା ଭୟରେ ଅଧୀନ ମଣିମା ଯେଉଁ ଆଜ୍ଞା ଦିଅନ୍ତି, ତାକୁ ସମସ୍ତେ ଇଚ୍ଛା ବିରୁଦ୍ଧରେ ଶିରୋଧାର୍ଯ୍ୟ କରନ୍ତି ।

 

ରାଜା ପାତ୍ରମନ୍ତ୍ରୀ ବେଷ୍ଟିତ ହୋଇ ରହିଲା ଭଳି ଅମିନବାବୁ ଦଳେ କାନକୁହା, ପରଘରଭଙ୍ଗା, ଟାଉଟରଙ୍କ ହାତବାରିଶି ହୋଇ ରହନ୍ତି । ଦେଉଳର ଦିଅଁଙ୍କ ପରି ତାଙ୍କ ପାଖରେ ସବୁବେଳେ ଗହଳ ଚହଳ ଲାଗିଥାଏ । ମଠରେ ଖାଇ ଖଟରେ ଶୋଇ ଉପୁରି ଦି’ପଇସା ବେଶ୍ ରୋଜଗାର କରନ୍ତି । ଖାନାପୁରୀ ଅମିନ ମହାଶୟ ଜଣେ ଜଣେ କୁଚକ୍ରୀ ସମ୍ରାଟ । ବୁଢ଼ିଆଣୀ ଜାଲପରି ସେ ଏଭଳି କପଟର ଜାଲ ବୁଣି ଦିଅନ୍ତି ଯେ, ସେଥିରେ ଯେତେବଡ଼ ବୁଦ୍ଧିମାନ ଲୋକ ହେଲେ ବି ନିଶ୍ଚୟ ଧରାପଡ଼ିବ । ଭାଗବତ ଟୁଙ୍ଗୀର ଭକ୍ତିପରାୟଣ ବିମୁଗ୍‌ଧ ଶ୍ରୋତାବୃନ୍ଦଙ୍କ ଭଳି ଶହ ଶହ ଲୋକ ଅମିନବାବୁଙ୍କୁ ଘେରି ବସନ୍ତି । ଅମିନବାବୁ ୟା’ଦସ୍ତ ପୂରଣ ପୂର୍ବରୁ ଟିକିଏ ମୁରୁକିହସା ଦିଅନ୍ତି । କଲମକୁ ଦଶଥର ହସ୍ତରେ ଧରି ତଳେ ଥୋଇଦିଅନ୍ତି । ୟା’ଦସ୍ତ କାଗଜରେ କଲମ ଗାର ମାରନ୍ତି ନାହିଁ । ତା’ପରେ ଯେତେବେଳେ ନଗଦ ନାରାୟଣଙ୍କର ଦର୍ଶନ ହୁଏ, ସେତେବେଳେ ଅମିନ ମହୋଦେୟ କଲମ ଉଠାନ୍ତି । ନଗଦ ନାରାୟଣ ଦାନ କରି ମଧ୍ୟ ଦୟାଳୁ ଦାତା ଅମିନ ବାବୁଙ୍କ ଉପକାର ପାଇଁ ନିଜକୁ କୃତକୃତ୍ୟ ମନେ କରେ । ଅମିନ ବାବୁଙ୍କ ଆଗରେ ଘୋଡ଼ା ହୋଇଥିବା ବେତ ଟୋକେଇ ଭିତରକୁ ନଗଦ ନାରାୟଣମାନେ ଯାଆନ୍ତା ପକେଟ ଭିତରକୁ ଗଲେ କାଳେ ଉପରିସ୍ଥ ହାକିମ ଦେଖିବେ ! ଅମିନଙ୍କ ଉପରିସ୍ଥ ହାକିମମାନେ ମଧ୍ୟ ଜଣେ ଜଣେ ଚଳନ୍ତି ବିଷ୍ଣୁ । ସେମାନଙ୍କ ସେବାପୂଜା ପାଇଁ ମଧ୍ୟ କିଛି ଭୋଗରାଗର ଗୋପନ ବ୍ୟବସ୍ଥା ଥାଏ ।

 

ହୀରା, ନୀଳା, ମୋତି, ମାଣିକ୍ୟର ପଛେ ମୂଲ କୁଆଡ଼େ ଯାଉ; କିନ୍ତୁ ଅମିନ ମଣିମାଙ୍କର ଭାଉ ଅମୂଲ ମୂଲ । ସେମାନଙ୍କୁ ଧର୍ମ କେମିତି ସହେ କେଜାଣି ?

 

ଲୋକଙ୍କଠାରୁ ଟଙ୍କା, ପଇସା, ସୁନା, ନେଇ ଗାଁରୁ ବିଦାହୋଇ ଗଲାବେଳେ ‘ନଶହ ନୌ’ ୟା’ ଦସ୍ତରୁ ମଝି ଶୂନକୁ ଡାମରା କାଉକୁ ଦେଇଦିଅନ୍ତି ।

 

ଅମିନ ମଣିମାମାନେ ସାଧାରଣତଃ ଚାହାଳିଘର ଆଉ ଠାକୁର ମଠରେ ଆସ୍ଥାନ ଜମାଇ ରହନ୍ତି । ସେହିଭଳି ଏକ ମଠରେ ରହୁଥିଲେ ବିପ୍ରବାବୁ । ସେହି ମଠକୁ ଲାଗି ଗୋଟିଏ ଗୋପାଳୁଣୀ ବୁଢ଼ୀ ଥାଏ । ଟଙ୍କା ମୁହଁ କରେ ବଙ୍କା । ଏହା ସୂର୍ଯ୍ୟ କିରଣଠାରୁ ଉଜ୍ଜ୍ୱଳ । ମହୁଠାରୁ ମିଠା । ଏହି ଟଙ୍କା ଲୋଭ ଦେଖାଇ ବଶ କରିଥିଲେ ବୁଢ଼ୀକି ବିପ୍ରବାବୁ ।

 

ସେଇ ବୁଢ଼ୀ ଝିଅ ଏଇ ହେମ । ବିପ୍ରବାବୁଙ୍କ ଦେହରେ ତ ସେତେବେଳେ ପ୍ରେମର ନିଆଁ ଧୁଧୁ ହୋଇ ଜଳୁଥାଏ । ହେମର ରୂପ ଲାବଣ୍ୟକୁ ଦେଖି ସମ୍ଭାଳି ହୁଅନ୍ତି କେତେକେ ?

 

ପରିଣାମକୁ ଭ୍ରୂକ୍ଷେପ ନକରି, ଅନଳକୁ ପତଙ୍ଗ ଡେଇଁଲା ଭଳି ହେମର ଯୌବନ ନିଆଁକୁ ବିପ୍ରବାବୁ ଡେଇଁ ପଡ଼ିଲେ ।

 

କଥା କେଉଁଠି ଲୁଚିବ ? ତୁଣ୍ଡବାଇଦ ସହସ୍ର କୋଶ । ଏ କାନରୁ ସେ କାନକୁ କଥାଗଲା । ସର୍ବସାଧାରଣ ଏହି ଅନ୍ୟାୟର ପ୍ରତିଶୋଧ ନେବାକୁ ବଦ୍ଧପରିକର ହେଲେ । ବିପ୍ରବାବୁ ତା’ପରେ ହେମକୁ ଘେନି ଅମଡ଼ାବାଟ ମାଡ଼ି ରାତାରାତି ପଳାଇ ଆସିଲେ । ସେଇଦିନରୁ ସେଇମିତି ତାକୁ ରଖିଛନ୍ତି । ବାହା ନା ସାହା ? ବଡ଼ଲୋକ, ମୁହଁ ଖୋଲି କହୁଛି କିଏ ? ଦେଖୁ ଦେଖୁ ଷୋ’ଳ ବର୍ଷ ବିତିଗଲାଣି । ବିପ୍ରବାବୁ ଅମିନରୁ ଆସି ଅଫିସର ହେଲେଣି । ତେବେ ଅଲାଜୁକୀ ହେମ ଭଲ ଝିଅଟିଏ ଜନ୍ମ କରିଛିମ ଏକା !’’

ହେମାଙ୍ଗିନୀ ଦେବୀ ଚମକି ଉଠନ୍ତି । ଅତୀତ ଆଡ଼କୁ ମୁହଁ ଫେରାଇ ନେଇ ଅନୁତାପରେ ଭାଙ୍ଗି ପଡ଼ନ୍ତି । ମନ କଥା ମନରେ ମାରି ରହନ୍ତି ।

ହେମାଙ୍ଗିନୀ ଦେବୀ ଏଥର ଅଥାରରୁ ମଣ୍ଡାପିଠା କେଇଟି କାଢ଼ି କଞ୍ଚନ ଥାଳିରେ ଶୀତଳେଇଲେ । ମାତୃସୁଲଭ ଗଳାରେ ଡାକି କହିଲେ–“ସୀମା, ସୀମା କିଲୋ,

ସ୍ଵୟମ୍ଭୂକୁ ଡାକେ–ଆସ ଖାଇବ ଆସ ।

ସ୍ଵୟମ୍ଭୂ ସୀମା ସାଙ୍ଗ ହୋଇ ଖାଇଲେ । ଖାଇସାରି ହାତ ଧୋଇବା ପାଇଁ ସୀମା ଦାଣ୍ଡଦୁଆରକୁ ଯାଇଁ ଦେଖିଲା ଯେ, ତାଙ୍କ ଘର ଆଗ ପଦ୍ମପୋଖରୀ ହୁଡ଼ା ବାଟରେ ବାପା ତା’ର ଆସୁଛନ୍ତି । ସେ ତର ତର ହୋଇ ମୁହଁଧୋଇ ଦାଣ୍ଡଦୁଆରୁ ଡାକି ଡାକି ଆସିଲା–

“ବୋଉ,

ବୋଉଲୋ, ଏ ବୋଉ....ବାପା ଆସିଲେଣି ।’’

ଅଭିମାନଆହତ ହେମାଙ୍ଗିନୀ ଦେବୀ ଗମ୍ଭୀରା ହୋଇ, ଆଲୁଳାୟିତ କେଶଗୁଚ୍ଛକୁ ସଜାଡ଼ି ଗଣ୍ଠି ପକାଇ, ମୁଣ୍ଡରେ ଓଢ଼ଣାଟାଣି, ଦାଣ୍ଡ ଦୁଆରକୁ ବାହାରି ଆସି, ପାହାଚ ତଳ ପଥର ଉପରେ ଠିଆ ହୋଇ ଉଙ୍କିମାରି ଅନାଇଲେ ବିପ୍ରବାବୁଙ୍କୁ ।

ବିପ୍ରବାବୁ ସେତେବେଳେ ଆଣିଥିବା–ଜିନିଷପତ୍ରକୁ ପଦ୍ମ ପୋଖରୀ ହୁଡ଼ା ଉପରେ ରଖି ନଇଁପଡ଼ି ଗୋଡ଼ ଧୋଉଥିଲେ । ସୀମା ଦଉଡ଼ି ଗଲା ତାଙ୍କ ପାଖକୁ । ସୀମାକୁ ଦେଖି ଛାତି କୁଣ୍ଢେମୋଟ ହୋଇଗଲା ବିପ୍ରବାବୁଙ୍କର । ହଜାଇଲା ଧନ ପାଇଲା ପରି ଅନୁଭବ କଲେ ସେ ।

ହେମାଙ୍ଗିନୀ ଦେବୀ ସେଇମିତି ଏକ ଧ୍ୟାନରେ ପଦ୍ମ ପୋଖରୀ ଆଡ଼କୁ ଅନାଇ ଠିଆହୋଇ ରହିଥିଲେ । ଆଖିରୁ ତାଙ୍କର ଆନନ୍ଦାଶ୍ରୁ ଧାର ଧାର ହୋଇ ବହି ଯାଉଥିଲା ।

ବିପ୍ରବାବୁ ଯେତେବେଳେ ଆସି ମୁରୁକି ମୁରୁକି ହସି ଦାଣ୍ଡଦୁଆରେ ଠିଆ ହୋଇଗଲେ, ହେମାଙ୍ଗିନୀ ଦେବୀ ସେତେବେଳେ ସବୁ ଅଭିମାନ, ସବୁ ମନକଷ୍ଟ ଦୂରକୁ ଫିଙ୍ଗି ମୁରୁକି ନ ହସି ରହିପାରିଲେ ନାହିଁ । ଦୁହିଁଙ୍କ ଚକ୍ଷୁର ମିଳନ ହୋଇଗଲା । କେହି କାହାକୁ ନିମିଷେ ମାତ୍ର କିଛି କହିପାରିଲେ ନାହିଁ ।

ବାସ୍ତବିକ୍ ଦୀର୍ଘ ବିରହ ପରେ ମିଳନର ମଧୁରିମା ଯେପରି ଅନୁଭବ କରିହୁଏ, ସବୁଦିନ ଏକତ୍ର କାଳ ଯାପନ କରିବାରେ ସେଭଳି ଆନନ୍ଦ ଅନୁଭବ କରିହୁଏ ନାହିଁ । ଦାରୁଣ ବିଚ୍ଛେଦ ପରେ ଦୁଇଟି ଆତ୍ମାର ମିଳନର ଶଙ୍ଖର ସ୍ଵନ ବଡ଼ ମଧୁର, ବଡ଼ କର୍ଣ୍ଣରସାୟନ । ବଡ଼ ପ୍ରୀତିପ୍ରଦ ।

ସ୍ଵୟମ୍ଭୂ ଏଥର ବିପ୍ରବାବୁଙ୍କୁ ନମସ୍କାର ପକାଇ ଚାଲିଗଲା । ବିପ୍ରବାବୁ ତାଙ୍କୁ କଟମଟ କରି ଚାହିଁ ରହିଥିଲେ । ହେମାଙ୍ଗିନୀ ଦେବୀ କିନ୍ତୁ ତାଙ୍କୁ ରହ କି ଯାଅ କିଛି କହିପାରୁ ନ ଥିଲେ ।

 

-ତିନି-

 

“ଧେନୁର୍ବତ୍ସା ପ୍ରଯୁକ୍ତା ବୃକ୍ଷ ଗଜ ତୁରଗାଃ ଦକ୍ଷିଣାବର୍ତ୍ତ ବହ୍ନି ।’’

 

ଗଣକ, ପୁରୋହିତଙ୍କ ଦର୍ଦ୍ଦୁର କଣ୍ଠର ଶୁଭ ମଙ୍ଗଳାଷ୍ଟକର ଜୁଆର ଉଛୁଳି ପଡ଼ୁଥିଲା । ଢୋଲ, ମହୁରିର ନହବତ ତାନ ଦେହରେ ଭରି ଦେଉଥିଲା ଅପୂର୍ବ ଶିହରଣ ।

 

କଳାବତୀପାଟଣା ଗାଆଁ ବାଲାଙ୍କର ଜିଦ୍ ରହିଲା । ସାଇ ପଡ଼ିଶାଙ୍କର ମନୋବାଞ୍ଛା ପୂର୍ଣ୍ଣ ହେଲା । ସମାଜର ଈର୍ଷା ପ୍ରଜ୍ଵଳିତ ଆରକ୍ତ ଚକ୍ଷୁରେ ପ୍ରଶାନ୍ତିର ପ୍ରଲେପ ବୋଳି ହୋଇଗଲା । ବୁଢ଼ା କାଳରେ ବିପ୍ରବାବୁ ପୁଣି ବେଦୀରେ ବସି ହେମାଙ୍ଗିନୀ ଦେବୀଙ୍କୁ ବିଭାହେଲେ ।

 

ସୀମାର ବିଭାଘର କଥା ଯେତେବେଳ ଉଠିଲା, ଭାଇ, ବନ୍ଧୁ, କୁଟୁମ୍ବ ସମସ୍ତେ ଅଡ଼ିବସିଲେ । ସମସ୍ତଙ୍କ ମୁହଁରେ ଏକ କଥା । ବିପ୍ରବାବୁ ଅଜାତି । ସେ କେଉଁଠୁ ଗୋଟାଏ ଢେମଣୀକି ଆଣି, ବିନା ବିଭାରେ ଘରେ ପୂରାଇ, ପିତୃପୁରୁଷଙ୍କୁ ଅହିନର୍କରେ ପକାଇଛନ୍ତି । ଜାତିଭାଇଙ୍କ ମୁହଁରେ କଳା ବୋଳିଛନ୍ତି ।’’

 

ଜନାପବାଦ ଦୁର୍ନିବାର । ବିପ୍ରବାବୁ ପ୍ରଥମେ ପ୍ରଥମେ ଜାତିଭାଇଙ୍କ କଥାକୁ ଏଡ଼ିବା ପାଇଁ ନାନାଦି ଅକାଟ୍ୟ ଯୁକ୍ତି ପ୍ରଦର୍ଶନ କରୁଥିଲେହେଁ, ସୀମାର ମଙ୍ଗଳ ଦୃଷ୍ଟିରୁ ମୁଣ୍ଡ ନୁଆଁଇଲେ । ନିଜର ଇଚ୍ଛା ବିରୁଦ୍ଧରେ–ବିବାହରେ ସମ୍ମତି ପ୍ରଦାନ କଲେ ।

 

ଦିନ ଠିକ୍ ହେଲା । ନିର୍ଦ୍ଦିଷ୍ଟ ଦିନରେ ଗାଆଁବାଲା ଭୂରିଭୋଜନରେ ଆପ୍ୟାୟିତ ହେଲେ-। ବାଜା ବାଜିଲା । ବାଣ ଫୁଟିଲା । ରୋଷଣି ହେଲା । ଜାତିଭାଇ ଖାଇଲେ । ଯୋଡ଼େ ଲେଖା ଲୁଗା ପିନ୍ଧିଲେ । ଜାତିଭାଇ ବି ଶହେଟଙ୍କା କରି ମାନତି ପାଉଣା ନେଲେ । ପଞ୍ଚଗବ୍ୟ ପାନକରି ଜାତି ସଭାରେ ବିପ୍ରବାବୁ ଜାତିବୋଲି ସ୍ଵୀକୃତି ପାଇଲେ । ଭାଇଚାରାରେ ସମ୍ମତି ଲାଭ କଲେ-। ତା’ପରେ....

 

ବିବାହ ସମ୍ପନ୍ନ ହେଲା ।

 

ପାତିମାଙ୍କଡ଼ଙ୍କୁ ଗଛ ଶିଅରେ ବସାଇ ବାଜିକାର ବିଭାକରାଇଲା ଭଳି, ବିପ୍ରବାବୁ ଆଉ ହେମାଙ୍ଗିନୀ ଦେବୀଙ୍କୁ ବିଭା କରିଥିଲେ ଗଣକ ଓ ପୁରୋହିତେ । ମୁଣ୍ଡରେ ନଳମୁକୁଟ ଶୋଭା ପାଉଥିଲା ।

 

କିଛିକ୍ଷଣ ପୂର୍ବେ ଯେଉଁମାନେ ବିପ୍ରବାବୁଙ୍କୁ ଅଜାତି ବୋଲି ଚିତ୍କାର ଛାଡ଼ୁଥିଲେ, ସେହିମାନେ ବିପ୍ରବାବୁଙ୍କଠାରୁ କିଛି ଅର୍ଥ, ଯୋଡ଼େ ଶାନ୍ତିପୁରୀ ଲୁଗା ପାଇଲାପରେ, ତାଙ୍କର ପ୍ରଶଂସା ଗାଇ ବୁଲିଲେ । ଢାମଣା ଦେହରୁ ଜାତି ଛାଡ଼ିଗଲା ପରି, ସତେ ଯେମିତି ବିପ୍ରବାବୁଙ୍କ ଦେହରୁ ଅଜାତିର କାତି ଛାଡ଼ିଗଲା !

 

ବାଟରେ, ଘାଟରେ ଯେଉଁ ରାଣ୍ଡୀ, ଆଣ୍ଠୁକୁଡ଼ୀ ଗୁଡ଼ାକ ହେମାଙ୍ଗିନୀ ଦେବୀଙ୍କୁ ଅସତୀ, ଦୋଚାରୁଣୀ, ଢେମଣୀ, ଅଜାତିଆଣୀ ବୋଲି, ନାକଟେକି, କଡ଼ା ସମାଲୋଚନା କରୁଥିଲେ, ସେହିମାନେ ବି ପୁଣି ତାଙ୍କୁ, ସାଆନ୍ତାଣୀ, ଲକ୍ଷ୍ମୀ ବୋଲି ହୁରି ଛାଡ଼ିଲେ । ଦାନ୍ତ ନିକୁଟି “ଏସା ଦିଅ, ତେସା ଦିଅ’’ ବୋଲି ଗୁହାରି ଭଣିଲେ ।

 

ପ୍ରକୃତରେ, ସୃଷ୍ଟିକର୍ତ୍ତାଙ୍କ ସୃଷ୍ଟିରେ ସବୁଠାରୁ ବିଚିତ୍ର ଏ ମଣିଷ ଜାତି । ବିନା ସ୍ଵାର୍ଥରେ ମଥୁରା ଗମନ ହୁଏ ନାହିଁ । ଯାହାର ଖାଉଥିବେ, ତାହାର ଗାଉଥିବେ । ଯାହାଠାରୁ କିଛି ପାଉଥିବେ, ତାହାର ଗୋଟାପଣେ ହୋଇଥିବେ । ଯେଉଁଦନ ଦେବା, ଦିଆଇବାରେ କିଛି ବ୍ୟତିକ୍ରମ ଘଟେ, ସେହିଦିନ ମୁହଁମୋଡ଼ି, ବାଟ ଭାଙ୍ଗି ଚାଲିଯାଏ ଏହି ମଣିଷ । ପଛରୁ ଛୁରି ମାରି ଦେବାକୁ ତିଳେମାତ୍ର କୁଣ୍ଠିତ ହୁଏ ନାହିଁ । ବଣର ବାଘ, ଭାଲୁ ପଛେ ପୋଷା ମାନନ୍ତି; କିନ୍ତୁ ପୋଷା ମାନେନାହିଁ ଏହି ମଣିଷ ।

 

ନିଜର ବାପ ମା’ଙ୍କ ବିଭାଘର ପରେ ସୀମା କିନ୍ତୁ ଲାଜରେ ଭାଙ୍ଗି ପଡ଼ୁଥାଏ । ସାଙ୍ଗ ସାଥୀଙ୍କୁ ମୁହଁ ଦେଖାଇପାରୁ ନଥାଏ । ସୀମାକୁ ଆସି ଷୋ’ଳ ପୂରି ସତର ବର୍ଷ ଚାଲିଲାଣି । ସେ କ’ଣ ଆଉ ପିଲା ହୋଇଅଛି ? ବାପା, ବୋଉ ତାକୁ ପିଲା ବୋଲି କହିଲେ ମଧ୍ୟ ଦେହ ତା’ର ତାକୁ ଜଣାଇ ଦିଏ ଯେ ସେ ପିଲା ନୁହେଁ । ‘ସଂସାର କ’ଣ’ ଜାଣିବାର ଶକ୍ତି ତା’ର ଆସିଲାଣି । ସେ ଏଥର ଗୋପନରେ ତା’ବୋଉର ଅଭିଆଡ଼ୀ ଜୀବନର ଇତିହାସ ସଂଗ୍ରହ କରିବାକୁ ଚେଷ୍ଟା କଲା ।

 

ଲୋକଙ୍କଠାରୁ ଯାହା ଶୁଣିଲା, ସେଥିରେ ତା’ର ଲୋମ ଟାଙ୍କୁରି ଉଠିଲା । ମନ ତା’ର ବିଷାୟିତ ହୋଇଗଲା । ବୋଉ ପ୍ରତି ଯେପରି ହୃଦୟର ନିଭୃତ କୋଣରେ ଘୃଣାର ଭାବ ସଞ୍ଚାର ହେଲା, ବାପାଙ୍କ ପ୍ରତି ସେପରି ତା’ର ଯେଉଁ ଅଖଣ୍ଡ ଭକ୍ତି ଥିଲା, ତାହା ଖଣ୍ଡିତ ହୋଇଗଲା ।

 

ବାପାଙ୍କ ବାହାଘର ପରେ, ଆଉ ସେ ବାପାଙ୍କ ପାଖକୁ ସରାଗରେ ଯାଏ ନାହିଁ କି ତାଙ୍କ ସାଙ୍ଗରେ ଖାଇବାକୁ କୁଣ୍ଠାବୋଧ କରେ । ତାକୁ କାହିଁକି ସତେ ଭାରି ଲାଜମାଡ଼େ ।

 

ବାପା ତା’ର ଯେତେବେଳେ ଅତି ଆଦରରେ ନରମ ଗଳାରେ କଅଁଳେଇ ଡାକନ୍ତି–“ମା, ସୀମା, ସୀମା, କିଲୋ......”

 

ସୀମା ସେତେବେଳେ ସରୁ ଆଜ୍ଞାଟିଏ କହି, ତଳକୁ ମୁହଁ ପୋତି ମୌନ ହୋଇ ଠିଆ ହୋଇଯାଏ । ଲାଜକୁଳୀ ଲତା ଲାଜରେ ଭାଙ୍ଗିପଡ଼େ । ତା’ମନ ଗହୀରରେ ସେତେବେଳେ ଗୋଟିଏ କଥା ଉଙ୍କି ମାରେ.....

 

‘‘ତେବେ ଏ ସଂସାରରେ ବିଶ୍ଵାସ କରିବ କାହାକୁ ? ବାପାଙ୍କ ଭଳି ସାଧୁ, ସଚ୍ଚୋଟ ଧର୍ମପ୍ରାଣ ବ୍ୟକ୍ତି ଯଦି ଏଭଳି କାର୍ଯ୍ୟ ଜୀବନରେ କରିପାରନ୍ତି, ଅନ୍ୟମାନେ ନ କରିବେ କ’ଣ ?’’

 

ଦୁନିଆରେ ସତେ ଏଭଳି ଅନେକ ଲୋକ ଅଛନ୍ତି । ଯେଉଁମାନେ ଅନ୍ୟକୁ ସତ୍ ଉପଦେଶ ଦେଇ ନିଜେ ଅନ୍ୟାୟ କାର୍ଯ୍ୟରେ ଲିପ୍ତ ଥାନ୍ତି । ମୁହଁରେ ହରି ହରି କହି, ଅଣ୍ଟାରେ ଛୁରି ଖୋସିଥାନ୍ତି । ନିଜର ସ୍ଵାର୍ଥସାଧନ ନିମିତ୍ତ ମାରଣା ରତ୍ନାକର ବୃତ୍ତିରେ ପ୍ରବୃତ୍ତ ହୁଅନ୍ତି । ଚରିତ୍ର ବୋଲି ଯେଉଁ ମହନୀୟ ପଦାର୍ଥ ତାହାର ମହତ୍ତ୍ଵ ସେମାନେ ଆଦୌ ବୁଝନ୍ତି ନାହିଁ ।

 

ଦୁନିଆଁରେ ସବୁଥାଇ ଯଦି ଚରିତ୍ର ନଥାଏ, ତେବେ ସେ କି ମଣିଷ ? ମଣିଷ ପଦବାଚ୍ୟ ତ ନୁହେଁ; ପଶୁଠାରୁ ବି ହୀନ ।

 

ବିପ୍ରବାବୁ ଆଉ ହେମାଙ୍ଗିନୀ ଦେବୀ ସୀମାର ଭାବାନ୍ତର ଲକ୍ଷ୍ୟ କରନ୍ତି । ସେମାନଙ୍କୁ ଝିଅର ମନ କଥା ବୁଝିବାକୁ ବାକି ରହେ ନାହିଁ ।

 

ବେଳେବେଳେ ସୀମାର ମନକୁ ପରିବର୍ତ୍ତନ କରିବାକୁ ମୁରବୀତ୍ଵ ସୂଚକ କଣ୍ଠରେ ଗମ୍ଭୀର ଭାବରେ ବିପ୍ରବାବୁ କହନ୍ତି–‘‘ତୁ’ ପିଲାଲୋକ, ତୋ’ର ପାଠ ପଢ଼ିବାର ବେଳ । ତୋର ଏତେ କଥାରେ ମୁଣ୍ଡ ପୂରାଇବା ଆବଶ୍ୟକ କ’ଣ ?’’

 

ସୀମା ସାମୟିକ ସାନ୍ତ୍ୱନା ଲାଭ କଲେ ମଧ୍ୟ ବାପାଙ୍କ କଥାରେ ପୂରାପୂରି ସନ୍ତୁଷ୍ଟ ହୋଇପାରେନା । ସେ ଭାବେ ପୁଅ ଝିଅ ଯେତେ ବଡ଼ ହେଲେ ମଧ୍ୟ ସବୁବେଳେ ସେ ବାପ ମା’ଙ୍କ ଆଖିରେ ପିଲା । ସୀମା କିନ୍ତୁ ନିଜକୁ ନିଜେ ପିଲା ବୋଲି ଭାବିପାରେ ନାହିଁ । ବାପାଙ୍କ କଥାର ସତ୍ୟତା ପ୍ରତିପାଦନ କରିବା ପାଇଁ ସେ ଅନେକ ଥର ଗଛ ଦର୍ପଣ ଆଗରେ ଠିଆ ହୋଇ ନିଜ ଆଡ଼କୁ ଅନାଏ ।

 

ସତେ କ’ଣ ସେ ଗୋଟିଏ ପିଲା ?

 

ଦର୍ପଣର ପ୍ରତିଛବିରୁ ସେ ଜାଣେ ଯେ ସେ ଆଉ ପିଲା ନୁହେଁ । ତା’ର ଅଙ୍ଗେ ଅଙ୍ଗେ ରଙ୍ଗର ଜୁଆର ଉଠିଛି । ମାଂସଳ ଚିବୁକରେ ଲାବଣ୍ୟର ଢେଉ ଖେଳୁଛି । ସୁଗୋଲ ବାହୁରେ ସ୍ପନ୍ଦନର ଝଡ଼ ମୁଣ୍ଡ ଟେକୁଛି । ଆଖିରେ ଭ୍ରମରମାରୀର ଚାହାଣି ଉତୁରି ପଡ଼ୁଛି । ଲକ୍ଷ ଆଖିର ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇ ଉଭାହୋଇଛି ଉରସରେ ଯାମଳ ଭୂଧର । ତହିଁରେ ବି ବାପା ତାକୁ କହୁଛନ୍ତି ପିଲା । ଏ କେମିତି କଥା ? ଧର୍ମକୁ ଆଖିଠାର ମାରିବା ଛଡ଼ା ଅନ୍ୟ କିଛି ନୁହେଁ ।

 

ଅବଶ୍ୟ ଫ୍ରକ୍ ପିନ୍ଧି ସେ ଯେତେବେଳେ ଦର୍ପଣ ଆଗରେ ଠିଆ ହୁଏ, ଅସମ୍ଭବ ଭାବରେ ଦେହର ଆକୃତି ତା’ର କାହିଁକି ଛୋଟ ଦେଖାଯାଏ । ଲୁଗା ଆଉ ଫ୍ରକ୍‍ ପିନ୍ଧା ଭିତରେ କେତେ ତଫାତ୍ ସତେ ?

 

ସୀମାର ପ୍ରକୃତ ଏଇ ଧାରଣା ହୋଇଛି ଯେ ଫ୍ରକ୍‍ ଭିତରେ ନିଜ ଦେହକୁ ଲୁଚାଉଥିବା ଝିଅମାନଙ୍କର ପ୍ରକୃତ ବୟସ ଜାଣି ହୁଏ ନାହିଁ । ଆଧୁନିକା, ସୁଶିକ୍ଷିତା ଝିଅମାନଙ୍କର ବୟସ କମେଇବାର ସର୍ବୋତ୍ତମ ମାଧ୍ୟମ ହେଉଛି ଫ୍ରକ୍ । ବୃଦ୍ଧା ବି ଫ୍ରକ୍ ପିନ୍ଧିଲେ ଯୁବତୀ ଭଳି ଦୂରକୁ ଦେଖାଯାଏ । ସେଥିପାଇଁ ପାଶ୍ଚାତ୍ୟ ସୁନ୍ଦରୀ ରମଣୀମାନଙ୍କର ପଛରୁ ଅନାଇଁଲେ କିଏ ବୟସ୍କା କିଏ କିଶୋରୀ ସହଜରେ ଜାଣି ହୁଏ ନାହିଁ । ଯେଉଁ ଝିଅମାନେ ଫ୍ରକ୍‍ ଛାଡ଼ି ଲୁଗା ପିନ୍ଧନ୍ତି, ସେମାନଙ୍କର ବୟସ ଯେମିତି ବାରି ହୋଇପଡ଼େ, ଦେହର ଅଙ୍ଗ, ପ୍ରତ୍ୟଙ୍ଗ, ଉଚ୍ଚତା ସେମିତି, ବଢ଼ିଗଲା ପରି ଲାଗେ ।

 

ସୀମାକୁ ଏବେ ଏଣିକି କାହିଁକି ଆଉ ସବୁବେଳେ ଫ୍ରକ୍ ପିନ୍ଧିବାକୁ ଭଲଲାଗେ ନାହିଁ । ଫ୍ରକ୍ ପିନ୍ଧିଲେ ସତେ ଯେମିତି ତା’ର ଆତ୍ମସମ୍ମାନ ଉପରେ ଆଞ୍ଚ୍ ଆସୁଛି । ସେ ଆଉ ପୂର୍ବପରି କଲେଜକୁ ଫ୍ରକ୍ ପିନ୍ଧି ଯିବାକୁ ଭଲ ମନେକରୁ ନାହିଁ ।

 

ସୀମା ବେଳେ ବେଳେ ଅତି ନିବିଡ଼ ଭାବରେ ଚିନ୍ତାକରେ ଯେ, ଲୁଗାଟା ପିନ୍ଧିଲେ ଯେପରି ରୂପ ଓ ସୌନ୍ଦର୍ଯ୍ୟର ଗୋପନୀୟତା ଅନାୟାସରେ ରଖି ହୁଏ, ଫ୍ରକ୍‍ଟା ପିନ୍ଧିଲେ କ’ଣ ସେପରି ହୁଏ ? ବରଂ ଶରୀରର ସମସ୍ତ ଗୋପନୀୟତାକୁ ନଷ୍ଟ କରି, ଉଚ୍ଛୃଙ୍ଖଳତା ଆଡ଼କୁ ଆଗେଇ ନେବା ପାଇଁ ଏହି ଫ୍ରକ୍‌ର ସୃଷ୍ଟି । ଏହା ଭାରତୀୟ ପରମ୍ପରାକୁ ପରିହାସ କରେ । ଅଜସ୍ର ଆଖିକୁ ଭୋକିଲା କରି ଛଟପଟ କରେ । ଦେହ ଉପକୂଳରେ ଯୌବନର ବନ୍ୟା ମାଡ଼ିଆସିବା ଯାଏ,ଏହା ପିନ୍ଧାଯାଇ ପାରେ; ମାତ୍ର ତାହା ପରେ ଆଉ ନୁହେଁ । ଯୌବନର ତଣ୍ଟିକି ଚିପି ଏହା ଲୋକ ଲୋଚନରେ ହାସ୍ୟାସ୍ପଦ କରେ ।

 

ରାତି ପାହିଲେ ବିଦେଶ ଯିବେ ବିପ୍ରବାବୁ । ହେମାଙ୍ଗିନୀ ଦେବୀଙ୍କ ସହିତ କ’ଣ ଚୁପ୍‌ଚୁପ୍‌ କଥାବାର୍ତ୍ତା ହେଲାପରେ ସୀମାକୁ ପାଖକୁ ଡାକି କହିଲେ–“ଦେଖ ମା, ତୁ ପାଠଶାଠ ପଢ଼ିଲୁଣି । ସଂସାରକୁ ଚିହ୍ନିବାର ବୟସ ତୋର ହେଲାଣି । ଭଲମନ୍ଦ ବାରିବାର ଶକ୍ତି ଆହରଣ କଲୁଣି; ତୋତେ ଆଉ ମୂର୍ଖପିଲାଙ୍କ ଭଳି ବେଶି ବୁଝାଇବି କ’ଣ ? ତୋର ସମ୍ମାନ ହିଁ ମୋର ସମ୍ମାନ । ମୋର ସମ୍ମାନହିଁ ଘରର ସମ୍ମାନ । ଘରର ସମ୍ମାନହିଁ ବାପ ଅଜା ଚଉଦ ପୁରୁଷର ସମ୍ମାନ-। ତେଣୁ ତାହା ଯେପରି ଅକ୍ଷୁଣ୍ଣ ରହେ, ସେ ବିଚାରର ଭାର ପୂରାପୂରି ତୋ’ ଉପରେ-। ତୁ’ କ’ଣ ଭାବୁଛୁ ମୁଁ କେବେ ତୋ’ର ଇଚ୍ଛା ବିରୁଦ୍ଧରେ ଯିବି ? ତୋର ଅମଙ୍ଗଳ ପାଞ୍ଚିବ ? ଅସମ୍ଭବ-। ସମ୍ପୂର୍ଣ୍ଣ ଅସମ୍ଭବ ।’’

 

ପାଖରେ ଠିଆ ହୋଇ ସବୁ ଶୁଣୁଥିବା ହେମାଙ୍ଗିନୀ ଦେବୀ ଏଥର ହସ୍ତକ୍ଷେପ କରି କହିଲେ–‘‘ମଲାମୋର, ଚୁନେଇ ବନେଇ ବୁଲେଇ ତାକୁ ଏତେ କ’ଣ କହୁଛ ମ ? ଯାହା କହିବାର କଥା ତାକୁ ସିଧା ସିଧା କହୁନା ? ସେ ପିଲାଲୋକ ତା’ର କ’ଣ ଏତେ ଗହୀରକୁ ଚାଷ ହେଲାଣି-?’’

 

ବିପ୍ରବାବୁ ଏଥର କହିଲେ–ମୁଁ ଜାଣେ, ମା’ମାନେ ପୁଅ-ଝିଅମାନଙ୍କ ଦୋଷ ଘୋଡ଼ାଇବାକୁ ଯାଇ ଅନେକ ସମୟରେ ଅନ୍ୟମାନଙ୍କର କଥାର ଗୁରୁତ୍ଵ କମାଇ ଦିଅନ୍ତି । ମୋର ବେଶି କିଛି କହିବାର ନାହିଁ । ଗୋଟିଏ କଥା, ଏହା ଖୁବ୍‌ ସରଳ, ବୋଧଗମ୍ୟ । ଏଥିପାଇଁ ଟୀକା ଟିପ୍‌ପଣୀର ଆବଶ୍ୟକ ନାହିଁ ।

 

ଯାହା ହେଲା ହେଲା, ଅତୀତକୁ କବର ଦିଆଯାଉ । ସୀମା ଆଉ ସ୍ଵୟମ୍ଭୂ ସାଙ୍ଗରେ ବେଶି ମିଳାମିଶା କରିବା ଉଚିତ ନୁହେଁ । ସେ କିଏ ? ଆମେ କିଏ ? ତା’ ଘର କେଉଁଠି ? ଆମ ଘର କେଉଁଠି ? ତା’ ସାଙ୍ଗରେ ଆମର ଏତେ ମିଳାମିଶା କରିବା ଆବଶ୍ୟକ କ’ଣ ? ସେ ପୁରୁଷ ପୁଅ । ଆକାଶର ବିହଙ୍ଗମ । ତାକୁ ଚଉଖୁଣ ମାଫ୍ । ଆଜି ଏ ଗଛରେ ବସି ରାବୁଛି, କାଲି ଅନ୍ୟ କେଉଁ ଗଛରେ ବସି ରାବିବ ।

 

ହେମାଙ୍ଗିନୀ ଦେବୀ ତମ ତମ ହୋଇ, ମୁହଁଛୁଟି କହିଲେ–‘‘ସ୍ଵୟମ୍ଭୂ ଗୋଟାଏ ପିଲା, ପୁଣି ଆଉ ଗୋଟିଏ ପିଲାକିଏ ତା’ ସାଙ୍ଗରେ ସରି ମ ? ସେ କ’ଣ ଆସି ଆମର ଖାଇ ଯାଉଛି ନା ନେଇ ଯାଉଛି ? ବରଂ ତା’ଦ୍ଵାରା ଆମେ ଉପକୃତ ହେଉଛୁ । ସେ ଏବେ ଆଉ ନଆସୁ । ସେ ଆମ ଘରକୁ ଆସୁଛି ବୋଲି ସିନା ଏ ତା’ ସାଙ୍ଗରେ ମିଶୁଛି ! ସେ ଆଜି ଆସୁ, ମୁଁ ତାକୁ ସଫା ସଫା ମନା କରିଦେବି । ସେ ଯେମିତି ଆଉ ଏ ମାଟି ନମାଡ଼େ !’’

 

ସୀମା କାନ୍ଥକୁ ଆଉଜି ମୁହଁରେ ଲୁଗାଗୁଞ୍ଜି, କଇଁ କଇଁ ହୋଇ କାନ୍ଦୁଥିଲା ।

 

ହେମାଙ୍ଗିନୀ ଦେବୀ ସୀମାର ବାହୁକୁ ଧରି ଟାଣି ନେଇ କହିଲେ–‘‘ଚାଲବା ଖାଇବୁ । ରାତି ଆସି ଏତେ ହେଲାଣି । ତାଙ୍କ କଥାରୁ କ’ଣ ପାଉଛୁ ? ସେ ଚକେ ଗଲେ ବାରହାତ । ଆଜି ଏତେବେଳେ ଏଠି, କାଲି ଏତେବେଳକୁ କେଉଁଠି ଥିବେ ତା’ର ଠିକଣା ନାହିଁ ।’’

 

ବିପ୍ରବାବୁ ସୀମାର କାନ୍ଦ ଦେଖି ଆଉ ବିଶେଷ କିଛି କହିପାରିଲେ ନାହିଁ । ମନ ତାଙ୍କର କ’ଣ ହୋଇଗଲା ।

 

ଆଜି ନୁହେଁ, ସୀମାର ଜନ୍ମଦିନରୁ ସେ ଆଦୌ ତା’ ଆଖିରେ ଲୁହ ଦେଖି ପାରନ୍ତି ନାହିଁ । ସାଧବ ଦୁଲାଳୀ ତଅପୋଈ ସୁନାଚାନ୍ଦ ମାଗିଲା ଭଳି, ସୀମା ଯେତେବେଳେ ଯେଉଁ ଜିନିଷ ପାଇଁ ଅଳି କରିଛି, ତାହା ତତ୍‌କ୍ଷଣାତ୍‌ ଆଣି ଦେଇଛନ୍ତି ବିପ୍ରବାବୁ । ସୀମା ମୁହଁ ଭାଙ୍ଗି କେବେ କିଛି କହିନାହାନ୍ତି ସେ ।

 

ସୀମାକୁ ପାଇବା ପାଇଁ ବିପ୍ରବାବୁ କେତେ କଷ୍ଟ କରି ନାହାନ୍ତି ସତେ ! କେତେ ଦିଅଁ ଦେବତା ପୂଜିଛନ୍ତି । କେତେ ଡାକ୍ତର, କବିରାଜଙ୍କ ପାଖକୁ ହେମାଙ୍ଗିନୀ ଦେବୀଙ୍କୁ ନେଇ ଯାଇଛନ୍ତି-। କଟକ, ପୁରୀ, କଲିକତା, କେତେ ବୁଲିଛନ୍ତି ।

 

କଲିକତାର ଜଣେ ବଡ଼ ଡାକ୍ତର ଯେଉଁଦିନ କହିଲେ–“ବିପ୍ରବାବୁ, ହେମାଙ୍ଗିନୀ ଦେବୀଙ୍କର ସନ୍ତାନ ସନ୍ତତି ହେବାର ଆଶା ଖୁବ୍ କମ୍‍ ।’’

 

ସେଦିନ ଯେତିକି ମନ କଷ୍ଟ କରିଥିଲେ କାନ୍ଦିଥିଲେ ହେମାଙ୍ଗିନୀ ଦେବୀ, ତାଙ୍କଠାରୁ ବେଶି ମନକଷ୍ଟ କରିଥିଲେ ଏବଂ କାନ୍ଦିଥିଲେ ବିପ୍ରବାବୁ ।

 

ଦୟାଳୁ ଡାକ୍ତର ସ୍ଵାମୀ-ସ୍ତ୍ରୀଙ୍କର ବିକଳ କାନ୍ଦଣା ଶୁଣି କହିଥିଲେ–“ବ୍ୟସ୍ତ ହେବାର କିଛି ନାହିଁ ବିପ୍ରବାବୁ । ଆଜିକାଲି ବୈଜ୍ଞାନିକ ଯୁଗରେ ସବୁକିଛି ସମ୍ଭବ ହେଲାଣି । ଆମେ ଚେଷ୍ଟା କରିବା । ଅଧୈର୍ଯ୍ୟ ହେବାର କ’ଣ ଅଛି ? ତେବେ ଗୋଟିଏ କଥା ପଚାରିବି ତା’ର ଉତ୍ତର ଦେବେ କି ?’’

 

ବିପ୍ରବାବୁ କହିଲେ–“ହଁ ଡାକ୍ତରବାବୁ, ଯାହା ପଚାରିବେ ତାହା କହିବି । ଡାକ୍ତର କବିରାଜଙ୍କୁ ସବୁ କଥା ଖୋଲି ନ କହିଲେ ହେବ କେମିତି ?’’

 

ଡାକ୍ତର ଏଥର ପଚାରିଲେ–‘‘ଆଚ୍ଛା, ହେମାଙ୍ଗିନୀ ଦେବୀ ସୌନ୍ଦର୍ଯ୍ୟକୁ ଧରି ରଖିବା ପାଇଁ କିଛି ଔଷଧପତ୍ର ବ୍ୟବହାର କରିଥିଲେ କି ?’’

 

ବିପ୍ରବାବୁ ଦୀର୍ଘନିଃଶ୍ଵାସ ପକାଇ, ସମ୍ଭ୍ରମ-କମ୍ପିତ ଥର ଥର ଗଳାରେ କହିଲେ-“ହଁ...ହଁ... ଆଜ୍ଞା, ହଁ...” । ସେ ଏକ ଇତିହାସ । ହେମାଙ୍ଗିନୀ ଦେବୀ ଆମ ଘରକୁ ଆସିବାର ଅଳ୍ପଦିନ ପରେ ଖବରକାଗଜରେ ଏକ ବିଜ୍ଞାପନ ବାହାରିଲା–‘‘ଚିର ଯୌବନ ଉପଭୋଗ କର ।’’

 

ମୁଁ ସେ ବିଜ୍ଞାପନ ପଢ଼ି, ଅମୃତ ସହରରୁ ଦୁଇ ଶିଶି ଅମୃତ ସାଲସା ମଗାଇ, ହେମାଙ୍ଗିନୀ ଦେବୀ ଥରେ ପୀଡ଼ିତା ଥିବା ସମୟରେ ଜ୍ଵର ଔଷଧ ବୋଲି ଖୁଆଇ ଦେଇଥିଲି ।

 

ହେମାଙ୍ଗିନୀ ଦେବୀ ଜିଭ କାମୁଡ଼ି ପକାଇଥିଲେ । ଡାକ୍ତରବାବୁ କହିଲେ–‘‘ଭାଗ୍ୟରେ ଥିଲେ ହେମାଙ୍ଗିନୀ ଦେବୀ ନିଶ୍ଚୟ ଜନନୀ ହେବାର ସୌଭାଗ୍ୟ ଅର୍ଜନ କରିବେ । ତେବେ ଦୀର୍ଘଦିନ ଔଷଧ ବ୍ୟବହାର କରିବାକୁ ହେବ ।’’

 

ଦୁଇବର୍ଷ କାଳ ଔଷଧ ବ୍ୟବହାର କଲାପରେ ସୀମା ରହିଥିଲା ଗର୍ଭରେ । ଦଶମାସକୁ ଦଶଯୁଗ ଭଳି ମଣିଥିଲେ ବିପ୍ରବାବୁ । ସୀମା ଯେଉଁଦିନ ଜନ୍ମ ହେଲା, ସେଦିନ ଦାନ, ଧ୍ୟାନରେ ଖର୍ଚ୍ଚ ହୋଇଥିଲା ସହସ୍ରାଧିକ ଟଙ୍କା । ଚବିଶ ପ୍ରହରୀ ନାମ ସଂକୀର୍ତ୍ତନ ସାଙ୍ଗକୁ ସାତଦିନ କାଳ ଲଢ଼େଇ ପାଲାରେ କଳାବତୀପାଟଣା ଉଠିଥିଲା ପଡ଼ିଥିଲା ।

 

ବିପ୍ରବାବୁଙ୍କର ଜଣେ ସହପାଠୀ ବାଛି ବାଛି ନାମ ଦେଇଥିଲେ ସୀମା । ସେତିକି ବେଳେ ଜଣେ ଗଣକ କହିଥିଲେ–“ବିପ୍ରବାବୁ, ଝିଅଟି ଭାରି ସୁଲକ୍ଷଣା କିନ୍ତୁ ଭାରି ଅଭିମାନିନୀ ହେବ । ଫୁଲର ଭାରା ସହି ପାରିବ ନାହିଁ । ଏମିତି ଉଚ୍ଚାରାଶି ଯେ ତା’ପାଇଁ ବର ମିଳିବା ଭାରି କଷ୍ଟ ହେବ । ସେ ଇଚ୍ଛା-ବରଣ କରିପାରେ ।’’

 

ଗଣକର କଥାକୁ ବିପ୍ରବାବୁ ହସି ଉଡ଼ାଇ ଦେଇଥିଲେ । ସେହି ଦିନରୁ ସୀମାକୁ ସେ କିନ୍ତୁ କିଛି କହନ୍ତି ନାହିଁ । ତାକୁ ଘଡ଼ିଏ ନ ଦେଖିଥିଲେ ଯୁଗକପରି ମଣନ୍ତି ।

 

ପୁଣି–

 

ସେହି ସୀମା କାନ୍ଦିଲେ ବିପ୍ରବାବୁଙ୍କ ଧୈର୍ଯ୍ୟର ଧବଳଗିରି ଶୃଙ୍ଗ ଭାଙ୍ଗି ନ ପଡ଼ିବ କେମିତି ?

 

ହେମାଙ୍ଗିନୀ ଦେବୀଏଥର ଭାତ ଥାଳି ଆଣି ଥୋଇଲେ । ନ’ ତରକାରୀ ଛ’ ଭଜା । କାଞ୍ଜି ଟିକିଏ, ଚଟଣି ଟିକିଏ, ଆଚାର ଟିକିଏ–ଏଇମିତି କେତେ କ’ଣ ?

 

ବିପ୍ରବାବୁ ଯେତିକି ଭଲ ସେତିକି ମନ୍ଦ । ଏଇ ଖାଇବା ଗଣ୍ଡାକରେ ଭାରି ଦିକ୍‌ସିକ୍ । ଭାରି ଅଶାନ୍ତି । ଅମୃତ ଆଣି ଥୋଇଲେ ବି ଥୁ, ଥୁ । ସେଥିପାଇଁ ହେମାଙ୍ଗିନୀ ଦେବୀ ବିପ୍ରବାବୁଙ୍କ ଖାଇବା ଗଣ୍ଡାକ ଜଗିଥାନ୍ତି । ସେ ଖାଇ ନ ସାରିବା ପର୍ଯ୍ୟନ୍ତ ହେମାଙ୍ଗିନୀ ଦେବୀଙ୍କ ଛାତିରେ ଆଶଙ୍କାର କାତେ ପାଣି ଭଉଁରୀ ଖେଳୁଥାଏ ।

 

ବିପ୍ରବାବୁ ହାତ ଧୋଇ ଖାଇବସିଲେ । ସୀମାର ମୁହଁ ନିଜ ହାତରେ ଧୋଇଦେଇ ସାଙ୍ଗରେ ଖୁଆଇଲେ ।

 

ସୀମାକୁ ସତେ ଭାରି ଭଲ ପାଆନ୍ତି ବିପ୍ରବାବୁ । ଭଲ ପାଇବାର କଥା । ଆଉ କିଏ ଆଗକୁ ଅଛି ନା ପଛକୁ ଅଛି ? ଏକମାତ୍ର ଉତ୍ତରାଧିକାରିଣୀ ସୀମା ।

 

ଖିଆପିଆ ସରିଲା । ସୀମା ଶୋଇପଡ଼ିଲା । ଢିଙ୍କିଶାଳଠାରୁ ଢେଙ୍କାନାଳଯାଏ କଥାବାର୍ତ୍ତା ପଡ଼ିଲା ସ୍ଵାମୀ-ସ୍ତ୍ରୀଙ୍କ ଭିତରେ । କଥା ଭିତରେ କେତେଥର ହସିଲେ ବିପ୍ରବାବୁ କେତେଥର ନାକ ସୁଉଁ ସୁଉଁ କରି କାନ୍ଦିଲେ ହେମାଙ୍ଗିନୀ ଦେବୀ ।

 

ହେମାଙ୍ଗିନୀଙ୍କର ସ୍ଵାମୀଙ୍କ ପାଖରେ ଅଳି, ‘‘ତୁମେ ଗୋଟିଏ ଭଲ ପିଲା ଦେଖ, ଆମେ ତାକୁ ଘରଜୋଇଁଆ କରି ରଖିବା । ସୀମା ଯେମିତି ପିଲା ସେ ଅନ୍ୟ କେଉଁଠି ଯାଇଁ ଚଳିପାରିବ ନାହିଁ । କାହାରି ତୁ’କାର ବଚନ ସହିପାରିବ ନାହିଁ । ଲୁହ ନକାନ୍ଦି ରକ୍ତ କାନ୍ଦିବ । ହାଡ଼ ଥାଇ ମାଂସ ମିଳାଇଯିବ । ଶାଶୁ ଶଶୁର ଘରକୁ ଯିବାକୁ ହେଲାଣି, ତା’ର ନଗା ଅଛି ନା ପଘା ଅଛି ?’’

 

ବିପ୍ରବାବୁ ଟିକିଏ ବିରକ୍ତ ହୋଇ କହିଲେ ‘‘ତୁମେ ଆଉ ଦିନେ ମୋତେ ସେ କଥା କହିବ ନାହିଁ । ଆଜିକାଲିକା ପିଲାଙ୍କୁ ଦେଖୁନା ? ଘଡ଼ିକେ ଘୋଡ଼ା ଛୁଟାଇଦେବେ । ପ୍ରଥମେ ପ୍ରଥମେ ଛଳନାର ଜାଲବୁଣି ତୁମକୁ ଏପରି ନିଜର କରି ନେବେ ଯେ, ପରେ ହତାଶା ସମୁଦ୍ରର ଅତଳ ଗର୍ଭରେ ବୁଡ଼ାଇ ମାରିଦେବେ । ଆଉ କୂଳ କିନାରା କିଛି ନ ଥିବ । କେତେ ରାଣ୍ଡୀ ପୁଅ ଅନନ୍ତା ଛାତି ଫୁଲାଇ ବାଟ ଚାଲୁଛନ୍ତି । ଧନ, ଜନ ଲୋଭରେ ରାଜି ହୋଇ ଆସି ବର୍ଷେ ଦୁଇବର୍ଷ ରହିଲା ପରେ ଚମ୍ପଟ ଦେବେ । ସ୍ଵୀକି ବି ଶିଖାଇ ସଙ୍ଗରେ ଘେନି ଚାଲିଯିବେ । ଲୋକେ ତାଳି ମାରି ହସିବେ ।

 

ଯେଉଁ କଥା କରି ଲୋକଲଜ୍ଜାରେ ସଢ଼ି ମରିବାକୁ ହେବ, ସେ ଭଳି କଥା ଆଦୌ ମନକୁ ନ ଆଣିବା ଭଲ । ସ୍ଵାମୀ ସ୍ତ୍ରୀ ଦୁହେଁ ନାନା ବିଷୟରେ ଆଲୋଚନା କରୁ କରୁ କୁଆଁତରା ବୁଡ଼ିଲା । ସିନ୍ଦୂରା ଫାଟିଲା । କଜଳପାତି ରାବିଲା । ତା’ପରେ–

 

କାଉ କଲା କା ।

 

ବଡ଼ି ଭୋ’ରୁ ଉଠି, ତରତର ହୋଇ ହେମାଙ୍ଗିନୀ ଦେବୀ ଗାଧୋଇ ଆସି କଦଳୀ ଝୁଡ଼ୁଙ୍ଗ ଛୁଇଁ ଭାଜିଲେ । ପୋଇ କରାଣ୍ଡି ଶୁଖୁଆ ରାଇ, ନେଉଟିଆ ଶାଗ ଖରଡ଼ିଲେ । ବିପ୍ରବାବୁ ତେଲ ଲଗାଇ ଗାଧୋଇଯିବା ପୂର୍ବରୁ ଗାମୁଛା ଖୋଜିଲେ ।

 

ହେମାଙ୍ଗିନୀ ଦେବୀ ମୁରୁକି ମୁରୁକି ହସି ରସିକତା କରି କହିଲେ–“ତୁମେ ଗୋଟାଏ ଏଡ଼େ ବଡ଼ ହାକିମ ହେଲଣି, ମରହଟିଆ ବୁଢ଼ାଙ୍କ ଭଳି ଗାମୁଛା ବ୍ୟବହାର କରୁଛ କ’ଣ ମ ? ଲୋକେ କେତେ ଭଳି ବେଶ ହେଉଛନ୍ତି । ତୁମକୁ ଖଣ୍ଡେ ତଉଲିଆ କିଣିବାପାଇଁ ବିଧାତା କହୁ ନାହିଁ ?’’

 

ବିପ୍ରବାବୁ କହିଲେ–“ତୁମ ଦୃଷ୍ଟିରେ ଗାମୁଛାଟା ସାମାନ୍ୟ ଜିନିଷ ହୋଇପାରେ; ମାତ୍ର ମୋ’ ପାଖରେ ଏହାର ମୂଲ୍ୟ ବହୁତ । ଶୁଭ କାର୍ଯ୍ୟରେ ଗାମୁଛାର ପ୍ରୟୋଜନ ପଡ଼େ ସିନା; କିନ୍ତୁ ତଉଲିଆର ନୁହେଁ । ଗା-ମୁ-ଛା-ବୋଲି ଯେଉଁ–ତିନୋଟି ଅକ୍ଷର ଏଥିରେ ଖୁବ୍ ତାତ୍ପର୍ଯ୍ୟ ଭରି ରହିଛି । ‘ଗା’ ଅର୍ଥ ଦେହ । ‘ମୁ’ ମାନେ ମୁଖ, ଛ ଅର୍ଥ ଛେଦନ କରିବା । ଶରୀରର ସମସ୍ତ ଅପବିତ୍ରତାକୁ ପୋଛି ନେବା ପାଇଁ ଗାମୁଛାର ଏକାନ୍ତ ଆବଶ୍ୟକ ।

 

ହେମାଙ୍ଗିନୀ ଦେବୀ କହିଲେ–“ତୁମକୁ କିଏ ମୋର ଯୁକ୍ତିରେ ପାରିବ ଲୋ ମା’ ? ତୁମେ ତ ଜିରାରୁ ଶିରା କାଢ଼ିବ । ସାମାନ୍ୟ କଥାକୁ ବଡ଼ କରି ଏପରି ବୁଝାଇଦେବ ଯେ କାହାରି ପାଟି ଖୋଲିବ ନାହିଁ ।’’

 

ବିପ୍ରବାବୁ ଗାଧୋଇ ଯିବା ପୂର୍ବରୁ ସୀମାକୁ ଉଠାଇ ଦାନ୍ତ ଘଷିବା ପାଇଁ ତାଗିଦ୍ କରି ଦେଇଗଲେ । ସୀମା ଉଠିଲା ।

 

ବିପ୍ରବାବୁ ଗାଧୋଇ ଆସି ତରତର କରି ଖାଇ ବସିଲେ । ସୀମା ବି ଖାଇଲା ।

 

ତା’ପରେ–

 

ହେମାଙ୍ଗିନୀ ଦେବୀ ପଲମ ବସାଇ ଚକୁଳି ପିଠା ଯୋଗାଡ଼ିଲେ । ବିପ୍ରବାବୁ ପଚାରିଲେ–‘‘ସେ ପୁଣି କି ପାଲା ?’’

 

ହେମାଙ୍ଗିନୀ ଦେବୀ ମୁରୁକିହସା ଦେଇ କହିଲେ–“ତୁମକୁ ସବୁ ପାଲା ଜଣାଅଛି, ଏ ପାଲା ଜାଣି ନାହଁ କେମିତି ? ଏ ପରା ଓଡ଼ିଆଘରର ସଂସ୍କୃତି । ଆତ୍ମୀୟସ୍ଵଜନ ଘରଛାଡ଼ି, ବିଦେଶ ଗଲାବେଳେ, ଚକୁଳି ପିଠା ଓଲଟାଇଲେ, ଯିବା ଲୋକ ସଅଳ ଲେଉଟି ଆସନ୍ତି ।’’

 

ବିପ୍ରବାବୁ ହସି ହସି କହିଲେ–“ଯଦି କେହି ନ ଫେରେ ?’’

 

ଚତୁରୀ ହେମାଙ୍ଗିନୀ ଦେବୀ କହିଲେ–‘‘ତାହାହେଲେ ବୁଝିବାକୁ ହେବ ଯେ, ତେବେ ସେ ତେଣେ ଢେମଣୀ ରଖି ପର ପ୍ରୀତିକୁ ପଣାକରି ପିଉଛି ।’’

 

ବିପ୍ରବାବୁ ସ୍ତ୍ରୀଙ୍କ କଥାରେ ସାମାନ୍ୟ ଅପ୍ରତିଭ ହେଲେ । ସେ ପରିଷ୍କାର ଭାବରେ ବୁଝିପାରିଲେ ଯେ ସ୍ତ୍ରୀ ତାଙ୍କର ଦୀର୍ଘଦିନ ବିଦେଶ ରହଣିକୁ ପସନ୍ଦ କରୁନାହାନ୍ତି । ତେଣୁ କଥାରେ କଥାରେ କୌତୁକ କରି ସତର୍କବାଣୀ ଶୁଣାଉଛନ୍ତି । ଆଉ ବେଶି ଯୁକ୍ତିତର୍କ ନକରି ସ୍ନେହ ବିଜଡ଼ିତ ଗଳାରେ କହିଲେ–“ହେ ଡେରି ହେଉଛି, ମୋତେ ଟିକିଏ ଚଞ୍ଚଳ ଚଞ୍ଚଳ ବିଦାକରିଦିଅ ।’’

 

ବିପ୍ରବାବୁଙ୍କ ଯିବା କଥା ଶୁଣି ହେମାଙ୍ଗିନୀ ଦେବୀଙ୍କ ହସହସ ମୁହଁରେ ବିଷାଦର କାଳିମା ଢାଙ୍କି ହୋଇଗଲା । ଚଳ ଚଞ୍ଚଳ ପାଦ ଯୋଡ଼ିକ ଥମିଗଲା ଯେମିତି ! ଅସୀମ ସ୍ପୃହା ତାଙ୍କର ସୀମିତ ହୋଇଗଲା ।

 

ବିପ୍ରବାବୁ ଘରେ ଥିବା ଭାଗବତ ଗୋସାଇଁଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରି ସାରି ହେମାଙ୍ଗିନୀ ଦେବୀଙ୍କ ଠାରୁ ଆଖିରେ ବିଦାୟ ମାଗିଲେ । କେହି କାହାକୁ କିଛି ସମୟ କିଛି କହି ପାରିଲେ ନାହିଁ ।

 

ବାସ୍ତବିକ୍ !

 

ସ୍ତ୍ରୀଠାରୁ ସ୍ଵାମୀ ବିଦାୟ ହୋଇ ବିଦେଶ ଯିବାର ଦୃଶ୍ୟ ବଡ଼ ହୃଦ୍ୟ, ବଡ଼ କରୁଣ, ବଡ଼ ମର୍ମସ୍ପର୍ଶୀ । ସ୍ତ୍ରୀ ସ୍ଵାମୀଙ୍କୁ ବିଦାୟ ଦେଇ ଯେମିତି ଶାନ୍ତିରେ ରହି ପାରେନା । ସ୍ଵାମୀ ସ୍ତ୍ରୀଠାରୁ ବିଦାୟ ନେଇ ସେମିତି ସ୍ଵସ୍ତିରେ ନିଃଶ୍ଵାସ ମାରିପାରେନା । ଅବଶ୍ୟ ସମୟର ପ୍ରଭାବରେ ସବୁକଥା ପାସୋର ହୋଇଥାଏ ।

 

ଅନତି ଦୂରରେ ଠିଆ ହୋଇ ସୀମା କାନ୍ଦୁଥାଏ । କାନ୍ଦିବାର କଥା ନୁହେଁ କି ? ବାପାଙ୍କ ଛଡ଼ା ତା’ର ସତେ ଆଉ କିଏ ଅଛି ? ଦୁନିଆଁରେ ବାପାଙ୍କ ଛଡ଼ା ଆଜିଯାଏ ଆଉ କାହାକୁ ସେ ଜାଣେ ନାହିଁ । ବାପା ତା’ର ସତେ କେତେ ଭଲ ମଣିଷ । ସେ ଆଜିଯାଏ ତାକୁ ସାଙ୍ଗରେ ବସାଇ ଖୁଆନ୍ତି । ଗେଲ କରନ୍ତି । ତା’ପାଇଁ ତା’ ବୋଉକୁ କେତେ ଗାଳି ଦିଅନ୍ତି । ଖାଇବା, ପିଇବା, ପିନ୍ଧିବାରେ ଭାରି ଶ୍ରଦ୍ଧା କରନ୍ତି ସେ । ପାଠ ପଢ଼ାରେ ହେଳା କଲେ ବିରକ୍ତ ହେବାର କଥା, ତେଣୁ ସେ ବିରକ୍ତ ହୁଅନ୍ତି ।

 

ପ୍ରତି ମାସରେ ଟଙ୍କା ପଠାଇଲା ବେଳେ ମନିଅର୍ଡର କୁପନରେ ତା’ ବୋଉ ପାଖକୁ ଲେଖିଥାନ୍ତି, “ସୀମାକୁ ପାଞ୍ଚଟଙ୍କା ହାତଖର୍ଚ୍ଚ ଦେବ । ପିଲା ଲୋକ । ସେ ତା’ର କ’ଣ ଖର୍ଚ୍ଚ କରିବ । ତୁମେ ତା’ ଟଙ୍କା ନେବ ନାହିଁ ।’’

 

ସବୁଥର ବିପ୍ରବାବୁ ଘରୁ ଗଲାବେଳେ ହସ ହସ ବଦନରେ ବିଦା ହୋଇଯା’ନ୍ତି । ଏଥର କାହିଁକି ତାଙ୍କ ମନରେ ସରାଗ ନାହିଁ । ସୀମାକୁ ବାର ବାର ଚାହିଁ ଚାହିଁ, ତାକୁ ଧରି ବିକଳ ହୋଇ କାନ୍ଦିଲେ । ଯୋଗକୁ ବ୍ରହ୍ମା ଖଟେ ନାହିଁ ।

 

ବିପ୍ରବାବୁ ଘରୁ ଅନୁକୂଳ କରି ବାହାରି ପିଣ୍ଡାରୁ ଦାଣ୍ଡ ଦୁଆରକୁ ଓହ୍ଲାଇଛନ୍ତି କି ନାହିଁ ପେଚାଟା କାହିଁକି ଦିନଟାରେ ଘର ଆଗ କୃଷ୍ଣଚୂଡ଼ା ଗଛ ଉପରେ ବସି କୁନ୍ଥେଇ କୁନ୍ଥେଇ ରାବିଲା ।

 

ହେମାଙ୍ଗିନୀ ଦେବୀ ଟେକାଟାଏ ଫୋପାଡ଼ି ଦାନ୍ତ କାମୁଡ଼ି କହିଲେ–‘‘ଦେଢ଼ଶୁର ଅଇଁଠା ଖାଇଁ, ଯାଉଛୁନା ପୁଣି ଦେଖିବୁ !’’ ପେଚାଟା ଫଡ଼ କରି ବିପ୍ରବାବୁଙ୍କ ମୁଣ୍ଡ ଉପର ଦେଇ ଉଡ଼ିଗଲା-। ତାଙ୍କ ମୁଣ୍ଡରେ ପକ୍ଷୀ ବାଜେ କି ନ ବାଜେ ।

 

ସୀମାର ପିଲାମନ କ’ଣ ହୋଇଗଲା । ସେ କହିଲା–‘‘ବୋଉ ଲୋ, ବାପାଙ୍କୁ ଅଟକା, ଆଜି ସେ ନଯା’ନ୍ତୁ ।’’

 

ହେମାଙ୍ଗିନୀ ଦେବୀ ବିପ୍ରବାବୁଙ୍କୁ ଶୁଣେଇ ଶୁଣେଇ କହିଲେ–‘‘ଶୁଭୁଛି, ଝିଅ କ’ଣ କହୁଛି-।’’

 

ବିପ୍ରବାବୁ ଉତ୍ତର ଦେଲେ–“ହଁ, ମୋତେ ସବୁ ଶୁଭିଛି । ମୋତେ ଆଜି ଯିବାକୁ ହିଁ ହେବ-।’’

 

ହେମାଙ୍ଗିନୀ ଦେବୀ ଆଉ ବଳାଇଲେ ନାହିଁ । ଅତି ସର୍ବତ୍ର ବାଧ୍ୟତେ । ବିପ୍ରବାବୁ ଚାଲିଗଲେ । ତାଙ୍କ ସାଙ୍ଗରେ ପାର୍ବତୀପୁର ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ଗଲା ସୀମା । ବିପ୍ରବାବୁ ବସରେ ବସିବା ପୂର୍ବରୁ କାହିଁକି କାନ୍ଦିଲେ ! କାନ୍ଦିଲା ବି ସୀମା । ବିପ୍ରବାବୁ ନିଜକୁ ସଂଯତ କରି ସୀମା ଆଖିରୁ ଲୁହ ପୋଛି ଦେଇ ତା’ ହାତକୁ ଶହେ ଟଙ୍କିଆ ନୋଟ ଖଣ୍ଡିଏ ବଢ଼ାଇ ଦେଇ କହିଲେ–“ଏ ଟଙ୍କା ନେ’ ଖର୍ଚ୍ଚ କରିବୁ । ବୋଉକୁ ତୋ’ର ଦେଖାଇବୁ ନାହିଁ । ମନଦେଇ ପାଠ ପଢ଼ିବୁ ।’’

 

ଚାହୁଁ ଚାହୁଁ ବସ୍ ଛାଡ଼ିଲା । ସୀମା ସେମିତି ବସ୍ ଆଡ଼କୁ ଅନାଇ ଠିଆ ହୋଇଥାଏ । ସେ ଓଠକୁ ଦାନ୍ତରେ କାମୁଡ଼ି କାନ୍ଦୁଥାଏ । ଆଖିରୁ ଧାର ଧାର ହୋଇ ଲୁହ ବୋହି ଯାଉଥାଏ ।

 

ବସ୍ ଫାଙ୍କରୁ ହାତ ହଲାଇ ବିପ୍ରବାବୁ ଇଙ୍ଗିତ ଦେଉଥାନ୍ତି ଯେ–‘‘ଯା’ ମା’ ଯା, ଘରକୁ ଫେରଯା ।’’

 

ବସ୍‌ଟି ଅଦୃଶ୍ୟ ହେବା ପର୍ଯ୍ୟନ୍ତ ସୀମା ସେମିତି ଠିଆ ହୋଇଥାଏ ।

 

ସ୍ଵୟମ୍ଭୂ ପଛଆଡ଼ୁ ଆସି ସୀମାର ଆଖିକି ଖୁବ୍ ଜୋରରେ ଚାପି ଧରିଲା । ସୀମା ଛାଟିପିଟି ହୋଇ, ସ୍ଵୟମ୍ଭୂର ଦୁଇ ହାତକୁ ଆଖିରୁ ଛଡ଼ାଇ କହିଲା–‘‘ଛାଡ଼ ଛାଡ଼ ମ, ମୁଁ ଜାଣି ସାରଲିଣି ତୁ ମରୁଆ ।’’ ଆଖିରୁ ହାତ ଉଠିଲା ନାହିଁ ।

 

ସୀମା ବିରକ୍ତ ହୋଇ କହିଲା–ଛାଡ଼ ମ’ ଫୁଲେଇଟା, କେତେ ଫୁଲେଇ ହେଉଛୁ ? ତୋର ଗୋଟାଏ ସ୍ଥାନକାଳ ପାତ୍ର ନାହିଁ । ମଣିଷର ମନ କ’ଣ ସବୁବେଳେ ସମାନ ଅଛି ! ତୋର ସବୁବେଳେ ସେଇ ଏକା କଥା । କଥାରେ ଅଛି–‘‘ଓଷକା ନାରୀ ବାପଘର ଯାଏ, ମନ ଫୁଲାଣିଆ ଗୀତ ଗାଉଥାଏ ।’’ ମନ ଭଲ ଥିଲେ ସିନା ସବୁ ଭଲ ।

 

ତଥାପି ଆଖିରୁ ତା’ର ହାତ ଉଠିଲା ନାହିଁ ।

 

ସୀମା ଏଥର ନିଉଛାଳି ହୋଇ କହିଲା–‘‘ମରୁଆ, ତୋ’ ହାତ ଧରୁଛି, ମୋତେ ଛାଡ଼ିଦେ । ମୁଁ ପଳାଇଯାଏ, ସ୍ଵୟମ୍ଭୂ ଭାଇ କାଳେ ଏବାଟେ ଚାଲି ଆସିବେ !’’ ସୀମା ଆଖିରୁ ଏଥର ହାତ ବାହାର କରିଦେଲା ସ୍ୱୟମ୍ଭୂ । ସୀମା ପଛକୁ ବୁଲି ଅନାଇ ଦେଇ ଜିଭ କାମୁଡ଼ି ପକାଇ ମୁରୁକି ମୁରୁକି ହସିଲା । ସେଇ ମୁରୁକି ମୁରୁକି ହସ ଭିତରେ ମନେ ପଡ଼ିଗଲା ତା’ର ବାପାଙ୍କ କଥା । ‘‘ତୋର ସମ୍ମାନ ହିଁ ମୋର ସମ୍ମାନ । ମୋର ସମ୍ମାନହିଁ ଘରର ସମ୍ମାନ । ଘରର ସମ୍ମାନ ହିଁ ପିତୃ-ପିତାମହ ଚଉଦ ପୁରୁଷର ସମ୍ମାନ ।’’

 

ଶରତର ମେଘମୁକ୍ତ ନୀଳ ଆକାଶରେ ହଠାତ୍ କଳା ବଉଦର ଆବିର୍ଭାବ ହେଲାଭଳି ବଦନ ମଣ୍ଡଳରେ ତା’ର ବିଷାଦର ମେଘ ଘୋଟିଗଲା ।

 

ସ୍ଵୟମ୍ଭୂ କାରଣ ଜାଣିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ସୀମା କିଛି ଫିଟାଇ କହିଲା ନାହିଁ । ଆଉ ବିଶେଷ ବାଧ୍ୟ ନକରି ସ୍ଵୟମ୍ଭୂ ଚାଲିଗଲା ତା’ ଗନ୍ତବ୍ୟ ପଥରେ । ସୀମା ତର ତର ହୋଇ ଯାଇଁ ଘରେ ପହଞ୍ଚିଲା । ହେମାଙ୍ଗିନୀ ଦେବୀ ସୀମାକୁ ଦେଖି ପଚାରିଲେ-‘‘ବାପା ଗଲାବେଳେ ଆଉ କ’ଣ କହୁଥିଲେ କି ?’’

 

ସୀମା କ’ଣ କହିବ କହିବ ହୋଇ–ହେମାଙ୍ଗିନୀ ଦେବୀଙ୍କ ମୁହଁକୁ ବଲ୍ ବଲ୍ କରି ଅନାଇଁ ରହିଥିଲା ।

 

Unknown

-ଚାରି-

 

ସେ ଥିଲା ଏକ ଆହତ ଅପରାହ୍ନ । ଆକାଶର ଛାତି ଫଟାଇ ମୂଷଳ ଧାରରେ ବର୍ଷା ଝରି ପଡ଼ୁଥିଲା । ଘଣ୍ଟାଏ ଭିତରେ ଗାଆଁ ଦାଣ୍ଡରେ ଆଣ୍ଠୁଏ ପାଣି ହୋଇଗଲା । ବୁଢ଼ା ବୁଢ଼ୀମାନେ ମତ ଦେଲେ–“ତାଙ୍କ ପିଲା ଦିନରୁ ସେ ଏଭଳି ବର୍ଷା କେବେ ଦେଖି ନଥିଲେ ।’’ ଖାଲି ତ ବର୍ଷା ହେଉ ନଥିଲା, ଭୀଷଣ ବର୍ଷାସାଙ୍ଗକୁ ପ୍ରବଳ କୁଆପଥର ବୃଷ୍ଟି ହେଉଥିଲା ।

 

ଫଗୁଣ ମାସ । ଫଗୁ ଦଶମୀ ଆଉ ଦଶ ବାରଦିନ ରହିଥିଲା ମାତ୍ର । ଚାରିଆଡ଼େ ଋତୁରାଜ ବସନ୍ତର ରାଜୁତି । ରସାଳ କୁଞ୍ଜର ପତ୍ର ଗହଳରେ ବସି, କୋଇଲି କୁହୁ କୁହୁ ଅମୃତ ରସାୟନ ପ୍ରତି ଶ୍ରବଣ ଗହ୍ଵରରେ ପରଷୁଛି । ଆମ୍ବ ବଉଳ ସୁବାସରେ ଦିଗ ଚହଟୁଛି ।

 

ପୃଥିବୀ ଆଉ ମଣିଷ ପ୍ରାଣର ଅକୂପାରରେ ଯେତେବେଳେ ଅପାର ଆନନ୍ଦର ଢେଉ ଖେଳୁଛି, ସେତିକି ବେଳେ ଏ ଅଦିନ ବର୍ଷା କାଳ ହେଲା ।

 

ମଣିଷ ବିଜ୍ଞାନ ବଳରେ ସବୁ କରି ପାରୁଛି ସତ; ପ୍ରକୃତିକୁ ନିଜର ଇଚ୍ଛାଧୀନ କରିପାରୁ ନାହିଁ । ମୋଟ ଉପରେ ପ୍ରକୃତି ଆଉ ମଣିଷ ଭିତରେ ବଳ କଷାକଷି ଚାଲିଛି । କେତେବେଳେ ମଣିଷ ହାରୁଛି ତ କେତେବେଳେ ପ୍ରକୃତି ଜିତୁଛି । ଆଉ କେତେବେଳେ ପ୍ରକୃତି ହାରି ଯାଉଛି । ମଣିଷ ବିଜୟ ବୈଜୟନ୍ତୀ ଅନିଳ ଲହରରେ ଫର୍ ଫର୍ ଉଡ଼ାଉଛି । ପ୍ରକୃତିର ପ୍ରାଧାନ୍ୟ କିନ୍ତୁ ସବୁ କ୍ଷେତ୍ରରେ ଅନୁଭୂତ ହେଉଛି । ପ୍ରକୃତି ମଣିଷର ସବୁ କଳ୍ପନାକୁ ପ୍ରତିହତ କରୁଛି । ମଣିଷର ସବୁ ଆଶା ଭରସାକୁ ନଷ୍ଟକରି ଦେଉଛି । ମଣିଷର ସବୁ କଳନା ଓ ଯୋଜନାକୁ ଅଟ୍ଟହାସର ଫୁତ୍‌କାରରେ ଉଡ଼ାଇ ଦେଉଛି ।

 

ତେବେ ବି ମଣିଷ ତା’ ଚେଷ୍ଟାରୁ ବିରତ ହେଉ ନାହିଁ । କିଏ ଜାଣେ, ସମୟ ଆସିବ, ଯେତେବେଳେ ମଣିଷ ପ୍ରକୃତିକୁ ନିଜର ଆଜ୍ଞାବହ କରି ରଖିବ ?

 

ବାହାରେ ପ୍ରକୃତିର ତାଣ୍ଡବଲୀଳା ସଂଘଟିତ ହେଉଥିଲେ ମଧ୍ୟ ସେଥିପ୍ରତି ଆଦୌ ଧ୍ୟାନ ଦେଉ ନଥିଲେ ନିକୁଞ୍ଜବାବୁ । ସେ ତାଙ୍କ ଦାଣ୍ଡ ମେଲାଘରେ ଗୋଟିଏ ବେତବୁଣା ଚୌକି ଉପରେ ବସି, ଓଷ୍ଠରେ ଅନାମିକା ଅଙ୍ଗୁଷ୍ଠିକୁ ଭରା ଦେଇ ଆକାଶ ପାତାଳ କେତେ କଥା ଭାବି ଯାଉଥିଲେ ।

 

ବେଳେ ବେଳେ ଖାଲି ଏଣ୍ଡୁଅ ଭଳି, ମୁଣ୍ଡ ଟୁଙ୍ଗାରି, ହସି ଉଠୁଥିଲେ । ଦୂରକୁ ରାବଣା ବାଉଁଶ ଗଣ୍ଠି ଫୁଟିଲା ପରି, ହସ ତାଙ୍କର ଠୋ’ ଠୋ’ ଶୁଭୁଥିଲା । ମୂଷାକୁ ବିରାଡ଼ି ଦେଖି ଫୁଲିଉଠିଲା ପରି ସେ ଫୁଲିଉଠି, ଦାନ୍ତକୁ କଡ଼ମଡ଼ କରି କହୁଥିଲେ–“ଆଚ୍ଛା, କେଉଁ ପାଣି କୁଆଡ଼କୁ ଯାଉଛି ଦେଖାଯାଉ ।’’

 

ନିକୁଞ୍ଜବାବୁଙ୍କ ଭଳି ଲୋକ, ସେ କ’ଣ ଚାହିଁଥିଲେ ରୂପ ଗୁଣ ସମ୍ପନ୍ନା, ବିଶାଳକୁଳସମ୍ଭବା ଉଚ୍ଚ ଶିକ୍ଷିତା ବୋହୂଟାଏ ତାଙ୍କ ପୁଅ ପାଇଁ କେଉଁଠୁ ପାଇ ନଥାନ୍ତେ ? ତାଙ୍କର ସବୁ ସ୍ଵପ୍ନକୁ ବ୍ୟର୍ଥ କରିଦେଲେ ତାଙ୍କର ସ୍ତ୍ରୀ ଅମ୍ବିକା ଦେବୀ ।

 

ନିକୁଞ୍ଜବାବୁ କ’ଣ ଟିକିଏ ଲୋକ ? ତିନୋଟି ବିଷୟରେ ଏମ୍.ଏ. ପାସ୍ କରିଛନ୍ତି । ଦର୍ଶନ ଶାସ୍ତ୍ରରେ ଜର୍ମାମୀ ବିଶ୍ଵବିଦ୍ୟାଳୟରୁ ଡକ୍ଟରେଟ୍ ଉପାଧି ଲାଭ କରିଛନ୍ତି । ସେ ନିଜେ କହନ୍ତି ‘‘ପୃଥିବୀର ଅନ୍ୟାନ୍ୟ ବିଶ୍ଵବିଦ୍ୟାଳୟରୁ ଡକ୍ଟରେଟ୍ ପାଇବା ବଡ଼ ସହଜ; କିନ୍ତୁ ଜର୍ମାନୀରୁ ନୁହେଁ । ପୃଥିବୀର ବଡ଼ ବଡ଼ ବିଶ୍ଵବିଦ୍ୟାଳୟମାନଙ୍କରେ ଅଧ୍ୟାପକମାନେ ଛାତ୍ରମାନଙ୍କୁ ସାହାଯ୍ୟ କରନ୍ତି; ମାତ୍ର ଜର୍ମାନୀରେ ଛାତ୍ର ଅଧ୍ୟାପକମାନଙ୍କ ସାହାଯ୍ୟ ଚାହଁଲେ ଅଧ୍ୟାପକ, କହନ୍ତି ‘‘ତୁମେ ନିଜ ଗୋଡ଼ରେ ନିଜେ ଠିଆହେବାକୁ ଚେଷ୍ଟା କର ।’’

 

ଅନେକ କିନ୍ତୁ ଏ କଥାକୁ ବିଶ୍ଵାସ କରନ୍ତି ନାହିଁ । ସେମାନେ ଯୁକ୍ତି ଦେଖାଇ କହନ୍ତି–“ମହାତ୍ମାଗାନ୍ଧୀ ଏନ୍‌ଟ୍ରାନ୍‍ସ ପାସ୍‍ କରି ବିଲାତକୁ ବାରିଷ୍ଟରି ପଢ଼ିବାକୁ ଯାଇଥିଲେ । ଜର୍ମାନୀରେ ଏବେ ମଧ୍ୟ ସେହି ପ୍ରଥା ରହିଛି । ସେଠାରେ ପିଲା ମାଟ୍ରିକ୍ ପାସ୍‍ କଲାପରେ ଯେ କୌଣସି ଲାଇନରେ ଯାଇପାରିବେ । ରିସର୍ଚ୍ଚ କରି ଡକ୍ଟରେଟ୍ ମଧ୍ୟ ପାଇପାରିବେ ।

 

ତେବେ ସେ ଯାହାହେଉ, ନିକୁଞ୍ଜ ବାବୁ ଯେ ଜଣେ ସର୍ବମାନ୍ୟ, ବହୁଦର୍ଶୀ, ବିଜ୍ଞବ୍ୟକ୍ତି ଏଥିରେ ସନ୍ଦେହ ନାହିଁ । ସେ ଜାତୀୟ ଅଧ୍ୟାପକ ରୂପେ ସ୍ଵୀକୃତି ପାଇଛନ୍ତି । ବର୍ତ୍ତମାନ ସେ ପୁଷ୍ପଗିରି ବିଶ୍ଵବିଦ୍ୟାଳୟର କୁଳପତି । ସେ ବହୁ ଆନ୍ତର୍ଜାତିକ ସଂସ୍ଥାମାନଙ୍କର ସଭ୍ୟ ।

 

କିନ୍ତୁ....

 

ପିଲାମାନେ ତାଙ୍କୁ ପାଗଳା ବୋଲି କହନ୍ତି । ତାଙ୍କର ଗୋଟିଏ ମାତ୍ର ଦୋଷ ହେଉଛି ଯେ, ସେ ଅତି ମାତ୍ରାରେ ଭାବପ୍ରବଣ । ଶ୍ରେଣୀରେ ଦର୍ଶନ ପଢ଼ାଉ ପଢ଼ାଉ ବେଳେ ବେଳେ ଭକ୍ତଚରଣଙ୍କ ମଥୁରାମଙ୍ଗଳ ଆବୃତ୍ତି କରି ବିପ୍ରଲମ୍ଭ ରସର ମହତ୍ତ୍ଵ ବୁଝାଇବା ସଙ୍ଗେ ସଙ୍ଗେ ଗୋପୀମାନଙ୍କର ଭକ୍ତି ବର୍ଣ୍ଣନା ବାଢ଼ି କାନ୍ଦିପକାନ୍ତି । କେତେବେଳେ ରୂପ ବର୍ଣ୍ଣନା କରୁ କରୁ ଉଲ୍ଲସିଉଠନ୍ତି । ଆଉ କେତେବେଳେ ଯୌନତତ୍ତ୍ଵ ସମ୍ବନ୍ଧରେ ତାତ୍ତ୍ଵିକ ଯୁକ୍ତି ପ୍ରଦର୍ଶନ କରି ହ୍ୟାଭ୍‌ଲକ ଏଲିସ୍ ଓ ଫ୍ରଏଡଙ୍କର ମହତ୍ତ୍ଵ ପ୍ରତିପାଦନ କରନ୍ତି । ପୁଣି କେତେବେଳେ ବ୍ରହ୍ମଜ୍ଞାନ ସମ୍ବନ୍ଧରେ ଚର୍ଚ୍ଚାକରି ଶ୍ରେଣୀ ଭିତରେ ନିର୍ବିକାର ଚିତ୍ତରେ ଭଜନ ବୋଲନ୍ତି–‘‘ବାଇ ମନ ହୋ, ବସି ହଂସକୁ ଖେଳା, ହଂସ ଉଡ଼ିଗଲେ ବୁଡ଼ିବ ଭେଳା ।’’

 

ତାଙ୍କର ମଧ୍ୟ ଆଉ ଗୋଟିଏ ଗୁଣ ହେଉଛି, ସେ ଏକାନ୍ତ ଏକଜିଦିଆ । ସେ ଯାହା ବୁଝିଥିବେ ସେୟା । ପୃଥିବୀର ଯେକୌଣସି ଜ୍ଞାନୀ ବ୍ୟକ୍ତି ଆସିଲେ ବି ତାଙ୍କୁ ପରିବର୍ତ୍ତନ କରିପାରିବେ ନାହିଁ । ସେ ଥରେ ଯଦି ତାଳଗଛକୁ ନଡ଼ିଆଗଛ ବୋଲି କହିଥିବେ, ତେବେ ତାହାକୁ ହିଁ ବାରବାର ପୁନରାବୃତ୍ତିକରି ତାଙ୍କ କଥାକୁ ସତ୍ୟ ବୋଲି ପ୍ରମାଣିତ କରିବାକୁ ଚାହିଁବେ ।

 

ତଥାପି ସେ ଜଣେ ମେଧାବୀ ଛାତ୍ର । ଦେଉଳକୁ ମୁଖଶାଳା ବଳାଇଲା ଭଳି ତାଙ୍କର ସୁଗୁଣ ଭିତରେ ଦୁର୍ଗୁଣ ଅଧିକ ।

 

ସମୁଦ୍ର ମନ୍ଥନରୁ ଅମୃତ ବାହାରିଲା ଭଳି ସେ ନିଜେ ଦାରିଦ୍ର୍ୟ ଭିତରୁ ଜନ୍ମ ନେଇଥିଲେ ମଧ୍ୟ ଦରିଦ୍ରମାନଙ୍କ ପ୍ରତି ଦିନେହେଲେ ଦୟା ଦେଖାନ୍ତି ନାହିଁ । ଦେଖିବା ଲୋକେ କହନ୍ତି, ସେ ପଢ଼ିଲାବେଳେ ତିନି ଦିନରେ ବଖତେ ଖାଆନ୍ତି । ଖଣ୍ଡିଏ ଲୁଗା, ଖଣ୍ଡିଏ ଚାଦରକୁ ବଦଳ କରି, ପାଲଟି ପିନ୍ଧନ୍ତି । କେତେ ରାତି ଭୋକ ଉପାସରେ କଟିଛି । ଜହ୍ନ ଆଲୁଅରେ ବହି ଘୋଷି ଘୋଷି ମଣିଷ ହୋଇଛନ୍ତି । ସେସବୁ କଥା ଆଜି ତାଙ୍କର ଆଉ ମନେ ନାହିଁ । ତେବେ ତାଙ୍କର ଗୋଟିଏ ଭାରି ଭଲ ଗୁଣ ହେଉଛି–ସେ ଭାରି ମିଳାପୀ । ଯେ କୌଣସି ଲୋକକୁ ସେ ମିଠା ବଚନରେ ନିଜର କରିନିଅନ୍ତି । କଥାରେ କଥାରେ କଞ୍ଚା ପାଣିରେ ସର ପକାଇ ଦିଅନ୍ତି ।

 

ତାଙ୍କର ସମ୍ପତ୍ତି ବାଡ଼ି କିଛି ନଥିବାରୁ ଅନେକଦିନ ଧରି ତାଙ୍କୁ ଝିଅ ଦେବାକୁ କେହି ରାଜି ହୋଇନଥିଲେ । ତାଙ୍କର ବାପା ପୁଣି ବ୍ୟାଙ୍କରୁ ବହୁ ଟଙ୍କା କରଜ କରି ଯାଇଥିବାରୁ, ସେ କଥା ଯିଏ ଶୁଣୁଥିଲା ସିଏ ନାକ ଟେକୁଥିଲା । ତେଣୁ ବିବାହ ପ୍ରସ୍ତାବ ସବୁ ଭାଙ୍ଗି ଯାଉଥିଲା ।

 

ସେତେବେଳେ ସମବାୟର ‘ସ’ ଅକ୍ଷର କେହି ଜାଣୁନଥିଲେ । ବ୍ୟାଙ୍କରୁ ଯିଏ ଟଙ୍କା କରଜ ନେଇଥାଏ ତାକୁ ସାଧାରଣତଃ ଥିଲାଲୋକେ ସର୍ବହରା ଶ୍ରେଣୀରେ ଗଣ୍ୟ କରନ୍ତି । ତେଣୁ କାହା ପୁଅ ସହିତ କାହା ଝିଅର ବିବାହ ପ୍ରସ୍ତାବ ପଡ଼ିଲେ ସେ ଆଗେ ବୁଝେ, ପୁଅପକ୍ଷ ବ୍ୟାଙ୍କରୁ ଋଣ ନେଇଛି କି ନାହିଁ ।

 

ଅମ୍ବିକା ଦେବୀଙ୍କ ବାପା ଅରାଜି ଥିଲେ ମଧ୍ୟ ତାଙ୍କ ମା’ ଏକଜିଦ୍ କରି ନିକୁଞ୍ଜ ବାବୁଙ୍କୁ ଜ୍ଵାଇଁ କରିଥିଲେ । ସେ କହୁଥିଲେ–‘‘ପୁଅ ତ ଯୋଗ୍ୟ, ଧନ ସମ୍ପତ୍ତିରୁ ମିଳିବ କ’ଣ ? ସେ କ’ଣ ତା’ ସ୍ତ୍ରୀଟାକୁ ପିନ୍ଧିବାକୁ ଖଣ୍ଡେ, ଖାଇବାକୁ ଗଣ୍ଡେ ଦେଇପାରିବ ନାହିଁ ?’’

 

ଅମ୍ବିକା ଦେବୀ ବୋହୂହୋଇ ନିକୁଞ୍ଜବାବୁଙ୍କ ଘରକୁ ଆସିଲା ପରେ ତାଙ୍କର ଭାଗ୍ୟ ବଦଳିଗଲା । ଅମ୍ବିକା ଦେବୀଙ୍କ ଯଶାରେ ପ୍ରଭାବିତ ହେଲେ ନିକୁଞ୍ଜବାବୁ । ସାଇପଡ଼ିଶା ସମସ୍ତଙ୍କ ମୁହଁରେ ଅମ୍ବିକା ଦେବୀଙ୍କର ଉଚ୍ଛଳ ପ୍ରଶଂସା ଶୁଣାଗଲା ।

 

ଅମ୍ବିକା ଦେବୀ ବେଶି ପାଠଶାଠ ନପଢ଼ି ଥିଲେ ବି ସେ ଭାରି ବୁଦ୍ଧିମତୀ, ଧର୍ମପରାୟଣା-। ବର୍ଷକରେ ବାର ଓଷା ତେର ବ୍ରତ କରନ୍ତି ସେ । ଦୁଃଖୀ ରଙ୍କିଙ୍କ ମନ ଭରିଦିଅନ୍ତି ।

 

ଦାନ ଦେବା କଥା ଯେପରି ନିକୁଞ୍ଜ ବାବୁଙ୍କ ଦେହରେ ଯାଏ ନାହିଁ, ଧର୍ମ କଥା ଶୁଣିଲେବି ସେପରି ନାସିକା କୁଞ୍ଚନ କରନ୍ତି । ସେ ଦର୍ଶନ ଶାସ୍ତ୍ରର ଜଣେ କୃତୀ ଛାତ୍ର ହେଲେ ହେଁ, ଈଶ୍ଵର ବିଶ୍ଵାସରେ ଏକାନ୍ତ ଦରିଦ୍ର ।

 

ନିକୁଞ୍ଜବାବୁଙ୍କ ବିବାହ ପରେ ପରେ ସେ ଅମ୍ବିକା ଦେବୀଙ୍କୁ ନିଜର ରୁଚି ଅନୁସାରେ ସାହାବାଣୀ କରି ସଜାଇବାକୁ ଚାହିଁଥିଲେ । ବିଲାତି ମଦ ଖୁଆଇ, ନାଇଟ କ୍ଲବରେ ନେଇ, କାନ୍ଧରେ ହାତ ପକାଇ ଢଳି ଢଳି, ବଲ ଡ୍ୟାନ୍‌ସ ନଚାଇବାକୁ ଭାରି ଆଗ୍ରହ ପ୍ରକାଶ କରିଥିଲେ ।

 

ଅମ୍ବିକା ଦେବୀ କିନ୍ତୁ ଭିନ୍ନ ଉପାଦାନରେ ଗଢ଼ା । ସେ ନିକୁଞ୍ଜ ବାବୁଙ୍କ କଥାରେ ଆଦୌ କର୍ଣ୍ଣପାତ କଲେ ନାହିଁ । ସେଥିପାଇଁ ନିକୁଞ୍ଜବାବୁ କ୍ରୋଧାନ୍ଵିତ ହୋଇ ତାଙ୍କୁ ବଡ଼ ଦୁଃଖ କଷ୍ଟ, ନିର୍ଯ୍ୟାତନା ଦେଲେ । ସବୁ ସହି ସେ କର୍ମକୁ ଆଦରି ରହିଲେ । ନିକୁଞ୍ଜବାବୁ ଏପରି କ୍ରୋଧାନ୍ୱିତ ହେଲେ ଯେ, ଘରେ କୋଥଳି ରଖିଲେ ନାହିଁ କି ଦାଣ୍ଡ ଦୁଆରୁ ଚଉଁରା ଉଠାଇଦେଲେ ।

 

ସ୍ଵାମୀ ଯେତେ ଅତ୍ୟାଚାର କଲେ ମଧ୍ୟ ଅମ୍ବିକା ଦେବୀ ଦିନକ ପାଇଁ ତାଙ୍କର ଅମଙ୍ଗଳ କଥା ସ୍ଵପ୍ନରେ ସୁଦ୍ଧା ଭାବିପାରନ୍ତି ନାହିଁ । ଯେଉଁ ସ୍ଵାମୀ ଇହକାଳ, ପରକାଳର ଦେବତା, ସେହି ସ୍ଵାମୀଙ୍କର ଅମଙ୍ଗଳ ଚିନ୍ତା ସେ କରନ୍ତେ କେମିତି ? ଭଗବାନଙ୍କୁ ବରଂ କାତର ପ୍ରାର୍ଥନା କରି କହନ୍ତି–“ପ୍ରଭୁ, ତାଙ୍କୁ ସଦ୍‌ବୁଦ୍ଧି ଦିଅ । ଯଦି ତୁମର ତାଙ୍କୁ ଅସତ୍ ପଥରେ ନେବାର ଥିଲା, ତେବେ ତାଙ୍କୁ ଏତେ ପାଠଶାଠ ପଢ଼ାଉଥିଲ କାହିଁକି ?’’

 

ଏମିତି ଅବସ୍ଥା ସୃଷ୍ଟି ହେଲା ଯେ ବର୍ଷାଧିକ କାଳ ସ୍ଵାମୀ, ସ୍ତ୍ରୀ ଦେଢ଼ଶୁର ଭାଇ ବୋହୂଭଳି ଏକା ଘରେ ରହି ଚଳିଲେ । ଥରେ ଗୋଟିଏ ଘଟଣାରେ ନିକୁଞ୍ଜବାବୁଙ୍କର ମନ ପରିବର୍ତ୍ତନ ହୋଇଗଲା । କୋଣାର୍କ, ପୁରୀ, ଭୁବନେଶ୍ଵର ପରିଦର୍ଶନରେ ଆସି କେତେକ ବିଦେଶୀ ବନ୍ଧୁ ନିକୁଞ୍ଜ ବାବୁଙ୍କର ଆତିଥ୍ୟ ଗ୍ରହଣ କରିଥିଲେ । ଅତିଥିମାନେ ଅମ୍ବିକା ଦେବୀଙ୍କର ସାଧାରଣ ବେଶଭୂଷା ଦେଖି ନିକୁଞ୍ଜବାବୁଙ୍କୁ ପଚାରିଥିଲେ–“ସେ ମହିଳାଟି କିଏ ?’’

 

ନିକୁଞ୍ଜବାବୁ ହସି ହସି କହିଥିଲେ–“ପରିଚାରିକା ।’’ ଅମ୍ବିକା ଦେବୀ କବାଟ କଣରେ ଠିଆ ହୋଇ ଶୁଣି ଟିକିଏ ଦୁଃଖର ହସ ହସି ଦେଇଥିଲେ । ସ୍ଵାମୀଙ୍କର ଏଭଳି ମନ୍ତବ୍ୟରେ ସେ ଆଦୌ ବିଚଳିତ ହୋଇ ନଥିଲେ କି ମନକଷ୍ଟ କରିନଥିଲେ । ସେ ଖାଲି ଭାବୁଥିଲେ, ‘‘ମଣିଷ କ୍ରୋଧର ଶିକାର ହେଲେ, କିପରି ସାଧାରଣ ସୌଜନ୍ୟ ବି ଭୁଲିଯାଇ ପାରେ । ହିତାହିତ ଜ୍ଞାନକୁ ଜଳାଞ୍ଜଳି ଦେଇପାରେ । ମାନବିକତାର ବଡ଼ଦାଣ୍ଡରୁ ଓହ୍ଲାଇ କୁରୁଚିର ଖଣା ଭିତରକୁ ପଶିଯାଇପାରେ ।’’

 

ସବୁକଥା ଭୁଲି, ଅମ୍ବିକା ଦେବୀ ଅତିଥିମାନଙ୍କର ଏଭଳି ଭାବରେ ସେବା କଲେ ଯେ, ସେମାନେ ଗଲାବେଳେ ଶତଜିହ୍ଵ ହୋଇ ଅମ୍ବିକା ଦେବୀଙ୍କର ଗୁଣଗାରିମା ପାଇଁ ପ୍ରଶଂସା କଲେ । ଅମ୍ବିକା ଦେବୀ ଜଣେ ମାର୍ଜିତ ରୁଚିସମ୍ପନ୍ନା, ସୌଜନ୍ୟପ୍ରବୀଣା, ସୁଶିକ୍ଷିତା, ସ୍ଵାଧୀନଚେତା ମହିଳା ବୋଲି ସେମାନେ ମତବ୍ୟକ୍ତ କଲେ ।

 

ବିଦେଶାଗତ ଅତିଥିମାନଙ୍କର ବିଦାୟବେଳେ ଅମ୍ବିକା ଦେବୀ ଇଂରେଜୀ ଭାଷାରେ ଏଭଳି ଭାବରେ କଥାବାର୍ତ୍ତା କଲେ ଯେ, ନିକୁଞ୍ଜବାବୁ ଶୁଣି ଯୁଗପତ୍ ବିସ୍ମୟ ଓ ଆନନ୍ଦରେ ଅଭିଭୂତ ହୋଇଗଲେ ।

 

ଯେଉଁ ବର୍ଷାଧିକ କାଳ ନିକୁଞ୍ଜ ବାବୁ ଓ ଅମ୍ବିକା ଦେବୀଙ୍କର ଅପଡ଼ ହେଲା, ସେହି ସମୟ ଭିତରେ ସେ ଜଣେ ଶିକ୍ଷକଙ୍କ ସାହାଯ୍ୟରେ ଇଂରେଜ ଭାଷାରେ ବ୍ୟୁତ୍‌ପରି ଲାଭକଲେ ।

 

ଅମ୍ବିକା ଦେବୀ ଜଣେ ଏଭଳି ନାରୀ ଯେ ସେ କାନ୍ଦନ୍ତି ନାହିଁ, ସେ ହସନ୍ତି କେହି ଜାଣନ୍ତି ନାହିଁ । ସେ ଅଧିକାଂଶ ଦିନ ସ୍ଵାମୀଙ୍କ ବ୍ୟବହାରରେ କ୍ଷୁଣ୍ଣ ହୋଇ ଉପାସରେ ଅତନ୍ଦ୍ର ନୟନରେ ନିଶି ପୁହାଇ ଦିଅନ୍ତି । ସେ ଦିନକ ପାଇଁ କିନ୍ତୁ କାହା ଆଗରେ ନିଜର ଦୁଃଖ କଥା ପ୍ରକାଶ କରନ୍ତି ନାହିଁ । ତାଙ୍କର ଏଇ ଧାରଣା ଯେ–ଘରକଥା ପର ଆଗରେ କହିଲେ କିଛି ଲାଭ ନାହିଁ; ବରଂ ପର ନାନା କଥା ଛନ୍ଦି ବାନ୍ଧି କହି ମିଛକୁ ସତକରି ଠିଆ କରାଇଦେବେ । ଝିମିଟି ଖେଳରୁ ମହାଭାରତ ଭିଆଇବେ । ସବୁଠାରୁ ଚୁପ୍ ରହିବା ଭଲ ।

 

ନିକୁଞ୍ଜ ବାବୁ ନିଜର ଭୁଲ୍‍ ନିଜେ ବୁଝି ପାରିଲେ । ତାଙ୍କର ସ୍ତ୍ରୀ ଯେ ଅତ୍ୟନ୍ତ ବୁଦ୍ଧିମତୀ, ସେବାପରାୟଣା ଏଥିରେ ତାଙ୍କର ସନ୍ଦେହ ରହିଲା ନାହିଁ । ସେ ସ୍ତ୍ରୀଙ୍କୁ ଆଗେ ପାଟି ଫିଟାଇଲେ ।

 

ଅମ୍ବିକା ଦେବୀ ପଛକଥା ସବୁ ଭୁଲିଗଲେ । ସ୍ଵାମୀ ସ୍ତ୍ରୀ ଦୁହେଁ ପାଟି ଫିଟାଫିଟି ହେବାର ବର୍ଷକ ପରେ ଏକମାତ୍ର ପୁତ୍ର ବରେନ୍ଦ୍ର ଜନ୍ମ ହେଲା । ବରେନ୍ଦ୍ର ଜନ୍ମପରେ ଆହୁରି ସର୍ବସହଣୀ ହୋଇଗଲେ ଅମ୍ବିକା ଦେବୀ । ତାଙ୍କ ଚରିତ୍ରରେ ଗୋଟିଏ ମହନୀୟ ଗୁଣ ପରିଲକ୍ଷିତ ହୁଏ ଯେ, ସେ କେବେ କାହାକଥା ଉପରେ ଓଲଟ ଜବାବ ଦିଅନ୍ତି ନାହିଁ ।

 

ଏହି ଓଲଟ ଜବାବ ପାଇଁ କେତେ ସୁନାର ସଂସାର ଚୂରମାର ହୋଇ ଯାଇଛି ଓ ଯାଉଛି-। କେତେ ଘର ଭାଙ୍ଗୁଛି । ଶାଶୁ ବୋହୂ, ସ୍ଵାମୀ ସ୍ତ୍ରୀ, ଯାଆ ଯାଆ ଭିତରେ ମନୋମାଳିନ୍ୟର ଝଡ଼ ଛୁଟୁଛି । ଘର ଯେମିତି ମର୍ତ୍ତ୍ୟ ବୈକୁଣ୍ଠ, ଘର ବି ସେମିତି ଜଞ୍ଜାଳର ପୀଠ । ଥରେ ହାତରୁ ଟେଳାଟି ଖସିଯିବା ଯାହା, ତୁଣ୍ଡରୁ ଖରାପ କଥା ପଦେ ଖସିଯିବା ସେୟା; ବରଂ କଥା ଆହୁରି ଭୀଷଣ, ଆହୁରି ଭୟଙ୍କର ।

 

ରାଗ ବ୍ରହ୍ମ ଚଣ୍ଡାଳ । ଗୁରୁ ଗୁରୁଜନ ପଦେ ରାଗରେ କହିଦେଲେ, ମୁଣ୍ଡ ପୋତି ସହିଗଲେ ଯାଏ । କହିଦେଲା କଥା, ବହିଗଲା ପାଣି । ମଣିଷର ସବୁ ସମୟ ସମାନ ନଥାଏ । ଯିଏ କହିଥିବେ, ସେହି ପୁଣି ନିଜର ଭୁଲ୍‍ ବୁଝିପାରି ଗଞ୍ଜି ହେବେ । ଆଦର କରି ପାଖରେ ବସାଇବେ, ସାଙ୍ଗରେ ଖୁଆଇବେ । ଜିହ୍ଵାକୁ ଯେ ଜୟକରେ, ସେ ବି ଏକ ଜିତେନ୍ଦ୍ରିୟ ।

 

ବରେନ୍ଦ୍ର ପାଠଶାଠ ପଢ଼ି, ବଡ଼ ହୋଇଗଲା ପରେ ନିକୁଞ୍ଜ ବାବୁ ତା’ ଉପରେ ପ୍ରବଳ ବିରକ୍ତ ହୋଇଥିଲେ । ତାଙ୍କର ବିରକ୍ତ ହେବାର କାରଣ ହେଉଛି ଯେ ବରେନ୍ଦ୍ର ବରାବର ମା’କଥାରେ ଚାଲି ତାଙ୍କୁ ବେଖାତିର କରୁଛି । ଏ ବିରକ୍ତି ଚରମସୀମାରେ ପହଞ୍ଚିଲା ଯେତେବେଳେ ଅମ୍ବିକା ଦେବୀଙ୍କ ଜିଦ୍ ଫଳରେ ହିଁ ଉର୍ବଶୀ ସଙ୍ଗରେ–ବରେନ୍ଦ୍ରର ଶୁଭ ବିବାହ ସମ୍ପନ୍ନ ହେଲା ।

 

ତେଣୁ ସେ ମେଘ ମେଦୁର ଆହତ ଅପରାହ୍ନରେ ବସି ନିଜେ ମନକୁମନ କହୁଥିଲେ–‘‘ଯଦି ବରେନ୍ଦ୍ର ମୋ କଥାରେ ନଯାଏ, ତେବେ ଦରକାର ହେଲେ ମୁଁ ତାକୁ ତେଜ୍ୟପୁତ୍ର କରିଦେବି ।’’

 

ଅମ୍ବିକା ଦେବୀ ତରତର ହୋଇ ସ୍ଵାମୀଙ୍କ ପାଇଁ ଚାହା ଆଣି ଆସୁଥିଲେ । ତାଙ୍କ ମୁଖରୁ ତେଜ୍ୟପୁତ୍ର କଥାଟା ଶୁଣି ଅମ୍ବିକା ଦେବୀଙ୍କ ହାତରୁ ଚାହା କପ୍‍ଟି ଖସିପଡ଼ିଲା । ତାଙ୍କ ନିଜ ପାଦ ଉପରେ । ସେ ସେଥିପ୍ରତି ଖାତିର ନକରି ଘର ଭିତରକୁ ପଶି ଆସି ପଚାରିଲେ–

 

‘‘କାହାକୁ ତେଜ୍ୟପୁତ୍ର କରିବ ?’’

 

ନିକୁଞ୍ଜବାବୁ କ୍ରୋଧ ଜର୍ଜରିତ ଗଳାରେ କହିଲେ, ‘‘ବରେନ୍ଦ୍ରକୁ” ।

 

ଅମ୍ବିକା ଦେବୀ ପଚାରିଲେ–“କାହିଁକି ?’’

 

ନିକୁଞ୍ଜବାବୁ ଦାନ୍ତ କଡ଼ମଡ଼ କରି କହିଲେ, ‘‘ସେ କଥା ପଚାରିବାକୁ ତୁମେ କିଏ ? ମୁଁ ମୋ ପୁଅକୁ ଯାହା କରିପାରେ । ସେ ଅଧିକାର ମୋର ଅଛି । ମୁଁ ତା’ର ବାପ ।’’

 

ଅମ୍ବିକା ଦେବୀ କଟାଘାରେ ଚୂନ ଦେଲାଭଳି ଢଙ୍ଗରେ ବ୍ୟଙ୍ଗୋକ୍ତି କରି କହିଲେ–“ମଲା, ତୁମେ ତା’ର ଯେମିତି ବାପ, ମୁଁ ସେମିତି ତା’ର ମା’ପରା ?’’ ନିକୁଞ୍ଜବାବୁ ବଜ୍ର-ଗର୍ଜନ ନାଦରେ ପୁଣି ଗର୍ଜି ଉଠି କହିଲେ–

 

ଦରକାର ହେଲେ ତୁମକୁ ବି ଏ ଘରୁ ବାହାର କରି ଦେବାକୁ ମୁଁ ତିଳେହେଲେ ପଶ୍ଚାତ୍‌ପଦ ହେବି ନାହିଁ । ତୁମେ ହେଉଛ ସବୁ ନାଟର ଗୋବର୍ଦ୍ଧନ । ତା’ନହେଲେ ମେଞ୍ଚଡ଼ ଧୋକାଟା, ତଣ୍ଟି ଚିପିଦେଲେ ଭ’କ୍ କରି କ୍ଷୀର ବାନ୍ତିକରି ପକାଇବ । ସେ ପୁଣି ମୋ’ ଆଗରେ ଦିମାକ ଦେଖାନ୍ତା ?

 

ଅମ୍ବିକା ଦେବୀ ଅନୁନାସିକ ସ୍ଵରରେ ଗୁଣୁ ଗୁଣୁ ହୋଇ କହିଲେ–‘‘ଓଃ, କଥାଟା ଯାଇଁ ଏତେ ବାଟରେ ? କାହିଁକି ମୁଁ କ’ଣ ଏ ଘରର ପୋଇଲୀକି ? କାଣ୍ଡ ବାହାପରେ ରାଣ୍ଡ ମୁଁ ଆସିଛି-? ମୋର କିଛି ନିଜତ୍ଵ ନାହିଁ ? ତୁମେ ଯାହା ଚାହିଁବ, ତାହା କରିଦେବ । ଆଉ ମୁଁ ନୀରବରେ ମଥାପାତି ସହିଯିବି ?’’

 

ସହିବାର ଗୋଟାଏ ସୀମା ଅଛି । ମୁଁ ଏ ଘରର ମାଟି ମାଡ଼ିଲା ଦିନରୁ ଖୁବ୍ ସହିଲିଣି । ଆଉ ସହିବାର ବଳ ନାହିଁ କି ବେଳ ନାହିଁ । ଧୈର୍ଯ୍ୟ ବି ନାହିଁ । ପଦାରେ ବଡ଼ଲେକୀର ସୀମା ନାହିଁ-। ଘରେ ଗୋଟାଏ ଇତର ଲୋକଙ୍କ ଭଳି ବ୍ୟବହାର କ’ଣ ?

 

ନିକୁଞ୍ଜବାବୁ ଅଟ୍ଟହାସ୍ୟ କରି କହିଲେ ‘‘ନା, ନା, ତୁମେ କାହିଁକି ଏ ଘରର ପୋଇଲୀ ହେବ ? ତୁମେ ଏ ଘରର ସାଆନ୍ତାଣୀ । ଆଉ ମୁଁ ହେଉଛି ଏ ଘରର ଚାକର । ଚାକରର ହେଲେ ଟିକିଏ ସମ୍ମାନ ଅଛି, ମୋର ସେତକ ବି ଏ ଘରେ ନାହିଁ । ତୁମେ ମାଆ ପୁଅ ଦୁହେଁ ସଲାସୁତରା ହୋଇ ମୋର ସମ୍ମାନକୁ ଧୂଳୀସାତ କରି ଦେଇଛି । ରାୟବଂଶର ଉତ୍ତୁଙ୍ଗମାନ ମର୍ଯ୍ୟାଦାକୁ ପଦାଘାତ କରିଛି ।’’

 

ଯେଉଁ ନିକୁଞ୍ଜ କିଶୋର ରାୟର ନାମ ଶୁଣିଲେ ଲୋକେ ତାଟକା ହୋଇଯାଆନ୍ତି । ତିନି ତିନି ଥର ଏମ୍.ଏ. ପାସ୍‍କଲା । ଫରେନ୍ ୟୁନିଭରସିଟିରୁ ଡକ୍ଟରେଟ୍ ଉପାଧି ଲାଭ କଲା । ଅଧ୍ୟାପକଙ୍କଠାରୁ କୁଳପତି ଯାଏ ସବୁ ସ୍ତର ଡେଇଁ ଶିକ୍ଷା ବିଭାଗର ସର୍ବୋଚ୍ଚ ସମ୍ମାନର ଅଧିକାରୀ ହେଲା । ଚାଳଘରକୁ ପକ୍‍କାଘର କଲା । ଦୁଇବାଟି ଜମି କିଣିଲା । ନିଜର ସମ୍ମାନ ବଜାଏ ରଖିବା ପାଇଁ ମଟର କାର୍‍ କିଣିଲା । ପୁଅକୁ ଡାକ୍ତରୀ ପଢ଼ାଇଲା ।

 

ସେହି ନିକୁଞ୍ଜ କିଶୋର ରାୟର ସ୍ତ୍ରୀ, ପୁତ୍ର ଦୁହେଁ ତାକୁ ଘରେ ବସାଇ ଦେଇ ଚିଡ଼ିଆଖାନାର ଦର୍ଶନୀୟ ଜନ୍ତୁ ସଜାଇଛନ୍ତି ।

 

ଏ ତ କିଛି କମ୍ କଥା ନୁହେଁ ?

 

ହାଃ...ହାଃ...ହାଃ...ହାଃ... କର ହସି ଉଠିଲେ ନିକୁଞ୍ଜ ବାବୁ । ସେ ହସରେ ଯେମିତି ପୂରି ରହିଥିଲା ପ୍ରେତାତ୍ମାର ଦୌରାତ୍ମ୍ୟର ଇଙ୍ଗିତ ।

 

ଏତିକିବେଳେ ଷ୍ଟେଥୋସ୍କୋପ କାନ୍ଧରେ ପକାଇ, ଡାକ୍ତରଖାନାରୁ ଫେରି ନିକୁଞ୍ଜବାବୁଙ୍କ ସମ୍ମୁଖରେ ଆସି ଠିଆ ହୋଇଗଲା ବରେନ୍ଦ୍ର । ତାକୁ ଦେଖି ନିକୁଞ୍ଜବାବୁଙ୍କ କ୍ରୋଧ ଆହୁରି ପ୍ରଜ୍ଵଳିତ ହୋଇ ଉଠିଲା । ଆଖିରୁ ତାଙ୍କର ଝରିପଡ଼ିଲା ଅଜସ୍ର ସ୍ଫୁଲିଙ୍ଗ ଯେମିତି ।

 

ସେ ଭୀଷଣ ଚିତ୍କାର କରି, ଗଳା ଫଟାଇ, ବରେନ୍ଦ୍ର ଆଡ଼କୁ ଅଙ୍ଗୁଳି ଦେଖାଇ କହିଲେ–‘‘ଯାଅ କୁଳାଙ୍ଗାର, ମୁଁ ତୋର ମୁଖ ଦେଖିବାକୁ ଚାହେଁନା । ଯେଉଁ ପୁତ୍ର ପିତାର ସମ୍ମାନ ରଖି ଜାଣେନା, ସେଭଳି ପୁତ୍ର ଥାଇ ଯାହା, ନଥାଇ ବି ସେଇୟା । ବଂଶନାଶ ବେଳେ ଜଳାଇ ପୋଡ଼ାଇ ମାରିବାକୁ ତୋ’ଭଳି ଘୋଡ଼ାମୁହାଁ ପୁତ୍ର ଜନ୍ମଲାଭ କରନ୍ତି ସିନା ! ମୁଁ ଭାରତବର୍ଷର ଅସଂଖ୍ୟ ପିଲାଙ୍କୁ ବିଦ୍ୟାଦାନ କରି ମଣିଷ କଲି, ମାତ୍ର ମୋ ଜୀବନରେ ଏକ ମସ୍ତବଡ଼ ଅବଶୋଷ ରହିଗଲା ଯେ ମୋର ନିଜପୁତ୍ର ମଣିଷ ହେଲା ନାହିଁ । ମୁଁ ତାକୁ ଦିଅଁ ଗଢ଼ିବା ପାଇଁ ଚେଷ୍ଟା କରିଥିଲି ମାତ୍ର ସେ ଦିଅଁ ନହୋଇ ମାଙ୍କଡ଼ ହୋଇଗଲା । ମୋର ସକଳ ସ୍ଵପ୍ନକୁ ଧ୍ଵଂସ କରି ଦେଲା । ମୋର କଳ୍ପନାର ସଉଧକୁ ଭାଙ୍ଗି ଚୂରମାର କରିଦେଲା । ମୁଁ ଜାଣୁଛି ମୋର ଦୁନିଆଁରେ ଜଣେ ହେଲେ କେହି ନାହିଁ । ମୁଁ ଆସିଛି ଏକା, ଯିବି ଏକା ।’’

 

ବରେନ୍ଦ୍ର ଦେଖିଲା–‘‘ଏଣେ ବାପା ଦେବ ଦେବ ମହାଦେବଙ୍କ ପ୍ରଳୟର ରୁଦ୍ର ରୂପ ଧରିଛନ୍ତି । ତେଣେ ମା’ ଗୋଟିଏ ଆଲମାରି ପାଖକୁ ଆଉଜି ନାକ ସୁଉଁ ସୁଉଁ କରି କାନ୍ଦୁଛନ୍ତି । କାହାକୁ କ’ଣ କହିବ ସେ ପ୍ରଥମେ କିଛି ବୁଝିପାରିଲା ନାହିଁ । ଘଟଣା କ’ଣ ଘଟିଛି ସେ ସମ୍ପର୍କରେ କିଛି ଅବଧାରଣା କରି ପାରିଲା ନାହିଁ । ଏତିକି କେବଳ ଅନୁମାନ କଲା, ବାପା ମା’ ଦୁହେଁ କଳିଗୋଳ କରିଛନ୍ତି । ତେବେ ଏ କଳିର ମୂଳ କାରଣ କ’ଣ ?

 

ଆଉ କ’ଣ ତା’ର ନବପତ୍ନୀ ଉର୍ବଶୀକୁ କେନ୍ଦ୍ରକରି ଏ କଳିର ସୂତ୍ରପାତ ହୋଇଛି ? ଏ କେତେଦିନ ହେଲା ସେ ଲକ୍ଷ୍ୟ କରୁଛି ଯେ ବାପା ତା’ର ପ୍ରିୟତମା ପତ୍ନୀଙ୍କ କାର୍ଯ୍ୟକଳାପକୁ ଆଦୌ ପସନ୍ଦ କରୁନାହାନ୍ତି । ତା’ର ରୂପଗୁଣ ସମ୍ପର୍କରେ କେହି ପ୍ରଶଂସା କଲେ ସେ ସେକଥା ଶୁଣି ଆନନ୍ଦିତ ହେବା ଦୂରେ ଥାଉ, କଟୁ ମନ୍ତବ୍ୟ ପ୍ରଦାନ କରୁଛନ୍ତି । ବିଦ୍ରୂପ କରି ନାନା କଥା କହୁଛନ୍ତି ।

 

ସେ ଜାଣିବାରେ ଉର୍ବଶୀ ତ ତା’ କର୍ତ୍ତବ୍ୟରେ ଆଦୌ ହେଳା କରୁନାହିଁ । ଶାଶୁ, ଶ୍ୱଶୁରଙ୍କର ସେବା ଯେଭଳି ଭାବରେ କରିବାର କଥା ସେଭଳି କରୁଛି । କାଉ କା’ କଲାମାତ୍ରେ, ବଡ଼ିଭୋରୁ ଉଠି, ଗାଧୋଇ ଆସି ବୋଉର ଗୋଡ଼ଧୋଇ ପାଣି ପାଉଛି । ଯେଉଁ କଥାକି ମୁଁ ଆଦୌ ପସନ୍ଦ କରିପାରୁ ନାହିଁ । ସେ ବରଂ ମୋତେ ଓଲଟି ବୁଝାଇ କହୁଛି–“ଜନନୀ ଜନ୍ମଭୂମିଶ୍ଚ ସ୍ଵର୍ଗାଦପି ଗରୀୟସୀ ।’’ ତାଙ୍କର ପାଦଧୋଇ ପାଣି ପାଇଲେ ମୁକ୍ତି ମିଳିବ । ସେ ଏତେ ପାଠ ପଢ଼ି, ଏଡ଼େ ବଡ଼ ଘରର ଝିଅ ହୋଇ ମଧ୍ୟ ଦିନକ ପାଇଁ ଆଭିଜାତ୍ୟର ଅହଂକାର ଦେଖାଏ ନାହିଁ । ଭଦ୍ରତାର ଏକ ଜୀବନ୍ତ ପ୍ରତିମୂର୍ତ୍ତି ସେ । ବାପାଙ୍କ ପାଇଁ ଚାହା କରିଦେବା ଠାରୁ ଠା’ ପିଢ଼ା ସଜାଡ଼ିବା ପର୍ଯ୍ୟନ୍ତ ଡରିମରି ସବୁ କରୁଛି । ପୂଜାରୀକି ରନ୍ଧାଇ ନ ଦେଇ ନିଜ ହାତରେ ତିନି ତର୍କାରୀ ମନ ଜାଣିକରି ଥୋଉଛି ।

 

ବୋଉ ଗାଧୋଇ ଆସିଲା ପରେ ପାଲଟା ଲୁଗା ଶୁଖାଉଛି । ବାପାଙ୍କ ପାଇଁ କୋଥଳି ସଜାଡ଼ି, ଚନ୍ଦନ ଘୋରି ଥୋଉଛି । ପିନ୍ଧିବା ପାଇଁ ଲୁଗାକୁଞ୍ଚି ରଖୁଛି । ଚାକର, ଚାକରାଣୀମାନଙ୍କୁ ନିଜର ଲୋକ ଭଳି ମଣୁଛି । ରାତିରେ ବୋଉ ଶୋଇଲା ପରେ ଗୋଡ଼ ମୋଡ଼ି ଦେଉଛି । ସକାଳୁତ ସନ୍ଧ୍ୟାଯାଏ ଟିକିଏ ହେଲେ ତାକୁ ଫୁରୁସତ୍‍ ନାହିଁ । ତହିଁରେ ପୁଣି ତା’ର ଦୋଷ ରହୁଛି କେଉଁଠି ? ବାପା ଅସନ୍ତୁଷ୍ଟ ହେବାର କାରଣ କ’ଣ ?

 

ଏଥର ବରେନ୍ଦ୍ର ଅମ୍ବିକା ଦେବୀ ନିକଟକୁ ଯାଇ ଚୁପ୍ ଚୁପ୍ କରି ପଚାରିଲା–“ବୋଉ କ’ଣ ହୋଇଛି ?’’

 

ଅମ୍ବିକା ଦେବୀ ବରେନ୍ଦକୁ କିଛି ନକହି ଲୁଗା କାନିରେ ଖାଲି ଆଖି ପୋଛିବାକୁ ଲାଗିଲେ ।

 

ବରେନ୍ଦ୍ର ଯେତେବେଳେ ଅମ୍ବିକା ଦେବୀଙ୍କୁ ବେଶୀ ବଳାଇଲା, ସେତେବେଳେ ସେ ବଡ଼ ପାଟିକରି କାନ୍ଦି କାନ୍ଦି କହିଲେ–“ମୁଁ ତୋତେ ମନା କରୁଛି, ଆଜିଠାରୁ ତୁ’ ମୋତେ ପାଟି ଫିଟାଇବୁ ନାହିଁ ।’’

 

ବରେନ୍ଦ୍ର କହିଲା–‘‘କାହିଁକି ?’’

 

ଅମ୍ବିକା ଦେବୀ କହିଲେ–“ତୁ’ ସେଥିରୁ କ’ଣ ପାଇବୁ ? ମୁଁ ତୋତେ ଯାହା କହୁଛି, ତୁ’ ସେୟା କରିବୁ ।’’

 

ବରେନ୍ଦ୍ର ମା’ଙ୍କୁ ଆଉ ଅଧିକ କିଛି ନପଚାରି ତାଙ୍କ ହାତ ଧରି ଟାଣି ଟାଣି ଅନ୍ୟଘରକୁ ନେଇ ଯାଉଥିବା ବେଳେ, ବାଘ ଭଳି ଘୁମୁରି ଡାକିଲେ ନିକୁଞ୍ଜବାବୁ ।

 

‘‘ବରେନ୍ଦ୍ର.....”

 

ବରେନ୍ଦ୍ର ମା’ଙ୍କ ହାତକୁ ଛାଡ଼ି ଦେଇ ପଛକୁ ଫେରି କହିଲା–“ଆଜ୍ଞା ।’’

 

ଅମ୍ବିକା ଦେବୀ ଆଉ ଆଗକୁ ଅଗ୍ରସର ନହୋଇ, ବରେନ୍ଦ୍ର ଯେଉଁଠି ତାଙ୍କ ହାତ ଛାଡ଼ି ଦେଇ ଯାଇଥିଲା ସେଇଠି ଠିଆହୋଇ ରହିଲେ । କାନପାରି ଶୁଣିଲେ, ନିକୁଞ୍ଜବାବୁ କ’ଣ କହୁଛନ୍ତି ବରେନ୍ଦ୍ରକୁ ।

 

ନିକୁଞ୍ଜ ବାବୁ ଏଥର ବରେନ୍ଦ୍ରକୁ ପଚାରିଲେ ‘‘ଆଚ୍ଛା, ଉର୍ବଶୀର ବାପଘରୁ ଯେଉଁ ଶଙ୍ଖୁଳାଭାର ଆସିଥିଲା, ମୁଁ ତ ମନା କରିଥିଲି ସେ ଭାର ରଖିବାକୁ ? ରଖିଲା କିଏ ?’’

 

ବରେନ୍ଦ୍ର ଉତ୍ତର ଦେଲା–‘‘ବୋଉ ।’’

 

ନିକୁଞ୍ଜବାବୁ ଏଥର ଶକ୍ତ ହୁଁଟିଏ ମାରି ମୁଣ୍ଡକୁ ହଲାଇ, ଏକ ବିଦ୍ରୂପାତ୍ମକ ହସ ହସି କହିଲେ, “ହସ୍ତଗଣ୍ଠି ପଡ଼ିଲାବେଳେ, ବେଦୀ ଉପରେ ଉର୍ବଶୀର ବାପା ଯେଉଁ ଜିନିଷପତ୍ର ସବୁ ଶଙ୍ଖୁଳାଭାର ସାଙ୍ଗରେ ପଠାଇବାକୁ କହିଥିଲେ ତାହା ପଠାଇଛନ୍ତି କି ?’’

 

ବରେନ୍ଦ୍ର କହିଲା–ନାଁ ।

 

ନିକୁଞ୍ଜ ବାବୁ ପୁଣି ପଚାରିଲେ–“ତୁ, କିମ୍ବା ତୋ ବୋଉ ସେ ବିଷୟରେ କିଛି ପଚାରିଥିଲ କି ?’’

 

ବରେନ୍ଦ୍ର ଥର ଥର ଗଳାରେ କହିଲା–“ନାଁ ।’’

 

ନିକୁଞ୍ଜବାବୁ ବିରି ଚୋବେଇଲା ଭଳି ଦାନ୍ତ ରଗଡ଼ି କହିଲେ–“ସେ କଥା ତୁମେ–ପଚାରିବ କାହିଁକି ? ତୁମେତ ମିଠେଇ ହାଣ୍ଡି ଦେଖି ଭୋଳ ହୋଇଗଲ । ମା’ ପୁଅ ଦୁହିଁଙ୍କ ପାଟିରୁ ଥପ୍ ଥପ୍ ହୋଇ ଲାଳ ଗଡ଼ିପଡ଼ିଲା ।’’

 

ରାଧାକାନ୍ତ ଚୌଧୁରୀ ଗୋଟା ଲୋକ, ବିବାହ ପ୍ରସ୍ତାବ ପଡ଼ିଲା ଦିନଠାରୁ, ବିବାହ ଶେଷ ପର୍ଯ୍ୟନ୍ତ ମୋତେ ସବୁଥିରେ ଠକି ଠକି ଆସିଲା ଅଥଚ ତୁମେ–ମା’ ପୁଅ ଦୁହେଁ ସବୁକଥାକୁ ନୀରବ ସମର୍ଥନ ଜଣାଇ ମୋତେ ହାସ୍ୟାସ୍ପଦ କରି ଲୋକ ଲଜ୍ଜାରେ ମାରିଲ ।

 

ହେଉ ତୁମମାନଙ୍କର ଇଚ୍ଛା । ମୋର ସେଥିରେ କିଛି କହିବାର ନାହିଁ । ମୋ’ ଦିନକାଳ ଆସି ସରିଲାଣି । ମୁଁ ଯାହା କରୁଛି ସିନା ତୋ ଭବିଷ୍ୟତ ପାଇଁ, ତୋ’ ଭଲ ପାଇଁ । ଅଥଚ ତୁମେମାନେ ମୋତେ ବେଳକୁ ବେଳ ଭୁଲ୍‍ ବୁଝି ବୁଝି ଚାଲିଛ ?

 

ବୋହୂଟା ହେଲେ ଭଲ ହୋଇଥାନ୍ତା ?

 

ବରେନ୍ଦ୍ର ସବୁ ଶୁଣି ଉତ୍ତର ନଦେଇ, ଚାଲିଗଲା । ‘‘ବୋହୂଟା ହେଲେ ଭଲ ହୋଇଥାନ୍ତା-?’’ ଏହି ମନ୍ତବ୍ୟଟା ତାକୁ କାହିଁକି କେମିତି କେମିତି ଲାଗିଲା ।

 

ବରେନ୍ଦ୍ର ଯିବା ପଥକୁ ଅନାଇ ରହିଥିଲେ ନିକୁଞ୍ଜବାବୁ ।

 

ଅମ୍ବିକା ଦେବୀ ବି ଫୋଟକା ବାହାରିଥିବା ପାଦରେ ଅତି କଷ୍ଟରେ ଢିପେଇ ଢିପେଇ ପୁଅ ପଛରେ ଗଲାବେଳେ କହୁଥିବାର ଶୁଣା ଯାଇଥିଲା–‘‘କାହିଁକି, ଭଗବାନ ମୋର କ’ଣ ଖରାପ କରିଛନ୍ତି କି ? ପରଧନ ଆଣି ଘରେ ପୂରାଇ ପୃଥିବୀରେ କିଏ କେଉଁଠି ସ୍ଵର୍ଗକୁ ସିଡ଼ି ବାନ୍ଧିଛି ନା ମୁଁ ବାନ୍ଧିବି ?

 

-ପାଞ୍ଚ-

 

ବିପ୍ରବାବୁ ବିଦେଶ ଯିବାର ତିନିମାସ ହୋଇଗଲାଣି । ଖଣ୍ଡେ ଚିଠିପତ୍ର, ଦେଖା ନାହିଁ । ସେ ଗଲାଦିନରୁ ହେମାଙ୍ଗିନୀ ଦେବୀଙ୍କ ମନରେ ଆଦୌ ଭଲ ନାହିଁ । ଖାଇଲେ ଖାଉଛନ୍ତି, ନ ଖାଇଲେ ନାହିଁ । ସବୁବେଳେ ମନମାରି, ମୁହଁ କୁସୁଣ୍ଡା କରି ବସୁଛନ୍ତି ।

 

ସୀମା ଯେତେ ଯାହା ପଚାରିଲେ ମଧ୍ୟ ସେ ମନ ଖୋଲି କିଛି କହନ୍ତି ନାହିଁ । ସେ ଭାବନ୍ତି ସୀମା ପିଲା ଲୋକ । କଞ୍ଚା ମନ; ତା’ ଆଗରେ କିଛି କହିଲେ କାଳେ ସେ ମନ କଷ୍ଟ କରିବ-। ସେଥିପାଇଁ ସେ ସୀମାକୁ ଏଣୁ ତେଣୁ କହି ଭୁଲାଇ ଦିଅନ୍ତି ।

 

ବିପ୍ରବାବୁ ଘରୁ ଗୋଡ଼ କାଢ଼ିଲା ମାତ୍ରେ ପେଚାଟା ଘର ଆଗରେ ବସି କୁନ୍ଥାଇଥିଲା । ସେହି ପେଚା କୁନ୍ଥାଇବା କଥାଟାକୁ ପାସୋରିବା ପାଇଁ ହେମାଙ୍ଗିନୀ ଦେବୀ ଯେତେ ଚେଷ୍ଟା କରୁଛନ୍ତି, ଆଦୌ ପାସୋରି ପାରୁନାହାନ୍ତି । ଅଲକ୍ଷଣୀ ପେଚାଟାକୁ ଦେଖ !

 

ଆଉ ତାକୁ ସମୟ ମିଳିଲା ନାହିଁ ? ସେ ଯେତେବେଳେ ଘରୁ ଅନୁକୂଳ କରି ବାହାରୁଛନ୍ତି, ଏ ସେତିକିବେଳେ ଖତେଇ ଚିଗୁଲେଇ ହୋଇ କୁନ୍ଥାଉଛି ?

 

ପୁଣି ଦିନଟାରେ.....

 

କାଳ ଆସି କ’ଣ ହେଲାଣି ସତେ ? କଳିର ପ୍ରଭାବ ବେଳକୁ ବେଳ ବଢ଼ି ଚାଲିଛି । ଧର୍ମର ବଳ କମି ଯାଉଛି । କଥାରେ ଅଛି–“ପେଚା ରାବଇ ରାତ୍ର କାଳେ ।’’ ଦିନରେ କେଉଁଠି ପେଚା ରାବେ ? ଏବେବି ସେ ପେଚା କ’ଣ ତା’ ଅକସ ଛାଡ଼ିଲାଣି ? ପ୍ରତିଦିନ ରାତ୍ରିରେ ଆସି ଘର ଆଗ ବାଉଁଶବୁଦାରେ ବସି ବହେ ନକୁନ୍ଥାଇଲେ ତା’ମନ ଶାନ୍ତି ନାହିଁ । ବିପ୍ରବାବୁ ଗଲା ଦିନରୁ ହେମାଙ୍ଗିନୀ ଦେବୀଙ୍କୁ ଭଲ ନିଦ ହୁଏ ନାହିଁ । ଦିନରେ ବାର ଲୋକଙ୍କୁ ଦେଖି ବାରଶ କଥା ଶୁଣି, ହେଳମେଳରେ ମନ ଟିକିଏ ପରିବର୍ତ୍ତନ ହୁଏ । ଆଉ ରାତି ଆସିଲେତ କାଳ ଆସିଲା ବୋଲି ସେ ମନେକରନ୍ତି ।

 

ଏଣେ ପେଚା ରାବିବା ସାଙ୍ଗକୁ ତେଣେ ଅଣ୍ଡିରା ବିଲୁଆଟା ଭୁକେ । କୁକୁରଟା ମଣିଷ କାନ୍ଦିଲା ଭଳି ଉପରକୁ ମୁହଁ ଟେକି ରଡ଼ିଛାଡ଼େ । ବିପ୍ରବାବୁ ଗଲା ଦିନରୁ ପୁଣି ତିନିଥର ଝିଟିପିଟିଟା ହେମାଙ୍ଗିନୀ ଦେବୀଙ୍କ ବାମ କାନ୍ଧ ଉପରେ ପଡ଼ିଲାଣି ।

 

ହେମାଙ୍ଗିନୀ ଦେବୀ ଚମକି ଉଠନ୍ତି । ପୁଣି ଆଖି ଫରକେ । ସେ ଈଶ୍ଵରଙ୍କୁ ପ୍ରାର୍ଥନା କରି କହନ୍ତି–‘‘ପ୍ରଭୁ ସବୁ ଅମଙ୍ଗଳ ସୂଚକ କାହିଁକି ମୁଁ ଦେଖୁଛି । ଏତେ ଦୁଃଖ, ଏତେ ଅପମାନ ଦେଇ, ତୁମ ମନ ଶାନ୍ତି ହୋଇ ନାହିଁ, ଆହୁରି ପୁଣି କି ବିପଦ ଦେବ ନା କ’ଣ ?’’

 

ସକାଳ ହେଲେ ଗାଧୁଆ ତୁଠରେ ରାଧୀବୋଉ ଖୁଡ଼ୀ, ଶରଦୀ ମା, ଦେଠେଇ, ଚେମା ମା, ଶୂଳୀଆଣୀ ପଭୃତି ପୁରୁଖା ପୁରୁଖା ଲୋକଙ୍କୁ ସବୁ କଥା ପଚାରନ୍ତି ।

 

କିଏ ଯଦି କହେ–‘‘ସୀମା ବୋଉ, ତୁ’ କ’ଣ ପାଗଳୀ ହେଲୁ ? ସବୁ ହେଉଛି ପଟେ, ଭାଗ୍ୟ ହେଉଛି ପଟେ । ମାରେ ଯଦି ହରି, ରଖେ କିଏ ? ରଖେ ଯଦି ହରି, ମାରେ କିଏ ?’’

 

ଆଉ କେତେ କିଏ କହେ–“ଆମ ହିନ୍ଦୁଲୋକଙ୍କ ଉପରେ ଗୁଡ଼ାଏ କୁସଂସ୍କାର ଚିନ୍ତାଧାରା ପ୍ରଭାବ ବିସ୍ତାର କରି ଆବହମାନ କାଳରୁ ରହିଛି । ସେ ସବୁକୁ ଆମକୁ ପରିତ୍ୟାଗ କରିବାକୁ ହେବ-। ତା’ନହେଲେ ଆମ ସମାଜର ଉନ୍ନତି ସାଧନ ହୋଇପାରିବ ନାହିଁ । ସତରେ କ’ଣ କାର ଆଖି ଫରକିଲେ ଅମଙ୍ଗଳ ହୁଏ ? ଘର ଚୌହଦୀରେ ଅଣ୍ଡିରା ବିଲୁଆ ଭୁକିଲେ ଆତ୍ମୀୟ ବ୍ୟକ୍ତିର ଆଶୁ ମୃତ୍ୟୁ ସମ୍ବାଦ ଶୁଣିବାକୁ ମିଳେ ?

 

“ମିଥ୍ୟା, ମିଥ୍ୟା, ସବୁ ମିଥ୍ୟା ।’’

 

ଆଉ ପୁଣି କେହି କେହି କହନ୍ତି–“ଯାଉ ନ ସୀମାବୋଉ, ତୁମେ ସେଥିରୁ କ’ଣ ପାଉଛ-? ଆଜିକାଲି କୁକୁରଙ୍କର ଋତୁ ସମୟ । ସେଗୁଡ଼ାକ ସେମିତି ଦିନରାତି ହେଉଛନ୍ତି । ଆଉ ଅଣ୍ଡିରା ବିଲୁଆଗୁଡ଼ାକ ପୋଖ‍ରୀ ପାଖ କଙ୍କଡ଼ା ଗାତରେ ଲାଙ୍ଗୁଡ଼ ପୂରାଇ, ତମ୍ପସାପ କାମୁଡ଼ାରେ ପାଗଳ ହୋଇ, ସେମିତି ଭୁକୁଛନ୍ତି । ଆଉ ବେଳେ ବେଳେ ବି ମଡ଼ା ଲୋଭରେ ହେଟାବାଘ ଗାଁ ଭିତରକୁ ପଶି ଆସିଲେ ସେଗୁଡ଼ାକ ଭୁକନ୍ତି । ଆଉ ଏ ଯେଉଁ ଝିଟିପିଟି ପଡ଼ିବା, ଆଖି ଫରକିବା ସେଗୁଡ଼ାକ କିଛି ନୁହେଁ । ପୋଷଣାହାରୀ ବିଦେଶରେ ଅଛନ୍ତି, ଯେବେ ତୁମର ମନ ବାରୁଛି, ତେବେ ଟିକିଏ ମହାଦେବ ବରଣୀ ଓ ଗ୍ରାମ ଦେବତୀଙ୍କ ପାଖରେ ବାଳଲୀଳା କରିଦିଅ ।’’

 

ହେମାଙ୍ଗିନୀ ଦେବୀ ସାମୟିକ ଆଶ୍ଵସ୍ତି ପାଇଲେ ମଧ୍ୟ ନିରୋଳାରେ ଏକୁଟିଆ ବସିଗଲେ ଯେଉଁ କଥାକୁ ସେହିକଥା ।

 

ତାଙ୍କ ବାପଘର ଅତୀତ ଇତିହାସରୁ କେଇପୃଷ୍ଠା ଓଲଟାଇ ମନେମନେ ପଢ଼ି ଅଶ୍ରୁ ଗଡ଼ାନ୍ତି ହେମାଙ୍ଗିନୀ ଦେବୀ । ଛାତି ଫଟାଇ କୋହଉଠେ ।

 

ତାଙ୍କ ବାପାଙ୍କ ମୃତ୍ୟୁ ଖବର ଯେଉଁଦିନ କଲିକତାରୁ ଆସିଲା, ତା’ ପୂର୍ବଦିନ ତାଙ୍କ ଘର ଆଗରେ ନରକୋଳି ଗଛରେ ବସି ପେଚାଟା କୁନ୍ଥାଇଥିଲା ।

 

ତାଙ୍କ ବୋଉ ପେଟକୁ ପିଠିକରି, ସବୁ ନିନ୍ଦା ଅପମାନକୁ ଦେହର ମଳି ମନେକରି, ତାଙ୍କୁ ଯେମିତି ଏଡ଼ୁଟିରୁ ଏଡ଼େକରି ମଣିଷ କଲା, ତାହା ସେ ଜାଣନ୍ତି । ଲୁହ ନ କାନ୍ଦି ରକ୍ତ କାନ୍ଦି କାନ୍ଦି ତାଙ୍କ ବୋଉର ଦିନ ଯାଉଛି ।

 

ପୁଣି ହେମାଙ୍ଗିନୀ ଦେବୀ ଭାବନ୍ତି । ଏମିତି କାଳ କଥାଗୁଡ଼ା କାହିଁକି ସେ ମନକୁ ଆଣୁଛନ୍ତି ? ମନକୁ ସେ ଦମ୍ଭ କରନ୍ତି । ଯାହା ଭାଗ୍ୟରେ ଥିବ ତାହା ହେବ, ଭାବି ଭାବି ତନୁ କ୍ଷୀଣ କଲେ ଲାଭ କ’ଣ ?

 

ଚିଠି ସିନା ବିପ୍ରବାବୁ ଦେଇନାହାନ୍ତି । ଗଲାପରେ ଶହେ ଟଙ୍କା ତ ପୁଣି ପଠାଇଥିଲେ ? ସେହି ମନିଅର୍ଡର କୁପନରେ ଖାଲି ପଦେ ଲେଖି ଦେଇଥିଲେ–‘‘ଦେହ ମୋର ଭଲ ନାହିଁ । ମୋତେ ଯେଉଁ ଅସାଧ୍ୟ ରୋଗ ଧରିଲାଣି, ଭଲ ହେବାର ଆଶା ଦେଖାଯାଉ ନାହିଁ । ସ୍ଵୟମ୍ଭୂ ପ୍ରତି ସାବଧାନ ଥିବ । ସୀମାକୁ ତା’ସହିତ ବେଶି ମିଳାମିଶା କରିବାକୁ ସୁଯୋଗ ଦେବ ନାହିଁ । ଯାହା ଇତର ଲୋକମାନଙ୍କ ଘରେ ଘଟେ, ତାହା ଯେପରି ଆମ ଘରେ ପୁନରାବୃତ୍ତି ନହୁଏ । ତୁମ ଭଳି ବୁଦ୍ଧିମତୀ ବିଚକ୍ଷଣା ନାରୀଙ୍କୁ ବେଶି ବୁଝାଇବି କ’ଣ ?’’

 

ବିପ୍ରବାବୁ ଗଲାବେଳେ ସେଦିନ ଯଦି ପେଚାଟା କୁନ୍ଥାଇ ନଥାନ୍ତା, ତାହାହେଲେ ବିପ୍ରବାବୁଙ୍କ ଦେହ କଥା ଉପରେ ବିଶେଷ ଜୋର୍‍ ଦିଅନ୍ତେ ନାହିଁ । ହେମାଙ୍ଗିନୀ ଦେବୀ ସ୍ଵାମୀରୂପେ ବିପ୍ରବାବୁଙ୍କ ସାନ୍ନିଧ୍ୟ ଲାଭ କଲାଦିନରୁ ସେ ଭଲ ଭାବରେ ଜାଣନ୍ତି ଯେ, ବିପ୍ରବାବୁ ଟିକେ କଥାରେ ଦେହ ଦେହ ହୁଅନ୍ତି । ଅଧେ ଦିନ ନଖାଇ ସେ ଉପାସ ରହନ୍ତି ।

 

ଏକ ଅଦ୍ଭୁତ ରକମର ମଣିଷ ସେ । ଦିନ ସାରା ଅଫିସରେ ଗଧ ଖଟଣି ଖଟି ଖଟି ଆସି, ପାଣି ଟୋପେ ନ ପିଇ ବି ଚୁପ୍ ହୋଇ ଶୁଅନ୍ତି । ଖାଇବା ପାଇଁ ବେଶି ବଳେଇଲେ ବିରକ୍ତ ହୁଅନ୍ତି । ଖାଲି ଲୁଣ କାଗିଜି ପାଣି ପିଇ ସେ ଦିନ ଦିନ କିଛି ନଖାଇ ରହିଯାନ୍ତି । କି ଖରାଦିନ, କି ବର୍ଷାଦିନ ସବୁବେଳେ ଗୋଟିଏ କମ୍ବଳ ଘୋଡ଼ି ହୋଇ ଶୁଅନ୍ତି । ତେଣୁ ‘ବାଘ ଆସିଲା, ବାଘ ଆସିଲା’ ଗାଈଆଳ ଟୋକା ଡାକିଲା ଭଳି, ବିପ୍ରବାବୁ ଯେତେ ଦେହ ଦେହ ହୁଅନ୍ତି, ତାଙ୍କ କଥା ଉପରେ ହେମାଙ୍ଗିନୀ ଆଦୌ ଗୁରୁତ୍ଵ ଦିଅନ୍ତି ନାହିଁ ।

 

କେବଳ ସେହି ପେଚାଟା କଥା ମନେ ପଡ଼ିଲେ ଯାହା ମନ କଷ୍ଟ ହେଉଛି ସିନା !

 

ତା’ପରେ ସ୍ଵୟମ୍ଭୂ କଥା ।

 

ପର ପୁଅ, ତା’ର ସିନା କିଛି ଖରାପ ଗୁଣ ଦେଖିଲେ ହେମାଙ୍ଗିନୀ ଦେବୀ ମନା କରିଦିଅନ୍ତେ ତାକୁ ଆସିବାକୁ !

 

ସ୍ଵୟମ୍ଭୂ ତ ଜନ୍ମ କଲା ପୁଅଠାରୁ ବଳି । ସେ ଏମିତି ତାଙ୍କ ମନକୁ କିଣି ନେଇଛି ଯେ, ଏ ତାକୁ ଘଡ଼ିଏ ନ ଦେଖିଲେ ଯୁଗେ ଭଳି ମଣୁଛନ୍ତି । ସେ ଦିନେ ନ ଆସିଲେ ଏ ଛୁଆଖାଈ ବିରାଡ଼ି ଭଳି ହୁଅନ୍ତି । କେଉଁ କାମରେ ମନ ଲାଗେ ନାହିଁ ।

 

ଯେ କୌଣସି ଭଲ ଚିଜଟିଏ ହେଲେ ଅଧେ ସୀମାକୁ ଦେଇ ଆଉ ଅଧେ ସ୍ଵୟମ୍ଭୂ ପାଇଁ ଲୁଚାଇ ରଖନ୍ତି । ଏମିତିକା ଭଲପିଲା କୋଟିକରେ ଗୋଟିଏ ଅଛନ୍ତି । ତା’ ହସ ହସ ମୁହଁ, ସୌମ୍ୟ ସୁଢଳ ଚେହେରାକୁ ଯିଏ ଦେଖିବ, ସେ ନିମିଷକରେ ତା’ର ନିଜର ହୋଇଯିବ ।

ଏତେ ପାଠଶାଠ ପଢ଼ି ମଧ୍ୟ ମନରେ କ’ଣ ତା’ର ଟିକିଏ ଗର୍ବ ଅଛି ? ପ୍ରତିଦିନ ଆସିବ, ତଳେ ମୁଣ୍ଡ ଲଗାଇ ପ୍ରଣାମ ହେବ । କଥା କହୁଥିବ ଯେ ଏ କାନରୁ ସେ କାନକୁ ଶୁଭିବ ନାହିଁ ।

ଏଭଳି ପିଲାକୁ ହେମାଙ୍ଗିନୀ ଦେବୀ ଏବେ କେମିତି ମନା କରିବେ ଯେ, ତୁ’ ଆମ ଘରକୁ ଆ’ନା ? ଏତ ଅତି ଅସୁନ୍ଦର କଥା ।

ଭାଇଭଗାରିଏ ଯେମିତି ହଟ ସାଧୁଛନ୍ତି, ଗଛରେ, ମାଛରେ, ବାଡ଼ରେ, ବାଡ଼ିରେ ଯେପରି କଳି ଭିଆଇ ହଇରାଣ ହରକତ କରୁଛନ୍ତି, ସେ ନଥିଲେ କେଉଁଦିନରୁ ଖପରାରେ ଖାଇବା ଛଡ଼ା ଅନ୍ୟ ଉପାୟ ନଥିଲା ।

ବିପ୍ରବାବୁ ଖାଲି କହୁଛନ୍ତି ଆଉ ଲେଖୁଛନ୍ତି, ସେ ତ ରହିଲେ ଯାଇଁ ତିନିଶହ ମାଇଲ ଦୂରରେ, କେଉଁ ଗଡ଼ଜାତ ମୁଲକରେ । ସେ ଜଣେ ମାଇପି ଲୋକ, ଗୋଟାଏ ବଢ଼ିଲା ଝିଅକୁ ନେଇ ଗାଆଁ ବାହାରେ ଗୋଟାଏ ନିଛାଟିଆ ଜାଗାରେ ପୁଣି ଚଳନ୍ତି କେମିତି ?

ସ୍ଵୟମ୍ଭୂ କାହାର ପୁଅ, କାହାର ନାତି, ଭଗବାନ ଏବେ ତା’ର କ’ଣ ଅଭାବ କରିଛନ୍ତି ? ଗୋଟାଏ ସ୍ନେହ ମମତାର ଡୋର ଲାଗିଛି ବୋଲି ସିନା ସେ ମୁହଁ ଭାଙ୍ଗିପାରୁ ନାହିଁ । ଦେହପା’ କା’ର କିଛି ହେଲେ ଅଧେଦିନ ଆସି ସିଏ ଜଗି ଶୁଏ । ତାକୁ ଆମେ ଏବେ କ’ଣ ହେଉଛୁ ? ଲକ୍ଷେ ଖୋସାମତ କଲେ ତ ଅକାଳେ ସକାଳେ କେବେ ସରାଗରେ ଗଣ୍ଡେ ଖାଇବାକୁ ମଙ୍ଗେ ନାହିଁ ।

 

ବହୁ ବାଧ୍ୟବାଧକତାରେ ଯଦି କେବେ କେତେବେଳେ ଗଣ୍ଡାଏ ଖାଏ, ତେବେ ସେ ତା’ କୌଶଳରେ ଫୁଲରେ ଫଳରେ ଦଶଗୁଣ କରି ସୁଝିଦିଏ ।

 

ସେଥର ହେଇ ଭାଇଭଗାରିଏ ଛପର କାଟି, କଂସା ବାସନ ଓ ଅନ୍ୟାନ୍ୟ ଚଳନ୍ତି ଜିନିଷ ସବୁ ନେଇଗଲେ । ସ୍ଵୟମ୍ଭୂ ଥିଲା ବୋଲି ସିନା ଚୋର ଧରା ପଡ଼ିଲେ । ମୁହଁରେ ଚୂନକଳା ଲାଗିଲା-

 

ସେହି ଦିନରୁ ସମସ୍ତେ ଡରିଯାଇଛନ୍ତି ସିନା ! ଏକା ଆମ ଘରୁ ନୁହେଁ, ଗାଆଁରୁ ଚୋରୀ ଲୋପ ପାଇଯାଇଛି । ବାଡ଼ିରେ ଯେମିତି ବର୍ତ୍ତମାନ କଦଳୀ କାନ୍ଦି କାନ୍ଦି ହୋଇ ଓହଳିଛି, ବଗିଚାରେ ଲେମ୍ବୁ, ପିଜୁଳି, ସପେଟା, ଜାମୁରୋଳ, ପାଚି ଝଡ଼ୁଛି, ତାକୁ କେଉଁଦିନରୁ ନେଇ ସାରନ୍ତେଣି । କେବଳ ସ୍ଵୟମ୍ଭୂ ଡରରେ କେହି ନେବାକୁ ସାହସ କରୁନାହାନ୍ତି ।

 

ନିଆଁଲଗା ଲଙ୍କାପୋଡ଼ା ବାନରଗୁଡ଼ା ପୁଣି ବଗିଚାରେ ବସା ବାନ୍ଧି ରହିଥିଲେ । ଆଉ କ’ଣ ଅଛନ୍ତି ? ଥରେ ଦିଥର ବନ୍ଧୁକ ଆଣି ଫୁଟାଇ ଦେଇଛି ସ୍ଵୟମ୍ଭୂ ଯେମିତି, ଗାଆଁ ଛାଡ଼ି ସେମିତି ପଳାଇଯାଇଛନ୍ତି । ଟଙ୍କା ଦେଇ, ବାଣୁଆକୁ ଖୁସାମତ କରି, ମାଙ୍କଡ଼ ମାରିଥାନ୍ତେ, ମାଗଣାରେ ସେଗୁଡ଼ା ନିପାତ ହେବାରୁ ପ୍ରତି ବାଡ଼ି ବଗିଚାରେ ଫସଲ ହସୁଛି ।

 

ପୁଣି ବିପ୍ରବାବୁ ଲେଖିଛନ୍ତି–

 

‘‘ଇତର ଲୋକଙ୍କ ଘରେ ଯାହା ଘଟେ, ତାହା ଯେମିତି ଆମ ଘରେ ପୁନରାବୃତ୍ତି ନହୁଏ-।’’

 

ଇତର ଲୋକେ ଯେଉଁ ମଣିଷ, ଆମେ ସେହି ମଣିଷ । ତାଙ୍କ ଦେହରେ ଯେଉଁ ରକ୍ତ, ଆମ ଦେହରେ ସେହି ରକ୍ତ । ପିଲାଛୁଆ ନେଇ ଘରସଂସାର କରିଥାଇ । କିଏ କ’ଣ ଗୋଟା ଛାତିରେ ଛେପ ପକାଇ ଦମ୍ଭରେ କିଛି କହି ପାରିବ ?

 

ଭଲ ଯେଉଁଠି, ମନ୍ଦ ସେଇଠି । ଗୋଡ଼ ଚିପି ଚିପି ହାତେ ମାପି ଚାଖଣ୍ଡକରେ ବାଟ ଚାଲୁଥିବ ତ ଚାଲୁଥିବ, ଯେଉଁଠି ଟିକିଏ ଗୋଡ଼ ଖସିଗଲା, ସେଇଠି ବିପଦ ।

 

ତା’ପରେ ଆଉ ଗୋଟିଏ କଥା । ଦଶା ନପଡ଼ିଲେ, ମଶା ବି କାମୁଡ଼ିବ ନାହିଁ । ବେଳ ଯେତେବେଳେ ଖରାପ ପଡ଼ିବ ବେଙ୍ଗ ବି ସେତେବେଳେ ବାଟ ଓଗାଳିବ । ବେଳ ଭଲ ଥିଲେ ଦନ୍ତାହାତୀ ବି ବାଟଛାଡ଼ି ଅଲଗା ହୋଇଯିବ ।

 

ସୀମା ଗୋଟାଏ ଝିଅ, ପୁଣି ଆଉ ଗୋଟାଏ କିଏ ଝିଅ ? କାହିଁ ରାଣୀ, କାହିଁ ଚନ୍ଦ୍ରକାଣୀ-। ଏଡ଼େ ଝିଅଟିଏ ହେଲାଣି, ଦିନେ କା’ପାଖରେ ବସେ ନା କା’ ପାଖରେ ହସେ ?

 

ସବୁବେଳେ ବୋହୂ ଭୁଆସୁଣୀ ଭଳି ଘର କୋଣରେ ପଶିଥିବ । କଲେଜକୁ ବହି ବିଡ଼ାଏ କାଖରେ ଜାକି ସେମିତି ମୁହଁ ତଳକୁ କରି ଆସିବ । ମୁହଁ ଟେକି ଟିକେ କାହାକୁ ଅନାଏନା-?

 

ଏଡ଼େ ଝିଅଟିଏ ହେଲାଣି, ବାହାଘର କଥା ଶୁଣିଲେ ମୁହଁ ତା’ର ରଙ୍ଗା ପଡ଼ିଯାଏ । ଛେଳି ମେଘକୁ ଦେଖି ଡରିଲା ପରି ସେ ଶାଶୁଘର ନାଆଁ ଶୁଣି ଭୟରେ ଥରିଉଠେ ।

 

ଝିଅ ଅଛନ୍ତି, ଢିଙ୍କିଶାଳ ନ ଦେଖି ଢେଙ୍କାନାଳ କଥା କହୁଛନ୍ତି । ଏ ଗୋଟିଏ ପିଲା ଯେ ୟା’ କାନ କାଟିଲେ ବଚନ ବାହାରୁ ନାହିଁ । ପାଠପଢ଼ି ପିଲା କେତେ ଭଙ୍ଗୀରେ ବାଟ ଚାଲୁଛନ୍ତି । ବିଚିତ୍ର ବେଶଭୂଷା ହେଉଛନ୍ତି । ୟା’ର କ’ଣ ସେସବୁ ଅଛି ?

 

ହେମାଙ୍ଗିନୀ ଦେବୀ ନିଜେ ଗର୍ଭଧାରିଣୀ ଜନନୀ ହୋଇ ମଧ୍ୟ ସୀମା ନିକଟରୁ ବୁଦ୍ଧି ଶିଖୁଛନ୍ତି । ପ୍ରତିଯୁକ୍ତିରେ ହାର ମାନୁଛନ୍ତି । ସେ ଯେବେ କେବେ ଆଦରରେ କହନ୍ତି–“ମା, ସମସ୍ତେ କେତେ ରକମର ପୋଷାକପତ୍ର ପିନ୍ଧୁଛନ୍ତି । କେତେ ପ୍ରକାରେ ମୁଣ୍ଡ ବାନ୍ଧୁଛନ୍ତି; ଦିନକୁ ଦିନ ତୁ’ କାହିଁକି ଏତେ ସାଧାସିଧା ହେଇ ଯାଉଛୁ ?’’

 

ସୀମା ସାଙ୍ଗେ ସାଙ୍ଗେ ଉତ୍ତର ଦେଇ କହେ–“ବୋଉ ଲୋ, ମୁଁ ପଛେ ପାଠ ନପଢ଼ିବି, ଅନ୍ୟମାନଙ୍କ ଭଳି ଫୁଲେଇ ହୋଇ ପାରିବି ନାହିଁ । ଯାହାକୁ ଯେମିତି ଦଇବ ଗଢ଼ିଛି । ଭଲ ପୋଷାକ ପିନ୍ଧଲେ, ସୌନ୍ଦର୍ଯ୍ୟର ମାତ୍ରା କ’ଣ ଅଧିକ ବଢ଼ିଯିବ ? ଆମ ଦେଶରେ ପାଶ୍ଚାତ୍ୟ ଶିକ୍ଷାର ପ୍ରଭାବ ଯେତେ ବଢ଼ୁଛି, ଆମ ଉପରେ ଆଦିମାନବର ଆରଣ୍ୟକ ବିଭତ୍ସ ମନୋଭାବ ସେତେ ପ୍ରବଳ ହେବାରେ ଲାଗିଛି ।

 

‘‘ସିନେମା, ଥିଏଟରର ବିସ୍ତାର ଯେତେ ଘଟୁଛି, କୋଣାର୍କଗାତ୍ର ଖୋଦିତ ନଗ୍ନ ଦେବଦାସୀର ପ୍ରଭାବରେ ଆମେ ସେତେ ପ୍ରଭାବିତ ହୋଇ ଅନାଭରଣ ଅଙ୍ଗର ରୂପ ଲାବଣ୍ୟକୁ ସେତେ ନିର୍ଲଜ୍ଜ ଭାବରେ ଦେଖାଇ ହୋଇ ବାହାଦୁରି ନେବାକୁ ଚେଷ୍ଟା କରୁଛୁ ।’’

 

“ମଣିଷ ଲଜ୍ଜାରୁ ତ୍ରାହି ପାଇବା ପାଇଁ ଲୁଗା ପିନ୍ଧୁଛି । ଆମେ ଯଦି ସଭ୍ୟତା ନାମରେ ନଗ୍ନତାକୁ ପ୍ରଶ୍ରୟ ଦେଉ, ତାହାହେଲେ ଆମେ ପୁଣି ବଣ ଜଙ୍ଗଲକୁ ଫେରିଯିବା ଭଲ ।’’

 

“ବୋଉ ଲୋ, ତାହାହେଲେ ତୁ’ କହୁଛୁ ମୁଁ ପାଦରେ ନାଲି, ଓଠରେ ନାଲିମାରି, ଦଶହଜାରି ଚାଲି ଚାଲିବି ? ଅର୍ଦ୍ଧନଗ୍ନ ହୋଇ ଦେହ ମୁଣ୍ଡକୁ ଦେଖାଇ, ଲୋକ ଲୋଚନକୁ ଆକର୍ଷଣ କରିବି ? ଭଲମନ୍ଦ, ନିନ୍ଦା ଅପମାନ ପାଇଁ ତୁ’ ଦାୟୀ ରହିବୁ ଏକା !’’

 

ହେମାଙ୍ଗିନୀ ଦେବୀ ଚୁପ୍ ହୋଇ ରହନ୍ତି । ଝିଅ କଥାକୁ ମର୍ମେ ମର୍ମେ ଅନୁଭବ କରନ୍ତି । ପ୍ରକୃତରେ ଯୁଗ ଆସି କ’ଣ ହେଲାଣି ? ବଡ଼ ନାହିଁ, ସାନ ନାହିଁ, ମାନତି ନାହିଁ, ସବୁବେଳେ ବଢ଼ିଲା ଝିଅଗୁଡ଼ା ଖାଲି ହେଁ ହେଁ, ଫେଁ ଫେଁ ହେଉଛନ୍ତି । ପୁରୁଷ ପୁଅ, ଭ୍ରମର ଜାତି । ତାଙ୍କ ସାଙ୍ଗରେ ପୁଣି କାନ୍ଧକୁ କାନ୍ଧ ମିଶାଇ ନାଚ ତାମସା କରୁଛନ୍ତି । ହୋଟେଲରେ ବସି ଖାଉଛନ୍ତି । ନାଇଟି କ୍ଲବକୁ ଯାଉଛନ୍ତି । ମଦ ପିଉଛନ୍ତି । ଛି, ଛି, ଛି, ଏଗୁଡ଼ା କ’ଣ ଧର୍ମ ସହିବା କଥା ?

 

ଏତିକିବେଳେ କଲେଜରୁ ଆସି ସୀମା ପହଞ୍ଚିଲା । ବହିପତ୍ରକୁ ଖଟ ଉପରେ ଫୋପାଡ଼ି ଦେଇ, ନଥକରି ହେମାଙ୍ଗିନୀ ଦେବୀଙ୍କି ଆଉଜି ବସିପଡ଼ିଲା । ତା’ପରେ ତାଙ୍କ କୋଳରେ ମୁଣ୍ଡରଖି, ମୁହଁକୁ ଅନାଇଁ କହିଲା–‘‘ବୋଉ ଲୋ, ଭାରି ଭୋକ ହେଲଣି, କ’ଣ ଖାଇବି ?’’

 

ହେମାଙ୍ଗିନୀ ଦେବୀ ସୀମାର ପେଟକୁ ଉଣ୍ଡାଳି ପକାଇ ମାତୃସୁଲଭ ସ୍ନେହ ଗଦ୍ ଗଦ୍ କଣ୍ଠରେ କହିଲେ–“ପେଟ ତ ଆସି ପିଠିରେ ଲାଗିଲାଣି । ଯା’ ଗଣ୍ଡେ ପଖାଳ ଆଣି ଖାଇଦେ ଯା’ । ମଞ୍ଜାରାଇ, ଶାଗଭଜା ଅଛି । ଆମ୍ବୁଲ ଖଟାଟିକେ ଆଣ, ଯା’ ଗଣ୍ଡେ ଖାଇଦେ ଯା ।’’

 

ସୀମା କହିଲା–“ବୋଉ ଲୋ, ତୁ ଚାଲେ ବାଢ଼ି ଦେବୁ । ହେମାଙ୍ଗିନୀ ଦେବୀ ଝିଅର କଥା ଭାଙ୍ଗିପାରିଲେ ନାହିଁ । ଭାତ ବାଢ଼ିଆଣି ଥୋଇଲେ ।’’

 

ସୀମା ଭାତ କଂସା ପାଖରେ ବସି ଗୁଣ୍ଡାଏ ଭାତ ନେଇ ନାହିଁ ପାଟିକି, ସ୍ଵୟମ୍ଭୂ ହସି ହସି ପଶି ଆସିଲା ସାହିକି । ଆଉ ଭାତଗୁଣ୍ଡା ପାଟିକି ନେଇ ପାରିଲାନି ସୀମା ।

 

ହେମାଙ୍ଗିନୀ ଦେବୀ ସୀମାକୁ କହିଲେ–“ମା, ସ୍ଵୟମ୍ଭୂ ଭାଇକି ଡାକୁନୁ ସେ ଖାଇବ ।’’

 

ସୀମା ହେମାଙ୍ଗିନୀ ଦେବୀଙ୍କ ଉପରେ କୃତ୍ରିମ କ୍ରୋଧ ପ୍ରକାଶ କରି କହିଲା–‘‘ତୁ ଯେଉଁ ଖିରି, ପୁରୀ ଗୁଡ଼ା କରିଛୁ, ମୁଁ ଡାକିବି ଖାଇବାକୁ ।’’

 

ହେମାଙ୍ଗିନୀ ଦେବୀ କହିଲେ–“ମଲା, ସେ କ’ଣ ତୋ’ ପାଖରେ ଖିରି, ପୁରୀ ପାଇଁ ଅଳି କରୁଛି ? ତୁ’ ଯାହା ଖାଉଛୁ, ସେ ସେୟା ଖାଇବ । ସେ କ’ଣ ଆମ ପାଖରେ କେଉଁଦିନ ବଡ଼ଲୋକୀ ଦେଖାଏ ?’’

 

ସୀମା ନିରୁତ୍ତର ହେଲା ।

 

ହେମାଙ୍ଗିନୀ ଦେବୀ ପାଣି ଦେଲେ ସ୍ଵୟମ୍ଭୂକୁ । ସେ ହାତ ଧୋଇ ଯାଇଁ ପଚାରିଲା–

 

‘‘ମୁଁ କ’ଣ ତୋ’ ସାଙ୍ଗରେ ଖାଇବି ସୀମା ?’’ ସୀମା କହିଲା–“ଉହୁଁ....... ।’’

 

“ମାନେ ?’’

 

“ମାନେ ଆଉ କ’ଣ ? ବଡ଼ଲୋକ କ’ଣ ଏସବୁ ଜିନିଷ ଖାଆନ୍ତି ?’’

 

ସ୍ଵୟମ୍ଭୂ କହିଲା–“ବଡ଼ଲୋକ, ସାନଲୋକଙ୍କ ଖାଇବା ଭିତରେ କ’ଣ ପୁଣି ଗୋଟାଏ ତଫାତ ଅଛି ?’’

 

ସୀମା ଲଘୁ ରସିକତା କରି କହିଲା–‘‘ବଡ଼ଲୋକଙ୍କର ମାଂସ ରୋଷ୍ଟ, ଚପ୍‍, ଆମଲେଟ୍‍, ସରପୁଳି, ରସାବଳୀ, ରାଜଭୋଗ ହେଉଛି ନିତିଦିନିଆ ଖାଦ୍ୟ । ଆଉ ଗରିବ ଲୋକଙ୍କର ?’’

 

“ତିନି ଦିନର ବାସି ପଖାଳ, ମଦରଙ୍ଗା ଭଜାକୁ ଭରଜମାନ ହେବାର ଭାଗ୍ୟ ନଥାଏ ।’’

 

ସ୍ଵୟମ୍ଭୂ କହିଲା–“ତୁ’ତ ଭାରି ବାଗରେ କଥା କହି ଶିଖୁଲୁଣି ସୀମା ! ଆଚ୍ଛା, ଦେଖିବା କ’ଣ ଖାଉଛୁ !’’

 

ସ୍ଵୟମ୍ଭୂ ଯାଇଁ ସୀମା ଭାତ କଂସା ପାଖରେ କଦଳୀ ପତ୍ରରେ ଥୁଆ ହୋଇଥିବା ଶାଗ ଆଉ ମଞ୍ଜା ରାଇକି ଚାଖିଲା । ଆଖିକୁ ଟେକି, ଜିଭକୁ ଚାଟି କହିଲା–‘‘ବା, ଭାରି ଭଲ ଲାଗୁଛି ।’’

 

ସୀମା ଆଉ ସ୍ଵୟମ୍ଭୂ ଦୁଇଜଣଯାକ ଶାଗ ଆଉ ମଞ୍ଜା ରାଇ ଛଡ଼ାଛଡ଼ି ହୋଇ ଖାଉଥିବା ବେଳେ ହେମାଙ୍ଗିନୀ ଦେବୀ କହିଲେ ଖାଇଦିଅ । ଖାଇ ବସିଲା ବେଳେ କ’ଣ ଏତେ କଥାବାର୍ତ୍ତା ହେଉଛ ? ଖାଇ ବସିଲା ବେଳେ କଥାବାର୍ତ୍ତା ହେଲେ ଦେହରେ ତ ଲାଗେ ନାହିଁ, ଲକ୍ଷ୍ମୀ ବି ଛାଡ଼ି ଯାଆନ୍ତି ।’’

 

ସୀମା କହିଲା–‘‘ଆଚ୍ଛା, ତୁମେ ଖିରି ପୁରୀ ଛାଡ଼ି ଏ ମଞ୍ଜାରାଇ, ଶାଗ ଛଡ଼ାଇ ଖାଉଛ । ସତରେ କ’ଣ ତୁମକୁ ଭଲ ଲାଗୁଛି ନା ଲୋକ ଦେଖାଣିଆ ଭାବରେ ଖାଉଛ ?’’

 

ସ୍ଵୟମ୍ଭୂ କହିଲା–‘‘ସୀମା, ସ୍ନେହ ମମତାର ଦୁନିଆଁ ଏ । ମଣିଷ ଯେଉଁଠି ସ୍ନେହ ପାଏ ଆଉଜି ପଡ଼େ ସେଇଠି । ମଣିଷ ଯେଉଁଠି ଆନ୍ତରିକତାର ଗନ୍ଧ ବାରେ ସବୁକଥା ବି ଭୁଲିଯାଏ ସେଇଠି । ଆମେ ଅବା କେଉଁ ଲୋକ ? ଶ୍ରୀକୃଷ୍ଣ ତ ପୁଣି ବିଦୁର ଘରେ ଶାଗଭଜା ଖାଇ କାଳ ବକ୍ଷରେ ମମତାର ବୈଜୟନ୍ତୀ ବାନା ଉଡ଼ାଇଥିଲେ ?

 

‘‘ସେଦିନତ ମଉସା ଯାହା କହୁଥିଲେ, ତୋ’ର ମନେଥିବ ?’’

 

ସୀମା କହିଲା–‘କ’ଣ କହିଲ, ମୋରତ କିଛି ମନେ ନାହିଁ ।’’

 

ସ୍ଵୟମ୍ଭୂ, କହିଲା, ତେବେ ଶୁଣ । ସେ ଅନେକ ଦିନ ତଳର କଥା । ଗୁରୁ ନାନକ ମହାରାଜ ତାଙ୍କର ଶିଷ୍ୟ ବର୍ଗଙ୍କୁ ଧରି ଭାରତର ସବୁତୀର୍ଥ କ୍ଷେତ୍ର ପରିଭ୍ରମଣ କରୁଥିଲେ ।

 

କଥା ଅଛି । ସେ ଥରେ ଆସି ଶିଷ୍ୟମାନଙ୍କ ସହ ଆମର ଏହି ଦେବଭୂମୀ ଉତ୍କଳର ମନ୍ଦାରମାଳ ନଦୀକୂଳରେ ପହଞ୍ଚିଲେ । ଏହି ମନ୍ଦାରମାଳ ନଦୀଟି ବର୍ତ୍ତମାନ ଲୁପ୍ତ ପ୍ରାୟ । ଏହା ମହାନଦୀର ଏକ ଶାଖାନଦୀ । କଟକଠାରୁ ବାହାରି ବଙ୍ଗୋପସାଗରରେ ପଡ଼ିଥିଲା । ଏବେ ଏହା ଖଣ୍ଡ ଖଣ୍ଡ ହୋଇଯାଇଛି । କେଉଁଠି ଏହା ଏକ ଗଣ୍ଡରେ ପରିଣତ ହୋଇଛି ତ, କେଉଁଠି ଏହା ଶସ୍ୟଶ୍ୟାମଳା ଶୋଭନ କ୍ଷେତ୍ରରେ ପରିଣତ ହୋଇଛି । କେଉଁଠି ଅବା-ଶୀର୍ଣ୍ଣ ପୁଷ୍କରିଣୀରେ ପରିଣତ ହୋଇ ପଦ୍ମବନକୁ ହୃଦରେ ଧାରଣ କରିଛି ।

 

ଏହା ଏକ ଐତିହାସିକ ନଦୀ । ଏହାରି କୂଳରେ ବହୁ ଐତିହାସିକ ଘଟଣାମାନ ସଙ୍ଘଟିତ ହୋଇଛି । ଏହାରି କୂଳରେ କଣ୍ଟାଗଡ଼ର ଜମିଦାରଙ୍କ ସହିତ କୁଜଙ୍ଗର ପ୍ରବଳ ପ୍ରତାପୀ ଷଣ୍ଢରାଜାଙ୍କର ଯୁଦ୍ଧ ହୋଇଥିଲା । ଏହାରି କୂଳରେ ମହାକବି ସାରଳା ଦାସ ପ୍ରସିଦ୍ଧ ମହାଭାରତ କେତେ ଖଣ୍ଡ ରଚନା କରିଥିଲେ । ଯେଉଁଠାରେ ଦେବୀ ସାରଳାଙ୍କ ସହାୟତାରେ କଣ୍ଟାଗଡ଼ର ଭାଗ୍ୟ ଚିରଦିନ ପାଇଁ ନିର୍ଣ୍ଣେୟ ହୋଇଥିଲା, ସେହିଠାରେ ଏବେବି ମୁଣ୍ଡଟୁଙ୍ଗା ବରଗଛ ଅଣ୍ଟାଭିଡ଼ି ଐତିହାସିକ ମୂକସାକ୍ଷୀ ରୂପେ ଠିଆ ହୋଇଛି ।

 

ମନ୍ଦାରମାଳ ନଦୀକୂଳ କଣ୍ଟାଗଡ଼ରେ ନାନକ ମହାରାଜା ଆସି ରାତ୍ରି ଯାପନ କଲେ । ଶିଷ୍ୟମାନେ ଉଦର ଜ୍ଵାଳାରେ ଉଚ୍ଛନ୍ନ ହେଲେ, ସେ ନିଜେ ମଧ୍ୟ କ୍ଷୁଧାରେ ଆତୁର ହେଲେ ।

 

ମନ୍ଦାରମାଳ ନଦୀ କୂଳର ଗୋଟିଏ ଦରିଦ୍ର କୃଷକ ପରି ପରିଡ଼ା ଖୁଦ ବାଟି, ବୁଢ଼ା ଚକୁଳି କରି ଆଣି, ଭକ୍ତିଭରେ ଗୁରୁ ନାନକଙ୍କ ଆଗରେ ଥୋଇଲା । କଣ୍ଟାଗଡ଼ର ଅନ୍ୟ ଜଣେ ମହା ପରାକ୍ରମଶାଳୀ ବ୍ୟକ୍ତି ଏକଥା ଦେଖିଲା ମାତ୍ରେ ନାନାରକମର ସୁସ୍ୱାଦୁ ଖାଦ୍ୟ, ରାଜଭୋଗ, ରସାବଳୀ ଆଣି ମଧ୍ୟ ଦେଲେ । ନାନକ ମହାରାଜ ଦରିଦ୍ର କୃଷକ ଦେଇଥିବା ବୁଢ଼ା ଚକୁଳି ପିଠାକୁ ଆଦରରେ ଖାଇବାକୁ ଲାଗିଲେ ।

 

ଶିଷ୍ୟମାନେ ଏକଥା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ଜଣେ ଶିଷ୍ୟ ଯେତେବେଳେ ଗୁରୁ ନାନକଙ୍କୁ ପଚାରିଲେ, ଆପଣ ଏପରି ଦେବ ଖାଦ୍ୟ ରାଜଭୋଗ, ରସାବଳୀ, ରସଗୋଲା ପ୍ରଭୃତିକୁ ପରିତ୍ୟାଗ କରି ଦରିଦ୍ର କୃଷିକର ଖୁଦ ବଟା ପିଠାରେ ଉଦର ପରିପୂର୍ଣ୍ଣ କରୁଛନ୍ତି କାହିଁକି ।

 

ସେତେବେଳେ ନାନକ ମହାରାଜ ହସିଲେ ଏବଂ କହିଲେ–“ଭକ୍ତଗଣ, ତୁମେମାନେ ଦିବ୍ୟ ଭୋଜନ କରି ଆନନ୍ଦ ହୁଅ । ମୋର ଏହି ଖୁଦ ଚକୁଳି ହିଁ ପରମ ଖାଦ୍ୟ ।’’

 

ପୁଣି ସେ ହସିଲେ ।

 

ଶିଷ୍ୟମାନେ ଯେତେବେଳେ ହସର କାରଣ ଜାଣିବା ପାଇଁ ଜିଦ୍‍ କଲେ ସେତେବେଳେ ନାନକ ମହାରାଜ ଖୁଦ ତିଆରି ବୁଢ଼ା ଚକୁଳିକୁ ଶିଷ୍ୟମାନଙ୍କ ସମ୍ମୁଖରେ ଚିପୁଡ଼ି ଦେଲେ । ସେଥିରୁ କ୍ଷୀର ଝରଝର ହୋଇ ଝରି ପଡ଼ିଲା । ରସାବଳୀ ଓ ରାଜଭୋଗ ପ୍ରଭୃତିକୁ ଯେତେବେଳେ ଚିପୁଡ଼ି ଦେଲେ ସେତେବେଳେ ରକ୍ତ ଥପ୍‍ ଥପ୍‍ ହୋଇ ଗଡ଼ି ପଡ଼ିଲା ।

 

ଶିଷ୍ୟମାନେ ବିସ୍ମୟ, ବିଷାଦ ବିସ୍ଫାରିତ ନେତ୍ରରେ ଗୁରୁଙ୍କ ଆଡ଼କୁ ଅନାଇ ରହିଲେ । ଗୁରୁ କହିଲେ–“ବତ୍ସ ! ଏ ଦୁନିଆ ବଡ଼ ବିଚିତ୍ର । ପୁଣି ସବୁଠାରୁ ବିଚିତ୍ର ଏ ମଣିଷ ଜାତି । ପଶୁପକ୍ଷୀଙ୍କି ଚିହ୍ନି ହେବ, ମନ ବାରି ହେବ, ମାତ୍ର ଚିହ୍ନି ହେବ ନାହିଁ–ଏହି ମଣିଷକୁ । ବାରି ହେବ ନାହିଁ, ଏହି ମଣିଷର ମନ । ମଣିଷ ସବୁବେଳେ କାମନାର ଦାସ, ସ୍ଵାର୍ଥର କିଙ୍କର । ଏହା ବୋଲି ଭାବିବା ଉଚିତ ନୁହେଁ ଯେ, ପୃଥିବୀ ପୃଷ୍ଠରେ ମହାତ୍ମା ନାହାନ୍ତି । ତାହାହେଲେ ସୂର୍ଯ୍ୟ ଚନ୍ଦ୍ର ଆତଯାତ ହୁଅନ୍ତେ କିପରି ?

 

ଶିଷ୍ୟମାନଙ୍କୁ ଯେତେରକମର ଭୁଲାଇବାକୁ ଚେଷ୍ଟାକଲେ ମଧ୍ୟ ସେମାନେ କ୍ଷୀର ଓ ରୁଧିର ନିର୍ଗତ ହେବାର କାରଣ ଜାଣିବାକୁ ଉଦ୍‌ଗ୍ରୀବ ହୋଇ ଉଠିଲେ ।

 

ଗୁରୁ କହିଲେ–“ଯେଉଁ କୃଷକଟି ଆଣି ଖୁଦ-କୁଣ୍ଡା ତିଆରି ବୁଢ଼ାଚକୁଳି ଦେଲା ତାହାର କିଛି ଲାଳସାଜନିତ କାମନା ନାହିଁ । ସେ ସ୍ଵାର୍ଥ ପ୍ରଣୋଦିତ ହୋଇ କାହାର କିଛି କ୍ଷତି କରିବାକୁ ଚାହେଁନା । ବିଭବ ବଢ଼ାଇ, ଭୋଗ ବିଳାସରେ ଆଦୌ ମାତିବାକୁ ଚାହେଁନା । ତା’ହୃଦୟରେ ଭକ୍ତିଭାବ ଯେପରି ଅସୀମ ଓ ଧର୍ମ ଧାରଣା ସେହିପରି ଅପରିସୀମ । ଭାରତୀୟ ମହାନ୍‍ ସଂସ୍କୃତି ଓ ପରମ୍ପରାରେ ପରିଚାଳିତ ହୋଇ ଅତିଥିକୁ ଶ୍ରେଷ୍ଠ ସମ୍ମାନ ଦିଏ । କୌଣସି ଆଗନ୍ତୁକ ବ୍ୟକ୍ତି ଆକସ୍ମିକ ଭାବରେ ଆସି ତା’ ଗୃହରେ ଉପସ୍ଥିତ ହେଲେ ସେ ନିଜେ ନଖାଇ ଅତିଥିକୁ ଚର୍ଚ୍ଚା କରେ । ସେଥିପାଇଁ ସେ ମନରେ ତିଳେ ମାତ୍ର କଷ୍ଟକରେ ନା । ଆତ୍ମ ଅହଙ୍କାରରେ ଭାଙ୍ଗିପଡ଼େ ନା ।

 

ତା’ର ଯେତିକି ଅଛି, ସେତିକିରେ ସେ ସନ୍ତୁଷ୍ଟ ହୋଇ ସଂସାରର ଜଞ୍ଜାଳକୁ ମଥା ପାତି ସହେ । ନିନ୍ଦା, ପ୍ରଶଂସାକୁ ସେ ଭଗବାନଙ୍କର ଇଙ୍ଗିତ ବୋଲି ଧରିନିଏ ।

 

ତେଣୁ ତା’ ଦିଆ ବୁଢ଼ା ଚକୁଳି ଆନ୍ତରିକତା ଓ ଭକ୍ତି ପରିପ୍ଳୁତ ।

 

ଧନିକ ଦେଇଥିବା ସୁମିଷ୍ଟ, ସୁସ୍ଵାଦୁ ସାମଗ୍ରୀମାନ ଓ ଦରିଦ୍ର କୃଷକର ବୁଢ଼ାଚକୁଳି ଭିତରେ ଆକାଶପାତାଳ ତଫାତ୍‍ ।

 

ଧନିକ ନିଜର ସ୍ଵାର୍ଥସାଧନ ପାଇଁ, ବିଭବ ବର୍ଦ୍ଧନ ପାଇଁ, ପାରିବାରିକ ସୁଖ ସମ୍ଭୋଗ ପାଇଁ ଆତ୍ମବଡ଼ିମାରେ ପରିଚାଳିତ ହୋଇ, ଦରିଦ୍ର କୃଷକ ପ୍ରତି ଅସୀମ ଅସୂୟା ପୋଷଣ କରି ସୁସ୍ୱାଦୁ ଖାଦ୍ୟମାନ ଆଣି ଦେଇଅଛି । ପୁଣି ଉକ୍ତ ଖାଦ୍ୟ ତା’ ନିଜ ଶ୍ରମ ଉପାର୍ଜିତ, ଝାଳବୁହା ଅର୍ଜନରେ ତିଆରି ନୁହେଁ । ଏହି ସାମଗ୍ରୀମାନ ସେ ନିଜ ଇଚ୍ଛା ବିରୁଦ୍ଧରେ, ଭକ୍ତିବିହୀନ ଭାବରେ, ଲୋକ ଲୋଚନରେ ଧୂଳି ପକାଇବା ପାଇଁ ଦେଇଅଛି । ଏହା ପର ଧନରେ ତିଆରି ହୋଇଥିବା ହେତୁ ଏଥିରୁ କ୍ଷୀର ପରିବର୍ତ୍ତେ କ୍ଷାର ନିର୍ଗତ ହେଉଅଛି । ଭକ୍ତମାନେ ସବୁକଥା ଶୁଣି ଗୁରୁଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କଲେ ।

 

ସୀମା କହିଲା–‘‘ଓଃ, କଥାଟା ଏତେ ବାଟରେ, ମୁଁ ବୁଝିପାରୁ ନଥିଲି ।’’

 

ହଳଦୀବସନ୍ତ ଚଢ଼େଇଟା ଏତିକିବେଳେ ଦାଣ୍ଡଦୁଆରେ ଥିବା କାଠ ଚମ୍ପା ଗଛରେ ବସି ଘନ ଘନ ରାବିଲା ।

 

ହେମାଙ୍ଗିନୀ ଦେବୀ ହାଣ୍ଡିରେ ବଡ଼ି ପୂରାଇ ରଖୁଥିଲେ । ସୀମା କହିଲା–‘‘ବୋଉ ଲୋ, ଆଜି ଟଙ୍କା ଆସିବ ।’’

 

ହେମାଙ୍ଗିନୀ ଦେବୀ ଟିକିଏ ମୁରୁକି ହସାଦେଇ କହିଲେ–“ହଁ, ହଁ ଆଉ ଟଙ୍କା ଆସିବ । ତୋ’ ବାପାଙ୍କର ଆଉ ଘରକଥା ମନେ ଅଛି ଯେ ସେ ଟଙ୍କା ପଠାଇବେ ।’’

 

ବାହାରେ ପୋଷ୍ଟମ୍ୟାନର ପାଟି ଶୁଭିଲା–“ଟଙ୍କା ନିଅ, ଟଙ୍କା । ସୀମା ଦେବୀ ଅଛନ୍ତି ଘରେ, ସୀମା ଦେବୀ ?

 

ସୀମା ଜବାବ ଦେଲା–

 

ହଁ....ହଁ....ଯାଉଛି । ଯାଉଛି । ସୀମା ହାତଧୋଇ ଦଉଡ଼ି ଆସିଲା ପଦାକୁ । ମନିଅର୍ଡର ଫର୍ମ ବଢ଼ାଇ ଦେଲା ପୋଷ୍ଟମ୍ୟାନ୍‍ । ସୀମା ଦସ୍ତଖତ୍‍ କରି ରଖିଲା ତିନିଶହ ଟଙ୍କା । ତା’ପରେ ପରେ ପୋଷ୍ଟମ୍ୟାନ୍‍ ହାତରେ ଟଙ୍କାଟିଏ ଗୁଞ୍ଜି ଦେଇ ଘର ଭିତରକୁ ଚାଲିଗଲା ।

 

ବୁଢ଼ା ପୋଷ୍ଟମ୍ୟାନ୍‍ ଟଙ୍କାଟିଏ ହାତରେ ଧରି, ଝାଳ ଗମ୍‍ ଗମ୍‍ ଦେହରେ ନଥ କରି ବସି ପଡ଼ିଲା ପିଣ୍ଡା ଉପରେ । ସୀମା ଚାଲି ଗଲାବେଳେ କଣେଇ କଣେଇ ଚାହୁଁଥିଲା ସୀମାକୁ । ସୀମା ସାକ୍ଷାତ୍‍ ରତି ପ୍ରତିମାଟିଏ । ଦେହରେ ଯୌବନ ଜୁଆର ଢେଉ ଖେଳୁଛି । ଆଖିର ଅନାଉଣି ଏତେ ତୀର୍ଯ୍ୟକ, ଏତେ ତୀକ୍ଷ୍‌ଣ ଯେ ଯା’ ଦେହରେ ବାଜିବ, ତା’ ଦେହରେ ଘା’ ହୋଇଯିବ ।

 

ବୁଢ଼ା ପୋଷ୍ଟମ୍ୟାନ୍‍ । ଜୀବନ ସାୟାହ୍ନରେ ଉପନୀତ । ଜୀବନରେ ବହୁ ଝିଅ ବୋହୂଙ୍କୁ ଦେଖିଛି ସେ । ଟଙ୍କା ବଢ଼ାଇ ଦେଇ ଅଜସ୍ର ହାତରେ ହାତ ମିଳାଇବାର ସୌଭାଗ୍ୟ ଲାଭ କରିଛି ସେ । କେହି ତା’ ମନରେ ରହନ୍ତି ନାହିଁ । କାହାରି ବ୍ୟବହାର ତା’ ମନରେ ରେଖାପାତ କରିପାରେ ନାହିଁ । କେହି ତା’ ସ୍ମୃତିରେ ଆସ୍ଥାନ ଜମାଇ ବସି ପାରନ୍ତି ନାହିଁ ।

 

କ’ଣ ଭୁଆସୁଣୀଙ୍କ ଠାରୁ ରାଜରାଣୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ସାନ୍ନିଧ୍ୟ ଲାଭକରି, ସ୍ନେହ, ସହାନୁଭୂତି ପାଇଛି ସେ । ସେ କାହାକୁ ହାତ ପତାଇ ନ ମାଗିଲେ ବି, ଅନେକ ‘ବକସିସ୍‍’ ନିଅନ୍ତି । ସେ କୃତଜ୍ଞତାର ନମୁନା ସ୍ଵରୂପ ନମସ୍କାରଟିଏ କରି, ମୁରୁକି ହସା ଦେଇ ନିଜର କର୍ତ୍ତବ୍ୟ ପଥରେ ଚାଲିଯାଏ । ସେ କେବେ କାହାପ୍ରତି ଖରାପ ବ୍ୟବହାର କରିବାର ଅଭିଯୋଗ ଆଜିଯାଏ ଶୁଣା ନାହିଁ । ସମସ୍ତେ ଜାଣନ୍ତି ଅଚ୍ୟୁତି ପୋଷ୍ଟମ୍ୟାନ୍‍ ଭାରି ଭଲ ଲୋକ । ସେ କାହାକୁ କେବେ ତୁଣ୍ଡ ହୁଡ଼ି ପଦେ ହେଲେ କିଛି କହେନା ।

 

କେହି ତା’ର ଗାଆଁ କେଉଁଠି ଜାଣନ୍ତି ନାହିଁ । ଅନେକ କିନ୍ତୁ ଜାଣନ୍ତି, ସେ ସନ୍ତାନ ବିହୀନ-। ତା’ର ସ୍ତ୍ରୀ ମଧ୍ୟ ବହୁଦିନ ହେଲା ଇହଧାମରୁ ବିଦାୟ ନେଇଛି । ସେ ବଞ୍ଚି ରହିଛି–ଗୋଟିଏ ଆଶା ନେଇ !

 

ତା’ର ଭାଣିଜୀ ଅଛି । ନିଜେ ଚଲାବୁଲା କରି ପାରୁଥିବା ଯାଏ, ଦି’ପଇସା ଅର୍ଜନ କରି ପାରୁଥିବା ଯାଏ ଚଳୁଥିବ । ତା’ପରେ ସେ ଯାଇଁ ବଡ଼ାପା ଝିଅ ଭଉଣୀ ପାଖରେ ପହଞ୍ଚିବ, ଯାହା ସଞ୍ଚି ରଖିଥିବ ତାକୁ ନେଇ ସମର୍ପି ଦେବ । ଘରଡିହ, ଭିଟା ମାଟି ଖଣ୍ଡିକ ଭାଣିଜୀ ନାଆଁରେ କରିଦେବ । ତା’ପରେ ନିଶ୍ଚିନ୍ତରେ ଆଖି ବୁଜିବ ।

 

ଭଉଣୀ ତା’ର ଘର ଛାଡ଼ିଲାଣି ଅନେକ ଦିନୁ । ସେ ଇତିହାସ ଆଜି ଆଉ ଓଲଟାଇ ଲାଭ ନାହିଁ । ତେବେ ସେ ଖବର ନେଇଛି ତା’ ଭଉଣୀ ହେମର ଗୋଟିଏ ସୁନାନାକୀ ଝିଅ ହୋଇଛି । ସେ କୁଆଡ଼େ ଏହିଠାରେ କେଉଁଠି ଅଛି ।

 

ଅଚ୍ୟୁତି ପୋଷ୍ଟମ୍ୟାନ ନୂଆ ହୋଇ ଆସିଛି ଏବେ ଏ ସ୍ଥାନକୁ । ସେ ବିଶେଷ କିଛି ଖବର ଜାଣେନା । ତେବେ–

 

ଆଜି ଏକି ନୂଆ କଥା ? ଆଜି ଏ କି ଦୁର୍ବଳତା ? ସୀମା ହାତରେ ହାତ ବାଜି ତା’ ଦେହରେ ଶିହରଣ ଖେଳିଗଲା କାହିଁକି ? ସମସ୍ତେ ବକସିସ୍‍ ଦେଲେ ସେ ନେଇ ସଯତ୍ନରେ ପକେଟରେ ରଖି ଦିଏ । ଆଜି କାହିଁକି ହାତଟା ତା’ର ପକେଟକୁ ଗଲା ନାହିଁ ?

 

ସୀମାକୁ ଦେଖିଲା ବେଳୁ ମନଟା ତା’ର କାହିଁକି ଏମିତି ଗୋଳେଇ ଘାଣ୍ଟି ହେଉଛି ? ହଜିଲା ଧନ ପାଇଲା ଭଳି ଅନୁଭବ କରୁଛି କାହିଁକି ? ନୀଳ-ଶିରା ପ୍ରଶିରାର ରକ୍ତ ସ୍ରୋତରେ ଅଜସ୍ର ସ୍ପନ୍ଦନ ସୃଷ୍ଟି ହେଉଛି କାହିଁକି ?

 

କଣ୍ଠ ତା’ର ରୋଧ ହୋଇ ଆସିଲା । ଆଖିରେ ଜକେଇ ଆସିଲା ଜରି ଲୁହ । କାହିଁକି ସତେ ଏ ଦୁର୍ବଳତା ? ଅତି କ୍ଷୀଣ ସ୍ଵରରେ ଡାକିଲା–‘‘ମା’ ମନ୍ଦେ ପାଣିଦଅ ।’’

 

ସୀମା କହିଲା–“ବୋଉ ଲୋ–ସେ ପୋଷ୍ଟମ୍ୟାନ୍‍ ପାଣି ମାଗୁଛି ପରା ! ମନ୍ଦେ ପାଣି ଦେଇଆ । ହେମାଙ୍ଗିନୀ ଦେବୀ ପାଣିଗ୍ଲାସଟି ଧରି ଗଲେ । ଦେଖିଲେ ବୁଢ଼ା ପୋଷ୍ଟମ୍ୟାନ୍‌ଟି ପିଣ୍ଡାରେ ଶୋଇ ମୁଣ୍ଡ ଗଡ଼ାଉଛି । ହେମାଙ୍ଗିନୀ ଦେବୀ ଡାକ ଛାଡ଼ିଲେ–‘‘ସୀମା, ସୀମା, ଦଉଡ଼ିଆ । ସ୍ଵୟମ୍ଭୂକୁ ଡାକେ । ଏ ବୁଢ଼ା କାହିଁକି ଏମିତି ହେଉଛି ?’’

 

ସୀମା ଓ ସ୍ଵୟମ୍ଭୂ ଦଉଡ଼ି ଆସିଲେ । ହେମାଙ୍ଗିନୀ ଦେବୀ ପୋଷ୍ଟମ୍ୟାନ୍‍ ବୁଢ଼ା ପାଟିରେ ପାଣି ଦେଲେ । ମୁଣ୍ଡ ଧୋଇ ଦେଲେ । କେତେବେଳେ ଯାଇଁ ବୁଢ଼ା ଆଖି ଖୋଲି ଅନାଇ କହିଲା–“ଓଃ ମୁଣ୍ଡଟା ମୋର ଅତୀତର କେତେ କଥା ଭାବି ଭାବି କ’ଣ ହୋଇଗଲା । ଆପଣମାନେ ଏତେ କଷ୍ଟ କଲେ ମୋ’ପାଇଁ ! ମୁଁ ଆପଣମାନଙ୍କ ଋଣ ସୁଝିବି କେମିତି ?’’

 

ପୋଷ୍ଟମ୍ୟାନ୍‍ ଏଥର ଉଠି କଦମ ପାଦ ଆଗକୁ ବଢ଼ାଇ ଚାଲିଗଲା ।

 

ହେମାଙ୍ଗିନୀ ଦେବୀ କହିଲେ ବୁଢ଼ାଟାର ଦଶା କଟିଗଲା ।

 

ଦାଣ୍ଡଦୁଆରୁ ସମସ୍ତେ ଫେରିଗଲେ ଖଞ୍ଜା ଭିତରକୁ । ହେମାଙ୍ଗିନୀ ଦେବୀ ଦୁଇଶହ ଟଙ୍କା ନେଇ ସ୍ଵୟମ୍ଭୂକୁ ଯାଚିଲେ । ସ୍ଵୟମ୍ଭୂ ଅପ୍ରତିଭ ହୋଇ କହିଲା–“ମାଉସୀ ଏ କ’ଣ ?’’

 

‘ଟଙ୍କା’......

 

‘କି ଟଙ୍କା ?’

 

ହେମାଙ୍ଗିନୀ ଦେବୀ ହସି ହସି କହିଲେ–‘‘ମୋ ବାପା ପରା, ଟଙ୍କା ଭାବ ଲଗାଏ ପୁଣି ଭାବ ଛିଣ୍ଡାଏ । ତୁ’ ଯାହା ଦେଇଛୁ ଆସ୍ତେ ଆସ୍ତେ ପାଇଗଲେ ଭଲ । ସ୍ଵୟମ୍ଭୂ ଟିକିଏ ମନ ଦୁଃଖ କରି କହିଲା–

 

‘‘ମାଉସୀ, ମୁଁ ଭାବୁଛି ତୁମେ ମୋତେ ଆଜିଯାଏ ପର ବୋଲି ଭାବିଛ । ମୋତେ ତୁମ ପରିବାର ମଧ୍ୟରେ ଜଣେ ବୋଲି ଗ୍ରହଣ କରିପାରି ନାହଁ । ତା’ହେଲେ ମୁଁ ଆଜିଠାରୁ ଆଉ ତୁମ ଦ୍ଵାର ମାଡ଼ିବି ନାହିଁ ।’’

 

ସ୍ଵୟମ୍ଭୂ ଝଟକରି ଉଠି, ମୁହଁକୁ ଧାନ ଉଷୁଁଆ ହାଣ୍ଡି ପରି କରି ତର ତରରେ ଅଭିମାନରେ ଚାଲିଗଲା ।

 

ସୀମା ହେମାଙ୍ଗିନୀ ଦେବୀଙ୍କ ମୁହଁକୁ ଅନାଇ ରହିଥିଲା । ମା’ ଝିଅ ଉଭୟଙ୍କର କାହାରି ପାଟିରୁ କଥା ବାହାରୁ ନଥିଲା ।

 

ସେତେବେଳକୁ ସନ୍ଧ୍ୟା ଆସନ୍ନ ।

 

ସଞ୍ଜ ସଳିତା ବଳିବା ପାଇଁ ଚାଲିଗଲେ ହେମାଙ୍ଗିନୀ ଦେବୀ । ସୀମା ବସି ବସି କେତେ ଆଡ଼ୁ କେତେ କଥା ଭାବୁଥିଲା ।

 

ଅଦୂରରୁ ଭାସି ଆସୁଥିଲା ଦେବ ମନ୍ଦିରରୁ ଘଣ୍ଟା ଧ୍ଵନି । ସୀମା ଭକ୍ତି ଗଦ୍‍ ଗଦ୍‍ କଣ୍ଠରେ ବଡ଼ ପାଟିରେ ଆବୃତ୍ତି କରି ଉଠିଲା ।

 

‘‘ଅଖିଳ ବ୍ରହ୍ମାଣ୍ଡ ପତି ମୋ’ ଜୀବନ ସ୍ୱାମୀ ।’’.....

 

-ଛଅ-

 

ନୂଆ ରାଜଧାନୀର ମେଘମୁକ୍ତ ନିର୍ମଳ ଆକାଶକୁ ଆଚ୍ଛନ୍ନ କରି ବାଳ ଅରୁଣର ଅରୁଣିମା ଝଲମଲ ହେଲାଣି । ଆକାଶବାଣୀର ପ୍ରଥମ ଅଧିବେଶନ ଆରମ୍ଭ ହୋଇ ଘସରା ରେକର୍ଡ଼ରେ ବିଭୁ ବନ୍ଦନା ଗୀତ ବାଜିଲାଣି ।

 

ମାର୍କେଟ ବିଲଡିଙ୍ଗ ପଛପାଖ ଏକ କ୍ୱାର୍ଟରରେ ପ୍ରଭାତ ହେବାର କୌଣସି ସଙ୍କେତ ସତେ ଯେମିତି ପ୍ରକାଶ ପାଇ ନାହିଁ । ଝରକା, କବାଟ ସବୁ ବନ୍ଦ । ଭୀଷଣ ଶୀତ ପଡ଼ିଥିବା ହେତୁ ବେକ ପର୍ଯ୍ୟନ୍ତ କମ୍ବଳ ଘୋଡ଼େଇ ହୋଇ ସମସ୍ତେ ଉଷୁମ ଟାଣୁଛନ୍ତି ।

 

କ୍ଷୀର ଦେଲାବାଲା ଆସି କବାଟ ବାଡ଼େଇଲେ ବି କେହି ଉଠୁ ନାହାନ୍ତି ।

 

ଜଣେ କିଏ ରହି ରହି ଖଣ୍ଡିକାଶ ମାରୁଛନ୍ତି । ସେ ଜଣକ କିଏ ? ସେ ହେଉଛନ୍ତି ଘରର କର୍ତ୍ତା । ସ୍ଵୟଂ ନିକୁଞ୍ଜବାବୁ । ସେ ବିଶ୍ଵବିଦ୍ୟାଳୟ କୁଳପତି ପଦରୁ ଅବସର ଗ୍ରହଣ କରି ସାରିଛନ୍ତି । ସେ ରାତି ଘଡ଼ିଏ ଥାଇ ଖଣ୍ଡିଏ ଚିଠିକୁ ବାରବାର ପଢ଼ିବାରେ ଲାଗିଛନ୍ତି । ଚିଠିଟି ଆସିଛି ଏକ କଲେଜରୁ ।

 

ନେଳିଆ କାଗଜ ଉପରେ ନାଲି ଅକ୍ଷରରେ ସର୍ବ ପ୍ରଥମେ ଛପା ହୋଇଛି ‘‘ଫରଗେଟ୍ ମି ନଟ୍’’–ଅର୍ଥାତ୍‍ ମୋତେ ଭୁଲିବ ନାହିଁ ।

 

ତା’ ତଳକୁ ବାଇଗଣ ମଞ୍ଜି ପରି ଗୋଲ ଗୋଲ ଅକ୍ଷରରେ ଚିଠି ଖଣ୍ଡିକ ଲେଖା ହୋଇଛି । ଧାଡ଼ି ଶେଷ କରିଥିବା ଲୋକଟି ଚିଠିଟିକି ପଢ଼ିପାରିବ ।

 

ପ୍ରଥମେ ଲେଖା ହୋଇଛି–“ପ୍ରାଣର ‘ଉ’ ଆଜିର ଏହି ଜ୍ୟୋତ୍ସ୍ନା ବିଧୌତ ରଜନୀକି ତୁମ ଉଦ୍ଦେଶ୍ୟରେ ଉତ୍ସର୍ଗ କରୁଛି । ମୁଁ ଏଇ ଅଳ୍ପ ସମୟ ପୂର୍ବରୁ ଗୋଟିଏ ସାହିତ୍ୟ ସଭାରେ ଭାଷଣ ଦେଇ ଫେରିଲି । ଖବରକାଗଜମାନଙ୍କର ବିଜ୍ଞାପନରୁ ଜଣା ପଡ଼ୁଥିଲା ଯେ ସାହିତ୍ୟ ସଭାଟି ଖୁବ୍‍ ଜାକଜମକରେ ଅନୁଷ୍ଠିତ ହେବ, ସେଥିପାଇଁ ମୋର ବହୁ ଦରକାରୀ କାର୍ଯ୍ୟକୁ ପଛକୁ ପକାଇଦେଇ ମୁଖ୍ୟବକ୍ତା ହେବା ପାଇଁ ସ୍ଵୀକୃତି ପ୍ରଦାନ କରିଥିଲି । ସଭା ସ୍ଥଳରେ ଯାଇଁ ଦେଖେ ତ, ସଭାପାଇଁ ନିବେଦନ କରିଥିବା ଲୋକମାନଙ୍କ ଭିତରୁ ଅନେକ ମଧ୍ୟ ଅନୁପସ୍ଥିତ ଅଛନ୍ତି । ପାଞ୍ଚ ଛ’ ଜଣ ଶ୍ରୋତା । ପ୍ରତ୍ୟେକ ଶ୍ରୋତା ଜଣେ ଜଣେ ବକ୍ତା ପାଲଟିଲେ । ନିର୍ଦ୍ଦିଷ୍ଟ ବିଷୟବସ୍ତୁକୁ ପରିହାର କରି ବ୍ୟକ୍ତିଗତ କୁତ୍ସା, ନିନ୍ଦା ରଟନାରେ ସଭା ସାଙ୍ଗ ହେଲା । ମୁଁ ସେଠାରୁ ଫେରିଲି ।

 

ନୂଆବୋଉ ମୋତେ ଲଗାଇଲେ ଖାଇବାକୁ । ତାଙ୍କୁ ମନା କରିବାର ସାହସ ମୋର ନାହିଁ । ମୁଁ ପିଲାଦିନୁ ଥିଲି ମା’ ଛେଉଣ୍ଡ । ସେ ଆମ ଘରେ ପାଦ ଦେଲାଦିନୁ ମୁଁ ତାଙ୍କୁ ମା’ ବୋଲି ଭାବେ । ସେ ବି ମୋତେ ପୁଅଠାରୁ ଅଧିକ ସ୍ନେହ କରନ୍ତି । ମୁଁ ନଖାଇଥିଲେ ସେ ଖାଆନ୍ତି ନାହିଁ । ମୁଁ ନ ଶୋଇଥିଲେ ସେ ଶୁଅନ୍ତି ନାହିଁ । ମୁଁ ଯେତେବେଳେ ଯାହା ମାଗେ ସେ ତାହା ଆଣି ଦେବାପାଇଁ ଭାଇଙ୍କ ସାଙ୍ଗରେ ଜିଦ୍‍ ଲଗାନ୍ତି । ସାମାନ୍ୟ କିଛି ଖାଇବା ଜିନିଷ ହେଲେ ସେ ଭାଇଙ୍କୁ ଅଧେ ଦେଇ ମୋ’ପାଇଁ ଅଧେ ଲୁଚାଇ ରଖନ୍ତି ।

 

ତେଣୁ ନୂଆବୋଉଙ୍କୁ ଓଲଟାଇ କହିବାର ଧୃଷ୍ଟତା ମୋର ନାହିଁ । ତଥାପି ମୁଁ ମନାକଲି ଖାଇବାକୁ । ସେ କ୍ରୋଧାଫଣିନୀ ପରି ଦଉଡ଼ି ଆସି ମୋ’ କାନକୁ ଧରି କହିଲେ–“ଅଲବତ୍‍ ଖାଇବ-।’’

 

ମୁଁ ଖାଇବସିଲି । ଖାଇ ହେଲାନି ଜମା । ଝରକା ଫାଙ୍କରେ ଚତୁର୍ଥୀର ବଙ୍କା ଚାନ୍ଦଟା କାହିଁକି ଆସି ଖାଲି ଖତେଇ ହେଲା । ମୋର ମନେହେଲା–ସେଇ ଚାନ୍ଦ ଭିତରେ ତୁମେ ଯେମିତି ଠିଆ ହୋଇ ମୋତେ କହୁଛ–‘‘ତୁମେ ସେଇମିତି ବାଛି ବାଛି ଯୌବନକୁ ଉଜାଡ଼ି ଦେବ । ସମସ୍ତେ ନିଜ ନିଜ ରାହା କାଟି ନୂତନ ନୀଡ଼ର ସନ୍ଧାନରେ ଉଡ଼ି ଯାଉଥିବେ; ମାତ୍ର ତୁମେ ଏଇ ଭାଉଜଙ୍କ ମର୍ଜି ଜଗି ମଉନମୁହୀଁ ହୋଇ ବସିଥିବ । ତୁମର ରକ୍ତର ଅରଣ୍ୟରେ କାମନାର ବହ୍ନି ହୁ, ହୁ, ହୋଇ ଜଳୁଥିବ । ତୁମେ ମହା ସମୁଦ୍ରର ଅନାବିଳ, ଅନାସ୍ଵାଦିତ ଲବଣାମ୍ଳାରେ ସେ ଲେଲିହାନ ପାବକକୁ ଲିଭାଇବାକୁ ଚେଷ୍ଟା କରୁଥିବ, ମାତ୍ର ପବିତ୍ର ପ୍ରେମ ତଟିନୀର ସ୍ଵଚ୍ଛ ଶୀତଳ ଜଳରେ ତାହା ନିର୍ବାପିତ ହୋଇପାରିବ ନାହିଁ । ତୁମେ ଯେତେ ଶୀଘ୍ର ପାରୁଛ ଜଣେ ଜୀବନ ସଙ୍ଗିନୀ ବାଛିନିଅ ।

 

ତୁମେ ଯେପରି ଦୁନିଆଁରେ ସମସ୍ତଙ୍କୁ ନିଜର କରିବାକୁ ବସିଛ, ତାହା କଦାପି ହୋଇପାରିବ ନାହିଁ । ଯେ ଏଭଳି ଚେଷ୍ଟା କରିଛି, ସେ ନିଶ୍ଚୟ ବ୍ୟର୍ଥ ମନୋରଥ ହୋଇ ହା’ ହତାଶରେ ଅଶ୍ରୁମୋଚନ କରିଛି ।

 

ପୃଥିବୀରେ ପର କଦାପି ନିଜର ହୁଏ ନାହିଁ । ଲିମ୍ବକୁ ଖଣ୍ଡ କ୍ଷୀରରେ ଯେତେ ଧୋଇଲେ ତାହା ଯେପରି ମଧୁର ହୁଏ ନାହିଁ, ପରକୁ ଯେତେ ପ୍ରକାର ବୁଝାଇଲେ, ସେ କେବେ ନିଜର ହୁଏ ନାହିଁ । ଯେଉଁଠି ପର ନିଜର ବୋଲି ଅଭିନୟ କରେ ସେହିଠାରେ ଛଳନାର ଜାଲ ପରବେଷ୍ଟିତ ହୋଇଛି ବୋଲି ବୁଝିବାକୁ ହେବ । ତୁମେ ଯେପରି ସମସ୍ତଙ୍କୁ ବିଶ୍ଵାସ କରିବାକୁ ବସିଛ, ତାହା ଠିକ୍‍ ନୁହେଁ । ମଣିଷ କଳା ମୁଣ୍ଡିଆକୁ ଆଦୌ ବିଶ୍ଵାସ ନାହିଁ ।

 

ଜୀବନ ପଥରେ, କର୍ତ୍ତବ୍ୟର ପରିପ୍ରେକ୍ଷୀରେ ଯାହାଠାରେ ଯେତିକି ଆସ୍ଥା ସ୍ଥାପନ କରିବାର କଥା, ଯାହାକୁ ଯେତିକି ବିଶ୍ଵାସ କରିବାର କଥା, ସେତିକି କରିବା ଉଚିତ ।

 

ତୁମର କଥା ଶୁଣି ସତେ ଉର୍ବଶୀ, ଆଖି ମୋର ଅଶ୍ରୁ ଛଳ ଛଳ ହୋଇଗଲା । ନିଜକୁ ନିଜେ ସମ୍ଭାଳି ପାରିଲିନି ମୁଁ । କାନ୍ଦିଲି, ଖୁବ୍‍ ମନଭରି କାନ୍ଦିଲି । ମୋ’ ପାଟି ଶୁଣି ନୂଆବୋଉ ଡାକିଲେ–‘‘ସ୍ଵୟମ୍ଭୂ, ସ୍ଵୟମ୍ଭୂ, ତୁମେ କ’ଣ ଶୋଉ ଶୋଉ ପିଲାଙ୍କ ଭଳି ବିଳିବିଳାଉଛ ମ ?

 

ଭାଇ କହିଲେ ପେଟରେ ତା’ର ବୋଧହୁଏ କୃମି ହୋଇଛନ୍ତି । ବିଳିବିଳେଇବା କୃମିର ପ୍ରଧାନ ଲକ୍ଷଣ । ତାକୁ କଞ୍ଚା ହଳଦୀ ଖୁଆଅ ନଚେତ୍‍ ଚିରେଇତା ବାଟି ପିଆଇ ଦିଅ ।

 

ଅବ୍ୟକ୍ତ ବେଦନାରେ କଣ୍ଠ ମୋର ରୁଦ୍ଧ ହୋଇଗଲା । କାହାକୁ କିଛି କହିପାରିଲିନି ମୁଁ । ସେତେବେଳକୁ ଦେଖେତ ଆଖିର ଲୁହରେ ତକିଆ ମୋର ଓଦା ହୋଇ ସାରିଲାଣି ।

 

ମୁଁ ପୁଣି ଅନାଇଲି ଜହ୍ନ ଆଡ଼କୁ । ତୁମର ସୁଠାମ ଚନ୍ଦ୍ରବଦନଟି ଭାସି ଉଠିଲା ଜହ୍ନ ଦେହରେ ମୋର ନୟନ ସମ୍ମୁଖରେ । ମୁଁ ଦେଖିଲି ତୁମ ମୁହଁରେ ଦୁଷ୍ଟ ହସ, ଯେମିତି ହସ ହସେ ଚତୁର୍ଥୀ ବାସି ଦିନ ନବ ପରିଣିତା ନବ-ବଧୂ । ମୁଁ ତୁମ ପୁଷ୍ପିତ ଚିବୁକରେ ସରୁ ଚାପୁଡ଼ାଟି ମାରିବା ପାଇଁ ଉଦ୍‍ଗ୍ରୀବ ହୋଇ ହାତ ବଢ଼ାଇଲି ।

 

ତୁମେ ଭ୍ରୂକୁଞ୍ଚିତ କରି ମୁହଁଟିକୁ ଦୂରେଇ ନେଇ ଚୁପୁ ଚୁପୁ କରି କହିଲ–‘ଛୁଅଁନା, ଛୁଅଁନା, ମୁଁ ପରନାରୀ ।’’

 

ମୁଁ ଅପ୍ରତିଭ ହୋଇ ଅନାଇ ରହିଲି ତୁମ ଆଡ଼େ । ମୁଁ ଦେଖିଲି, ତୁମେ ଆଉ ପୂର୍ବର ଉର୍ବଶୀ ହୋଇନାହଁ । ତୁମଠାରେ ପରିବର୍ତ୍ତନର ଝଡ଼ ଛୁଟୁଛି । ମୁଁ କୌତୁକ କରି ତୁମ ମୁଣ୍ଡରେ ଦାଉ ଦାଉ ହୋଇ ଶୋଭା ପାଉଥିବା ସିନ୍ଦୂର ଟୋପାଟିକୁ ଲିଭାଇବାକୁ ଚେଷ୍ଟା କଲି । ତୁମେ ଘୃଣା ଆଉ ବିଦ୍ଵେଷରେ ଫୁଲି ଉଠି କହିଲ–“ବୁଝିଲ ବନ୍ଧୁ, ବିବାହିତା ନାରୀ ପାଖରେ ସିନ୍ଦୂରର ମୂଲ୍ୟ ସର୍ବାଧିକ-। ତୁମେ ଈର୍ଷାପରାୟଣ ହୋଇ ତାକୁ ଲିଭାଇବାକୁ ଚେଷ୍ଟା କଲେ ମୁଁ ଉଚିତ ପ୍ରତିଶୋଧ ନେବାକୁ ଆଦୌ ପଶ୍ଚାତ୍‌ପଦ ହେବି ନାହିଁ ।’’

 

ମୁଁ ମର୍ମେ ମର୍ମେ ଅନୁଭବ କଲି ଯେ, ତୁମେ ଅଳ୍ପଦିନ ଭିତରେ ଘରସଂସାର ବିଷୟରେ ବହୁତ କଥା ଜାଣି ଯାଇଛ । ପାର୍ଥିବ ଜଞ୍ଜାଳ ସମ୍ବନ୍ଧରେ ଅସୀମ ଅଭିଜ୍ଞତା ଅର୍ଜନ କରିଛ ।

 

ମନକୁ ପରିବର୍ତ୍ତନ କରିବା ପାଇଁ ଟିକେ ବାହାରକୁ ଗଲି । ଦେଖିଲି କୁଣ୍ଡରେ ଥିବା କ୍ରୋଟନ୍‍ ଗଛଗୁଡ଼ା ଯେପରି ମୋତେ ଅଟ୍ଟହାସ୍ୟ କରୁଛନ୍ତି ।

 

ଏଥର ଆକାଶ ଆଡ଼କୁ ଅନାଇଲି ।

 

ଆଉ ଏଥର ତୁମର ମୁହଁ ଦେଖାଗଲା ନାହିଁ, ଜହ୍ନ ଭିତରେ । ସରଗ ତାରାଗୁଡ଼ା ଖାଲି ବିଦ୍ରୂପାତ୍ମକ ଠାଣିରେ ଉଙ୍କିମାରି ମୁଣ୍ଡ ଟୁଙ୍ଗାରି ହସୁଛନ୍ତି ।

 

ମୁଁ ପୁଣି ବିଛଣା ଉପରେ ଆସି ଦେହକୁ ଲୋଟାଇ ଦେଲି । ଯେତେ ଚେଷ୍ଟା କଲେ ବି ଆଖିକି ଆଦୌ ନିଦ ଆସିଲା ନାହିଁ ।

 

ସତରେ ‘ଉ’ ଏତେ ଦିନକରେ ଜାଣିଛି ମୁଁ ମୃଗତୃଷ୍ଣା ପଛରେ ଗୋଡ଼ାଉ ଥିଲି । ନଦୀ, ନାରୀକି କେବେ ବିଶ୍ଵାସ ନାହିଁ ।

 

ତୁମେ ମୋର ଛୋଟିଆ କଥାଟି ମନେରଖିବ ଉର୍ବଶୀ । ପୃଥିବୀର ସବୁପ୍ରାଣୀଙ୍କି ପୋଷା ମନାଇବା ପାଇଁ ଚେଷ୍ଟା କରିବ, ମାତ୍ର ସ୍ଵପ୍ନରେ ସୁଦ୍ଧା କେବେ ବିଶ୍ଵାସ କରିବ ନାହିଁ ଏ ବିଶ୍ଵାସଘାତକ ମଣିଷର କଥା । ଆଦାମ ଇଭ୍‍ ଠାରୁ ମଣିଷ କେବେ କେଉଁଠି କାହାର ପୋଷାମାନି ନାହିଁ । ଆଜିବି ପୋଷାମାନୁ ନାହିଁ କି ଭବିଷ୍ୟତରେ ମଧ୍ୟ ପୋଷାମାନିବ ନାହିଁ ।

 

ସ୍ଵାର୍ଥାନ୍ଧ ହୋଇ ମଣିଷ ଯେଉଁଠି ପୋଷା ମାନିବାର ସଂକେତ ଦେଇ ପାହାଡ଼ୀ ମୂଷାର ନମ୍ରତା ଆଚରଣ କରିଥିବ, ସେଠାରେ ନିଶ୍ଚୟ ସାରୁ ଭିତରେ ମାରୁ ଥିବ । ପରିଣାମ ନିଶ୍ଚୟ ଭୟାବହ ହୋଇଥିବ । ନାଟକର ପରିଣତି ଆସିବା ପୂର୍ବରୁ ଯବନିକା ପତନ ଘଟିଥିବ ।

 

ରାତି ଖୁବ୍‍ ବେଶି ହେଲାଣି । ମୁଁ ଏବେ ଟିକିଏ ଶୋଇବାକୁ ଚେଷ୍ଟାକରେ ।

 

ତୁମର ସ୍ଵାମୀ ବରେନ୍ଦ୍ର ବାବୁଙ୍କ ସଂଗରେ ପ୍ରାୟ ସବୁଦିନ ଦେଖାହୁଏ । ସେ ଆମ କଲେଜର ମେଡିକାଲ ଅଫିସର । ତାଙ୍କ କଥା, ଭାଷା, ଚାଲିଚଳଣରୁ ମୋର ଯାହା ମନେହୁଏ, ଅତିମାତ୍ରାରେ ଆତ୍ମଗର୍ବୀ, ଅବିଶ୍ଵାସୀ, ଏକଜିଦିଆ ଓ ସନ୍ଦେହୀ । ଶୁଣିଲି, ତୁମର ଶଶୁର ନିକୁଞ୍ଜବାକୁ ମଧ୍ୟ ତଦ୍ରୂପ ।

 

ଯାହାହେଉ, ଚିଠିଟି ପଢ଼ିସାରି ଚିରି ପାଦରେ ଦଳିଦେବ, କାରଣ ଚିଠି ହିଁ ବେଳେ ବେଳେ ପ୍ରଳୟର ସୂତ୍ରପାତ କରିଥାଏ । ବହୁ ସୁନାର ସଂସାରକୁ ଭାଙ୍ଗି ଚୂରମାର କରିଦିଏ । ସନ୍ଦେହର ଝଡ଼ଛୁଟାଇ ମନୋମାଳିନ୍ୟର ଅଲଙ୍ଘ୍ୟ ଉତ୍ତୁଙ୍ଗ ପ୍ରାଚୀର ଠିଆ କରିଦିଏ ।

 

ଶେଷରେ ଏତିକି ଜାଣିବ ମୁଁ ସ୍ମୃତିରେ ହିଁ ବଞ୍ଚିଛି । ତୁମର ପଦିଏ ପଦିଏ କଥା ଏବେ ମଧ୍ୟ ମୋ’ ମନରେ ଖଣ୍ଡିଏ ଖଣ୍ଡିଏ ପୋଥି ହୋଇ ରହିଛି । ଯେଣେ ଚାହିଁଲେ ତେଣେ ତୁମେ ମୋ’ ନୟନରେ ନାଚୁଛ । ଭଗବାନ ତୁମର ମଙ୍ଗଳ କରନ୍ତୁ । ଇତି ।

 

ତୁମର ସ୍ଵୟମ୍ଭୂ

 

କୋକଶାସ୍ତ୍ରକୁ ପ୍ରାପ୍ତ ବୟସ୍କ ପ୍ରଣୟ ପାଗଳ ଯୁବକ ପଢ଼ିଲା ଭଳି ଏକ ନିଃଶ୍ଵାସକେ ଚିଠି ଖଣ୍ଡିକୁ ପଢ଼ି ଶେଷ କରି ଦେଲେ ନିକୁଞ୍ଜ ବାବୁ । ଚିଠି ଶେଷକଲା ବେଳକୁ ହେହରେ ଯେମିତି ତାଙ୍କର ଅଗ୍ନି ଜଳୁଥିଲା । ଶିରା ପ୍ରଶିରାରେ ବହୁଥିଲା ଉଷ୍ଣ ପ୍ରସ୍ରବଣ । ନାସିକାରେ ପ୍ରବାହିତ ହେଉଥିଲା ଉତତ୍ପ ପ୍ରଖର ନିଃଶ୍ଵାସ ।

 

ସେ ବାଘ ଭଳି ଘୁମୁରି ତଳକୁ ଡେଇଁପଡ଼ି କହିଲେ–‘‘ନା,ନା, ଏ ଭଳି ବୋହୂ ମୋର ଦରକାର ନାହିଁ । ସେ ମୋ’ ହାଣ୍ଡିଶାଳେ ପଶି, ଦେଇପିଣ୍ଡିରେ ପାଣି ଦେଲେ ସପ୍ତ ପୁରୁଷ, ବଡ଼ବଡ଼ୁଆ ପାଣି ପାଇବା ତ ଦୂରର କଥା ବରଂ ଅହିନର୍କରେ ପଡ଼ି ଛଟପଟ ହୋଇ ମରିବେ । ଆଜି ଏହାର ଗୋଟାଏ ଶେଷ ନଷ୍ପତ୍ତି କରିବାକୁ ହେବ ।

 

ଗତକାଲି ଶିକ୍ଷା କମିଶନର ବୈଠକରେ ଯୋଗ ଦେଇ ଫେରିଲାବେଳେ ପୋଷ୍ଟମ୍ୟାନ ପଛରୁ ଡାକି ଦେଇଥିଲେ ଏ ଚିଠି । ନିକୁଞ୍ଜ ବାବୁ ସନ୍ଦେହରେ ଚିଠିଟିକି ଖୋଲିଥିଲେ କାରଣ ଉର୍ବଶୀ ବୋହୂ ହୋଇ ତାଙ୍କ ଘରକୁ ଆସିଲା ଦିନୁ ସେ ତାକୁ ଆଦୌ ସୁଖ ପାଉ ନଥିଲେ ।

 

ସେ ଚାଲିଲେ ଦୋଷ, ବସିଲେ ଦୋଷ, ହସିଲେ ମଧ୍ୟ ଦୋଷ ବାରୁଥିଲେ । ଉର୍ବଶୀର ପିତା ବିବାହ ବେଦୀରେ ଜବାବ କରିଥିବା ଯୌତୁକ ଜିନିଷ ଅଷ୍ଟମଙ୍ଗୁଳା ଦିନ ନପଠାଇ ଥିବା ହେତୁ ତାଙ୍କର କ୍ରୋଧର ପରିସର ସୁଦୂର ପ୍ରସାରୀ ହୋଇଥିଲେ । ସେ ଉର୍ବଶୀକି ବାହାର କରିଦେଇ, ଆଉ ଅନ୍ୟସ୍ଥାନରେ ପୁଅକୁ ବିବାହ କରି, ଉର୍ବଶୀର ବାପାକୁ ଉଚିତ ଶିକ୍ଷା ଦେବାର କଳ୍ପନା ମନେମନେ କରିଥିଲେ । ତେଣୁ ସେ ଏକ ସୁଯୋଗ ଉଣ୍ଡୁଥିଲେ । ସ୍ଵୟମ୍ଭୂଠାରୁ ଆସିଥିବା ଚିଠିଟି ହିଁ ତା’ର ପଥ ପରିଷ୍କାର କରିଦେଲା ।

 

ଏଥର ନିକୁଞ୍ଜ ବାବୁ ଏକ କୌଶଳ ପାଞ୍ଚିଲେ ମନେମନେ । ସେ ଭାବିଲେ କୌଣସି କାର୍ଯ୍ୟସାଧନ ପାଇଁ ଏତେ ଉଚ୍ଛୃଙ୍ଖଳତାର ଆଶ୍ରୟ ନେବା ଉଚିତ ନୁହେଁ । ଧୀର ପାଣି ପଥର କାଟେ-। ବୁଝିବିଚାରି କାର୍ଯ୍ୟ କଲେ ପ୍ରମାଦ ପଡ଼ିବାର ଆଶଙ୍କା ନଥିବ । ସାମାନ୍ୟ ସାମାନ୍ୟ କଥାରେ ଏତେ ଉତ୍ତେଜିତ ହେଲେ ପରିଣାମ ଭୟଙ୍କର ହେବା ଅବଶ୍ୟମ୍ଭାବୀ । ଧୀରେ, ସୁସ୍ଥ ସବୁ କାର୍ଯ୍ୟ ହାସଲ କରିବା ଭଲ ।

 

ଏହିପରି ନାନାକଥା ଭାବୁଥିଲା ବେଳେ–ଅମ୍ବିକା ଦେବୀ ଆଣି ଚାହା ଦେଇଗଲେ । ସେ ଫେରି ଯାଉଥିଲା ବେଳେ ପଛରୁ କଅଁଳେଇ ଡାକିଲେ ନିକୁଞ୍ଜବାବୁ ।

 

“ହଇକି ହେ ! ଟିକେ ଶୁଣ, ଶୁଣ ।’’

 

ଅମ୍ବିକା ଦେବୀ କହିଲେ–“କ’ଣ ଆଜିତ ଗୋବାଏ ନୂଆ କଥା । ଗଲା କେଇବର୍ଷ ହେଲା ଏମିତି ସୋହାଗିଆ ଡାକତ କେବେ ଡାକନା । କ’ଣ କୁଆଡ଼େ ହୋଇଛି କି ?’’

 

ଆଜି ନୁହେଁ, ଅମ୍ବିକା ଦେବୀ । ଗଛ ଉଠିଲା ଦିନୁ, ପତ୍ର ଫୁଟିଲା ଦିନୁ ସେ ଭଲ ଭାବରେ ଜାଣନ୍ତି, ପ୍ରଚଣ୍ଡ ଝଡ଼ର ଆଗମନ ପୂର୍ବରୁ ଆକାଶ, ପୃଥିବୀ ଯେପରି କିଛିକ୍ଷଣ ସ୍ତବ୍ଧ ହୋଇଥାଏ, ତା’ପରେ ବାତ୍ୟାପୂର୍ଣ୍ଣ ଯୌବନ ଲାଭକରି ପ୍ରଳୟ ସଂଘଟିତ କରେ, ସେହିଭଳି କୌଣସି ଗୋଟିଏ ବଡ଼ ଧରଣର ଗୋଳମାଳ ଘଟାଇବା ପୂର୍ବରୁ ନିକୁଞ୍ଜ ବାବୁ ଛଳନାର ମାୟାଜାଲ ବୁଣି ଖୁବ୍‍ ଗମ୍ଭୀର ହୋଇଯାଆନ୍ତି । ପ୍ରଶାନ୍ତ ଆକାଶର ଉଦାର ଭାବ ପ୍ରଦର୍ଶନ କରନ୍ତି । ସହନଶୀଳତାର ଦ୍ୱାହି ଦେଇ ଦାନ୍ତ ଚିପି ଚିପି ମିଠା କଥା କହନ୍ତି । ତା’ପରେ ଭଷ୍ମ ଆଚ୍ଛାଦିତ ବହ୍ନିକଣା ମନ୍ଦ ବାତ ସଂଯୋଗରେ ପ୍ରଜ୍ଜ୍ୱଳିତ ହେଲାଭଳି ସେ ସାମାନ୍ୟ ସାମାନ୍ୟ କଥାକୁ ଆଳକରି ଅଦ୍ଭୁତ କାଣ୍ଡର ସୂତ୍ରପାତ କରନ୍ତି ।

 

ନିକୁଞ୍ଜ ବାବୁଙ୍କର କାର୍ଯ୍ୟକଳାପକୁ ଲକ୍ଷ୍ୟକରି ଅମ୍ବିକା ଦେବୀ ମନେମନେ କ୍ଷୁଣ୍ଣା ହୁଅନ୍ତି-। ସ୍ଵାମୀ ହେଲେ କ’ଣ ହେଲା ? ଏତେ ପାଠଶାଠ ମଧ୍ୟ ଯେଉଁ ଖଣ୍ଡିଗୁଣା ବୁଦ୍ଧିରେ ଧରନ୍ତି ତାକୁ ଅମ୍ବିକା ଦେବୀ ଆଦୌ ପସନ୍ଦ କରି ପାରନ୍ତି ନାହିଁ । ସବୁ କଥାରେ ଗୋଟାଏ ସମସ୍ତଙ୍କୁ ସନ୍ଦେହ କ’ଣ ? ଜିଦ୍‍ ପୁଣି କ’ଣ ? ଛି, ଛି, ଏଗୁଡ଼ା ଆଉ ଏ ଦିନେ ଶୋଭା ପାଏନା ।

 

ପୁଅ ବାହାକଲ । ବୋହୂ ଆଣିଲ । କାଲି ସକାଳେ ନାତି ନାତୁଣୀ ଖେଳାଇବ । ସବୁଦିନେ ଗୋଟାଏ ଏମିତି ହୀନ ବୁଦ୍ଧି କ’ଣ ? ଆଉ କ’ଣ ବଳ ବୟସ ମାଡ଼ି ଯାଉଛି ?

 

ଆମ ବେଳକାଳ ସରି ଆସିଲା । ପିଲାଙ୍କୁ ଛାଡ଼ିଦେବା, ସେ ତାଙ୍କର ଭଲମନ୍ଦ ବୁଝିବେ-। ଗଲା ଆଇଲା, ବନ୍ଧୁବାନ୍ଧବ ଲୋଡ଼ିବେ । ତାଙ୍କର ପକ୍ଷି ଲାଗିଲାଣି–ସେ ଉଡ଼ିବେ । ତାଙ୍କ ଉପରେ ଆମେ ଆଉ ହୁକୁମ ଜାହିର କରି, ପିଞ୍ଜରାବଦ୍ଧ କରିବାକୁ ଚେଷ୍ଟା କରି ବା ଲାଭ କ’ଣ-?

ଏ ଗୋଟିଏ ଲୋକ । ଏ ଆଦୌ କିଛି ବୁଝିପାରୁ ନାହାନ୍ତି । ପଦାରେ ୟାଙ୍କର କେତେ ନାଆଁ ପଡ଼ୁଛି । ପ୍ରତିଦିନ ସମ୍ବାଦପତ୍ର ସ୍ତମ୍ଭ ପ୍ରଶଂସାରେ ପୂରିଯାଉଛି । ପାହୁଣ୍ଡକୁ ପନ୍ଦରଟା ନମସ୍କାର ମିଳୁଛି ।

ଅମ୍ବିକା ଦେବୀ ଏଥର ନିକୁଞ୍ଜବାବୁଙ୍କୁ ପଚାରିଲେ–“କାହିଁକି ଡାକିଲ କହୁନା ?’’

ନିକୁଞ୍ଜବାବୁ ସ୍ଵଳ୍ପ ଶ୍ଳେଷାତ୍ମକ ହସ ହସି କହିଲେ–‘‘ନା, ଡାକିବାର କିଛି ବିଶେଷ କାରଣ ନାହିଁ । ବରେନ୍ଦ୍ର କ’ଣ କରୁଛି ?’’

ଅମ୍ବିକା ଦେବୀ କହିଲେ–“ସେ କ’ଣ ଆଗେ ଉଠିଲାଣି ? କାଲିପରା କୁଆଡ଼େ ସାଙ୍ଗମାନଙ୍କ ସାଙ୍ଗରେ ଯାଇଥିଲା । ବହୁତ ରାତିରେ ଫେରିଲା । ଖାଇବାକୁ ଯେତେ ବଳାଇଲି, ଖାଇଲା ନାହିଁ ମନା କଲା ।’’

ନିକୁଞ୍ଜବାବୁ ପଚାରିଲେ–“କ’ଣ ତା’ ଦେହ ହୋଇଛି କି ?’’

ଅମ୍ବିକା ଦେବୀ କହିଲେ–‘‘କେଜାଣି ? ଚଢ଼େଇର ଚେଁଚେଁରୁ ତା’ ପେଟର କଥା ପଛେ ଜାଣିହେବ କିନ୍ତୁ ଏ ଗୋଟାଏ ଏମିତି ପିଲା ଯେ ୟାକଥାରୁ କିଛି ଜାଣିହେବ ନାହିଁ । ମୁଁ ଏବେ କେମିତି ଜାଣିବି ତା’ ଦେହ କ’ଣ ହୋଇଛି ?’’

 

ନିକୁଞ୍ଜବାବୁ ପୁଣି କହିଲେ–“ସେ ବେଶି ସମୟ ଶୋଇବାରେ ମୋର କିଛି ଆପତ୍ତି ନାହିଁ ସତ, ମାତ୍ର ଜଣେ ଉଦୀୟମାନ ଯୁବ ଡାକ୍ତର ପକ୍ଷରେ ଏହା ଆଦୌ ଶୋଭା ପାଏନା । ଯେଉଁମାନେ ଅଜସ୍ର ଜୀବନ ସାଙ୍ଗରେ ସବୁବେଳେ ଖେଳ ଖେଳୁଛନ୍ତି ସେମାନେ ସମୟର ମୂଲ୍ୟ ବୁଝିବା ଉଚିତ । କର୍ତ୍ତବ୍ୟନିଷ୍ଠାର ମହତ୍ତ୍ୱ ହୃଦୟଙ୍ଗମ କରିବା ବିଧେୟ । ଯେଉଁ ଯୁବଜନମାନେ ଜାତୀୟ ଜୀବନ ନାଟିକାରେ ସ୍ପନ୍ଦନ ଖେଳାଇ ନବଯୁଗର ସନ୍ଧାନ ଦେବେ, ସେମାନେ ଯଦି ନିଦ୍ରାଳୁ ହୋଇ ଭୀରୁ କାପୁରୁଷ ପରି କାର୍ଯ୍ୟ କରିବେ, ତେବେ ଆଉ କାହା ଉପରେ ଆସ୍ଥା ସ୍ଥାପନ କରିହେବ ?

 

ତୁମେ ଯାହା କୁହ ପଛେ, ଯାହା ଭାବ ପଛେ ବରେନ୍ଦ୍ରକୁ ଏ ବଦଭ୍ୟାସ ତ୍ୟାଗ କରିବାକୁ ହେବ । ତାକୁ ବ୍ରାହ୍ମମୁହୂର୍ତ୍ତରୁ ଉଠି ନିଜର ଦୈନନ୍ଦିନ କାର୍ଯ୍ୟ ସମାପନ କରି କର୍ତ୍ତବ୍ୟ ପଥରେ ଆଗୁସାର ହେବାକୁ ହେବ । ନିଜର ପୁଣ୍ୟ କର୍ତ୍ତବ୍ୟ ପ୍ରତି ଅବହେଳା କଲେ ବୁଝିବାକୁ ହେବ ଯେ, ବିଶ୍ଵକର୍ତ୍ତା ଭଗବାନଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ କରାଯାଉଛି । ‘କର୍ମନିଷ୍ଠା ହିଁ କର୍ମର ଜନନୀ ।’

 

ତା’ପରେ ଉଚ୍ଚଶିକ୍ଷିତ, ବୁଦ୍ଧିମାନ ଯୁବକମାନେ କଥା କାବ୍ୟର ସମନ୍ଵୟ ସମ୍ପାଦନ କରିବା ଏକାନ୍ତ ଆବଶ୍ୟକ । ଜଣକୁ ଉପଦେଶ ଦେବା ଆଗରୁ ସେ ନିଜେ ସେ ଉପଦେଶର ମାହାତ୍ମ୍ୟ ବୁଝିଥିବା ଉଚିତ । ପୋଥି ବାଇଗଣକୁ ବାଡ଼ି ବାଇଗଣ କରିବା ଉଚିତ । ଯେଉଁମାନେ ପୃଥିବୀରେ କଥା ଓ କାର୍ଯ୍ୟର ସମନ୍ଵୟ ସ୍ଥାପନ କରିବାକୁ ସମର୍ଥ ହୁଅନ୍ତି ସେମାନେ ଜନମନ ରାଜ୍ୟରେ ସ୍ଵତନ୍ତ୍ର ଆସନ ପା’ନ୍ତି । କାଳବକ୍ଷରେ ସେମାନଙ୍କର ନାମ ଅମର ହୋଇ ରହେ ।

 

ପୁଣି ଶ୍ରମର ମୂଲ୍ୟବୋଧ ସମ୍ପର୍କରେ ଯିଏ ସଚେତନ ନୁହେଁ ସେ ଆଦୌ ଜୀବନରେ ଉନ୍ନତି ପଥରେ ପ୍ରଧାବିତ ହୋଇପାରିବ ନାହିଁ । ସେ ସବୁବେଳେ ପରାଙ୍ଗପୁଷ୍ଟ ମଲାଙ୍ଗ ପରି ଅପରର ଅଭୟ ଆଶ୍ରା ଖୋଜି ବୁଲିବ । ନିଜ ଗୋଡ଼ରେ ନିଜେ ଠିଆ ହୋଇ ନିଜ ଭାଗ୍ୟଭଣ୍ଡାର ଦ୍ଵାରର ଚାବି ନ ଖୋଲିଲେ କେହି ତାହା କରି ଦେବେ ନାହିଁ ।

 

ଯେବେ ଭଲ ମଣିଷ ହେବାକୁ ହେବ, ତେବେ ଜନତା ଜନାର୍ଦ୍ଦନଙ୍କର ଆଶୀର୍ବାଦ ଲାଭ କରିବାକୁ ହେବ । ଜଗତ ମୁଖେ ହରି । ଜଗତ ଜନ ଯାହାକୁ ଭଲ କହିବେ ତାକୁ ବୁଝିବାକୁ ହେବ ଯେ ଭଗବାନ ତା’ ଉପରେ ସନ୍ତୁଷ୍ଟ ଅଛନ୍ତି ।

 

ସେବା ଧର୍ମ ହେଉଛି ପୃଥିବୀରେ ମହାନ ଧର୍ମ । ଏ ଧର୍ମରେ ଯେ ଦିକ୍ଷମତ ହେବ ସେ ଏକାନ୍ତ ବିନୟୀ, ଏକାନ୍ତ ସଦାଚାରୀ, ଏକାନ୍ତ ନିରଳସ ହେବା ଦରକାର ।

 

ହେଉ, ହେଉ–ପିଲାଲୋକ କ୍ଳାନ୍ତ ହୋଇ ଦିନେ ଏବେ ଶୋଇ ପଡ଼ିଛି, ଶୋଉ, ତାକୁ ଡାକ ନାହିଁ । ଶାସ୍ତ୍ର କହୁଛି କୌଣସି ଲୋକ ଶୋଇଥିଲା ବେଳେ ତାକୁ ଡାକିବା ଉଚିତ ନୁହେଁ । ତା’ ଦ୍ଵାରା ଶାରୀରିକ କ୍ଷତି ସାଧନ ହୋଇଥାଏ । ସେଥିପାଇଁ ସାଧାରଣତଃ କୌଣସି ଲୋକ ଶୋଇଥିଲା ବେଳେ ତାକୁ ପ୍ରଥମେ ହଲାଇ ଦେଇ ତା’ପରେ ନିଦରୁ ଉଠିବା ପାଇଁ ଡକାଯାଏ । ଶୋଇଛିତ ଶୋଇଥାଉ । ତା’ର ନିଦ ଭାଙ୍ଗିଲେ ମୋ’ ପାଖକୁ ଟିକେ ଡାକି ଦେବ ।

 

ଅମ୍ବିକା ଦେବୀ ପୁଣି ପଚାରିଲେ–“ମୋତେ କ’ଣ କହୁନା । ମୁଁ ତାକୁ କହିଦେବି ।’’

 

ନିକୁଞ୍ଜବାବୁ ଟିକିଏ ବିରକ୍ତ ହୋଇ କହିଲେ–‘‘ତୁମେ ତୁମ ସୀମା ଭିତରେ ରୁହ । ତୁମେ ସବୁକଥା ଜାଣିବାକୁ କାହିଁକି ଚେଷ୍ଟା କରୁଛ ?’’

 

ଅମ୍ବିକା ଦେବୀଙ୍କୁ ଟିକିଏ ବାଧିଲା । ସେ ତମ ତମ ହୋଇ ଆଖି ପିଛୁଳାକେ ଘର ଭିତରୁ ବାହାରିଗଲେ ।

 

ନିକୁଞ୍ଜବାରୁ ଏଥର ଖବରକାଗଜରେ ଥିବା ଦେଶ ବିଦେଶର ଖବର ଉପରେ ଦୃଷ୍ଟି ପକାଇଲେ ।

 

ଉର୍ବଶୀ କେତେବେଳୁ ଉଠି ଗାଧୋଇବାକୁ ଯାଇଥିଲା । ଗାଧୋଇ ଆସି, ଲୁଗା ପାଲଟି ସାରି ବରେନ୍ଦ୍ରକୁ ହଲାଇ ଦେଇ, ଚୁପୁ ଚୁପୁ କରି ଡାକିଲା–“କ’ଣ ଆଜି ଉଠିବ ନାହିଁ କି ? ଆଠଟା ବାଜିଲାଣି ପରା !’’

 

ବରେନ୍ଦ୍ର ବିଛଣାରେ ଶୋଇ ମୁହଁ ତଳକୁ କରି–“ଉହୁଁ, ଉହୁଁ କହି ମୁଣ୍ଡ ହଲାଇଲା ।’’

 

ଉର୍ବଶୀ ଆଉ ଟିକିଏ ପାଖକୁ ଲାଗିଯାଇ ବରେନ୍ଦ୍ରର ବେକତଳେ ହାତ ପୂରାଇ ‘‘ଉଠ, ଉଠ’’ ବୋଲି କହି ଉଠାଇଲା ।

 

ବରେନ୍ଦ୍ର ଉର୍ବଶୀର ଫୁଙ୍ଗୁଳା ଦେହରେ କୁତୁ କୁତୁ କଲା । ଖିଲି ଖିଲି କରି ହସି ଉଠିଲା ଉର୍ବଶୀ । ବରେନ୍ଦ୍ର ପୁଣି ଯେତେବେଳେ ‘‘କାଳିଆ ବଳଦ ଗଲାରେ, ଗଲାରେ” କରି ବାରମ୍ବାର କୁତୁ କୁତୁ କରିବାକୁ ଆରମ୍ଭ କଲା, ଉର୍ବଶୀ ସେତେବେଳେ କହିଲା–‘‘ମରିଯିବି, ମରିଯିବି, ମୋ’ ରାଣ ମୋତେ ଆଉ ହସାଅନି । ବାପା, ବୋଉ ଦୁହେଁ ସେ ଘରେ ଅଛନ୍ତି, କ’ଣ ଭାବିବେ ?’’

 

ବରେନ୍ଦ୍ର ରସିକତା କରି କହିଲା–‘‘ବାପା, ବୋଉ ଦୁହେଁ ଏୟା ଭାବିବେ ଯେ ପୁଅ ବୋହୂ ଆମର ରଙ୍ଗରସରେ ମାତିଛନ୍ତି । ସତ କହୁଛି, ତୁମେ ମୋ’ ପାଖରେ ବସ, ନଚେତ୍‍ ଉଠିବି ନାହିଁ ।’’

 

ଉର୍ବଶୀ କହିଲା–“ଏକି ଅଲାଜୁକ କଥା ମ । ମୁଁ ଗାଧୋଇ ଆସିଛି, ସେବାପୂଜା କିଛି କରି ନାହିଁ । ଗୀତା କି ଭାଗବତ କିଛି ପଢ଼ି ନାହିଁ । ସାହି ସାରା ସମସ୍ତେ ଉଠିଲେଣି । ତହିଁରେ ଆଜି ପୁଣି ଗୁରୁବାର । ଦୁଆରେ ଚଉକା ଦିଆ ହୋଇନି କି ଚୁଲିରୁ ବାସି ପାଉଁଶ କଢ଼ା ହୋଇନି । ରାଇଜସାରା କାମ ପଡ଼ିଛି । ଦୁଇଥର ରୋଷେଇ କରିବାକୁ ହେବ । ତୁମ ପାଇଁ ସବୁ ରନ୍ଧାହେବ ଉଷୁନା । ପୁଣି ଚୁଲି ଲିପା ହୋଇ ବୋଉଙ୍କ ପାଇଁ ରନ୍ଧାହେବ ଅରୁଆ ।’’

 

ବରେନ୍ଦ୍ର ଚିଡ଼ିଯାଇ କହିଲା–“ତୁମେ ମୋ’ପାଇଁ ଆସିଛ । ବୋଉ ପାଇଁ ନୁହେଁ । ମୁଁ ଯେତେବେଳେ ଯାହା କହିବି ତାହା ତୁମେ କରିବାକୁ ବାଧ୍ୟ ।’’

 

ଉର୍ବଶୀ କହିଲା–‘‘ମଲା, ମୁଁ ଏମିତି ତୁମର କେଉଁ କଥାରେ ଅବାଧ୍ୟ ହେଲିକି ? ତୁମରତ ଇଚ୍ଛା ଯାହା ଯେତେବେଳେ ହେଉଛି, ତୁମେ ତାହା କରୁଛ । ମୁଁ କ’ଣ କେବେ ବାଧା ଦେଇଛି ନା ବାରଣ କରିଛି ? ବାପା ମା’ ସିନା ଜନ୍ମ ଦେଇ, ଷୋଳବର୍ଷ କାଳ ବଢ଼ାଇଥିଲେ । ମାତ୍ର ଅଗ୍ନି, ସମ୍ମୁଖରେ ଦଶ ଦିଗପାଳଙ୍କୁ ସାକ୍ଷୀ ରଖି ତୁମ ହାତ ଧରିଲା ଦିନୁ ଏ ଦେହରାଜ୍ୟରେ ତ ତୁମର ପୂର୍ଣ୍ଣ ଅଧିକାର । କାହାର ସେଥିରେ କ’ଣ କହିବାର ଅଛି ?’’

 

ବରେନ୍ଦ୍ର ଏଥର ବଙ୍କେଇ ବଙ୍କେଇ କହିଲା–‘‘ତୁମେ । ଯଦି କହୁଛ–କେଉଁ କଥାରେ ଅବାଧ୍ୟ ନୁହଁ, ମୁଁ ଗୋଟିଏ କଥା କହିବି, ରଖିବ ? ତେବେ ମୋ’ ଦେହଛୁଇଁ ଆଗେ ନିୟମ କର ।’’

 

ଉର୍ବଶୀ ନିଜର ସୁଗନ୍ଧିତ ମୁକ୍ତ କୃଷ୍ଣ କୁନ୍ତଳକୁ ବାଆଁ ହାତରେ ଗଣ୍ଠି ପକାଉ ପକାଉ କହିଲା–‘‘ରଖିବା କଥା ହୋଇଥିଲେ ନିଶ୍ଚୟ ରଖିବି । ଦେହ ଛୁଇଁବି କାହିଁକି ? ମୋ’ ଦେହଟା ଯେମିତି ତୁମର, ତୁମ ଦେହଟା ସେମିତି ମୋର । ଆମର ଦୁଇଟି ଆତ୍ମା ଅଭିନ୍ନ ଆଉ ଏକକ । କେବଳ ଲୋକ ଦେଖିବାକୁ ଦୁଇଟା ଅଲଗା ଦେହ ।

 

ତୁମ ଦେହ ଛୁଇଁଲେ ମୋତେ ବୁଝିବାକୁ ହେବ ଯେ ମୋ ଦେହ ମୁଁ ଛୁଉଁଛି ।’’

 

ବରେନ୍ଦ୍ର କୌଣସି ଦୀର୍ଘ ଭୂମିକା ନଦେଇ ସିଧା ସଳଖ ଏଥର କହିଲା–‘‘ମୁଁ ଆଗ ନା ତୁମ ଭାଇ ଆଗ ?’’

 

ଉର୍ବଶୀ ଉତ୍ତର ଦେଲା–“ତୁମେ ଇହକାଳର ପରକାଳର ଦେବତା । ଭାଇ ଆଉ ତୁମ ସାଙ୍ଗରେ ସରି ହେବେ କେମିତି ?’’ ଜୀବନ ନଦୀର ଅନ୍ୟ ପାଖରେ ତାଙ୍କର ଆଜ୍ଞାନୁସାରେ ଚଳୁଥିଲି ସିନା; ‘‘ନଦୀ ଏ ପାଖରେ ତାଙ୍କର ମୋ’ ଉପରେ କି ଅଧିକାର ଅଛି ?’’

 

ବରେନ୍ଦ୍ର ଏଥର ଉଠି, ତା’ ମୁଣ୍ଡ ଉପରେ ଥୁଆ ହୋଇଥିବା ହ୍ୟାଣ୍ଡବ୍ୟାଗରୁ ଗୋଟିଏ ଛୋଟ ଶିଶି ବାହାର କରି ଉର୍ବଶୀ ଆଡ଼କୁ ବଢ଼ାଇ ଦେଇ କହିଲା–‘‘ହେଇ ନିଅ, ଏହାକୁ ତୁମ ଭାଇଙ୍କୁ କୌଶଳରେ ଯେ କୌଣସି ମତେ ଖୁଆଇ ଦେବ । ତାହାହେଲେ ତୁମ ବାପାଙ୍କର ସବୁ ସମ୍ପତ୍ତିର ଉତ୍ତରାଧିକାରୀ ଆମେ ହୋଇ ପାରିବା ।’’

 

ଉର୍ବଶୀ ଜିଭ କାମୁଡ଼ି ପକାଇ କହିଲା–“ନା–ନା, ମୁଁ ଏ କାମ କରି ପାରିବି ନାହିଁ । ମୋତେ ପଛେ ମାରିଦିଅ । ମୋତେ ଯିଏ କୋଳରେ ଶୁଆଇ, କାଖରେ କାଖେଇ ମଣିଷ କରିଛନ୍ତି-। ସେଇ ପ୍ରାଣ ପ୍ରତିମ ଭାଇଙ୍କୁ କୃତଘ୍ନତାର ଚରମ ସୀମାକୁ ଉଠି, ସାମାନ୍ୟ ପାର୍ଥିବ ଲାଳସାରେ ବିଷ ଦେଇ କିପରି ମାରିଦେବି ? ଏହା କଦାପି ହୋଇ ପାରିବ ନାହିଁ ।’’

 

ଉର୍ବଶୀ ପାଟିରୁ କଥା ନ ସରୁଣୁ ବରେନ୍ଦ୍ର ରାଗରେ ନିଆଁ ବାଣ ହୋଇ ଗୋଡ଼ତଳେ ଥୁଆ ହୋଇଥିବା ଆଲମିରାକୁ ଗୋଟିଏ ଗୋଇଠା ପକାଇଲା । ଆଲମାରି ଭିତରେ ଥିବା କାଚ ଜିନିଷ ସବୁ ଭାଙ୍ଗି ଝଣ ଝଣ ହୋଇ ଆଲମାରି ଭିତରେ ପଡ଼ିଗଲା । ପଦାକୁ ଏକ ଭୟଙ୍କର ଶବ୍ଦ ହେଲା ।

 

ଅମ୍ବିକା ଦେବୀ ଦଉଡ଼ି ଆସି ଉର୍ବଶୀକି ପଚାରିଲେ–“କ’ଣ ଏମିତି ଶବ୍ଦ ହେଲା ମା ?’’

 

ଉର୍ବଶୀ ନିଜକୁ ସଂଯତ କରି କହିଲା, ‘‘ନା–କିଛି ନୁହେଁ ।’’

 

ଅମ୍ବିକା ଦେବୀ ବୋହୂ କଥାରୁ କିଛି ବୁଝି ନପାରି ଯାଇ ବରେନ୍ଦ୍ରକୁ ପଚାରିଲେ–“କ’ଣ ଏମିତି ଶୁଭିଲା କିରେ ?’’

 

ବରେନ୍ଦ୍ର ଚତୁରତାର ସହିତ କହିଲା–“ଶଙ୍ଖି ବିରାଡ଼ିଟା ଆଲମାରି ଉପରକୁ ଡେଇଁ ପଡ଼ିଲା ।’’

 

ଅମ୍ବିକା ଦେବୀ ପୁଅ କଥାରୁ ବି କିଛି ବୁଝି ପାରିଲେ ନାହିଁ । ସେ କ୍ଷଣକାଳ ଚୁପ୍‍ ରହି ତା’ପରେ ପୁଅକୁ କହିଲେ–“ତୁ ଯାଉନୁ, ବାପା କାହିଁକି ସକାଳୁ ଉଠି ଡାକୁଛନ୍ତି ?’’

 

ବରେନ୍ଦ୍ର ଏଥର ବିଛଣାରୁ ଉଠି ନିକୁଞ୍ଜବାବୁଙ୍କ ପାଖକୁ ଚାଲିଗଲା । ନିକୁଞ୍ଜବାବୁ ଖବରକାଗଜ ଉପରୁ ମୁହଁ ଉଠାଇ ପଚାରିଲେ–“ବର୍ତ୍ତମାନ ଉଠିଲୁ ?’’

 

ବରେନ୍ଦ୍ର ବିନୟରେ କହିଲା–“ହଁ ।’’ ନିକୁଞ୍ଜବାବୁ ଏଥର ତକିଆ ତଳୁ ଚିଠି ଖଣ୍ଡିକ ବାହାରକରି ବଢ଼ାଇ ଦେଲେ ପୁଅ ହାତକୁ ।

 

ବରେନ୍ଦ୍ର ସେ ଚିଠି ଖଣ୍ଡିକୁ ନେଇ, ପୁଣି ଖଟ ଉପରେ ଶୋଇ ପଢ଼ିବାକୁ ଲାଗିଲା । ଚିଠି ଖଣ୍ଡିକ ପଢ଼ି ସାରିଲା ପରେ ଉର୍ବଶୀ ପ୍ରତି ଘୃଣାରେ ତା’ର ହୃଦୟ ପୁରିଗଲା । ଆଖିରୁ ଯେମିତି, ଆଗ୍ନେୟଗିରିର ଉଦ୍‌ଗୀରଣ ହେଲା । ମୁଣ୍ଡ ତା’ର ଘୂରାଇ ଦେଲା । ଶତ ବୃଶ୍ଚିକର ଦଂଶନ ଅନୁଭବ କଲା ସେ । ବରେନ୍ଦ୍ର ଭିତରର ପୁରୁଷକାର ଦୁର୍ବିସହ ଅପମାନରେ ମ୍ରିୟମାଣ ହେଲା ଯେମିତି ।

 

ବରେନ୍ଦ୍ର ପ୍ରଳୟର ମୂର୍ତ୍ତି ଧରି ଝଡ଼ବେଗରେ ରୋଷେଇ ଘରକୁ ପଶିଯାଇ, ଉର୍ବଶୀର କେଷାକର୍ଷଣ କରି ଝିଙ୍କିଆଣି, ଶାଙ୍କୁଚ ଲାଙ୍ଗୁଡ଼ରେ ବହେ ପିଟିଲା । ଉର୍ବଶୀ ‘‘ବାପାଲୋ, ବୋଉଲୋ” କହି, ଅସହ୍ୟ ଯନ୍ତ୍ରଣାରେ ଛଟପଟ ହୋଇ ପ୍ରାଣ ବିକଳରେ ରାଜପଥ ଉପରକୁ ଦଉଡ଼ି ପଳାଇଲା ।

 

ତଥାପି ତାକୁ ନିସ୍ତାର ମିଳିଲା ନାହିଁ । ଦିନ ଦଶଟା ବେଳେ ସର୍ବ ସମକ୍ଷରେ ପୁଣି ରାଜପଥ ଉପରେ ଉର୍ବଶୀକି ବହେ ପିଟିଲା, ବରେନ୍ଦ୍ର । ସେ ‘‘ମରିଗଲି ମରିଗଲି” କହି ତଳେ ପଡ଼ିଗଲା ।

 

‘ଦାଉ ପଡ଼ିଥିବ ଯେତିକି ବେଳେ, ବିଧାଏ ମାରିବ ସେତିକି ବେଳେ’ ନୀତିରେ ଶଶୁର ନିକୁଞ୍ଜବାବୁ ମଧ୍ୟ ଯାଇ ବହେ ବିଧା, ଗୋଇଠା ମାରିଲେ ଉର୍ବଶୀକି । କ୍ରୋଧର ବଶବର୍ତ୍ତୀ ହୋଇ, ନିଜର ବିଦ୍ୟା ବୁଦ୍ଧିକି ଜଳାଞ୍ଜଳି ଦେଇ ଦେଲେ ସେ । ଧର୍ମାଧର୍ମ ଜ୍ଞାନ ତାଙ୍କର ଲୋପ ହୋଇଗଲା-। ବହୁ ଦିନରୁ ତାଙ୍କ ଭିତରେ ଜମାଟ ବାନ୍ଧିଥିବା ସ୍ତୂପୀକୃତ ଅରିମାନା ଯେପରି ମେଣ୍ଟିବାର ସୁଯୋଗ ଉପସ୍ଥିତ ହୋଇଗଲା ।

 

ଶାଶୁ ଅମ୍ବିକା ଦେବୀ କୁଆଡ଼େ ବାଡ଼ିରେ ଥିଲେ । ସେ ଉର୍ବଶୀର କରୁଣ କ୍ରନ୍ଦନ ଶୁଣି ଦଉଡ଼ି ଆସି ତାକୁ ଧରିଲା ବେଳକୁ ନିକୁଞ୍ଜବାବୁ ଗୋଟିଏ କଣ୍ଟା ବାଉଁଶ ଠେଙ୍ଗାରେ ପାହାରେ ଦେଲେ ଯେ ଅମ୍ବିକା ଦେବୀଙ୍କର ମୁଣ୍ଡ ଫାଟି ରକ୍ତ ଝର ଝର ହୋଇ ବୋହିଲା । ସେ ଭୂତଳରେ ଦାନ୍ତ କାମୁଡ଼ି କଚାଡ଼ି ହୋଇ ପଡ଼ିଲେ । ଉର୍ବଶୀ ଏତେ ମାଡ଼ ଖାଇ ମଧ୍ୟ ଶାଶୁ ତଳେ ପଡ଼ିଯିବାର ଦେଖି ଘୁଷୁରି ଘୁଷୁରି ଯାଇଁ ତାଙ୍କ ମୁଣ୍ଡକୁ ନିଜ କୋଳ ଉପରେ ରଖି ମନ ଭରି ବିକଳରେ କାନ୍ଦିଲେ-

 

ଏତିକି ବେଳେ ପୁଣି ଦଉଡ଼ି ଆସି ବରେନ୍ଦ୍ର ଜୋରରେ ଗୋଇଠାଏ ମାରିଲା ଯେ, ଉର୍ବଶୀ ଗଡ଼ି ଗଡ଼ି ଯାଇଁ ରାଜପଥ ତଳେ ପଡ଼ିଗଲା ।

 

ନିକୁଞ୍ଜବାବୁ ଓ ବରେନ୍ଦ୍ର ଧରାଧରି କରି ତାଙ୍କ କ୍ଵାର୍ଟର ଭିତରକୁ ଟେକି ନେଇ ଗଲେ ଅମ୍ବିକା ଦେବୀଙ୍କୁ । ଉର୍ବଶୀ ସେମିତି ପଡ଼ି ରାଜପଥ ତଳେ ଛଟପଟ ହେଉଥାଏ ।

 

ରାଜପଥ ଉପରେ ସେତେବେଳକୁ ଶହ ଶହ ଲୋକ ରୁଣ୍ଡ ହୋଇ ଗଲେଣି । ଯିଏ ପଦେ କହିଛି, ସିଏ ଅପମାନିତ ହୋଇଛି । ଯିଏ ଉର୍ବଶୀକି ଧରିବାକୁ ଯାଇଛି, ସିଏ ବି ମାଡ଼ ଖାଇଛି ।

 

ସମସ୍ତଙ୍କ ତୁଣ୍ଡରେ ଆହା ପଦ । ସମସ୍ତଙ୍କ ଆଖିରେ ଲୁହ ।

 

ସାହି ପଡ଼ିଶାର କେତେ କୋମଳ ହୃଦୟା ନାରୀ ସେତେବେଳକୁ ଭୋ’ ଭୋ’ ହୋଇ କାନ୍ଦିଲେଣି । ସେମାନେ ମଧ୍ୟ ଘରସଂସାର କରିଛନ୍ତି । ଝିଅ ଜନ୍ମ କରିଛନ୍ତି । ତାଙ୍କ ଝିଅକୁ ଏହିଭଳି କିଏ ଯେ ନ ମାରିବ, କିଏ କହିବ ?

 

ଘଟଣା ସ୍ଥଳରେ ଉପସ୍ଥିତ ଥିବା ଜନତା ମଧ୍ୟରୁ କିଏ କେତେ କଥା କହୁଥାନ୍ତି । କିଏ ଯଦି କହୁଥାଏ–“ବାପ ମା’ ଯେବେ ଭଲ ଘର, ଭଲ ବର ପାଉ ନଥିଲେ ତେବେ ବେକରେ ବାଲି ମାଠିଆ ବାନ୍ଧି ନଦୀକି ଠେଲି ଦେଉ ନଥିଲେ କାହିଁକି ? ଗୋଟିଏ ଚାଉଳରେ ଗଢ଼ା ଏମିତି ଅପ୍‌ସରା ଭଲ ଝିଅକୁ ଆଣି ଗୋଟାଏ କାଣ୍ଡଜ୍ଞାନ ହୀନ ପାଠୁଆ ମୂର୍ଖ ବେକରେ ଛନ୍ଦି ଦେଉଥିଲେ କାହିଁକି ? ଧିକ ତାଙ୍କ ଜୀବନକୁ ।’’

 

ଆଉ ପୁଣି କିଏ କହେ–“ବାପ ମା’ଙ୍କର ଦୋଷ ଦେଇ ଏବେ ଲାଭ କ’ଣ ? ବାପା ମା’ ସିନା ଜନ୍ମ ଦେଇଛନ୍ତି, କର୍ମ ଭିତରେ କ’ଣ ପଶିଛନ୍ତି ? ଆଜିକାଲି ସ୍କୁଲ କଲେଜରୁ ଏମିତି ଦଳେ ପାଠୁଆ ମୂର୍ଖ ବାହାରୁଛନ୍ତି । ଉପରେ ଦେଖିବାକୁ ମହାକାଳ ଫଳ ସଦୃଶ । ଭିତରେ ପୋଡ଼ା ଅଙ୍ଗାର । ସେମାନଙ୍କର ଧର୍ମ, କର୍ମ, ଜ୍ଞାନ ନାହିଁ । ଆଗପଛ ବାଛ ବିଚାର ନାହିଁ । ଭଲମନ୍ଦ ପ୍ରତି ଭ୍ରୂକ୍ଷେପ ନାହିଁ । କେତେ ରାଣ୍ଡୀପୁଅ ଅନନ୍ତା, ମା’ ଧାନକୁଟି ପୁଅନାଗର; ପାଠ ଦି’ ଅକ୍ଷର ପଢ଼ି, ରାତାରାତି ନବାଦ ସାହେବଙ୍କ ନାତି ବନି ଯାଉଛନ୍ତି ।

 

ସେ ଗୁଡ଼ାଙ୍କର ପୁଣି ଭାରି ଛୋଟ ନଜର । ଛୋଟ ଛୋଟ କଥାରେ ଆଖି । ପରଧନରେ ଆଶା । ପରଝିଅ ପ୍ରତି ଦୃଷ୍ଟି । ପର ଜିନିଷରେ ଲୋଭ । ବିନା ପରିଶ୍ରମରେ ଦିନକ ଭିତରେ କୋଠା ପିଟିବାର ପ୍ରୟାସ । ଅନୃତ ତାଙ୍କର ପରମ ଆୟୁଧ । ନାନାଦି ଅସାମାଜିକ, ଅନ୍ୟାୟ କାର୍ଯ୍ୟରେ ସବୁବେଳେ ଲିପ୍ତ ।

 

ଅପରିଣାମଦର୍ଶୀଙ୍କର ଆୟ ଅପେକ୍ଷା ବ୍ୟୟର ମାତ୍ରା ଅଧିକ । ଚରିତ୍ର ବୋଲି ଗୋଟାଏ ଜିନିଷ ସେମାନଙ୍କର ନଥାଏ । ଦଶ ଦିଗପାଳଙ୍କୁ ସାକ୍ଷୀ ରଖି ଯାହାକୁ ଜୀବନ ସଙ୍ଗିନୀ ରୂପେ ଗ୍ରହଣ କରିଥାନ୍ତି ତା’ର ଦେହକୁ କେବଳ ଉପଭୋଗର ସାମଗ୍ରୀରୂପେ ବ୍ୟବହାର କରନ୍ତି । ସେ ଯେ ଗୋଟିଏ ମଣିଷ ଏକଥା ସେମାନେ ବିଲ୍‍କୁଲ୍‍ ଭୁଲିଯାନ୍ତି ।

 

କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ ଭିତରେ ଭିତରେ ସବୁବେଳେ ସେମାନେ ବୁଡ଼ି ରହିଥାନ୍ତି । ସେମାନେ ଦୁନିଆଁ ସମ୍ପର୍କରେ କିଛି ନଜାଣି ମଧ୍ୟ ନିଜକୁ ସବ୍‍ ଜାନତା ବୋଲି ଭାବନ୍ତି ।

 

ଆଉ ତେବେ କିଏ କହେ–“ହଁ ଲୋ ମାଆ, କି’କାଳ ହେଲା ଆସି । ଆଜି କାଲିକା ପୁଅ ଯେସନ, ଝିଅବି ତେସନ । କେହି କାହାକୁ ଊଣା ନୁହଁନ୍ତି । ବାପ, ଦାଦା, ଭାଇ ଭାଉଜ, ମାଆ, ମାଉସୀ ତାଙ୍କ ଲେଖାରେ ଘାସ କଟା । ଧର୍ମକୁ ଆଖିଠାର ମାରି ସବୁକାମ କରି ଯାଉଛନ୍ତି । ଯଦି ଭଲରେ ମନ୍ଦରେ ପଦେ କହିଲ, ତେବେ ଆଉ ତୁମର ରକ୍ଷା ନାହିଁ । ମାନ ମହତ ପଦାରେ ପଡ଼ିବ । ଚୁଟି କାଟି ଆଣି ପାଦତଳେ ମାଡ଼ିଦେବ । ଆମ ପିଲାବେଳ କଥା କାହିଁ ? କୋଚିଆ ପରି ମୋଡ଼ି ମୋଡ଼ି ହୋଇ ରହୁଥିଲୁ । କାନ କାଟିଲେ ତୁଣ୍ଡରୁ ବଚନ ବାହାରୁ ନଥିଲା ।

 

ଖଞ୍ଜା ଭିତରକୁ ବାପ ଭାଇ ପଶି ଆସୁଥିଲେ ଛାତିରେ କାତେ ପାଣି ହେଉଥିଲା । ଏଇ କାଳର ପିଲାତ ମୁଖେ ମୁଖେ ଜବାବ ଦେଇ ଯୁକ୍ତି କରୁଛନ୍ତି ।’’

 

ଆଉ ପୁଣି କିଏ କହେ–“ହଁ ଲୋ, ମାଆରାଣୀ, ମୋ’ କଥାତ ମୋତେ ଅସମ୍ଭାଳ । ମୁଁ ପର କଥାରେ ମୁଣ୍ଡ ଖେଳାଇବି କ’ଣ ? ମୁଁ କିଛି କହିଲେ ଚାଲୁଣି ଛୁଞ୍ଚିକି କହିଲା ପରି ହେବ । ଛାଞ୍ଚୁଣି ଛ’ ଗୋଇଠା ଖାଇଲା ପରି ମୋ’ ହୀନିମାନତ କହିଲେ ନସରେ ।

 

ମୋ’ ନାତୁଣୀତ ମୋ’ ମୁହଁରେ ଚୂନ କଳା ବୋଳି ଦେଇଛି । ବାପ ଭାଇ ଚଉଦ ପରାଣୀ କୁଟୁମ୍ବ ଘରେ ଥାଉଁ ଥାଉଁ, ସେ ତା’ ମନକୁ ମନ ଗୋଟାଏ ହରିଜନ ପିଲାକୁ ରସି ତା’ ସଙ୍ଗରେ ଚାଲିଯାଇଛି । ବିଶିଷ୍ଟ ମହାପାତ୍ର ଘରର ଝିଅ ହୋଇ କ’ଣ ନକରିଛି ସେ ସତେ ?

 

ବାପ ବାରିଷ୍ଟର । ଭାଇ ଡାକ୍ତର । ଦାଦା ଇଞ୍ଜିନିୟର । ସାତ ଭାଇରେ ଗୋଟିଏ ବୋଲି ଝିଅ । ତା’ପାଇଁ କିଏ କେତେ କଳ୍ପନା କରି ନଥିଲେ ? ସେମାନେ ଇଚ୍ଛା କରିଥିଲେ କ’ଣ ରାଜା ପୁଅକୁ ଜ୍ଵାଇଁ କରିପାରି ନଥାନ୍ତେ ? କା’ କଥା କ’ଣ ରହିଲା ? ସଜନା ଗଛର ମସ୍‌କା ଡାଳ ଭଳି ମନ ସମସ୍ତଙ୍କର । ଏକାଥରକେ ମସ୍‌କରି ଭାଙ୍ଗିଗଲା । ଲୋକ ଲଜ୍ଜାକୁ ସହ୍ୟକରି ନପାରି ମା’ ଦଉଡ଼ି ଲଗାଇ ମଲା । ବାପ କଚେରୀରୁ ଫେରି, ବିଷ ଖାଇ ଚିରଦିନ ପାଇଁ ମହାନିଦ୍ରାରେ ଶୋଇଗଲା । ସେ ହରିଜନ ଟୋକାଟା ୟା’ କାନରେ କି ମନ୍ତ୍ର ପଢ଼ିଲା ଲୋ, ମା । ସେ ଅଶନ ବସନକୁ ତୁଚ୍ଛ ମଣିଲା । ଅନ୍ଧାରୁଆ ଘରେ ଦିନେ ଘରେ ଦିନରାତି ମନ ମାରି ଶୋଇଲା । ଯେ ଯେତେ କଥା ପଚାରିଲେ ମଧ୍ୟ କାହାକୁ କିଛି କହିଲା ନାହିଁ । ଦେଖୁ ଦେଖୁ ଦିନେ ଘର ଛାଡ଼ି ପଳାଇ ଯାଇଛି । ଚନ୍ଦନ ବୃକ୍ଷକୁ ପରିତ୍ୟାଗ କରି ପୋକସୁଙ୍ଘା ଗଛକୁ ଶେଷରେ ରସିଲା ।

 

ଆଉ ସେ କୁଳାଙ୍ଗାର ହରିଜନ ଟୋକାକଥା କହନା, କହନା । ଛୋଟ ନିଧି ଭୋଇ ପୁଅ ସେ । ବାପ ମୂଲ ଲାଗି ଲାଗି ଶିରୀକାତର, ପୁଅର ଚାତର କହିଲେ ନସରେ । ମା’ କୁଟା କୁଟି କୁଟି ପାଦରେ ଚମ ନାହିଁ, ପୁଅର ଢମ ବାଇଶି କାହାଣ ।’’

 

ଆଉ ତେବେ କିଏ ଢୁଆ ଦେଇ କହେ ‘‘ସବୁ ଏଇ ଇଂରେଜୀ ପାଠ ବଙ୍କା ଅକ୍ଷରର କରାମତି । ବେଶୀ ପାଠ ପଢ଼ି ଏମିତି ଆଗରୁ କିଏ କେଉଁଠି ହେଉଥିଲା ?’’

 

ବିମ୍ବାଧରବାବୁ ନାମରେ ଜଣେ ଋଷିପ୍ରାଣ ଲୋକ କହିଲେ–“ଉର୍ବଶୀର ବାପ କ’ଣ ଟିକିଏ ଲୋକ କି ? ଅନୁଗୁଳରେ ଉର୍ବଶୀର ବାପ ଘରକୁ କିଏ ନଜାଣେ ? ଅତି ଖାନ୍‍ଦାନ୍‍ ବୁନିଆଦି ଘର । ହାତୀଶାଳ ପରି ଖଞ୍ଜାମାନ । ଆଠ ଦଶ ହଳ ବଳଦ । ଦି’ ଦିଟା ଧାନକାଣ୍ଡି । ଉର୍ବଶୀର ବାପା ପୁଣି ଜଣେ ଉଚ୍ଚ ପଦସ୍ଥ କର୍ମଚାରୀ । ଯୁଆଡ଼େ ଯାଅ, ସିଆଡ଼େ ଶୁଣିବ ତାଙ୍କ ନାମ-

 

ଉର୍ବଶୀର ବିଭାଘର ବେଳେ ବହୁ ଟଙ୍କା ଖର୍ଚ୍ଚ କରିଛନ୍ତି ସେ । ଉର୍ବଶୀର ଶଶୁର ନିକୁଞ୍ଜବାବୁ ଜଣେ ଲୋଭୀ ଲୋକ । ଉର୍ବଶୀର ବାପଘରର ସମ୍ପତ୍ତିକୁ ଦେଖି ଈର୍ଷା ପରାୟଣ ହୋଇଛନ୍ତି । ତାଙ୍କର ସକଳ ଧନ ସମ୍ପତ୍ତିକୁ ବୋହି ଆଣିବା ପାଇଁ ଲାଳାୟିତ ହୋଇଛନ୍ତି ।

 

ଉର୍ବଶୀର ଭାଇ ବୋଲି ଗୋଟିଏ । ନିକୁଞ୍ଜବାବୁ କହନ୍ତି–“ସମ୍ପତ୍ତିକି ଦୁଇଭାଗ କରି ଗୋଟିଏ ଭାଗ ପୁଅ ପାଇଁ ରଖ, ଆଉ ଗୋଟିଏ ଭାଗ ଉର୍ବଶୀକି ଦେଇଦିଅ ।’’

 

ବେଦୀ ଉପରେ ଏହି ପ୍ରତିଶ୍ରୁତି ହାସଲ କରିବା ପାଇଁ ନିକୁଞ୍ଜବାବୁ ଆପ୍ରାଣ ଚେଷ୍ଟା କରିଥିଲେ । ଉର୍ବଶୀର ବାପା ଭାସ୍କର ଚନ୍ଦ୍ର ମହାପାତ୍ର ଖାଲି ଏତିକି କହିଥିଲେ–‘‘ମୁଁ ବର୍ତ୍ତମାନ ଯାହା ଦେଉଛି, ତାହା ଆଦରରେ ଗ୍ରହଣ କରନ୍ତୁ । ଆଉ ଯାହା ଦେବାର କଥା ମୁଁ ଶଙ୍ଖୁଳା ଭାର ସାଙ୍ଗରେ ପଠାଇ ଦେବି । ସମ୍ପତ୍ତିବାଡ଼ି କଥା ପରେ ଦେଖିବା ।’’

 

ଉର୍ବଶୀ ଭଳି ଝିଅ । ତାକୁ ତା’ର ବାପା ଆଣି ଏଠାରେ ଗୁଞ୍ଜି ଦେଇ ଯାଇନାହାନ୍ତି । ନିକୁଞ୍ଜବାବୁ ନିଜେ ଦଶଥର ଦଉଡ଼ିଛନ୍ତି । ଦଶ ଲୋକଙ୍କୁ ମଧ୍ୟସ୍ତି କରି ତାଙ୍କ ଘରକୁ ପଠାଇଛନ୍ତି । ନିକୁଞ୍ଜବାବୁଙ୍କ ସ୍ତ୍ରୀ ପଚାଶଥର ତାଙ୍କ ପୋଇଲୀକି ଗୋପନରେ ପଠାଇ ଭାସ୍କରବାବୁଙ୍କୁ ମନେଇଛନ୍ତି ।

 

ଭାସ୍କରବାବୁ ମଣିଷ ଭଳି ଜଣେ ମଣିଷ । ତାଙ୍କ ଆଖିରେ ଅଠା ଅଛି । ମନରେ ମାୟା ଅଛି । ହୃଦୟରେ ଦୟା ଅଛି । ସ୍ନେହ ମମତା କ’ଣ ସେ ଜାଣନ୍ତି । ପରଝିଅକୁ ପର ପୁଅ ଏହିକଥା ମନରେ ଭାବି ନିଜର ଇଚ୍ଛା ବିରୁଦ୍ଧରେ ହଁ ଭରି ଉର୍ବଶୀକି ଏଠାରେ ଆଣି ବିଭାକଲେ ସିନା ମାତ୍ର ସ୍ଵୟମ୍ଭୂ ବୋଲି ଗୋଟିଏ ପିଲା ସାଙ୍ଗରେ ଉର୍ବଶୀର ବିବାହ ପ୍ରସ୍ତାବ ଠିକ୍ ହୋଇ ସାରିଥିଲା । ଭାସ୍କର ମହାପାତ୍ରଙ୍କ ପାସଙ୍ଗରେ ପଡ଼ିବେ ନାହିଁ ନିକୁଞ୍ଜବାବୁ ।

 

“ୟାଙ୍କୁ ଦେଖ ହୋ, ଏପୁଣି ଧନ ଲୋଭରେ ପରଝିଅଟାକୁ ମାରି ମାରି ଦରାମରା କରି ସାରିଲେଣି ।’’

 

ରାଜପଥ ଧାରରେ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ଉର୍ବଶୀ ଆଖି ମିଟି ମିଟି କରି ଅତି କରୁଣ ଦୃଷ୍ଟି ଢାଳି ଚାହିଁଲା ବିମ୍ବାଧରବାବୁଙ୍କ ଆଡ଼େ । ହାତ ପାଟିରେ ମାରି ଠାରରେ ପାଣି ମାଗିଲା-। ବିମ୍ବାଧରବାବୁ ଆଉ ଧୈର୍ଯ୍ୟ ଧରି ପାରିଲେ ନାହିଁ । ପାଣି ଗ୍ଲାସେ ଆଣିବାକୁ ନିଜେ ଦଉଡ଼ିଗଲେ-

 

ଆହତ କ୍ରୋଞ୍ଚମିଥୁନଙ୍କର କରୁଣ ଦମନୀୟ ଅବସ୍ଥା ଦେଖି ବାଲ୍ମୀକିଙ୍କର ହୃଦୟ କରୁଣାରେ ବିଗଳିତ ହୋଇ ମା’ ନିଷାଦ ପ୍ରତିଷ୍ଠା.....ବାହାରିଲା ଭଳି ବିମ୍ବାଧରବାବୁଙ୍କ ପ୍ରାଣରସାଗର ଦୟା ପନୀରରେ ଉତ୍‌ପ୍ଳାବିତ ହେଲା । ଆଖିରୁ ତାଙ୍କର ଝରି ପଡ଼ିଲା ବେଦନାର ଲୁହ ।

 

ସେ ଅତି ବ୍ୟସ୍ତରେ ଚଳ ଚଞ୍ଚଳ ନିର୍ଝର ଭଳି କନ୍ କନ୍ ହୋଇ ପାଣି ଗ୍ଲାସେ ଧରି ଉର୍ବଶୀ ଆଡ଼କୁ ମୁହାଁଇଲା ବେଳେ ପାଣି ଗ୍ଲାସଟି ହାତରୁ ତାଙ୍କର ଛଡ଼ାଇ ଧରିଲେ ତାଙ୍କ ସ୍ତ୍ରୀ ସୁଶ୍ରୀ ସୁକୀର୍ତ୍ତି ଦେବୀ । ସୁକୀର୍ତ୍ତି ଦେବୀ ଯେ ଦୟାହୀନା, ନିଷ୍ଠୁରା ଏଭଳି ଭାବିବା ଠିକ୍ ନୁହେଁ । ସେ ଡରିଗଲେ । ଦୁର୍ଜ୍ଜନ କ୍ରୋଧୀ ଲୋକଙ୍କୁ ସଂସାରରେ ସମସ୍ତେ ଡରନ୍ତି । ବୁଲାଷଣ୍ଢର ଫଅଁକୁ ସିନା ସମସ୍ତଙ୍କର ଡର ମାତ୍ର ବଳଦକୁ ଡରେ କିଏ ? ବଳଦଙ୍କ ଭିତରେ ବି ମାରଣା ଅଛନ୍ତି ମାତ୍ର ଷଣ୍ଢଭଳି ମାରାତ୍ମକ ନୁହଁନ୍ତି । ନିକୁଞ୍ଜବାବୁ ଯେମିତିକା ଲୋକ ସେ ଦେଖିଲାକ୍ଷଣି କହିବେ ଏଇମାନେ ଆମଘର ଭାଙ୍ଗୁଛନ୍ତି ।

 

ତେଣୁ ସେ ତାଙ୍କ ସ୍ଵାମୀଙ୍କି କହିଲେ–‘‘ତୁମେ ନେଇ ଉର୍ବଶୀକି ପାଣି ଦେଉଛ, ଏହାରି ଭିତରେ ଅଦେଖା, କାନକୁହା ଲୋକ ଅଛନ୍ତି, ସାଙ୍ଗେ ସାଙ୍ଗେ ଯାଇଁ ତାଙ୍କ କାନରେ କହିଦେବେ । ସେ ଶୁଣିଲାକ୍ଷଣି ଦଉଡ଼ି ଆସି ଆମ ସାଙ୍ଗରେ କଳି ଲଗାଇବେ । ଦରକାର ହେଲେ ଆମ ନାମରେ ମିଛ ମକଦ୍ଦମା ଦାୟର କରିଦେବେ । ଆମେ କାଦୁଅରେ ପଶିବା କାହିଁକି ଗୋଡ଼ ଧୋଇବା କାହିଁକି-?

 

ଏଇଠି ଦେଖୁନା ଆମରି ଭିତରେ କେତେ ଲୋକ ହସି ହସି ଗଡ଼ି ଯାଉଛନ୍ତି । ଘରଭଙ୍ଗା ଲୋକଗୁଡ଼ାଙ୍କର ଆଉ କାମ କ’ଣ ?’’

 

ସବୁ ଯୁଗରେ ସବୁ ଦେଶରେ ଦଳେ ଘରଭଙ୍ଗା ଲୋକ ଜନ୍ମ ହୁଅନ୍ତି । ସେମାନଙ୍କର ନ୍ୟାୟ, ଧର୍ମ ପ୍ରତି ଆଦୌ ସମ୍ମାନ ନଥାଏ । ସେମାନେ ଘଡ଼ିକ ଭିତରେ ଘୋଡ଼ା ଛୁଟାଇ ଦିଅନ୍ତି । ପରକଥାକୁ ସବୁବେଳେ କାନ ଡେରିଥାନ୍ତି । ପରଘର ଭାଙ୍ଗିବାକୁ ସର୍ବଦା ଗୌରବ ମଣନ୍ତି । ପର ଝିଅ ବୋହୂଙ୍କୁ ଉଡ଼ାଇ ବୁଡ଼ାଇ ଦେବାକୁ ଶ୍ରେୟସ୍କର ମଣନ୍ତି । ପରଧନକୁ ଉଜାଡ଼ି ଦେଇ ନିଷ୍ଫଳ ବାହାସ୍ଫୋଟ ମାରନ୍ତି । ନିଜର ଶତ ଦୋଷକୁ ଆଖି ବୁଜି ଦେଇ ପରଛିଦ୍ରକୁ ଅନ୍ଵେଷଣ କରନ୍ତି । ପୃଥିବୀ ସୃଷ୍ଟିହେଲା ଦିନରୁ ସେହି ଘରଭଙ୍ଗା ଲୋକଗୁଡ଼ାକଙ୍କ ଦ୍ଵାରା କେତେ ଘର ଭାଙ୍ଗିଛି ତାହାର ଇୟତ୍ତା ନାହିଁ ।

 

କାହାରି ଶିରୀ ଯେପରି ସେମାନେ ଦେଖି ପାରନ୍ତି ନାହିଁ, କାହାର ଉନ୍ନତିକି ସେମାନେ ସହି ପାରନ୍ତି ନାହିଁ । ଶିଖାଇ, ମନାଇ ଗଛକୁ ଚଢ଼ାଇ ଦେଇ ଗଛର ମୂଳରୁ ହାଣି ଦିଅନ୍ତି । ଯିଏ ସେମାନଙ୍କର ଉପକାର କରେ ସେମାନେ ବିନିମୟରେ ତାହାର ଅପକାର ନକରି ଛାଡ଼ନ୍ତି ନାହିଁ । ଏହିଭଳି ଲୋକମାନେ ଈଶ୍ଵରପୁତ୍ର ଯିଶୁଖ୍ରୀଷ୍ଟଙ୍କୁ ଧରା ଦେଇ କ୍ରୁଶ ବିଦ୍ଧ କରିଛନ୍ତି, ଜାତିର ଜନକ ମହାତ୍ମାଗାନ୍ଧୀଙ୍କୁ ହତ୍ୟାକରି ସେବାଧର୍ମ ଇତିହାସର ପୃଷ୍ଠାରେ କଳଙ୍କର କାଳି ଲୋପନ କରିଛନ୍ତି ।

 

ସୁକୀର୍ତ୍ତି ଦେବୀଙ୍କ ପାଖରେ ଠିଆ ହୋଇଥିବା ତାଙ୍କର ଝିଅ ତଟିନୀ କହିଲା–‘‘ବୋଉ ଲୋ, ତୋର ଏଡ଼େ ପାଷାଣ ହୃଦୟ ବୋଲି ମୁଁ ଆଜିଯାଏ ଜାଣି ନଥିଲି ସତେ ! ତୁ’ ଉପରେ ଏତେ ସରଳ, ଭିତରେ ସତେ ଏଡ଼େ ଜଟିଳ ! ପେଟରେ ତୋର ଗରଳ ଭରା, ମୁହଁରେ ଖାଲି ଅମୃତ !

 

ଉର୍ବଶୀ ଅପାକୁ ତୁ’ ପରା ଏତେ ଭଲ ପାଉ ! ଘଡ଼ିଏ ତାକୁ ନ ଦେଖିଲେ ତୁ’ ପରା ଛୁଆଖାଇ ବିରାଡ଼ି ଭଳି ହେଉଥାଉ ! ମୁଁ ତା’ ପାଖକୁ ଦିନେ ନଯାଇଥିଲେ ତୁ’ପରା ମୋତେ କେତେ ଗାଳି ଦେଉ । ଯେ କୌଣସି ଖାଇବା ଜିନିଷ ହେଲେ ମୋ’ପାଇଁ ଅଧେରଖି ତା’ପାଇଁ ଅଧେ ପରା ପଠାଇ ଦେଉ ! ଆଜି ତୋର ଏକ ବିପରୀତ ରୀତି ?

 

ସେ ମରଣ ମୁହଁରେ ପଡ଼ି ପିଇବା ପାଇଁ ହାତ ଠାରି ମନ୍ଦେ ପାଣି ମାଗୁଛି, ବାପା ନେଇଗଲା ବେଳେ ତୁ’ ତାକୁ ଛଡ଼ାଇ ରଖୁଛୁ ?

 

କର୍ମଠାରୁ ଧର୍ମ ବଡ଼ ପରା ? ସେ ତୋ’ ହାତରେ ମହାପ୍ରସାଦ ଦେଇ ଝିଅ ହୋଇଛି । ମହାପ୍ରସାଦକୁ କ’ଣ ଆଖୁ କୋଲିଆ ପକା ମହୁଆ ଭାବିଲୁ କି ? ମହାପ୍ରସାଦ ଦ୍ରୋହୀ ହୋଇ ଅହିନର୍କରେ ପଡ଼ିବୁ ।’’

 

ଝିଅର କଥା ଶୁଣି, ତା’ର ମୁହଁ ଭାଙ୍ଗି କିଛି କହି ପାରିଲେନି ସୁକୀର୍ତ୍ତି ଦେବୀ । ସୁକୀର୍ତ୍ତି ଦେବୀ ତଟିନୀକି ଭାରି ଭଲ ପାଆନ୍ତି । ତଟିନୀ ଜନ୍ମ ହେଲା ଦିନରୁ ସୁକୀର୍ତ୍ତି ଦେବୀ ଦିନକ ପାଇଁ ଭଲରେ ମନ୍ଦରେ ତାକୁ କିଛି କହି ନାହାନ୍ତି । ସେ ଯାହାକହେ, ତାହା କାର୍ଯ୍ୟରେ ପରିଣତ ହୁଏ । ସୁକୀର୍ତ୍ତି ଦେବୀଙ୍କ ପ୍ରେରଣା ଫଳରେ ହିଁ ତଟିନୀ ଆଜି ଜଣେ ବିଶିଷ୍ଟ କଣ୍ଠଶିଳ୍ପୀ ।

 

ତଟିନୀ ଏଥର ପାଣି ନେଇ ପିଆଇ ଦେଲା ଉର୍ବଶୀକି । ଉର୍ବଶୀ ତଟିନୀ କି ଧରି ବାହୁନି ବାହୁନି କାନ୍ଦିଲା । ଉର୍ବଶୀ ନୂଆ ରାଜଧାନୀକି ଆସିଲା ଦିନରୁ ତିଟିନୀକି କେବଳ ମନପ୍ରାଣ ଭରି ଭଲପାଏ ନାହିଁ, ହୃଦୟ ଭରି ବିଶ୍ଵାସ କରେ । ନିଜର ମାଆ ପେଟରେ ଭଉଣୀ ବୋଲି ତାକୁ ସେ ମନେକରେ । ଯେତେ ଦୁଃଖ, ଯେତେ ବେଦନା, ଯେତେ ଅଶ୍ରୁ ସବୁ ସେ ଭୁଲିଯାଏ ତଟିନୀକି ଦେଖି । ତଟିନୀ ପାଖରେ ମନ ଖୋଲି ସେ ସବୁକଥା କହେ ।

 

ମାୟା ମମତାର ଦୁନିଆଁ ଏ । ମଣିଷ ଥରେ ମାୟା ମମତାର ଡୋରରେ ବାନ୍ଧି ହୋଇଗଲେ, ଆଉ ସେ ଡୋର ସହଜରେ ଛିଣ୍ଡେନା । ସହସ୍ର ନିନ୍ଦାର ନାଗରା, ଅଜସ୍ର ବେଦନାର ବ୍ୟଥା, ଅୟୁତ ହାଡ଼ ଶୂଳା କଥା ମମତାର ବୀଜାଣୁକୁ ମାରିବାକୁ ସକ୍ଷମ ହୁଏ ନା । ମମତା ବଢ଼େ ସମୁଦ୍ରର ଜୁଆର ଭଳି ।

 

ସେହି ମମତାର ମାଧ୍ୟମରେ ମଣିଷ ମଣିଷର ନିକଟତର ହୋଇଯାଏ । ବେଦନାର ସାଥୀ ସାଜେ । ଜଣକ ଦେହରେ କଣ୍ଟା ବାଜିଲେ ଅନ୍ୟଜଣେ ପରାସ ଅନୁଭବ କରେ । ଜଣକ ଚକ୍ଷୁରୁ ଅଶ୍ରୁ ଉଦ୍‌ଗତ ହେଲେ ଅନ୍ୟ ଜଣେ ଜ୍ଵଳନର ଜ୍ୱାଳାରେ ବ୍ୟଥିତ ହୁଏ ।

 

ସଂସାରଚକ୍ର ଭିତରେ ମଣିଷ କର୍ଣ୍ଣଗହ୍ଵରରେ ସଞ୍ଜୀବନୀ ମନ୍ତ୍ର ହିଁ ପଢ଼େ ମମତା । ଏହି ମମତାରୁ ଜନ୍ମେ ଲୋଭ । ଏହି ମମତାରୁ ବଢ଼େ ବନ୍ଧୁତା । ଏହି ମମତା ଦ୍ଵାରାହିଁ ବେଳେ ବେଳେ ଲିଭିଥାଏ ବିଦ୍ଵେଷର ଲେଲିହାନ ବହ୍ନି ।

 

ଉର୍ବଶୀ ଯେପରି ବ୍ୟାକୁଳ ହୋଇ କାନ୍ଦିଲା, ସେପରି କାନ୍ଦିଲା ବି ତଟିନୀ । ତଟିନୀ ହାତରେ ଏଥର ଲେଖିଲା ଉର୍ବଶୀ–‘‘ମଉସାଙ୍କୁ କହିବୁ, ବାପାଙ୍କ ପାଖକୁ ଟିକେ ଅନୁଗୁଳ ଖବର ଦେବେ । ସେ ଆସି ଥରେ ମୋତେ ଦେଖିଯିବେ । ତାଙ୍କର ସଯତ୍ନପାଳିତା ଅଲିଅଳୀ କନ୍ୟା ଉର୍ବଶୀ କି କଷ୍ଟ ପାଉଛି ?

 

ପିଲାଟି ବେଳରୁ ମା’କୁ ଖାଇଥିଲି । ଷୋଳବର୍ଷ କାଳ ଜାଣିଥିଲି ବାପା ହିଁ ମୋର ବାପା, ବାପା ହିଁ ମୋର ମାଆ । ସେ ତାଙ୍କ କର୍ତ୍ତବ୍ୟ ସାଙ୍ଗ କଲେ । ଝିଅବୋଝ ମୁଣ୍ଡରୁ ଓହ୍ଲାଇ ଶାନ୍ତିରେ ନିଃଶ୍ଵାସ ମାଇଲେ । ଦେଲି ନାରୀ ହେଲି ପାରି ହୋଇ ମଉଜରେ ରହିଗଲେ । ମୁଁ ଜିଇଁ ଥାଉଁ ଥାଉଁ ମୋତେ ଜୀବନ୍ତ ସମାଧି ଦେଇଦେଲେ ? ହାଣ୍ଡି ହାଣ୍ଡି ରକ୍ତ ଢାଳି ଝିଅ ଜନ୍ମ କରିଥିଲେ, ପ୍ରାୟଶ୍ଚିତ ସ୍ଵରୂପ ସମ୍ପତ୍ତିରୁ ଅଧେ ଦେଲେ ନାହିଁ କାହିଁକି ?

 

ଦିନ ରାତି ଭାଳି ହେଉଥିଲେ, ଡାକ୍ତର ଜ୍ଵାଇଁଟିଏ କରିବେ । ଝିଅ ଭଲରେ ରହିବ । ଡାକ୍ତରଜ୍ଵାଇଁଙ୍କର କୀର୍ତ୍ତି କଥା ଥରେ ଖାଲି ଆସି ସ୍ଵଚକ୍ଷୁରେ ଦେଖିଯିବେ । ମୁଁ ମରିବି ପଛେ କିନ୍ତୁ ଆଉ ଅନୁଗୁଳ ମାଟି ମାଡ଼ିବି ନାହିଁ ।’’

 

ଆଉ କିଛି କହି ପାରିଲା ନାହିଁ ଉର୍ବଶୀ । ଆଖି ଖୋସିଦେଲା । ତଟିନୀ ବଡ଼ ଜୋରରେ କାନ୍ଦି ଉଠିଲା ।

 

ବିମ୍ବାଧରବାବୁ ଓ ସୁକୀର୍ତ୍ତି ଦେବୀ ଦଉଡ଼ି ଆସିଲେ । ସୁକୀର୍ତ୍ତି ଦେବୀଙ୍କର ମାଆମନ ଚହଲିଗଲା । ତାଙ୍କ ଆଖିରୁ ଜୁଳୁଜୁଳିଆ ପୋକ ବାହାରିଗଲା । ଚତୁର୍ଦ୍ଦିଗ ତାଙ୍କୁ ଅନ୍ଧକାର ଦେଖାଗଲା । ମୁଣ୍ଡ ତାଙ୍କର ବୁଲାଇ ଦେଲା । ଉର୍ବଶୀର ଜୀବନ କେମିତି ରକ୍ଷା କରିବାକୁ ହେବ । ନିନ୍ଦା ପ୍ରଶଂସାକୁ କାନ ଡେରିବାର ବେଳ ଏ ନୁହେଁ ।

 

ବିମ୍ବାଧରବାରୁ ଆଉ କିଛି ନ କହି ଅଶ୍ରୁ ଛଳ ଛଳ ନେତ୍ରରେ ଖାଲି ନିର୍ବାକ୍‍ ହୋଇଥିଲେ-। ସେ ଏଥର ଦଉଡ଼ିଗଲେ ତାଙ୍କ ପାଖ କ୍ୱାର୍ଟରରେ ଥିବା ଜଜ୍ ନାଗାର୍ଜ୍ଜୁନବାବୁଙ୍କ ନିକଟକୁ-। ତାଙ୍କ କାର୍‍ଟି ଆଣି ଉର୍ବଶୀକି ତତ୍‌କ୍ଷଣାତ୍‌ ନେଇଗଲେ ରାଜଧାନୀ ଡାକ୍ତରଖାନାକୁ ।

 

ଡାକ୍ତର ମହୋଦୟ ଦେଖୁ ଦେଖୁ କହିଲେ “ରୋଗିଣୀର ଅବସ୍ଥା ସଂକଟାପନ୍ନ । ଅକ୍‌ସିଜେନ ଦରକାର ।’’

 

ବିମ୍ବାଧରବାବୁଙ୍କ ମନ-ଆକାଶରେ ବିଷାଦର କାଳିମା ଆହୁରି ଗାଢ଼ ହୋଇ ଆସିଲା । ଏକ ଅଜଣା ଆଶଙ୍କାରେ ଦେହ ତାଙ୍କର ଥରି ଉଠିଲା । ସେ ନିଜେ ଭଲ ଭାବରେ ଜାଣନ୍ତି, ନୂଆ ରାଜଧାନୀ ଡାକ୍ତରଖାନାରେ ଏଭଳି ଏକ କିମ୍ଭୂତକିମାକାର ବ୍ୟବସ୍ଥା ଅଛି ଯେ ଅକ୍‌ସିଜେନ ଥାଇ ମଧ୍ୟ ଡାକ୍ତରବାବୁ କୌଣସି ରୋଗୀକି ଦେଇ ଜୀବନ ବଞ୍ଚାଇବାକୁ ଅକ୍ଷମ ।

 

ଏଥିପାଇଁ ବିଭାଗୀୟ ମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ, ବା ମୁଖ୍ୟମନ୍ତ୍ରୀଙ୍କ ଠାରୁ ଅନୁମତି ନେବା ଦରକାର । ତା’ନହେଲେ ଅକ୍‌ସିଜେନ କୌଣସି ରୋଗୀକି ଦେଇହେବ ନାହିଁ ।

 

ବିମ୍ବାଧର ବାବୁ ଫୋନରେ ବହୁତ ଡକାଡକି କଲେ, କୌଣସି ଜବାବ ମିଳିଲା ନାହିଁ । ୟା’ ଦ୍ଵାରରୁ ତା’ ଦ୍ଵାରକୁ ବହୁ ଦଉଡ଼ା ଦଉଡ଼ି କଲେ ମଧ୍ୟ କିଛିଫଳ ହେଲାନାହିଁ । କୌଣସି ମାନ୍ୟବର ମନ୍ତ୍ରୀଙ୍କର ସାକ୍ଷାତ ମିଳିଲା ନାହିଁ । କିଏ ଯଦି ଗୁଡ଼ାଖୁ ଫାକ୍ଟରୀ ଉଦ୍‌ଘାଟନ କରିବାକୁ ଯାଇଛନ୍ତି, କିଏ ନୂତନ ମଦ ଦୋକାନ ଘରର ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ଯାଇଛନ୍ତି । କିଏ ପୁଣି ମହା ଦୁର୍ନୀତିପରାୟଣ କେନ୍ଦୁପତ୍ର ଠିକାଦାରଙ୍କ ପୁଅର ବିବାହ ଭୋଜିରେ ଯୋଗ ଦେବାକୁ ଯାଇଛନ୍ତି ।

 

ହାତୀ ଗଳିଯାଉଛି ପିମ୍ପୁଡ଼ିଗଳିବାର ବାଟ ନାହିଁ । ଆଇନ୍‍ ହିଁ ସବୁବେଳେ ଆଇନ୍‍ । ତାକୁ ସଯତ୍ନରେ, ନିରାପଦ ଭାବରେ ନାଲିଫିତା ଭିତରେ ଶକ୍ତଗଣ୍ଠି ପକାଇ ବାନ୍ଧି ରଖା ଯାଇଛି । ଟିକିଏ ଏପଟ ସେପଟ ହୋଇଗଲେ ପ୍ରଳୟ ଉପସ୍ଥିତ ହୋଇଯିବ ।

 

ଶେଷରେ ବିମ୍ବାଧର ବାବୁ ନିରାଶ ହେଲେ । ଡାକ୍ତରବାବୁଙ୍କୁ କାନ୍ଦି କାନ୍ଦି କହିଲେ–“ଆଉ କ’ଣ ଉର୍ବଶୀର ଜୀବନ ରକ୍ଷା ହୋଇପାରିବ ନାହିଁ ?’’

 

ଡାକ୍ତରବାବୁ ସମବେଦନା ପ୍ରକାଶ କରି କହିଲେ–‘‘ଆପଣ ଯାହା ଭାବନ୍ତୁ ଆଜ୍ଞା, ମୁଁ ନିରୁପାୟ । ହୁକୁମର ଚାକର ମୁଁ । ହୁକୁମ ଅମାନ୍ୟ କରିବି କେମିତି ?

 

ମୁଁ ମୁକ୍ତ କଣ୍ଠରେ ସ୍ଵୀକାର କରିବାକୁ ତିଳେମାତ୍ର କୁଣ୍ଠିତ ହେବି ନାହିଁ ଯେ, ଆପଣ ଜୀବନରେ ମୋର ବହୁତ ଉପକାର କରିଛନ୍ତି । ଆପଣଙ୍କର ଋଣ ମୁଁ ଜୀବନରେ ସୁଝିପାରିବି ନାହିଁ-। ଏ କ୍ଷେତ୍ରରେ କିନ୍ତୁ ମୋର କର୍ତ୍ତବ୍ୟ କ’ଣ ? ଆପଣ ନିଜେ କହନ୍ତୁ । ଆପଣତ ଜଣେ ଉଚ୍ଚପଦସ୍ଥ କର୍ମଚାରୀ ମଧ୍ୟ ।

 

ଆପଣ ନିଶ୍ଚୟ ଅବହିତ ଅଛନ୍ତି ଯେ ଅକ୍‍ସିଜେନ ଅଭାବରୁ ଅସଂଖ୍ୟ ରୋଗୀ ଏଇ ଡାକ୍ତରଖାନାରେ ମରିଛନ୍ତି । ଘରେ ଦିଆସିଲ୍‍ ଥାଇ, ନିଆଁ ଅଭାବରୁ ଉପାସ ରହି ଭୋକରେ ଛଟପଟ ହେଲାଭଳି କଥା ହେଉଛି ଅବଶ୍ୟ । ମାତ୍ର ଏ ପରିସ୍ଥିତିରେ ମୋର ଚାରା କ’ଣ ?

 

ତଥାପି ବି ବେଳ ଅଛି, ଆପଣ ଯଥାଶୀଘ୍ର କଟକ ଜେନେରାଲ ହସପିଟାଲକୁ ରୋଗିଣୀକି ନେଇ ଯାଆନ୍ତୁ ।

 

ବିମ୍ବାଧର ବାବୁ ଓ ସୁକୀର୍ତ୍ତି ଦେବୀ ଦୁହେଁ ଅନତିବିଳମ୍ବେ ଉର୍ବଶୀକି କଟକ ବଡ଼ ଡାକ୍ତରଖାନାକୁ ନେଇଗଲେ । ସେତେବେଳକୁ ରାତି ସାତଟା ।

 

ବିମ୍ବାଧର ବାବୁ ନିଜେ ଗାଡ଼ି ଚଳାଉଥାନ୍ତି । ସୁକୀର୍ତ୍ତି ଦେବୀ ଉର୍ବଶୀକି ଆଉଜିବସି ତାକୁ ଆଉଁଷୁଥାନ୍ତି । ମଝିରେ ମଝିରେ ଟିକିଏ ପାଣି ପିଆଇ ଦେଉଥାନ୍ତି । ସେ ବେଦନାରେ ଅସ୍ଥିର ହୋଇ ଘଡ଼ିକେ ପହଡ଼କେ ଆ’, ଓ’ କହୁଥାଏ । ଆଖି ଖୋଲୁଥାଏ । ଆଖି ବୁଜୁଥାଏ । ସୁକୀର୍ତ୍ତି ଦେବୀ ଉର୍ବଶୀର ମୁହଁ ଉପରେ ଦୃଷ୍ଟି ନିବଦ୍ଧ ରଖି ଚୁପୁଚୁପୁ କରି ପଚାରନ୍ତି–“ମା, କଣ’ ଦେହ ହେଉଛି ?’’

 

ଉର୍ବଶୀ ସୁକୀର୍ତ୍ତି ଦେବୀଙ୍କର ହାତକୁ ଛାତି ଉପରେ ରଖି କ’ଣ ଠାରରେ କହେ ସୁକୀର୍ତ୍ତି ଦେବୀ କିଛି ବୁଝି ପାରନ୍ତି ନାହିଁ । ସୁକୀର୍ତ୍ତି ଦେବୀଙ୍କ ଛାତି ଭିତର କ’ଣ ହୋଇ ଯାଉଥିଲେ ମଧ୍ୟ ସେ ମନକଥା ମନରେ ମାରି ଉର୍ବଶୀକି ସାନ୍ତ୍ୱନା ଦେଇ କହନ୍ତି–‘‘କିଛି ବ୍ୟସ୍ତ ହ’ ନା ମା’, ଦେହ ଭଲ ହୋଇଯିବ ।’’ ନିର୍ଜୀବ ଅଜଗର ସାପ ପରି କଳା ମଚ ମଚ ପିଚୁଢଳା ବିଲମ୍ବିତ ରାଜପଥ ଉପରେ ପ୍ରଖର ଗତିରେ ଛୁଟି ଚାଲିଥାଏ କାର୍‍ଟି ।

 

ବିମ୍ବାଧର ବାବୁ ଏଥର ଗାଡ଼ିଟି ନେଇ ଇମରଜେନ୍‌ସି ଓ୍ୱାର୍ଡ଼ ପାଖରେ ରଖି ଦେଇ ଡିଉଟିରେ ଥିବା ଡାକ୍ତରଙ୍କ ପାଖକୁ ଗଲେ । ସେ ଯାଇ ଯାହା ଦେଖିଲେ, ଯାହା ଶୁଣିଲେ, ତାହା କଥାରେ କହି ହେଉନାହିଁ; ମାତ୍ର ନ କହିଲେ ବି ରହି ହେଉ ନାହିଁ । ଡିଉଟିରେ ଥିବା ବୃଦ୍ଧ ପ୍ରବୀଣ ଡାକ୍ତର ଅମ୍ବରୀଶ ବାବୁ ନର୍ସମାନଙ୍କୁ ପ୍ରେମ ସମ୍ବନ୍ଧରେ ଏକ ତାତ୍ତ୍ଵିକ ଭାଷଣ ଦେଇ ବୁଝାଉଥିଲେ ।

 

ସେ ବାଲ୍ମୀକିଙ୍କଠାରୁ ବୈଷ୍ଣବ ପାଣିଙ୍କ ଯାଏ ଉଦାହରଣ ଦେଇ ପ୍ରେମ ସମ୍ବନ୍ଧରେ ବୁଝାଉଥିଲେ । ପୃଥିବୀରେ ପାପ ବୋଲି ଗୋଟିଏ କିଛି ସ୍ଵତନ୍ତ୍ର ଜିନିଷ ନାହିଁ, ସେ ବିଷୟରେ ମଧ୍ୟ କହିବାକୁ ଭୁଲୁ ନଥିଲେ ।

 

ସେ ଯୁକ୍ତିକରି କହୁଥିଲେ ଯେ–ଯୌବନର ଆତ୍ମନିବେଦନର ନାମ ପ୍ରେମ ନୁହେଁ । ପ୍ରେମ ଏକ ସାର୍ବଭୌମ ଅଶରୀରୀ ବସ୍ତୁ । ପରମେଶ୍ଵରଙ୍କ ବ୍ୟାଖ୍ୟା ପୃଥିବୀରେ ପ୍ରତି ପ୍ରାଣୀର ବଞ୍ଚିବା ପାଇଁ ହିଁ ପ୍ରେମର ପ୍ରୟୋଜନ । ପ୍ରେମକୁ ପ୍ରଧାନତଃ ଦୁଇଭାଗରେ ବିଭକ୍ତ କରାଯାଇପାରେ-। ଗୋଟିଏ ହେଉଛି ଆସକ୍ତି ପ୍ରେମ, ଅନ୍ୟଟି ହେଉଛି ଅନାସକ୍ତି ପ୍ରେମ ବା ଅନୁରକ୍ତି ପ୍ରେମ-। ପ୍ରେମର ସଂଜ୍ଞା ନିରୂପଣ କରିବା କଡ଼ ଦୁରୂହ । ଆମେ ସାଧାରଣତଃ ନିଜ ନିଜର ରୁଚି ଅନୁକୁଳାନୁଯାୟୀ ପ୍ରେମର ସଂଜ୍ଞା ନିରୂପଣ କରିଥାଉ ।

 

ଯେଉଁମାନେ ପ୍ରେମକୁ ପ୍ରୀତି ବୋଲି ବିଶ୍ଳେଷଣ କରି ବୁଝାଇ ବାହାସ୍ଫୋଟ ମାରନ୍ତି, ସେମାନେ ଭୁଲ୍‍ କରନ୍ତି । ପ୍ରେମ କଦାପି ପ୍ରୀତି ହୋଇ ନପାରେ । ପ୍ରେମ ଯେତେବେଳେ ନବେ ଡିଗ୍ରୀ କୋଣ କରି ନିଜର ମହତ୍ତ୍ଵ ପ୍ରତିପାଦନ କରୁଥାଏ, ପ୍ରୀତି ସେତେବେଳେ ‘ବିନ୍ଦୁ’ରେ ଅବସ୍ଥାନ କରେ । ‘ଆସକ୍ତି ପ୍ରେମର ତୋରଣ ହେଉଛି ବିବାହ ।’ ଏହାଦ୍ଵାର ଦେହକୁ ଦେହ ବନ୍ଧନ କରିବାର ଦୁର୍ବାର ଓ ଦୁର୍ବଳ ଲାଳସାର ବସନ୍ତ ଉତ୍ସବ ଅନୁଷ୍ଠିତ ହୋଇ ଆସକ୍ତି ପ୍ରେମର ବୀଜବପନ କରାଯାଏ । ଅନାସକ୍ତି ପ୍ରେମର ବ୍ୟାପ୍ତି ଅନନ୍ତ, ଅସୀମ । ସୌନ୍ଦର୍ଯ୍ୟବୋଧ ମନ୍ଦିରର ସତ୍ୟ, ଶିବ, ସୁନ୍ଦର ଦେବତାଙ୍କର ଗରୁଡ଼ସ୍ତମ୍ଭ ହେଉଛି ଅନାସକ୍ତି ପ୍ରେମ । ଅନାସକ୍ତି ପ୍ରେମର ବୃହତ୍ତର ରୂପ ହେଉଛି ବିଶ୍ଵପ୍ରେମ । ଆଜିର ସଭ୍ୟମାନବ ବିଜ୍ଞାନ ବଳରେ ଅସାଧ୍ୟ ସାଧନ କରିପାରୁଛି । ଆଲୋକ, ଜଳ, ବାୟୁକୁ ନିଜ ଇଚ୍ଛାନୁସାରେ କାର୍ଯ୍ୟରେ ଲଗାଇ ପାରୁଛି ମାତ୍ର ପ୍ରେମର ସଂଜ୍ଞା ନିରୂପଣ କରିବାକୁ ସମର୍ଥ ହୋଇପାରି ନାହିଁ ।

 

ପାପ ବୋଲି ମଧ୍ୟ ଏକ ଜିନିଷ କିଛି ନାହିଁ । ମଣିଷ କୌଣସି କାର୍ଯ୍ୟ କରି ଯଦି ପରମୁହୂର୍ତ୍ତରେ ଅନ୍ୟାୟ କରିଛି ବୋଲି ଅନୁତପ୍ତ ହୁଏ ତେବେ ତତ୍‌କ୍ଷଣାତ୍ ପାପ ଜନ୍ମଲାଭ କରେ । ପାପର ଲୋମଶ ଶରୀର ବଡ଼ ମସୃଣ । ପଚନଶୀଳ ମାଟିଘଟ ପିଣ୍ଡ ପାପର ଶିକାର ହୋଇଥାଏ ମାତ୍ର ମାଟିଘଟ ପଞ୍ଜୁରୀର ସୁବର୍ଣ୍ଣର ଶୁଆ ବୈଦେହୀ ଆତ୍ମାର ପାପ କିଛି କ୍ଷତି ସାଧନ କରିପାରେ ନାହିଁ । ଆତ୍ମା ଅବିନାଶୀ, ଅଜର, ଅମର । ଏହା ଅଗ୍ନିରେ ପୋଡ଼େ ନାହିଁ କି ଜଳରେ ବୁଡ଼େ ନାହିଁ । ଏପରିକି ଅସ୍ତ୍ରରେ କାଟି ହୁଏ ନାହିଁ । ଆତ୍ମା ହେଉଛି କ୍ଷେତ୍ରପାଳ । ଏହା ସହିତ ପାପ-ପୁଣ୍ୟର କିଛି ସମ୍ପର୍କ ନଥାଏ । ଆତ୍ମାର ପ୍ରସ୍ଥାନକୁ ସାଧାରଣତଃ ମୃତ୍ୟୁ ବୋଲି କୁହାଯାଇଥାଏ । ମୃତ୍ୟୁର ମହିମା ଯେପରି ଅସୀମ, ଏହାର ପ୍ରତିକ୍ରିୟା ସେପରି ଭୟଙ୍କର । ମୃତ୍ୟୁ ହିଁ ଐଶ୍ଵରିକ ମହାସତ୍ତାର ଦିବ୍ୟାନୁଭୂତି ଆଡ଼କୁ ମଣିଷ ମନକୁ ଟାଣିନିଏ । ‘‘ସୃଷ୍ଟି, ସଂହାର, ସ୍ଥିତିର ସଂଯୋଜନ ସେତୁ ହେଉଛି ଆନନ୍ଦମୟ ମୃତ୍ୟୁ ।’’

 

ପ୍ରବୀଣ ଡାକ୍ତର ନାଗାର୍ଜ୍ଜୁନବାବୁଙ୍କ କଥାକୁ ଆଗ୍ରହ ସହକାରେ କର୍ଣ୍ଣ ଡେରି ଶୁଣୁଥିଲେ ଫେନିଳଯୌବନା, ତରୁଣୀ ନର୍ସଗଣ । ବିମ୍ବାଧରବାରୁ ଦେଖିଲେ ତାଙ୍କ ଗାଆଁର ନୀହାରିକା ଚୌଧୁରୀ ବି ସେମାନଙ୍କ ମଧ୍ୟରେ ଅଛି ଓ ହସି ହସି ଗଡ଼ିଯାଉଛି । ଡାକ୍ତର ନାଗାର୍ଜ୍ଜୁନବାବୁ କିନ୍ତୁ ଗମ୍ଭୀର ହୋଇ ଅଭିଭାଷଣ ଦେବାରେ ଲାଗିଛନ୍ତି । ନୀହାରିକାକୁ ସମସ୍ତେ “ମିସ୍‍ ଚୌଧୁରୀ ମିସ୍‍ ଚୌଧୁରୀ” ବୋଲି ସମ୍ବୋଧନ କରୁଛନ୍ତି ।

ବିମ୍ବାଧରବାରୁ ଆଗ୍ରହ ଓ ଉତ୍କଣ୍ଠା ଭିତରେ ନୀହାରିକାର ଅତୀତ ଜୀବନର ଇତିହାସର ପୃଷ୍ଠା ମନେମନେ ଓଲଟାଇଗଲେ । ପ୍ରତିଟି ପୃଷ୍ଠା କିନ୍ତୁ ବେଦନାବତୁରା ଓ କଳଙ୍କମସୀ ବିଲେପିତ-। ପ୍ରତି ଧାଡ଼ି ଶେଷରେ ଗୋଟିଏ ଗୋଟିଏ ଶକ୍ତ ପ୍ରଶ୍ନବାଚୀ ଚିହ୍ନ, ବିନିଦ୍ର ପ୍ରହରୀ ପରି ଦଣ୍ଡାୟମାନ ।

ନୀହାରିକା... । ଏ କ’ଣ ସେହି ନୀହାରିକା ? ହଁ, ହଁ–ସେହି ନିହାରୀକା... ।

ଯାହାର ଜୀବନ ପଥରେ ପରକୀୟା ପ୍ରୀତିର ଲୌହରେଣୁ ଜମାଟ ବାନ୍ଧି ବାନ୍ଧି ଏକ ନାମହୀନ ପାହାଡ଼ ମୁଣ୍ଡ ଟେକିଥିଲା । ଯାହାର ପ୍ରାଣପୁରରେ ପରପୁରୁଷର ପ୍ରଣୟ ବେଣୁ ପ୍ରତି ମୁହୂର୍ତ୍ତରେ ଭାବପ୍ରବଣତାର ସ୍ରୋତ ଛୁଟାଇ, ମୁକ୍ତ ଆକାଶର ବିହଙ୍ଗମ କରି ଉଡ଼ାଇ ନେବାର ପ୍ରଚେଷ୍ଟା କରୁଥିଲା । ଯାହାର ଅଧର ସମୁଦ୍ରର ଅତଳ ଗର୍ଭରେ ଅଜସ୍ର ହସର ପାଲଟଣା ସୁଶୋଭିତ ବୋଇତ ଆସି ନଙ୍ଗର ପକାଇ ରହିବାର ଗୌରବ ଅର୍ଜନ କରୁଥିଲା, ଯିଏ ପୃଥିବୀର ପ୍ରତ୍ୟେକ ନାରୀ ଅସତୀ ବୋଲି ଯୁକ୍ତି ବାଢ଼ି, ବିବାହିତ ସ୍ଵାମୀର ମାନସିକ ଅଶାନ୍ତିକୁ ଦିଗୁଣିତ କରି ସନ୍ଦେହର ବୁଢ଼ିଆଣୀ ଜାଲ ବୁଣୁଥିଲା, ଏକ’ଣ ସତେ ସେହି ନୀହାରିକା ? ସ୍ଵାମୀ ପରିତ୍ୟକ୍ତା ନୀହାରିକା ?

 

ବିମ୍ବାଧରବାବୁଙ୍କୁ ଚିହ୍ନିପାରି ନୀହାରିକା ଯେତେବେଳେ ଉଠିଆସି ମୁଣ୍ଡ ନୁଆଁଇ ନମସ୍କାର କଲା, ସେତେବେଳେ ବିମ୍ବାଧର ବାବୁଙ୍କ ମନରେ ଆଉ ଦ୍ଵିଧାର ଅବକାଶ ରହିଲା ନାହିଁ । ଚକ୍ଷୁ କର୍ଣ୍ଣର ବିବାଦ ଭଞ୍ଜନ ହେଲା ।

 

ବିମ୍ବାଧରିବାକୁ କହିଲେ-“କିଏ ନୀହାରିକା ?’’ ସମାପ୍ତ ସୂର୍ଯ୍ୟାଲୋକର ବହଳ ଅରୁଣିମା ଛାଇ ହୋଇଗଲା ନୀହାରିକାର ବଦନ ମଣ୍ଡଳରେ । ଆକସ୍ମିକ ଉଦ୍‍ଗତ ଅଶ୍ରୁକୁ ଗୋପନ କରି ସମ୍ଭ୍ରମ କମ୍ପିତ ଗଳାରେ ସେ କହିଲା–

 

“ଆଜ୍ଞା, ହଁ–”

 

ଏଥର ବିମ୍ବାଧରବାବୁ କହିଲେ–ନୀହାରିକା ମୁଁ ବଡ଼ ବିପଦରେ ପଡ଼ିଛି । ଆଉ ସାମାନ୍ୟ ଡେରିରେ ଗୋଟିଏ ଜୀବନସୂର୍ଯ୍ୟର ମହାପ୍ରୟାଣ ଘଟିପାରେ । ଦୟାକରି ସେହି ରୋଗିଣୀଟିର କଥା ତୁମ ଡାକ୍ତରଙ୍କ କାନରେ ପକାଇବ କି ?

 

କୃତଜ୍ଞତାରେ ଭାଙ୍ଗି ପଡ଼ିଲା ନୀହାରିକା । ବିମ୍ବାଧର ବାବୁଙ୍କ ଯୋଗୁଁ ଆଜି ସେ ବଡ଼ ଡାକ୍ତରଖାନାରେ ଗୋଟିଏ ନର୍ସ ହେବାର ସୌଭାଗ୍ୟ ଲାଭ କରିଛି । ଯେଉଁଦିନ ସ୍ଵାମୀ ତା’ର ଛାଡ଼ପତ୍ର ଦେଇ ଘରୁ ତଡ଼ିଦେଲେ, ସେ ବାରଓଳି ତେରପିଣ୍ଡା ହୋଇ, ଲୁହ ନକାନ୍ଦି ରକ୍ତ କାନ୍ଦୁଥିଲା-। ତାକୁ ଆଶ୍ରୟ ଦେଇ ସାନ୍ତ୍ୱନା ବାରି ସିଞ୍ଚି, ସନ୍ତୋଷାମୃତ ପାନ କରାଇଥିଲେ ଏହି ବିମ୍ବାଧରବାବୁ-

 

ବିମ୍ବାଧରବାବୁ ସତେ କେତେ ଭଲ ମଣିଷ ମ ! ତାଙ୍କର ପର ଅପର ନଥାଏ । ନିଜର ସୁଖ ସମୃଦ୍ଧିକି ତୁଚ୍ଛ ମଣି ସେ ପର ଉପକାରରେ ସଦାସର୍ବଦା ବ୍ୟସ୍ତ ଥାନ୍ତି । ସେ ନିଜର ପତ୍ନୀ, ଦୁହିତାଙ୍କୁ ଲୁଚାଇ ଗରିବ ପିଲାଙ୍କୁ ସାହାଯ୍ୟଦେଇ ପାଠ ପଢ଼ାନ୍ତି । ବଟୁକଙ୍କୁ ବ୍ରତ କରାନ୍ତି । ଅସହାୟ ନରାଶ୍ରୟଙ୍କୁ ସାହାଯ୍ୟ କରନ୍ତି । ପିତୃମାତୃହୀନା ଦୀନା ବାଳିକାକୁ ବିବାହ କରାଇ ଦିଅନ୍ତି-। ସେହି ବିମ୍ବାଧରବାବୁଙ୍କ କଥା ପୁଣି ନ ଶୁଣନ୍ତା କେମିତି ନୀହାରିକା ?

 

ନୀହାରିକା ଯାଇ ଡାକ୍ତରବାବୁଙ୍କୁ ସବୁକଥା କହିଲା । ଡାକ୍ତରବାବୁ ସାଙ୍ଗେ ସାଙ୍ଗେ ଉଠିଆସି ଓ୍ୱାର୍ଡ଼ ଭିତରକୁ ଉର୍ବଶୀ କି ନେବାକୁ ହୁକୁମ ଦେଲେ ।

 

ଉର୍ବଶୀକି ବେଡରେ ନେଇ ଶୁଆଇ ଦିଆଗଲା । ଡାକ୍ତର ମହାଶୟ ରୋଗିଣୀର ଅବସ୍ଥା ଶୋଚନୀୟ ଭାବରେ ସାଂଘାତିକ ବୋଲି ମତ ଦେଲେ ।

 

ସୁକୀର୍ତ୍ତି ଦେବୀ ଯେତେବେଳେ ଏକଥା ଶୁଣିଲେ ତାଙ୍କର ମାତୃହୃଦୟ ନାଗାଧିରାଜ ହିମାଳୟର ଉଚ୍ଚତମ ଶୃଙ୍ଗର ବରଫ ନିଦାଘରେ ତରଳିଲା ଭଳି ତରଳିଗଲା । ତାଙ୍କ ହୃଦୟର କୋହ, ଚକ୍ଷୁଲୁହର ସମନ୍ଵୟ ସମ୍ପାଦିତ ହେଲା ।

 

ବିମ୍ବାଧରବାବୁ ସୁକୀର୍ତ୍ତି ଦେବୀଙ୍କୁ ସାନ୍ତ୍ୱନା ଦେଇ କହିଲେ–‘‘ଦେଖ, ଏ ବେଳ କାନ୍ଦିବାର ନୁହେଁ । ବିପଦ ବେଳେ ଅଧୀର ହେଲେ କିଛି ଲାଭ ହୁଏ ନାହିଁ ବରଂ ଅଧିକ କ୍ଷତିସାଧନ ହୋଇଥାଏ । ସମ୍ପଦ, ବିପଦ ସବୁ ଭଗବାନଙ୍କର ଦାନ । ସମ୍ପଦରେ ଚାତର ନକହି, ବିପଦରେ କାତର ନହୋଇ ସେ ସ୍ଥିତପ୍ରଜ୍ଞତାର ପ୍ରମାଣ ଦିଏ, ସେ ପ୍ରକୃତ ମଣିଷ । ସେହିଭଳି ମଣିଷ ଉପରେ ଦିନରାତି ଈଶ୍ଵରଙ୍କର ଆଶୀର୍ବାଦ ବର୍ଷଣ ହେଉଥାଏ । ଅବଶ୍ୟ କୋଟିଏ ଭିତରେ ସେହିଭଳି ଗୋଟିଏ ମଣିଷ ମିଳିବା କଠିନ । ବାଘ ଆସିବ ଆସିବ ବୋଲି ପଥିକ ପ୍ରାଣରେ ଆଶଙ୍କା ଖେଳେ-। ବାଘ ଆସିଗଲେ ପଥିକ ଯେପରି ତା’ର ସମ୍ମୁଖୀନ ହେବାପାଇଁ ଆସ୍ଥା ଭିଡ଼େ, ବିପଦବେଳେ ସେହିପରି କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନ କରିବା ଆଦୌ ଶୋଭନୀୟ ନୁହେଁ । ମଣିଷ ଚେଷ୍ଟା କରିବ, ଫଳ ଈଶ୍ଵରଙ୍କ ହାତରେ ।’’

 

ଏଥର ଦଳ ଦଳ ହୋଇ ଡାକ୍ତର ଆସିଲେ ଉର୍ବଶୀକି ଦେଖିବାକୁ । ବଡ଼ ଡାକ୍ତର ଆସି ଥାନାକୁ ଓ ମାଜିଷ୍ଟ୍ରେଟ୍‌ଙ୍କୁ ଖବର ଦେଲେ ।

 

ଜଣେ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ୍‍ ଆସି ମୃତ୍ୟୁକାଳୀନ ଜମାନବନ୍ଦି ନେଲେ । ତା’ପରେ ବିଭାଗୀୟ ବଡ଼ଡାକ୍ତରଙ୍କ ପରାମର୍ଶ ଅନୁସାରେ ଉର୍ବଶୀକି ସର୍ଜିକାଲ ଓ୍ୱାର୍ଡ଼କୁ ନିଆଗଲା । ଛ’ଷଠି ନମ୍ବର ବେଡରେ ତାକୁ ରଖାଗଲା । ଏହି ବେଡ୍‌ଟି ସର୍ଜିକାଲ ଓ୍ୱାର୍ଡ଼ର ଉତ୍ତର ଦିଗର ଠିକ୍‍ କୋଣରେ-

 

ମୁଣ୍ଡରେ ଭୀଷଣ ଆଘାତ ଲାଗି ଖପୁରୀ ଭାଙ୍ଗିଥିବା ହେତୁ ଅପେରେସନ କରିବାର ଠିକ୍‍ ହେଲା । ତାହା ପୂର୍ବରୁ ରକ୍ତ ଦେବା ଦରକାର । ଦେବ କିଏ ?

 

ବ୍ଲଡ୍‍ ବ୍ୟାଙ୍କରୁ ରକ୍ତ କିଣିଆଣିବା ପାଇଁ ବିମ୍ବାଧର ବାବୁଙ୍କୁ ଡାକ୍ତର ପରାମର୍ଶ ଦେଲେ । ବିମ୍ବାଧର ବାବୁ ରକ୍ତ ନକିଣି ନିଜେ ରକ୍ତଦାନ କଲେ । ଅପରେସନ ସରି ଉର୍ବଶୀର ଚେତା ଫେରୁ ଫେରୁ ରାତି ପାହିଗଲା ।

 

ଉର୍ବଶୀ ଯେତେବେଳେ ଆଖି ଖୋଲି ଅନାଇଲା, ସେତେବେଳେ ସୁକୀର୍ତ୍ତି ଦେବୀ ଓ ବିମ୍ବାଧର ବାବୁଙ୍କର ଆନନ୍ଦର ସୀମା ରହିଲା ନାହିଁ । ସୁକୀର୍ତ୍ତି ଦେବୀ କହିଲେ–“ମା’ କଟକଚଣ୍ଡୀ ତୁ’ହି ଭରସା ।’’

 

ବିମ୍ବାଧରବାବୁ କହିଲେ–“ପ୍ରଭୁ ତୁମ ଇଚ୍ଛା” ।

 

ଉର୍ବଶୀ ଖନ ଖନ ପାଟିରେ ପଚାରିଲା–“ତଟିନୀ କାହିଁ ?’’

 

ସୁକୀର୍ତ୍ତି ଦେବୀ କହିଲେ–“ତୁ’ ତାହା ପାଇଁ ବ୍ୟସ୍ତ ହେବା ଦରକାର ନାହିଁ । ମୁଁ ଗଲେ ସେ ଆସିବ ।’’

 

ବିମ୍ବାଧରବାରୁ ଏଥର ସୁକୀର୍ତ୍ତି ଦେବୀଙ୍କୁ କହିଲେ–“ତୁମେ ଯାଅ, ମୁଁ ଅଛି ।’’ ସୁକୀର୍ତ୍ତି ଦେବୀ କହିଲେ–“କାହିଁକି, ତୁମେ ଯାଉନା ମୁଁ ଅଛି । ତୁମେ ଖିଆପିଆ ସାରି, ତଟିନୀକି ସାଙ୍ଗରେ ଆଣି ଆସିବ । ଅଫିସକୁ ଯାଇ ଛୁଟି ବି ଆଣିବ ।’’

 

ବିମ୍ବାଧରବାବୁ ନିଜର ପ୍ରିୟତମାଙ୍କ କଥାକୁ ଏଡ଼ାଇ ଦେଇ ପାରିଲେ ନାହିଁ । ସେ ଭୁବନେଶ୍ଵର କାର୍‍ ନେଇ ଫେରିଗଲେ । ସୁକୀର୍ତ୍ତି ଦେବୀ ରହିଲେ ଉର୍ବଶୀ ନିକଟରେ ।

 

ସୁକୀର୍ତ୍ତି ଦେବୀ ଉର୍ବଶୀକି କ’ଣ ପଚାରୁଥିଲେ । ବିଭାଗୀୟ ଡାକ୍ତର ଆସି କହିଲେ–“ରୋଗିଣୀକି ଶୋଇବାକୁ ଦିଅନ୍ତୁ । ତାଙ୍କ ସାଙ୍ଗରେ ବେଶି କଥାବାର୍ତ୍ତା କରନ୍ତୁ ନାହିଁ ।’’

 

-ସାତ-

 

ଉର୍ବଶୀ ଯେଉଁ ଓ୍ୱାର୍ଡ଼ରେ ଅଛି, ସେହି ଓ୍ୱାର୍ଡ଼ରେ ଅଛନ୍ତି ଉର୍ବଶୀର ଶାଶୁ ଅମ୍ବିକା ଦେବୀ । ଅମ୍ବିକା ଦେବୀ କାନ୍ଥ ଏପାଖ ତେତିଶ ନମ୍ବର ବେଡରେ । ଉର୍ବଶୀ କାନ୍ଥ ସେପାଖ ଛ’ଷଠି ନମ୍ବର ବେଡରେ ।

 

ବେନି ଜନେ ପଡ଼ିଛି ଏକ ଦଶା । ଅମ୍ବିକା ଦେବୀଙ୍କ ମୁଣ୍ଡରେ ବି ଭୀଷଣ ଆଘାତ ଲାଗିଛି । ବଞ୍ଚିବା ବେଠିକଣା । ଡାକ୍ତରମାନେ ତାଙ୍କର ଖୁବ୍‍ ଯତ୍ନ ନେଉଛନ୍ତି, ମାତ୍ର ଭଲ ହେବାର କୌଣସି ସଂକେତ ଦେଖାଯାଉ ନାହିଁ ।

 

ଅମ୍ବିକା ଦେବୀଙ୍କ ପାଖକୁ ନିକୁଞ୍ଜବାବୁ ଆସନ୍ତି । ବରେନ୍ଦ୍ର ଆସେ । ଉର୍ବଶୀ କାନ୍ଥ ଛିଦ୍ରରେ ମୁଣ୍ଡ ଟେକି ଅନାଇ ଦେଖେ । କାହାକୁ କିଛି କହେ ନାହିଁ । ନର୍ସ ନୀହାରିକା ଠାରୁ ଅମ୍ବିକା ଦେବୀଙ୍କ ଦେହ ଖବର ବୁଝେ । ଅମ୍ବିକା ଦେବୀଙ୍କୁ ସେ ଭୁଲିପାରେ ନାହିଁ । କେବେ ବି ଭୁଲି ପାରିବ ନାହିଁ ।

 

ଉର୍ବଶୀ ପିଲାଟି ଦିନରୁ ମା’ ଛେଉଣ୍ଡ । ମା’ ବୋଲି ଯେଉଁ ପଦାର୍ଥ ସେ ତାହା ଭଲ ଭାବରେ ଜାଣିନାହିଁ । ସେ ଶାଶୁଘରକୁ ଆସିଲା ଦିନୁ ଶାଶୁଙ୍କୁ ହିଁ ମା’ ବୋଲି ଧରିନେଇଥିଲା । ଶାଶୁ ଅମ୍ବିକା ଦେବୀ ବି ଭାରି ଭଲ ପାଆନ୍ତି ଉର୍ବଶୀ । ଅମ୍ବିକା ଦେବୀଙ୍କର ଝିଅ ନଥିବା ହେତୁ ଉର୍ବଶୀ ତାଙ୍କର ଝିଅ ଆଉ ବୋହୂ ।

 

ପୁଅ ବରେନ୍ଦ୍ରଟା ମଣିଷ ହେଲା ନାହିଁ । ଏତେଗୁଡ଼ାଏ ପାଠ ପଢ଼ି ମାଟି ହୋଇଗଲା । କୌଣସି କାମକୁ ଯୋଗ୍ୟ ନୁହେଁ । କାହାକୁ ପଦେ ମୁହଁ ଖୋଲି କହିପାରିବ ନାହିଁ । ସବୁବେଳେ ଘରେ ବସି ଖଣ୍ଡି ଗୁଣିଆଙ୍କ ଭଳି କଳି କଜିଆ କରୁଥିବ । ଉର୍ବଶୀ ଭଳି ପିଲାକୁ ବିବାହ କରି ମଧ୍ୟ ସେ ସୁଖୀ ହୋଇପାରି ନାହିଁ । ସବୁବେଳେ ତା’ର ସମସ୍ତଙ୍କୁ ସନ୍ଦେହ ।

 

ସେ ଭାବେ ସେ ଯାହା କହେ ଠିକ୍‍ । ସେ ଯାହା କରେ ଠିକ୍‍ । ଅନ୍ୟମାନେ ଯାହା କହନ୍ତି ସେଥିରେ କିଛି ମୂଲ୍ୟ ନାହିଁ ।

 

ସ୍ଵାମୀ ନିକୁଞ୍ଜ ବାବୁ ମଧ୍ୟ ଧନଲୋଭୀ, ଅର୍ଥପିପାସୁ । ସେ ମଣିଷକୁ ବଡ଼ ମନେକରନ୍ତି ନାହିଁ । ବଡ଼ ତାଙ୍କର ଧନ । ସେ ସବୁବେଳେ କହନ୍ତି–“ଧନ ଅର୍ଜନେ ଧର୍ମ କରି, ଧର୍ମେ ପ୍ରପାତ ନରହରି ।’’ ଧନ ହେଲା ପୁରୁଷ ପୁଅର ସବୁ । ଧନ ପାଖରେ ନ ଥିଲେ କେହି ପଚାରିବେ ନାହିଁ । ଅମ୍ବିକାଦେବୀ ଜୀବନ ସାରା ପ୍ରାଣପଣେ ଚେଷ୍ଟା କରିଛନ୍ତି ନିକୁଞ୍ଜବାବୁଙ୍କ ମନ ପରିବର୍ତ୍ତନ କରିବାକୁ ମାତ୍ର ପାରିନାହାନ୍ତି । ହାରି ଯାଇଛନ୍ତି ।

 

ଉର୍ବଶୀ ଅନେକ ସମୟରେ କାନ୍ଥ ଛିଦ୍ରରେ ଅନାଇ ଦେଖେ ତା’ ଆଡ଼କୁ ଶାଶୁ ତା’ର ଆଙ୍ଗୁଠି ଦେଖାଇ କ’ଣ କହନ୍ତି । କେହି କିଛି ବୁଝି ପାରନ୍ତି ନାହିଁ ।

 

ସେ ଶାଶୁଙ୍କ ପାଖକୁ ଯିବା ପାଇଁ ଇଚ୍ଛା କରେ ମାତ୍ର ଯାଇପାରେ ନାହିଁ, ନର୍ସମାନେ ବାଧା ଦିଅନ୍ତି । ସୁକୀର୍ତ୍ତି ଦେବୀ ବି ବାରଣ କରନ୍ତି । ମନ କଥା ମନରେ ମାରି ରହେ ଉର୍ବଶୀ ।

 

ସେ କାନ୍ଦେ । ଚୁପ୍‌ ହୋଇ ଶୋଇ ରହେ । ସୁକୀର୍ତ୍ତି ଦେବୀ ଯେତେ ବୁଝାଇଲେ ମଧ୍ୟ ସେ କିଛି ଖାଏ ନାହିଁ । ଦିନକୁ ଦିନ ତନୁ କ୍ଷୀଣ ହୁଏ । ତା’ର ଦେହଟା ଛ’ଷଠି ନମ୍ବର ବେଡ୍‍ ଉପରେ ପଡ଼ିରହେ; ମାତ୍ର ମନଟା ଅମ୍ବିକା ଦେବୀଙ୍କ ପାଖରେ ଥାଏ ।

 

ଦିନେ ରାତି ଅଧରେ ଉର୍ବଶୀ ଚେଇଁ କେତେ କଥା ଭାବିବାରେ ଲାଗିଛି । ଅତୀତର ସ୍ମୃତି ତର୍ପଣ କରି ଅଶ୍ରୁମୋଚନ କରୁଛି । ରୋଗୀମାନେ କିଏ କୁଆଡ଼େ ଶୋଇଲେଣି । ପଦାରେ ଆଲସେସିଆନ କୁକୁରଟା ବଡ଼ ଜୋରେ ଭୋ’ ଭୋ’ ହେଉଛି ।

 

ଏତିକିବେଳେ ଅମ୍ବିକା ଦେବୀଙ୍କ ମାତୃସୁଲଭ କଣ୍ଠରୁ ଗୋଟିଏ ଶବ୍ଦ ଭାସି ଆସିଲା–“ଉରୁ…. ଉରୁ…. ଉରୁ”

 

ଉର୍ବଶୀ ଆଉ ସମ୍ଭାଳି ହୋଇ ପାରିଲା ନାହିଁ । ଅମ୍ଵିକା ଦେବୀଙ୍କ ପାଖକୁ ଦଉଡ଼ିଗଲା । ଅନ୍ୟ ରୋଗୀମାନେ ଉଠି ହାଁ, ହାଁ, କରୁଛନ୍ତି, ସେ କିଛି ଶୁଣିଲା ନାହିଁ ।

 

ଅମ୍ବିକା ଦେବୀଙ୍କ ଉପରେ ଯାଇଁ କଚାଡ଼ି ହୋଇ ପଡ଼ିଲା, ଅମ୍ବିକା ଦେବୀ ଉରୁକୁ ଜାବୁଡ଼ି ଧରି କାନ୍ଦିବାକୁ ବି ଲାଗିଲେ । ଚକ୍ଷୁର ତାରକା ତାଙ୍କର ନିଷ୍ପ୍ରଭ ହୋଇଗଲା ।

 

ଏ ଖବର ଡାକ୍ତରଖାନା ସାରା ଚହଳ ପକାଇ ଦେଲା । ଡାକ୍ତରମାନେ ଦଉଡ଼ା ଦଉଡ଼ି ହୋଇ ଆସିଲେ । ଅମ୍ବିକା ଦେବୀଙ୍କୁ ଅକ୍‌ସିଜେନ ଦିଆଗଲା । ଆଉ କିଛି ଫଳ ହେଲାନି । ବୈଦେହୀ ଆତ୍ମା ତାଙ୍କର ମୁକ୍ତ ଆକାଶର ବିହଙ୍ଗୀ ସାଜି ଉଡ଼ିଗଲା । ମାଟିଘଟ ଜଡ଼ପିଣ୍ଡଟା ଖାଲି ପଡ଼ିରହିଲା ।

ସୁକୀର୍ତ୍ତି ଦେବୀ ଆସି କାନ୍ଥକୁ ଆଉଜି ଠିଆ ହୋଇଥାନ୍ତି । ସେ କାନ୍ଦିପାରୁ ନଥାନ୍ତି କି ଉର୍ବଶୀକି କିଛି କହିପାରୁ ନଥାନ୍ତି ।

ଉର୍ବଶୀ ଏଥର ହସିଲା । ଖୁବ୍‍ ଜୋରରେ ହସିଲା । ତା’ର ହସରେ ଯେମିତି ଥରି ଉଠିଲା ମେଡିକାଲର ବିରାଟକାୟ କୋଠାଗୁଡ଼ା । ସର୍ଜିକାଲ ଓ୍ୱାର୍ଡ଼ରେ ଯିଏ ଯୁଆଡ଼େ ଶୋଇଥିଲେ ସମସ୍ତଙ୍କର ନିଦ୍ରା ଏକା ସାଙ୍ଗରେ ଭାଙ୍ଗିଗଲା । ଯିଏ ଯେତେପ୍ରକାର ଚେଷ୍ଟାକଲେ ମଧ୍ୟ ଉର୍ବଶୀର ହସ ବନ୍ଦ କରି ପାରିଲେ ନାହିଁ ।

ଉର୍ବଶୀ ବିକଟାଳ ହସ ହସି ହସି କହିଲା–“ଆଉ ଏ ରାତ୍ରୀ ସକାଳ ହେବା ଦରକାର ନାହିଁ । ସୂର୍ଯ୍ୟ ଉଇଁବା ଦରକାର ନାହିଁ । ପଦ୍ମିନୀ ଚାଲିଗଲା ।

ହଁ....ହଁ....ବସା ଭାଙ୍ଗିଗଲା । ଚଢ଼େଇ ଉଡ଼ିଗଲା । ମୁଁ ବି ଉଡ଼ିଯିବି । ତୁମେ ସବୁ ଯିଏ ଯିବ, ମୋ’ ସାଙ୍ଗରେ ଆସ । ସମସ୍ତେ ସାଙ୍ଗ ହୋଇ ସେଠାରେ ରହିବା ।’’

ଡାକ୍ତରମାନେ ଉର୍ବଶୀର ଦୟନୀୟା ଶୋକାତୁରା ଅବସ୍ଥାକୁ ବେଶ୍‍ ଭାବରେ ହୃଦୟଙ୍ଗମ କରିପାରିଲେ । ତାକୁ ଧରାଧରି କରି ନେଇ ବେଡରେ ଶୁଆଇ ଦେଇ ହାତ ଗୋଡ଼ ବାନ୍ଧି ଦେଲେ । ଉର୍ବଶୀର ଅବସ୍ଥା ଶୋଚନୀୟ ହୋଇ ଉଠିଲା ।

ଅମ୍ବିକା ଦେବୀଙ୍କୁ ଖାନନଗର ଶ୍ମଶାନକୁ ନିଆଗଲା । ବରେନ୍ଦ୍ର ମୁଖାଗ୍ନି ଦେଲାପରେ ଚିତା ପ୍ରଜ୍ଜ୍ୱଳିତ ହୋଇ ଉଠିଲା । ଚାହୁଁ ଚାହୁଁ ନଶ୍ଵର ଶରୀରଟା ପୋଡ଼ି ପାଉଁଶ ହୋଇଗଲା । ନିକୁଞ୍ଜବାବୁ ଅଦୂରରେ ଠିଆ ହୋଇ କାନ୍ଦୁଥିଲେ । ଯିଏ କେଡ଼େ ବିପଦର ଢେଉକୁ ମଥା ନୁଆଁଇ ସମ୍ଭାଳିଥିଲେ, ବାପ ମା’ ମରିଥିଲେ ଟୋପାଏ ହେଲେ ଲୁହ ଆଖିରୁ ଗଡ଼ାଇ ନଥିଲେ, ସେହି ନିକୁଞ୍ଜବାବୁ ଆଜି ପିଲାଙ୍କ ଭଳି କାନ୍ଦୁଛନ୍ତି । ଯିଏ ଜୀବନ ସାରା ପ୍ରିୟତମା ପତ୍ନୀଙ୍କ କଥା ଉପରେ ଗୁରୁତ୍ଵ ଆରୋପ କରି ନାହାନ୍ତି, ସେହି ପ୍ରିୟତମା ପତ୍ନୀଙ୍କ ବିୟୋଗ ନିକୁଞ୍ଜବାବୁଙ୍କ ମନକୁ ଚହଲାଇ ଦେଇଛି । ତାଙ୍କର ପାଷାଣ କଠିନ ହୃଦୟକୁ ତରଳାଇ ଦେଇଛି । ତାଙ୍କୁ ଦଶଦିଗ ଅନ୍ଧକାର ଦେଖାଯାଇଛି । ସେ ନିଜକୁ ଅସହାୟ ମଣୁଛନ୍ତି । ତାଙ୍କର ମନେହେଉଛି, ସତେ ଯେପରି ସେ ଜିଇଁ ଥାଉଁ ଥାଉଁ ମରିଗଲେ ।

ତାଙ୍କର ସବୁ ସରିଗଲା । ଦୁନିଆଁରେ ଆଉ ତାଙ୍କର କେହି ନାହିଁ । ସେ ଆଉ କାହିଁକି ରହିବେ ? ରହି ଅବା କେଉଁ ଲାଭ ?

ବରେନ୍ଦ୍ର ବି ସେଇ ଶ୍ମଶାନରେ ମୁଣ୍ଡ କଚାଡ଼ି ବହୁତ କାନ୍ଦିଲା । ବାପ ପୁଅଙ୍କ କରୁଣ କ୍ରନ୍ଦନରେ ଖାନନଗରର ଆତ୍ମା ଥରି ଉଠିଲା । କାଠଯୋଡ଼ୀ ବାଲିରେ ବସିଥିବା ଅଚିହ୍ନା ଚଢ଼େଇ ଗୁଡ଼ା କେଁ କଟର କରି ଉଠିଲେ ! କିଛି କୁଆଡ଼େ ନଥିଲା, ହଠାତ୍‍ ଆକାଶ ମେଘାଚ୍ଛନ୍ନ ହୋଇ ଝିପି ଝିପି ବର୍ଷା ଦି’ଟୋପା ହୋଇଗଲା ।

ମନେହେଲା ସତେ ଯେପରି ବାପ ପୁଅଙ୍କ କରୁଣ କ୍ରନ୍ଦନରେ ସମବେଦନା ବିଗଳିତ ହୋଇ ପ୍ରକୃତି ବି କ୍ରନ୍ଦନ କରୁଛି ।

ବାପ ପୁଅ ଦୁଇଜଣ କାନ୍ଦ ବନ୍ଦକରି ମୁଣ୍ଡି ସାହାଡ଼ା ଗଛପରି ନିରବ ନିଶ୍ଚଳ ଭାବେ ଠିଆ ହୋଇ ରହିଲେ । ସାଙ୍ଗରେ ଯାଇଥିବା ବନ୍ଧୁବାନ୍ଧବ, ସାଙ୍ଗମାନେ ସାନ୍ତ୍ୱନା ଦେଇ ବହୁତ କଥା ବୁଝାଇଲେ ମଧ୍ୟ ନିକୁଞ୍ଜବାବୁ ବୁଝିଲେ ନାହିଁ । କୋହ ଉପରେ କୋହ ଉଠିଲା ।

ସେ କହିଲେ–“ବରେନ୍ଦ୍ର ତୁ’ ଯା । ତୋର ଘର, ତୋର ଦ୍ଵାର ତୋର ସଂସାର । ମୁଁ ଆଉ କାହିଁକି ଯିବି ? ମୋର ଆଉ କିଏ ଅଛି ?

ଉର୍ବଶୀ ହେଲେ ଥା’ନ୍ତା ! ଉର୍ବଶୀକି ଆଉ ବା ମୁଁ କେମିତି ମୁହଁ ଦେଖାଇବି ?’’ ବରେନ୍ଦ୍ର ହନୁହାଡ଼ରେ ଉଦ୍‌ଗତ ଉଷ୍ଣଲୁହକୁ ପୋଛୁ ପୋଛୁ ନିକୁଞ୍ଜବାବୁଙ୍କ ହାତ ଟାଣି ଟାଣି, ଶବ ଆଣିଥିବା ଟ୍ରକରେ ନେଇ ବସାଇଲା । ଆସିଥିବା ସମସ୍ତ ଲୋକ ବସିଲେ । ଯନ୍ତ୍ରଦାନବ ଭୀମ ରଡ଼ି କରି ଛୁଟି ଚାଲିଲା । ତାକୁ ମଣିଷ ଯେଉଁ ମନ୍ତ୍ର ଦେଇଛି ସେ ତାକୁ ଅକ୍ଷରେ ଅକ୍ଷରେ ପାଳନ କରି କର୍ତ୍ତବ୍ୟ ପଥରେ ଆଗେଇବାକୁ ଚାହେଁ । ସେ ମଣିଷର ସୁଖ ଦୁଃଖରେ ଭାଗୀ ହେବାକୁ ଚାହେଁନା । ଘରେ ପହଞ୍ଚିଲା ବେଳକୁ ରାତିପାହି ଆସୁଥିଲା । କଦମ୍ବ ଗଛରେ ବସି କପୋତୀ ବାହୁନୁଥିଲା–“ମାଣ ପୂରିଲା, ସେର ପୂରିଲା ଉଠୁରେ ପୁତ ।’’

 

-ଆଠ-

 

ସୀମା ଆଜି ରୁଷି ବସିଛି । ହେମାଙ୍ଗିନୀ ଦେବୀଙ୍କ କଥାରେ ରୁଷି ବସିଛି । ହେମାଙ୍ଗିନୀ ଦେବୀ ଖାଲି ଏତିକି କହିଲେ–“ସତର, ଅଠର ବର୍ଷର ଝିଅତୁ ଆସି ହେଲୁଣି, ତୋର ଟିକିଏ ବୁଦ୍ଧି ପସନ୍ଦ ହେଉ ନାହିଁ । ସବୁବେଳେ ଖାଲି ପିଲାଳିଆ କଥା । ତୋରି ସାଙ୍ଗର ଝିଅ ବାହାଚୁରା ହୋଇ ଘରସଂସାର କଲେଣି । ପଚିଶ ପରାଣୀ କୁଟୁମ୍ବକୁ ନିଆଜିଲେଣି । ତୋର କୋଉ କଥାକୁ ନଘା ନାହିଁ ନା ପଘା ନାହିଁ । ସବୁବେଳେ ଖାଲି ହେଁ ହେଁ, ଫେଁ ଫେଁ । ଘର କାମ କିଛି ଶିଖିବାରେ ମନ ନାହିଁ । ପର ଘରେ ପୁଣି ଯାଇଁ ଚଳିବୁ କେମିତି ? ମୋ’ ନାଆଁ କ’ଣ ଯାଇ ପକାଇବୁ ?’’

 

ସୀମା ମନରେ ରୋଷ । ଦିନେ କାଳେତ ଏପରି କଥା ବୋଉ କେବେ କହେନା । ଭଲାରେ ଭଲା ଆଜି କାହିଁକି ଏପରି କହିଲା । ସେ ରାନ୍ଧୁଛି, ମୁଁ ନଖାଇଲେ ?

 

ମଣିଷର ମନ ସବୁବେଳେ ସମାନ ନାହିଁ । କେତେବେଳେ କେଉଁ କଥା । ହେମାଙ୍ଗିନୀ ଦେବୀଙ୍କ ମନ କ’ଣ ହୋଇଗଲା । ସେ ସୀମାକୁ ଯାଇ କାଖେଇ ପକାଇଲେ । ସୀମା କ୍ଷୀରଖିଆ ପିଲାଙ୍କ ପରି ଖିଲି ଖିଲି କରି ହସି ଉଠିଲା ।

 

ପ୍ରକୃତରେ ସୀମା ଆଜିଯାଏ ପିଲା ବୁଦ୍ଧି ଛାଡ଼ିନି । ବସିଛିତ ବସିଛି, ହସୁଛିତ ହସୁଛି । ଦେହରୁ ଲୁଗା ବି ବାହାରି ଯାଇଥିଲେ ସେଥିପ୍ରତି ଖାତିର ନାହିଁ । କି ବେଫାଇଦା କଥା ସତେ !

 

ସୀମା କହିଲା–“ବୋଉ ଲୋ, ଆମର ବହୁତ ଦିନ ହେଲା ଛଣା ମଣ୍ଡା ହୋଇନାହିଁ, ଦି’ଟା କର, ଆଜି ଖାଇବା । କଥା ଅଛି–ରୁଷିଲା ବାଲାର ଭାଗ ବେଶୀ ।’’

 

ସୀମା ଯାହା କହିଲା, ସେୟା ହେଲା । ଛେନା କିଣା ହୋଇ ଆସିଲା । ନଡ଼ିଆ ଗଛରୁ ପରା ହେଲା । ଦୋକାନରୁ ଗୁଡ଼ ଆସିଲା । ଗରମ ମସଲାବି କିଣାହୋଇ ଆସିଲା । ପୁର ତିଆରି ହୋଇ ଯନ୍ତା ଆଣ ଭିତରେ ପଶି ମଣ୍ଡା ତିଆରି ହେଲା । ସୀମାର ବରାଦ ଅନୁସାରେ ଗୁଆ ଘିଅରେ ଛଣାହେଲା ପିଠା ।

 

ସ୍ଵୟମ୍ଭୂ ଆସି ପହଞ୍ଚିଲା । ହେମାଙ୍ଗିନୀ ଦେବୀ ଆନନ୍ଦ ଗଦ୍‍ ଗଦ୍‍ ହୋଇ କହିଲେ–“ଇଲୋ ମୋ, ବାପା ଆସିଲାଣି ।’’

 

ସୀମା କୃତ୍ରିମ ବିରକ୍ତି ପ୍ରକାଶ କରି ମୁହଁ ମୋଡ଼ିଦେଲା ।

 

ତା’ପରେ ପିଠାଛଣା ଆରମ୍ଭ ହେଲା । ସୀମା ଆଉ ସ୍ଵୟମ୍ଭୂ ଦୁହେଁ ପିଠା ଗଢ଼ିଲେ । ଟୁଆଁ ଟୁଇଁ ଭଳି ଯେଉଁ କେତୋଟି ପିଠା ଘିଅ କଡ଼ାରୁ ବାହାରିଲା ତାକୁ ସୀମା ଆଉ ସ୍ୱୟମ୍ଭୂ ପାଟିକି ପକାଇ ଦେଲେ ।

 

ସୀମା ଆଉ ସ୍ଵୟମ୍ଭୂଙ୍କ ପିଠାଖିଆ ଦେଖି ହେମାଙ୍ଗିନୀ ଦେବୀଙ୍କୁ ଭାରି ଆନନ୍ଦ ଲାଗୁଥାଏ-

 

ସୀମା ଉଠିଆସି କହିଲା–“ବୋଉଲୋ, ମୋତେ ଜାଲିଚଟୁ ଦେଲୁ ଦେଲୁ, ମୁଁ ଦିଟା ପିଠା ଛାଣେ ।’’

 

ହେମାଙ୍ଗିନୀ ଦେବୀ କହିଲେ–“ମୋ’ ମା’ଟା ପରା, ତୋତେ ସେ କାମ ଆସିବ ନାହିଁ ।’’

 

ସୀମା ଜିଦ୍‍ ଧରିଲା । ହେମାଙ୍ଗିନୀ ଦେବୀ ସୀମା ହାତକୁ ଜାଲିଚଟୁଟା ବଢ଼ାଇ ଦେଲେ-। ସୀମା ଡାହାଣ ହାତରେ ଜାଲିଚଟୁଟା ଧରି ବାଆଁ ହାତରେ ପିଠା ଦି’ଟା ଫୁଟିଲା ଘିଅକଡ଼ା ଭିତରକୁ ଜୋରରେ ପକାଇ ଦେଲା ।

 

ହେମାଙ୍ଗିନୀ ଦେବୀ ଦୁଇ ଆଖିରେ ହାତ ଦେଇ ବାପାଲୋ ମରିଗଲି ବୋଲ ଚିତ୍କାର ଛାଡ଼ିଲେ ।

 

ସୀମା ଜାଲିଚଟୁକୁ ଫୋପାଡ଼ି ଦେଇ ବିକଳ ହୋଇ ପଚାରିଲା–“ତୋର କ’ଣ ହେଲା ବୋଉ ?’’

 

ସ୍ଵୟମ୍ଭୂ ଦଉଡ଼ି ଆସି ପଚାରିଲା–“କ’ଣ ହେଲା ମାଉସୀ ?’’

 

ହେମାଙ୍ଗିନୀ ଦେବୀ ଅତି ବ୍ୟସ୍ତ ହୋଇ କହିଲେ–“ଗରମ ଘିଅ ଛିଟିକି ମୋ’ ଆଖିରେ ପଡ଼ିଗଲା ।’’

 

ସୀମା ଉଠିଯାଇଁ ପାଣି ଚଳାଏ ଆଣି ଦି’ ଆଖିକି ଛାଟିଦେଲା । ମରଣ କାଳେ ବିପରୀତ ବୁଦ୍ଧି । ପୋଡ଼ିଯିବା ସ୍ଥାନରେ ଥଣ୍ଡାପାଣି ଲାଗିଲେ ସେ ସ୍ଥାନରେ ସାଙ୍ଗେ ସାଙ୍ଗେ ଫୋଟକା ହୋଇଯାଏ, ଏକଥା ସୀମାର ହୋସ୍‍ ରହିଲା ନାହିଁ ।

 

ହେମାଙ୍ଗିନୀ ଦେବୀ ଆଖି ବୁଜି ରହିଲେ । ସେ ଆଉ ଆଖି ଖୋଲିଲେ ନାହିଁ । ବେଦନା ବେଳକୁ ବେଳ ବଢ଼ିଲା । ଭୀଷଣ ବିନ୍ଧା ଛିଟିକା କଲା । ଆଖି, କାନ, ଦାନ୍ତ, ନଖ କୌଣସି ରୋଗଦ୍ଵାରା ଆକ୍ରାନ୍ତ ହେଲେ ଯେଉଁ ଦୁର୍ବିସହ ବେଦନା ହୁଏ ତାହା ଅନୁଭବୀ ବିନା ଆନ କିଏ ଜାଣିବ ! ପ୍ରାଣ ଛାଡ଼ିଗଲା ପରି ଲାଗେ ।

 

ସ୍ଵୟମ୍ଭୂ ତା’ ସାଧ୍ୟମତେ ଚେଷ୍ଟା କଲା । ନାନା ରକମର ତୁଟୁକା ଔଷଧ ଆଣି ପକାଇଲା-। କିଛି ଫଳ ହେଲା ନାହିଁ । ହେମାଙ୍ଗିନୀ ଦେବୀ ବେଳକୁ ବେଳ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେବାକୁ ଲାଗିଲେ ।

 

ସୀମା ଖାଲି କାନ୍ଦୁଥାଏ । ତାକୁ ଚାରିଆଡ଼ ଅନ୍ଧକାର ଦେଖା ଯାଉଥାଏ । ତା’ମନରେ ଆଶଙ୍କାର ଝଡ଼ ଛୁଟୁଥାଏ । ଯଦି ତା’ ବୋଉ ଅନ୍ଧୁଣୀ ହୋଇଯାଏ ତେବେ ସେ କ’ଣ କରିବ ?

 

କେତେବେଳେ ରାତି ପାହିବ ? ଏ ରାତି ତ କ’ଣ ସାତ ରାତି ଭଳି ଜଣାପଡ଼ୁଛି । ପ୍ରକୃତରେ ବେଦନାର ରାତ୍ରି ଦୀର୍ଘ ବୋଲି ଜଣାପଡ଼େ ।

 

କୌଣସିମତେ କାଳରାତ୍ରି ପାହିଲା । ଡାକ୍ତରଙ୍କୁ ଡାକିବାକୁ ଗଲା ସ୍ଵୟମ୍ଭୂ । ଡାକ୍ତର ଆସି ଦେଖି ଚମକି ପଡ଼ି କହିଲେ–“ସର୍ବନାଶ ! ଚକ୍ଷୁ ଦୁଇଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।’’

 

ସୀମା ଶୁଣି କପାଳରେ କର କଚାଡ଼ି ଭୋ’ ଭୋ’ କାନ୍ଦିଲା । ତା’ର ଆଶଙ୍କା ସତ୍ୟରେ ପରିଣତ ହୋଇଛି ।

 

ସ୍ଵୟମ୍ଭୂ ଅଭୟ ଦେଇ କହିଲା–“କାହିଁକି ବିକଳ ହୋଇ କାନ୍ଦୁଛୁ ସୀମା ? ମୁଁ ଅଛି ପରା-!’’

 

Unknown

-ନଅ-

 

ଦୁନିଆଁରେ ଜଣକର ସବୁ ଥାଇ ଯଦି ଚକ୍ଷୁ ନ ଥାଏ ତେବେ ବୁଝିବାକୁ ହେବ ଯେ ତା’ର କିଛି ନାହିଁ । ଚକ୍ଷୁ ମନୁଷ୍ୟର ଅମୂଲ୍ୟରତ୍ନ । ସେହି ଅମୂଲ୍ୟ ରତ୍ନ ହରାଇ ହେମାଙ୍ଗିନୀ ଦେବୀ ଭାଗ୍ୟ ଆଉ ଭଗବାନଙ୍କୁ ସବୁବେଳେ ନିନ୍ଦା କଲେ । ଯେତେବେଳେ ଯାହା ଘଟିବାର ଥାଏ, ତାହା ଅବଶ୍ୟ ଘଟିବ, ତାକୁ ଆନ କରିବ କିଏ ?

 

ହେମାଙ୍ଗିନୀ ଦେବୀଙ୍କ ଚକ୍ଷୁ ନଷ୍ଟ ହେଲାପରେ ତାଙ୍କ ମୁଣ୍ଡରୁବି ସିନ୍ଦୂର ଲିଭିଛି । ହାତରୁ ଶଙ୍ଖା କଢ଼ା ହୋଇଛି । ବିପ୍ରବାବୁ ହେମାଙ୍ଗିନୀ ଦେବୀଙ୍କ ଖବର ଶୁଣି ଘରକୁ ଆସିଥିବା ବେଳେ ସମ୍ବଲପୁରଠାରେ ଅତି ଶୋଚନୀୟ ଭାବରେ ମଟର ଆକ୍‌ସିଡେଣ୍ଟରେ ପ୍ରାଣ ହରାଇଛନ୍ତି । ମୁହଁ ଯୁଆଡ଼େ ଅନୁକୂଳ ସିଆଡ଼େ କରାଯାଇଥିଲେ ଆଉ ଫେରି ପାରିଲେ ନାହିଁ । ହେମାଙ୍ଗିନୀ ଦେବୀଙ୍କ ଆଶଙ୍କା ସତ ହେଲା । ଦୁଃଖ ସମୁଦ୍ରରେ ଭାସିଲେ ହେମାଙ୍ଗିନୀ ଦେବୀ ଓ ସୀମା ।

 

ଭଗବାନଙ୍କ ଲୀଳା ବିଚିତ୍ର । ତାକୁ ବୁଝିବା ସଂସାରୀ ପକ୍ଷରେ ଅସାଧ୍ୟ । ସେ ଯାହାକୁ ଦୁଃଖ ଦିଅନ୍ତି, ତାକୁ ନିମିଷେବି ଶାନ୍ତିରେ ନିଃଶ୍ଵାସ ମାରିବାକୁ ସମୟ ଦିଅନ୍ତି ନାହିଁ । ଦୁଃଖ ପରେ ଦୁଃଖ, ବିପଦ ପରେ ବିପଦ, ନଦୀର ଢେଉ ଭଳି ମାଡ଼ି ଆସେ ।

 

ସେ ଯାହାକୁ ଶୁଭ ଚକ୍ଷୁରେ ଅନାନ୍ତି, ସେ ରାତିକେ ଦଶଟା ହାତୀ କିଣେ, ପତ୍ରକୁଡ଼ିଆ ବି ତ୍ରିତଳ ପ୍ରାସାଦରେ ପରିଣତ ହୋଇଯାଏ । ଫକୀର ରାଜେନ୍ଦ୍ରାସନରେ ବସି ସ୍ଵର୍ଗକୁ ସିଡ଼ି ବାନ୍ଧିବାର ଉଦ୍ଭଟ୍ଟ କଳ୍ପନାର ଜାଲ ବୁଣେ । ଯେ ତିନିଦିନରେ ଥରେ ପେଜ ଚଳାଏ ପାଉ ନଥାଏ, ସେ ଖିରି, ପୁରୀ, ରସାବଳୀରେ ଉଦର ଭର୍ତ୍ତିକରି ଧରାକୁ ସରା ମଣେ । କେତେ ରକମର ନୂଆ ନୂଆ ଚିନ୍ତାଧାରା ତା’ ମନରେ ଆସ୍ଥାନ ଜମାଇ ବସେ । ସେ ଯାହାର ଅନୁଗ୍ରହ ଉପରେ ବଞ୍ଚୁଥାଏ ସେ ତାକୁ ଓଲଟି ବୁଦ୍ଧି ବତାଏ । ତା’ର କଥା ଓ କାର୍ଯ୍ୟରେ ସମ୍ପୂର୍ଣ୍ଣ ଭାବରେ ନୂତନତା ପରିଲକ୍ଷିତ ହୁଏ । ଈଶ୍ଵରଙ୍କ ଦୁନିଆଁରେ ଈଶ୍ଵର ହିଁ ଶ୍ରେଷ୍ଠ । ତାଙ୍କଠାରୁ ଆଉ କେହି ବଡ଼ ନାହିଁ । ଯେତେବେଳେ ଯାହା ସେ ଇଚ୍ଛା କରନ୍ତି ତାହା ହିଁ କାର୍ଯ୍ୟରେ ପରିଣର ହୁଏ । କାହାକୁ କେତେବେଳେ ହସାନ୍ତି ଆଉ କାହାକୁ କେତେବେଳେ କନ୍ଦାନ୍ତି ତା’ର ଠିକ୍‍ ନାହିଁ । କୁରାଳଚକ୍ର ଭଳି ସଂସାରଚକ୍ର ଘୂରେ । ଦୁଃଖ ପରେ ସୁଖ, ସୁଖ ପରେ ଦୁଃଖ ଆସିବା ଧ୍ରୁବ ସତ୍ୟ ।

 

ହେମାଙ୍ଗିନୀ ଦେବୀ ଚକ୍ଷୁ ହରାଇଲା ପରେ ସୀମା ଆଉ କଲେଜକୁ ପଢ଼ିବାକୁ ଯାଏ ନାହିଁ । ପଢ଼ିବାକୁ ଯିବାତ ଦୂରର କଥା, ବହି ଟିକିଏ ବି କେତେବେଳେ ଖୋଲିବାକୁ ଫୁରୁସତ୍‍ ପାଏ ନାହିଁ । କାମ, କାମ ସବୁବେଳେ ଖାଲି କାମ । ତା’ହାତରୁ ଘଡ଼ିଏ କାମର ଛୁଟଣ ନାହିଁ ।

 

ଯେଉଁ ସୀମା ତୁଳୀତଳ୍ପ ଶଯ୍ୟାରୁ ତଳକୁ ଓହ୍ଲାଇ ପାଣି ଢାଳେ କୂଅରୁ କାଢ଼େ ନାହିଁ, ହାଣ୍ଡିରୁ ଭାତ ଗଣ୍ଡାଏ ବାଢ଼ି ଖାଏ ନାହିଁ, ଭିକାରିକୁ ଭିକ ଗଣ୍ଡାଏ ଦେଇ ଆସିବାକୁ କହିଲେ କହେ–ମୁଁ ଦେଇପାରିବି ନାହିଁ, ଗାଧୋଇ ଆସି ନିଜ ପିନ୍ଧିବା ଲୁଗା ଖଣ୍ଡେ ଶୁଖାଏ ନାହିଁ, ପାଣି ହାଣ୍ଡିଟା ଚୁଲିରେ ବସାଇ ଦେବାକୁ କହିଲେ ଚୁଲି ଝିଙ୍କା ବଜାଇ ହାଣ୍ଡି ଭାଙ୍ଗି ଦିଏ, ପରିବା ଦି’ଟା କାଟି ଦେବାକୁ କହିଲେ ପନିକିରେ ହାତକାଟି ବସେ; ସେହି ସୀମା ଆଜି ସକାଳୁ ସନ୍ଧ୍ୟା ଯାଏ ସବୁକାମ କରୁଛି । କାନ୍ଧରେ ପଡ଼ିଲେ ବଜାଇ ଶିଖିବା କଥା ଯେପରି ତା’ରି ଠାରେ କାର୍ଯ୍ୟରେ ପରିଣତ ହୋଇଛି ।

 

ସୀମା ଅନ୍ଧୁଣୀ ମା’ଙ୍କୁ ଗାଧୋଇ ଦେବାଠାରୁ ଆରମ୍ଭ କରି, ବିଛଣା ପାରି ଶୁଆଇବା ପର୍ଯ୍ୟନ୍ତ ସବୁ କାମ କରେ । ବାଜେଣି ବଳା ପରି ସବୁବେଳେ ବାଜୁଥାଏ । ରାନ୍ଧେ ବାଢ଼େ । ମା’ଙ୍କୁ ଖୁଆଇ ଦିଏ । ନିଜେ ଖାଏ । ଖାଇ ବସିଲା ବେଳେ ପ୍ରତିଦିନ ଅସରାଏ ଦି ଅସରା କାନ୍ଦେ । ଖାଇସାରି ବେଳ ବୁଡ଼ୁ ବୁଡ଼ୁ ମା’ ଝିଅ ଦୁହେଁ ହେଁସ ଧରନ୍ତି ।

 

ସ୍ଵୟମ୍ଭୂ ଆଗ ଅପେକ୍ଷା ଏବେ ବେଶି ସମୟ ଆସେ । ସାନ୍ତ୍ୱନା ଦିଏ । ବସେ । ଖାଏ । ସେ ଦିନେ ପିଞ୍ଜରାରେ ଗୋଟିଏ ଶୁଆ ଆଣି ଆସିଲା । ଶୁଆଟି ସବୁବେଳେ ‘ରାମ ନାମ’ ଭଜୁଥାଏ-। ମଝିରେ ମଝିରେ କହୁଥାଏ–“ଭଗବାନ ଅଛନ୍ତି । ଏଇତ ଦୁନିଆଁ ।’’

 

ଶୁଆଟିକି ସୀମା ଦେଖି ଖୁବ୍‍ ଆନନ୍ଦ ହୋଇଗଲା । ସୀମାର ଗୋଟିଏ ସାଙ୍ଗ ମିଳିଗଲା-। ସୀମା କାମ ଦାମ ସାରିଲା ମାତ୍ରେ ଶୁଆ ପାଖରେ ବସେ । ଅନ୍ଧୁଣୀ ମା’ ଯେତେବେଳେ ଶୁଣିଲେ ଯେ ଶୁଆଟି ସବୁବେଳେ ରାମ ନାମ ଗାଉଛି, ସେତେବେଳେ ତାଙ୍କର ମଧ୍ୟ ଆନନ୍ଦ କହିଲେ ନସରେ ।

 

ସ୍ଵୟମ୍ଭୂ ଆଉ ପୂର୍ବପରି ବେଶି ସମୟ ହେମାଙ୍ଗିନୀ ଦେବୀଙ୍କ ପାଖରେ ବସିବାକୁ ଭଲ ପାଏନି । କାୟାସଙ୍ଗେ ଛାୟା ରହିଲା ପରି ସେ ସୀମା ପାଖେ ପାଖେ ଥାଏ । ସୀମା ସିଏ କ’ଣ ଅଧିକାଂଶ ସମୟ ରୋଷେଇ ଘରେ ବସି ଚୁପୁଚୁପୁ କଥାବାର୍ତ୍ତା ହୁଅନ୍ତି ।

 

ସ୍ଵୟମ୍ଭୂ ଆଉ ସୀମାଙ୍କ କଥା ଅନ୍ଧୁଣୀ ମା’ କିଛି ନ ଶୁଣି ପାରିଲେ ମଧ୍ୟ ମନେମନେ ନାନା ବିଷୟରେ ସନ୍ଦେହ କରେ । ବଧିର ଯେପରି ପୃଥିବୀର ସବୁଲୋକଙ୍କୁ ଶ୍ରବଣହୀନ ମନେକରି ବଡ଼ ପାଟିରେ କଥା କହେ, ଚକ୍ଷୁହୀନ ବ୍ୟକ୍ତି ସେହିପରି ଦୁନିଆର ସବୁ ଲୋକଙ୍କୁ ସନ୍ଦେହ କରେ । ହେମାଙ୍ଗିନୀ ଦେବୀ ବେଳେବେଳେ ବିରକ୍ତ ହୋଇ ଡାକନ୍ତି–“ଇଲୋ ସୀମା, କୁଆଡ଼େ ଗଲୁ କି ?’’ ସୀମା ଉତ୍ତର ଦିଏ–“ମୁଁ ରୋଷେଇ ଘରେ ଅଛି ବୋଉ ।’’

 

ସେ ପୁଣି ପଚାରନ୍ତି–“ସ୍ଵୟମ୍ଭୂ, ଗଲାଣି ?’’ ସୀମା ପାଟିରୁ ଜବାବ ନବାହାରୁଣୁ ସ୍ଵୟମ୍ଭୂ କହେ–“ମୁଁଅଛି ମାଉସୀ ।’’

 

ସ୍ଵୟମ୍ଭୂ, ଆଉ ସୀମା ଆସନ୍ତି ଅନ୍ଧୁଣୀ ମା’ଙ୍କ ନିକଟକୁ । ସ୍ୱୟମ୍ଭୂ କହେ ମୁଁ ଯାଉଛି ମାଉସୀ ।

 

ଅନ୍ଧୁଣୀ ମା’ ସାଙ୍ଗେ ସାଙ୍ଗେ କହି ଦିଅନ୍ତି–“ହେଉ ଯା’ ବାପ ।’’ ପୂର୍ବପରି ଆଉ ସ୍ଵୟମ୍ଭୂକୁ ଅଟକାନ୍ତି ନାହିଁ ଅନ୍ଧୁଣୀ ମା’ ହେମାଙ୍ଗିନୀ ଦେବୀ ।

 

ସ୍ଵୟମ୍ଭୂ ଯିବା ପାଇଁ ବାହାରେ । ସୀମା ସ୍ଵୟମ୍ଭୂକୁ ଚିମୁଟି ଦେଇ କାନରେ ଫୁସୁଫୁସୁ କରି କହେ–“ମୋ’ରାଣ, କାଲି ନିଶ୍ଚେ ଆସିବ ।’’ ଏତିକିବେଳେ ଦୁଆର ଚାଳରେ ଟଙ୍ଗା ହୋଇଥିବା ଶୁଆ କହେ–“ଏଇତ ଦୁନିଆଁ ।’’ ସ୍ଵୟମ୍ଭୂ ଚାଲିଯାଏ । ଅନ୍ଧୁଣୀ ମା’ଙ୍କ ବ୍ୟବହାର କାହିଁକି ସ୍ଵୟମ୍ଭୂକୁ ଖାପଛଡ଼ା ଖାପଛଡ଼ା ଲାଗେ ।

 

ସ୍ଵୟମ୍ଭୂ ଗଲା ପରେ ଅନ୍ଧୁଣୀ ମା’ ସୀମାକୁ କହେ କବାଟ ଦେବାକୁ । ସୀମା କବାଟର ପଛରୁ କିଳିଣୀ ଦେଇଦିଏ ।

 

ଅନ୍ଧୁଣୀ ମା’ ସୀମାକୁ କୋଳରେ ପୂରାଇ ଶୁଅନ୍ତି । କଥାରେ କଥାରେ ନାନା ବିଷୟ ଆଲୋଚନା କରନ୍ତି । ତା’ ଭିତରେ ଖଞ୍ଜରେ ଖଞ୍ଜରେ ସ୍ଵୟମ୍ଭୂ ବିଷୟ ଉତ୍‌ଥାପନ କରନ୍ତି ।

 

ସୀମା ଚମକି ପଡ଼ି ଖଜବଜ ହୁଏ । ଆହତ ହରିଣୀ ପରି ଥରି ଉଠେ । ତା’ପରେ ଅଣ୍ଟାରୁ କାଢ଼ି ଟ୍ରଙ୍କ ଚାବି ଦିଅନ୍ତି ଅନ୍ଧୁଣୀ ମା’ । କହନ୍ତି–“ଟ୍ରଙ୍କ ପକେଟରେ ଯେଉଁ ମନିଅର୍ଡ଼ର କୁପନଟି ଖୋସା ହୋଇଛି ତାକୁ ଆଣି ପଢ଼ ।’’

 

ସୀମା ଟ୍ରଙ୍କ ଫିଟାଇ କୁପନଟି ଆଣି ଦେଖେ, ସେଥିରେ ସ୍ଵର୍ଗତଃ ପିତା ବିପ୍ରବାବୁଙ୍କ ମନ କଥା ପଢ଼େ ।

 

ଅନ୍ଧୁଣୀ ମା’ କହନ୍ତି, ବଡ଼ ପାଟିରେ ପଢ଼ କ’ଣ ଲେଖା ହୋଇଛି । ନିଜ ଇଚ୍ଛା ବିରୁଦ୍ଧରେ କୁପନଟି ପଢ଼େ ସୀମା ।

 

“ଦେହ ମୋର ଭଲ ନାହିଁ । ମୋତେ ଯେଉଁ ଅସାଧ୍ୟ ରୋଗ ଧରିଲାଣି ଭଲ ହେବାର ଆଶା ନାହିଁ । ସ୍ଵୟମ୍ଭୂ ପ୍ରତି........” କହି ଅଟକିଯାଏ ସୀମା ।

 

ଅନ୍ଧୁଣୀ ମା’ ଜିଦ୍‍ କରନ୍ତି–“ପଢ଼ ପଢ଼ ଅଟକି ଯାଉଛୁ କାହିଁକି ?’’

 

ସୀମା ପୁଣି ଥର ଥର କଣ୍ଠରେ ପଢ଼େ–“ସ୍ଵୟମ୍ଭୂ ପ୍ରତି ସାବଧାନ ଥିବ । ଯାହା ଇତର ଲୋକଙ୍କ ଘରେ ଘଟେ, ତାହା ଯେପରି ଆମ ଘରେ ପୁନରାବୃତ୍ତି ନହୁଏ ।’’

 

ସୀମା ଚୁପ୍‍ ହୋଇ ରହିଯାଏ । ଅନ୍ଧୁଣୀ ମା’ବି ଆଉ ତାକୁ କିଛି କହନ୍ତି ନାହିଁ । ରାତି ବେଶି ହେବାର ଛଳନା କରି ପରାମର୍ଶ ଦିଅନ୍ତି–“ବତୀ ଲିଭେଇ ଦେଇ ଶୋଇପଡ଼ ।’’

 

ବତୀ ଲିଭେଇ ଦିଏ ସୀମା । ଯେତେ ଶୋଇବାକୁ ଚେଷ୍ଟା କରେ ଶୋଇପାରେ ନାହିଁ ସେ । ସେହି ଘର ଭିତରର ଜମାଟବନ୍ଧା ଘନ ଅନ୍ଧକାର ହିଁ ସ୍ଵୟମ୍ଭୂର ପ୍ରତିମୂର୍ତ୍ତି ଧରି ତା’ ଚକ୍ଷୁ ସମ୍ମୁଖରେ ନାଚିଯାଏ । ସେ ଆଖି ବୁଜିଲେ ବି ରକ୍ଷା ମିଳେ ନାହିଁ । ତା’ର ମାନସ ମାନଚିତ୍ରରେ ସ୍ଵୟମ୍ଭୂର କାର୍ଯ୍ୟକଳାପ ସବୁ ଆଙ୍କି ହୋଇଯାଏ । ଅଜାଣତରେ ତା’ର ପାଟିରୁ ବାହାରିଯାଏ, ଭଗବାନ ଅଛନ୍ତି ।

 

ଦୁଆରେ ଟଙ୍ଗା ହୋଇଥିବା ଶୁଆଟିର ନିଦ ଭାଙ୍ଗିଯାଏ । ସେ ବି କହେ–ଭଗବାନ ଅଛନ୍ତି ।

 

-ଦଶ-

 

ସବୁଦିନ ପରି ସେଦିନ ବି ରାତି ଦଶଟା ବେଳେ ନର୍ସ ନୀହାରିକା ଆସି କହିଲା–“ସୁନା ଭଉଣୀଟା ପରାପାଟି ଆଁ କର ।’’ ବାଧ୍ୟ ଦୁଗ୍‌ଧପୋଷ୍ୟ ଶିଶୁପରି ପାଟି ଆଁ କଲା ଉର୍ବଶୀ । ନାଲି, ନେଳି, ହଳଦିଆ ରଙ୍ଗର କେତୋଟି ବଟିକା ଜିଭ ଉପରେ ଥୋଇ ଦେଇ, ପାଣି ଟିକେ ପିଆଇ ଦେଲା ନୀହାରିକା । କହିଲା–“ଦିଅ ଢୋକି ଦିଅ ।’’ ଉର୍ବଶୀ ସୁନାପିଲାଟି ଭଳି ଢୋକି ଦେଲା । ପୂର୍ବଦିନ ଭଳି ଆଜି ଔଷଧ ଖାଇଲା ବେଳେ ଉର୍ବଶୀ ଆଦୌ ଦୁଷ୍ଟାମି କଲାନାହିଁ ।

 

ପାଖରେ ବସିଥିବା ସୁକୀର୍ତ୍ତି ଦେବୀ ନୀହାରିକାକୁ ପଚାରିଲେ–“ଆଜି କେମିତି କ’ଣ ଉର୍ବଶୀ ସ୍ଵାସ୍ଥ୍ୟ ବିଷୟରେ ଜାଣୁଛ ?’’

 

ନୀହାରିକା କହିଲା–“ଆଉ ବ୍ୟସ୍ତ ହୋଇ ଲାଭ ନାହିଁ, ତାଙ୍କର ମୁଣ୍ଡ ଠିକ୍‍ ହୋଇଗଲାଣି-। ଏଥର ସେ ଭଲ ହୋଇଯିବେ ।’’

 

ସୁକୀର୍ତ୍ତି ଦେବୀ ନୀହାରିକାକୁ ଅନୁରୋଧ କରି କହିଲେ–“ଭଉଣୀ ! ଉରୁର ହାତ ଗୋଡ଼ରୁ ଦୟାକରି ଦଉଡି ଫିଟାଇ ଦିଅ । ତା’ ହାତ ଗୋଡ଼ରେ ଦାଗବସି ଘା’ ହୋଇଗଲାଣି ।’’

 

ନୀହାରିକା ସୁକୀର୍ତ୍ତି ଦେବୀଙ୍କ କଥାରେ ଭଳିଗଲା । ବିଭାଗୀୟ ଡାକ୍ତରଙ୍କ କଡ଼ା ତାଗିଦ୍‍ ସତ୍ତ୍ଵେ ସେ ଉର୍ବଶୀର ହାତ ଗୋଡ଼ରୁ ଦଉଡ଼ା ଫିଟାଇ ଦେଲା । ଉର୍ବଶୀ ଭଲ ମଣିଷ ଭଳି ଉଠି ବେଡ୍‍ ଉପରେ ବସିଲା । ସୁକୀର୍ତ୍ତି ଦେବୀ କମଳା ଛଡ଼ାଇ ଦେଲେ, ତାହା ଖାଇଲା । ହସିଲା, ଖୁବ୍‍ ଜୋରରେ ହସିଲା । କାନ୍ଦିଲା, ଖୁବ୍‍ ଜୋରରେ କାନ୍ଦିଲା ।

 

ସୁକୀର୍ତ୍ତି ଦେବୀଙ୍କ ମନ ପୁଣି ଦବିଗଲା । ସେ ଭାବିଲେ, ଏବେ ବି ଉର୍ବଶୀ ସମ୍ପୂର୍ଣ୍ଣ ସୁସ୍ଥ ନୁହେଁ ।

 

ଦୀର୍ଘଦିନ ଧରି ରାତିରେ ଭଲ ଭାବରେ ଶୋଇ ନଥିବା ହେତୁ ଶୋଇପଡ଼ିଲେ ସୁକୀର୍ତ୍ତି ଦେବୀ । ଗାଢ଼ ନିଦରେ ଶୋଇ ସେ ସ୍ଵପ୍ନ ଦେଖିଲେ ଉର୍ବଶୀ କୁଆଡ଼େ ପଳାଇ ଯାଇଛି । ଚାରିଆଡ଼େ ତାକୁ ଖୋଜା ଚାଲିଛି । ତା’ର କୌଣସି ସନ୍ଧାନ ମିଳୁନାହିଁ । ତଟିନୀ ମୁଣ୍ଡ ପିଟି କାନ୍ଦୁଛି-। ବିମ୍ବାଧର ବାବୁ ପାଗଳ ପରି ହେଉଛନ୍ତି । ସାନ୍ତ୍ୱନା ଦେଇ ସେ ନିଜେ ବିମ୍ବାଧର ବାବୁଙ୍କୁ ବୁଝାଇ କହୁଛନ୍ତି–“ତୁମେ ଏତେ ଅଧୀର ହେବା ଦରକାର ନାହିଁ । ଉର୍ବଶୀ ଯୁଆଡ଼େ ଯାଇଛି ଫେରି ଆସିବ-।’’

 

ହଠାତ୍‍ ତାଙ୍କର ନିଦ ଭାଙ୍ଗିଗଲା । ସେ ଅନାଇ ଦେଖନ୍ତି ତ ଉର୍ବଶୀ ବେଡ୍‍ ଉପରେ ନାହିଁ । ସେ ବଡ଼ ପାଟିରେ ଚିତ୍କାର କରି ଡାକିଲେ–“ଉରୁ... ଉରୁ... । କୁଆଡ଼େ ଗଲୁ ତୁ ? ଚାଲିଆ, ଚାଲିଆ । ଡାକ୍ତର ବାବୁ ବିରକ୍ତ ହେବେ । ଗାଳି ଦେବେ ।’’

 

ଉର୍ବଶୀ ହସୁଥିଲା ଖୁବ୍‍ ଦୂରରେ । ତା’ର ହସର ପ୍ରତିଧ୍ଵନୀ ଭାସିଆସୁଥିଲା ସର୍ଜିକାଲ ଓ୍ୱାର୍ଡ଼ ଭିତରକୁ ।

 

ଉର୍ବଶୀ ଓ୍ୱାର୍ଡ଼ରୁ ପଳାଇଯିବା କଥା ଚାରିଆଡ଼େ ଚହଳ ପକାଇ ଦେଲା । ଡାକ୍ତର, ନର୍ସମାନେ ଦଉଡ଼ା ଦଉଡ଼ି ହୋଇ ଆସିଲେ । ବହୁତ ଖୋଜା ହେଲା । ଥାନାରେ ଏତଲା ଦିଆଗଲା-। କିଛି ଫଳ ହେଲା ନାହିଁ ।

 

ସକାଳୁ ଏ ଖବର ପାଇ ବିମ୍ବାଧର ବାବୁ ଆସିଲେ । ଉର୍ବଶୀର ଶଶୁର ଆସିଲେ । ବରେନ୍ଦ୍ର ବି ଆସିଲା । ଉର୍ବଶୀକି ଖୋଜି ପାଇବା ପାଇଁ ବହୁତ ରକମର ଉଦ୍ୟମ ହେଲା ମାତ୍ର ସବୁ ଉଦ୍ୟମ ପଣ୍ଡ ହୋଇଗଲା । ସୁକୀର୍ତ୍ତି ଦେବୀ କାନ୍ଦି କାନ୍ଦି ଆଖି ତାଙ୍କର ଗେଣ୍ଡା ପରି ହୋଇଗଲା । ବହୁତ ଲୋକ ତାଙ୍କୁ ବୁଝାଇଲେ କିନ୍ତୁ ତାଙ୍କର ମନ ଆଦୌ ବୁଝିଲା ନାହିଁ । ସେ ଦୁଃଖ ଓ ବେଦନାରେ ମ୍ରିୟମାଣ ହୋଇ ବଡ଼ଡାକ୍ତରଖାନାରୁ ବିଦାୟ ନେଇ ନୂଆରାଜଧାନୀକି ଫେରିଗଲେ ।

 

ଦିନ ପରେ ଦିନ ଗଡ଼ିଗଲା । ଆଉ ଉର୍ବଶୀର କୌଣସି ଖବର ମିଳିଲା ନାହିଁ । ବିମ୍ବାଧର ବାବୁ ଓ ସୁକୀର୍ତ୍ତି ଦେବୀ ଧରିନେଲେ ଯେ ଉର୍ବଶୀ ଆଉ ଜୀବନରେ ନାହିଁ । ହୁଏତ ନଈ ପୋଖରୀକି ଡେଇଁ ପଡ଼ି ପ୍ରାଣ ହରାଇଛି ।

 

-ଏଗାର-

 

ଉତ୍ତପ୍ତ ମଧ୍ୟାହ୍ନ ।

 

ଆକାଶରେ ବହ୍ନିମାନ ସୂର୍ଯ୍ୟ ପ୍ରଖର କିରଣ ତାଳୁଛନ୍ତି । ଗାଧୋଇବାକୁ ଯାଇ, ପୋଖରୀ ତୁଠରେ ଗୋଟିଏ ପଥରରେ ବସି ଅଜସ୍ର ଲୁବ୍‌ଧ ଆଶାର ଦୋଳାରେ ଦୋଳାୟିତ ହୋଇ କେତେ କ’ଣ ଭାବି ଚାଲିଥିଲା ସୀମା । ତା’ର କଳା ଶିରାରେ ପ୍ରବାହିତ ହେଉଥିଲା ସଂଶୟର ସ୍ରୋତ । ତା’ ସମ୍ମୁଖରେ ଏକ ଶକ୍ତ ପ୍ରଶ୍ନବାଚୀ ଆସି ଠିଆ ହେଉଥିଲା । ସେ ସ୍ଵୟମ୍ଭୂ ସହିତ ଆଉ ମିଳାମିଶା କରିବ କି ନାହିଁ । ସେ ଆସିଲେ ଏ ପାଟି ଫିଟାଇବ କି ନାହିଁ ?

 

ତାହାହେଲେ ତାଙ୍କୁ କ’ଣ ମନା କରିଦେବ ଆସିବାକୁ ? କେମିତି ୟା’ ସେ କରିପାରିବ ? ଆଖିରୁ ତା’ର ଏତେ ଶୀଘ୍ର ଅଠା ଛଡ଼ାଇ ପାରିବ କେମିତି ? ଏହି ସମୟରେ ଅନ୍ଧୁଣୀ ମା’ ହେମାଙ୍ଗିନୀ ଦେବୀ ଡାକିଲେ “ଇଲୋ ସୀମା, କୁଆଡ଼େ ଗଲୁକି ?’’

 

ସୀମା କହିଲା, ବୋଉ ମୁଁ ଗାଧୋଇସାରି ଚଉଁରାରେ ପାଣି ଦେବାକୁ ଯାଉଛି । ଅନ୍ଧୁଣୀ ମା’ କହିଲେ–“ହେଉ ଯା’ ଯା’ ଚଞ୍ଚଳ ଆସିବୁ ।’’

 

ପାଣିଢାଳ ଧରି ଚଉଁରାମୂଳକୁ ଗଲା ସୀମା । ଚଉଁରାରେ ପାଣି ଢାଳିସାରି, ମୁଣ୍ଡ ତଳେ ଲଗାଇ ମନଭରି ଭକ୍ତିରେ ପ୍ରଣାମ କଲା ସେ ।

 

ସ୍ଵୟମ୍ଭୂ ଏହି ସମୟରେ ଆସି ହସି ହସି କହିଲା–“ଅହିସୁଲକ୍ଷଣୀ ହୋଇ ପୁତ୍ରବତୀ ହୁଅ-।’’

 

ସୀମା ସ୍ଵୟମ୍ଭୂ କଥାରେ ଲାଜେଇଗଲା ।

 

ସ୍ଵୟମ୍ଭୂ ପାଟିଶୁଣି ଅନ୍ଧୁଣୀ ମା’ ଡାକିଲେ–“ସୀମା, ଆଉ କିଏ କି ?

 

ସୀମା ପାଟିରୁ ହଠାତ୍‍ ବାହାରିଗଲା–“କେହି ନାହିଁ ।’’

 

ସ୍ଵୟମ୍ଭୂ ପଚାରିଲା–“ସୀମା, ତୁ ମିଛକହିଲୁ କାହିଁକି ?’’

 

ସୀମା କହିଲା–“ତୁମେ ସେଥିରୁ କ’ଣ ପାଇବ ?’’

 

ସ୍ଵୟମ୍ଭୂ କହିଲା–“ମିଛ କହିବା ମହାପାପ । ଥରେ ଗୋଟିଏ କଥାକୁ ଲୁଚାଇବାକୁ ଯାଇ ମିଛ କହିବା ଆରମ୍ଭ କଲେ ଅଜସ୍ର ମିଛ କଥା କହିବାକୁ ହୁଏ । ତଥାପି ମିଛ ସତରେ ପରିଣତ ହୋଇପାରେ ନାହିଁ । ମିଛ ବି ଦିନେ ଧରା ପଡ଼ିଥାଏ । ତେବେ କାହାକୁ ଆଶୁବିପଦରୁ ରକ୍ଷାକରିବାକୁ ଯାଇ, କୌଣସି ପ୍ରାଣୀର ପ୍ରାଣ ବଞ୍ଚାଇବାକୁ ଯାଇ ମିଛ କୁହାଯାଇପାରେ । ଏହାଦ୍ଵାରା ପରମେଶ୍ଵର ଅସନ୍ତୁଷ୍ଟ ହୁଅନ୍ତି ନାହିଁ ବରଂ ଆଶୀର୍ବାଦ କରନ୍ତି ।

 

ଅନ୍ଧୁଣୀ ମା’ ମନର ନୀଳଚକ୍ରବାଳରେ ସନ୍ଦେହର ବଳାକା ଆହାଲେ ଆହାଲେଇ ଉଡ଼ିଗଲା । ସେ ଭାବିଲେ ସୀମା କାହାସାଙ୍ଗରେ କଥାବାର୍ତ୍ତା ହେଉଛି, ମୁଁ ପଚାରିଲେ କ’ଣ କହୁଛି କେହିନାହିଁ । ଏକି କଥା ? ଆଉ କ’ଣ ସ୍ଵୟମ୍ଭୂ ଆସିଛି ? ସୀମା ମୋତେ ଲୁଚାଉଛି ? ନା, ସୀମାତ ସେପରି ପିଲା ନୁହେଁ । ଏଥର କଅଁଳେଇ ପାଖକୁ ଡାକି, ସୀମାକୁ ଅନ୍ଧୁଣୀ ମା’ କହିଲେ–“ମୁଁ ଭାବୁଛି, ସ୍ଵୟମ୍ଭୂ ଆସିଲେ ତାକୁ ଏଥର ସଫା ସଫା ମନା କରିଦେବି ଆଉ ଏଠାକୁ ନଆସିବାକୁ । ତୁ’ କ’ଣ କହୁଛୁ ?’’

 

ସୀମା ଜିଭ କାମୁଡ଼ି ପକାଇଲା । ସ୍ଵୟମ୍ଭୂ ଚୁପ୍‍ ହୋଇ ସବୁ ଶୁଣୁଥିଲା ।

 

ମନକଥା ମନରେ ମାରି, ସୀମା କିଛି ନଜାଣିଲା ଭଳି କହିଲା–“ବୋଉ, ସ୍ଵୟମ୍ଭୂ ଭାଇ ଆସିଲେଣି ।’’ ଅନ୍ଧୁଣୀ ମା’ କହିଲେ ଡାକ ତାକୁ ମୋ’ ପାଖକୁ ଡାକ । ସୀମା ଯାଇଁ ସ୍ଵୟମ୍ଭୂର ହାତଧରି ଅନ୍ଧୁଣୀ ମା’ ପାଖକୁ ଟାଣି ଟାଣି ନେଲା ।

 

ସ୍ଵୟମ୍ଭୂ କହିଲା–“ମୋର ଆଜି ତେଣେ ବହୁତ କାମ ଅଛି, ମୁଁ ଯାଉଛି ମାଉସୀ ।’’ ଅନ୍ଧୁଣୀ ମା’ କହିଲେ–‘‘ବସୁନୁ ବାପ, ଯିବୁତ !’’

 

“ଆଲୋ ହେ ସୀମା, କୁଆଡ଼େ ଗଲୁମ ? ମାଛ ଭାଜିଛୁ ପରା ? ଯା’ ଭାତ ବାଢ଼ିଆଣ । ଭାଇ ଭଉଣୀ ଦୁଇଜଣ ଖାଇଦିଅ ।’’

 

ସୀମା ଭାତ ଆଣିବାକୁ ଗଲା । ସ୍ୱୟମ୍ଭୂ ମନେମନେ ଅତୀତର ପାଣ୍ଡୁଲିପିର ପୃଷ୍ଠା ଫର୍ଦ୍ଦ ଫର୍ଦ୍ଦ କରି ଓଲଟାଉଥିଲା । କେତେ ହସ । କେତେ କାନ୍ଦର କାହାଣୀ, କେତେ ଧନହାନୀ, ମନପୀଡ଼ାର ସ୍ମୃତି ସେଥିରେ ଲିପିବଦ୍ଧ ହୋଇରହିଛି । ସେ ଆଜି ଗୋଟିଏ କଥାକୁ ଅତି ନିବିଡ଼ ଭାବରେ ଭାବୁଛି ଯେ ପରକୁ କଦାପି ନିଜର କରିହୁଏ ନାହିଁ । କ୍ଷୀରରେ ଧୋଇ, ଖଣ୍ଡରେ ମୋହିଲେ ବି ପର ଆପଣାର ହୁଏ ନାହିଁ । ତା’ ନିକଟରେ ଆଜିଯାଏ ହେମାଙ୍ଗିନୀ ଦେବୀ ଯେତେ ମମତାର ଅଭିନୟ କରିଛନ୍ତି ସବୁ କ’ଣ ତାହାହେଲେ ଛଳନା ? କାର୍ଯ୍ୟ ହାସଲ ପାଇଁ ତାକୁ ଯେତେ ଆତ୍ମୀୟତା ମଖା ଚାଟୁବଚନ ସେ ଆଜିଯାଏ କହିଛନ୍ତି ସବୁ କ’ଣ ତାହାହେଲେ ଅବିଶ୍ଵାସ ଉପରେ ଆଧାରିତ ?

 

ତା’ର ଆଖି ଆଜି ଖୋଲିଯାଇଛି । ସେ ଆଉ ପରକଥାକୁ ବିଶ୍ୱାସ କରି ନିଜର ସର୍ବନାଶରେ ବାତ୍ୟା ଛୁଟାଇ ପାରିବ ନାହିଁ । ସେ ନିଜ ବୁଦ୍ଧିରେ ପରିଚାଳିତ ହେବ । ହେମାଙ୍ଗିନୀ ଦେବୀ ଆଜିଯାଏ ବୁଝି ପାରିଲେ ନାହିଁ ଯେ ଜଣେ ଯୁବକ ସକଳ ସ୍ଵାର୍ଥତ୍ୟାଗ ବିନିମୟରେ କ’ଣ ଚାହେଁ ?

 

ସୀମା ଆଣି ଭାତକଂସା ଥୋଇ ଯେତେ ଡାକିଲା ସ୍ଵୟମ୍ଭୂ ଖାଇଲା ନାହିଁ ।

 

ଅନ୍ଧୁଣୀ ମା’ କହିଲେ–“ଥାଉ ସୀମା, ଆଉ ତାକୁ ବେଶି ବଳାନା । ମଣିଷ ମନ ସବୁବେଳେ କ’ଣ ସମାନ ଅଛି ? ଆଜି କାହିଁକି ତା’ର ଖାଇବାକୁ ଇଚ୍ଛାନାହିଁ । ଆଉ କ’ଣ କୋଉ କଥାରେ ରୁଷିଛି ? ନା ରୁଷିବ ବା କାହିଁକି ? ତା’ର ତ ଘର ଦ୍ଵାର । ସେ ନଥିଲେ ଆମେ କେଉଁ ଦିନୁ ମଶାଣିକି ଘୋଷରା ହୋଇ ଯାଆନ୍ତୁଣି ।’’

 

ସୀମାର ମନ ବୁଝୁଛି କେଉଁଠି ? ସେ ମନେମନେ ନିଜକୁ ନିଜେ କେତେ ସଂପି ହେଉଛି-। ତା’ରି ଯୋଗୁ ସର୍ବନାଶ ଘଟିଛି ସିନା ! ସେ ଯଦି ଆଗରୁ କହିଥାନ୍ତା ଯେ ସ୍ଵୟମ୍ଭୂ ଭାଇ ଆସିଛନ୍ତି, ତେବେ ତା’ ବୋଉତ କିଛି କହି ନଥାନ୍ତା । ବିନାଶ କାଳେ ବିପରୀତ ବୁଦ୍ଧି ।

 

ଏତିକିବେଳେ ସ୍ଵୟମ୍ଭୂ ସୀମାକୁ ଉପହାର ଦେଇଥିବା ଶୁଆଟି ଚାଳରେ ଟଙ୍ଗା ହୋଇ କହିଲା–“ଭଗବାନ ଅଛନ୍ତି ।’’

 

ସୀମା ପୁଣି ସ୍ଵୟମ୍ଭୂର ହାତ ଧରି ଟାଣାଟଣି କଲା । ବହୁତ ବଳେଇଲା ଖାଇବାକୁ । ମଣିଷ ମନର ଅମାପ ଅଶାନ୍ତି ଦୀର୍ଘଦିନର ଶତ୍ରୁତା ଏହି ସାଙ୍ଗହୋଇ ଖାଇବାରେ ବି ସମାଧି ନେଇଥାଏ । ସେଥିପାଇଁ ଓଡ଼ିଆ ଚଳଣିର ଏକ ପ୍ରଧାନ ସୂତ୍ର ହେଉଛି ଯେ ଯେତେଦିନ ଯାଏ ଯାହା ଦ୍ଵାରେ ପତ୍ର ପକାଇ ନଥାଏ, ସେ ସେତେଦିନଯାଏ ତାହାର ବନ୍ଧୁ ପଣେ ଗଣା ଥାଏନା ।

 

ସୀମା ଯେତେବେଳେ ସ୍ଵୟମ୍ଭୂକୁ ଖାଇବା ପାଇଁ ବେଶି ବଳାଇଲା, ସ୍ଵୟମ୍ଭୂ ସେତେବେଳେ ସୀମା ହାତ ପାପୁଲିରେ ଆଙ୍ଗୁଠିରେ ଲେଖି ଦେଲା–“ତୁ, ଯଦି ମୋ’ ଦେହ ଛୁଇଁ ନିୟମ କରିବୁ ଯେ ମୁଁ ତୋତେ ଯାହା କହିବି, ତୁ’ ମାନିବୁ, ତେବେ ମୁଁ ଖାଇବି ।’’

 

ସୀମା ଆଗ ପଛ ନବିଚାରି, ଭୂତ ଭବିଷ୍ୟତ କଥା ନଭାବି, ଭାବପ୍ରବଣତାରେ ଭାସିଯାଇ ସ୍ଵୟମ୍ଭୂର ଦେହଛୁଇଁ କହିଲା “ହଁ, ମୁଁ ନିୟମ କରି କହୁଛି, ତୁମେ ଯାହା କହିବ ମୁଁ ତା’ ମାନିବି । ଆସ, ତୁମେ ଆଗେ ଖାଇବ ଆସ ।’’

 

ସ୍ଵୟମ୍ଭୂ ଏଥର ବସିଲା ଖାଇବାକୁ । ସୀମା କିନ୍ତୁ ଚାଲି ଯାଉଥିଲା ଅନ୍ୟଆଡ଼େ । ତା’ର ଗୋଲାପୀ ପଣତ କାନିକି ଟାଣି ଧରିଲା ସ୍ଵୟମ୍ଭୂ ।

 

ମୁରୁକି ମୁରୁକି ହସିଲା ସୀମା । ତା’ର ନଗ୍ନ ଦେହ ଆକାଶରୁ ଚେନାଏ ଦେଖା ଯାଇଥିଲା, ସେଥିପ୍ରତି ଆଦୌ ନଜର ନଥିଲା ସୀମାର ।

 

କୌଶଳରେ କିନ୍ତୁ ନଗ୍ନ ଦେହର ସୌନ୍ଦର୍ଯ୍ୟଶ୍ରୀକୁ ଉପଭୋଗ କରି କୃତ୍ୟ କୃତ୍ୟ ହେଉଥିଲା ସ୍ଵୟମ୍ଭୂ । ଦେହରେ ତା’ର ଭରିଯାଉଥିଲା ଭରଣ ଭରଣ ଶିହରଣ । ତାରୁଣ୍ୟ ତା’ର ଚିତ୍କାର କରି ଉଠୁଥିଲା ।

 

ଦୁହେଁ ସାଙ୍ଗ ହୋଇ ଖାଇଲେ । ସ୍ୱୟମ୍ଭୂ କହିଲା–“ସୀମା ତୋତେ ଗୋଟିଏ କଥା ପଚାରିବି ତା’ର ଉତ୍ତର ଦେଇ ପାରିବୁ ?’’

 

“ଜାଣିଥିଲେ ଉତ୍ତର ଦେବିନି କାହିଁକି ?’’ କହିଲା ସୀମା ।

 

ସ୍ଵୟମ୍ଭୂ ପଚାରିଲା–“ଆଚ୍ଛା ଏତେ ଯତ୍ନରେ ଖୁଆଇ ପିଆଇ ଶୁଆଟିକୁ ରଖିଲେ ମଧ୍ୟ ସେ ଡେଣା ଫଡ଼ ଫଡ଼ କରି ଚଞ୍ଚୁରେ ପିଞ୍ଜରା କାଠିକୁ ଭାଙ୍ଗି ଅଗନାଅଗନି ବନସ୍ତକୁ ଉଡ଼ି ପଳାଇ ଯିବାକୁ ଚାହୁଁଛି, କାହିଁକି ?’’

 

ସୀମା କହିଲା–“ମଲା ଏ ଗୋଟାଏ ଏମିତି କ’ଣ ବଡ଼ କଥାମ ? ସେ ତା’ର ସାଙ୍ଗସାଥୀଙ୍କୁ ଅରଣ୍ୟରେ ଛାଡ଼ି ଆସିଛି, ତାକୁ ଏଠାରେ ଏକୁଟିଆ ରହିବାକୁ ଭଲ ଲାଗୁନାହିଁ । ତେଣୁ ସେ ତା’ ସାଙ୍ଗମାନଙ୍କ ପାଖକୁ ଉଡ଼ିଯିବା ପାଇଁ ଉଚ୍ଛନ୍ନ ହେଉଛି ।’’

 

ସ୍ଵୟମ୍ଭୂ କହିଲା–“ସୀମା, ତୋ’କଥାଟା ଯଦି କେତେକ ପରିମାଣରେ ଠିକ୍‍, ତଥାପି ପୂରା ଠିକ୍‍ ନୁହେଁ । ଶୁଆଟି ତା’ର ସାଙ୍ଗସାଥୀମାନଙ୍କ ନିକଟକୁ ଯିବାକୁ ଚାହୁଁ ନାହିଁ । ଚାହୁଁଛି ତା’ର ପ୍ରିୟତମା ପତ୍ନୀ ଶାରି ପାଖକୁ ଉଡ଼ିଯାଇ ଟିକିଏ ମନକଥା କହିବା ପାଇଁ । ସମ୍ଭୋଗ ସୁଖକୁ ପ୍ରାଣଭରି ଉପଭୋଗ କରିବା ପାଇଁ ।

 

ଏଥର ଅନାମିକା ଆଙ୍ଗୁଷ୍ଠି ବଢ଼ାଇଲା ପୂର୍ବଦିଗ ଆଡ଼କୁ ସ୍ଵୟମ୍ଭୂ । କହିଲା–“ହେଇ ଦେଖ, ସେଇ କଇଁଆ ଗଛରେ ଗୋଟିଏ ଶାରି ବସି ସବୁବେଳେ କଟର କଟର ହେଉଛି । ତାକୁ ଶୁଣିଲା ମାତ୍ରେ ଶୁଆର ପ୍ରାଣରେ ମୁକ୍ତିର ବହ୍ନି ହୁ ହୁ ହୋଇ ଜଳି ଉଠୁଛି ।’’

 

ସୀମା କହିଲା–“ମିଛ, ମିଛ । କେତେ ବଣୁଆ ଶୁଆ ଶାରିତ ସେଇ କଇଁଆ ଗଛରେ ବସି ଦିନରାତି ଅସ୍ପଷ୍ଟ ଭାଷାରେ କେଁ କଟର ହେଉଛନ୍ତି ।’’

 

ସ୍ଵୟମ୍ଭୂ କହିଲା–“ନା, ତା’ କଦାପି ନୁହେଁ । ଶାରିଟି ଆସି ଶୁଆ ପାଇଁ ଯେପରି ବିକଳ ହେଉଛି, ଶୁଆଟି ବି ସେହିପରି ଶାରି ପାଇଁ ଅଧୀର ହେଉଛି ।’’

 

ସୀମା ଏଥର କହିଲା–“ଆଚ୍ଛା ଶୁଆଟିକୁ ଛାଡ଼ିଦେବା, ଯଦି ତା’ର ପତ୍ନୀ ଶାରି ସେ ଗଛରେ ଥିବ, ସେତ ଅନ୍ୟଆଡ଼େ ଉଡ଼ି ନଯାଇ ତାହାରି ପାଖରେ ଯାଇଁ ବସିବ ।’’

 

କହୁଁ କହୁଁ ପିଞ୍ଜରା ଖୋଲି ଶୁଆଟିକୁ ଉଡ଼ାଇ ଦେଲା ସୀମା । ଶୁଆଟି ଉଡ଼ିଯାଇଁ ବସିଲା ଘର ଆଗରେ ସେହି କଇଁଆ ଗଛରେ । ଶାରିଟି ଆସି ଚଞ୍ଚୁରେ ଚଞ୍ଚୁ ଭିଡ଼ି ଦେଲା । ବୁକୁର ସଞ୍ଚିତ କେତେ ଅକୁହା କାହାଣୀ ଅସ୍ପଷ୍ଟ କାକଳିରେ କହିଗଲା ସେ ।

 

ସ୍ଵୟମ୍ଭୂ, ଏଥର ପଚାରିଲା–“କ’ଣ ଦେଖିଲୁ ସୀମା ?’’

 

ସୀମା ଆଉ କିଛି କହି ପାରିଲା ନାହିଁ । ଲାଜର ଅରୁଣିମା ତା’ର ବଦନମଣ୍ଡଳରେ ପୂର୍ଣ୍ଣ ଭାବରେ ପ୍ରକଟିତ ହେଲା । ତା’ର ହୃଦୟ କନ୍ଦରରେ ଆସଙ୍ଗଲିପ୍‌ସାର ମୋହନ ବେଣୁ ବାଜି ଉଠିଲା । ଦେହ ତା’ର ଏକ ଅନନୁଭୂତ ପୀଡ଼ାରେ ଛନ ଛନ ହୋଇ ଥରି ଉଠିଲା ।

 

ଏତିକିବେଳେ ସ୍ୱୟମ୍ଭୂ ତା’ର ଗାଲରେ ଗୋଟିଏ ସରୁ ଚାପୁଡ଼ା ମାରି କହିଲା–“କ’ଣ ହେଲା ? କିଛି କହୁନାହୁଁ କାହିଁକି ? ନା ରାଗିଲୁ ?’’

 

ଲୁହା ଚୁମ୍ବକର ସ୍ପର୍ଶ ଅନୁଭବ କଲାଭଳି, ନିଜ ଦେହରେ ସ୍ଵୟମ୍ଭୂ ହସ୍ତର କୋମଳସ୍ପର୍ଶକୁ ଅନୁଭବ କଲା ସୀମା । ତା’ର ଦେହ କାହିଁକି କ’ଣ ହୋଇଗଲା । ମୁଣ୍ଡ ତା’ର ବୁଲାଇ ଦେଲା । ସେ ପଡ଼ିଯାଉଥିଲା । ସ୍ଵୟମ୍ଭୂ ଧରି ନେଇ ଛାତିକି ତା’ର ଆଉଜାଇ ଦେଲା । କିଛିକ୍ଷଣ ପରେ ସୀମା ଆଖି ଖୋଲି ଦେଖେ ଯେ ସ୍ଵୟମ୍ଭୂ ତାକୁ ଛାତି ଉପରେ ଆଉଜାଇ ଧରି ଆଉଁଷିବାରେ ଲାଗିଛି ।

 

ସୀମା କିଛି କହି ପାରିଲାନି । ଲାଜରେ ସଢ଼ିଗଲା । କଇଁଆ ଗଛରେ ବସି ଶୁଆଟି କହିଲା–“ଏଇତ ଦୁନିଆଁ ।’’

 

ତା’ପରେ ଶୁଆଶାରି ଦୁଇଟି ମନ ଆନନ୍ଦରେ ଉଡ଼ିଗଲେ ଦୂରକୁ ବହୁଦୂରକୁ । ହୁଏତ ସେମାନେ ଯାଇଥିବେ ଅଦୂରସ୍ଥ ପାହାଡ଼ ଶିଖରକୁ, ଦୀର୍ଘ ବିରହ ବେଦନାର ପରିସମାପ୍ତି ଘଟାଇବାକୁ । ମନ ଖୋଲି ଟିକେ ଅନାବିଳ ହସ ହସିବାକୁ । ମୁକ୍ତିର ସଙ୍ଗୀତ ଗାଇ ଭଲ ଭାବରେ ଟିକେ ଜୀବନକୁ ଉପଭୋଗ କରିବାକୁ ।

 

ସ୍ଵୟମ୍ଭୂ କି ସହଜେ ଛାଡ଼ିବା ବ୍ୟକ୍ତି ସେ ହେଉଛି ! “ଦାଉ ପଡ଼ିଥିବ ଯେତିକି ବେଳେ, ବିଧାଏ ମାରିବ ସେତିକିବେଳେ” ନୀତିର ପ୍ରଧାନ ସମର୍ଥକ । ସେ ନାରୀର ମନ ବାରି ପାରେ ନାହିଁ ସିନା; ମାତ୍ର ତା’ର ଦୁର୍ବଳତା ଭଲ ଭାବରେ ବୁଝେ ।

 

ସ୍ଵୟମ୍ଭୂ ଏଥର ସୀମାକୁ କହିଲା–“ମୋ’ ଦେହ ଛୁଇଁଛୁ ପରା, ମୁଁ ଯାହା କହିବି ତୁ’ ମୋ’ କଥା ମାନିବୁ ?’’

 

ସୀମା ଥର ଥର ଗଳାରେ କହିଲା–“ହଁ ।’’ ସ୍ଵୟମ୍ଭୂ କହିଲା “ତୋତେ ଆଜି ମୋ’ ସାଙ୍ଗରେ ଯିବାକୁ ହେବ ।’’

 

ସୀମା କହିଲା–“କୁଆଡ଼େ ?’’

 

ସ୍ଵୟମ୍ଭୂ କହିଲା–“ମୁଁ ଯିବି ଯୁଆଡ଼େ ।’’

 

ସୀମା ପଚାରିଲା–“ମାନେ ?’’

 

ସ୍ଵୟମ୍ଭୂକହିଲା–“ମୋ’ କଥାର ମାନେ ବଡ଼ ସରଳ । ଏଥିରେ ବୋଧଗମ୍ୟ ନହେବା ଭଳି କୌଣସି କ୍ଳଷ୍ଟ ଶବ୍ଦ ନାହିଁ ଯାହାକୁ ବୁଝାଇବା ପାଇଁ ଅଭିଧାନର ଆବଶ୍ୟକ ପଡ଼ିବ । ତୁ ଯେତେବେଳେ ମୋ’ ଦେହ ଛୁଇଁ ନିୟମ କରିଛୁ, ମୋ କଥା ମାନି ମୋ’ ସାଙ୍ଗରେ ଯିବାକୁ ହେବ । ଯଦି ବା ନିୟମ ଭଙ୍ଗ କରୁ, ତୁ ତା’ ପରିଣାମ ପାଇଁ ଦାୟୀ ରହିବୁ । ମୋର ସେଥିରେ ବିଶେଷ କିଛି ଆପତ୍ତି କରିବାର ନାହିଁ ।’’

 

ସୀମା ମୁଣ୍ଡରେ ହଠାତ୍‍ ବଜ୍ରପାତ ହେଲାଭଳି ଅନୁଭବ କଲା । ଆଖିରୁ ତା’ର ଧାର ଧାର ହୋଇ ଲୁହ ବହିଗଲା । ସେ ଆକାଶ ପାତାଳ କେତେ କଥା ଭାବିଗଲା ।

 

ସ୍ଵୟମ୍ଭୂ ସୀମାର ହାବଭାବକୁ ଲକ୍ଷ୍ୟକରି କହିଲା–“ମୁଁ ଜାଣେ, ତୁ ନାରୀ ଅବଳା, ଦୁର୍ବଳା-। ତୁ କୌଣସି ପ୍ରତିଜ୍ଞା ରଖିପାରିବୁ ନାହିଁ ସେଥିପାଇଁ ଶାସ୍ତ୍ର କହିଛି–

 

ସ୍ଵଭାବେ ସ୍ତିରୀ ଜନ୍ମ ହୋଇ

ଧର୍ମ ଅଧର୍ମ ନଜାଣଇ ।’’

 

ହେଉ, ଯାହା ହେଲା ହେଲା, ମୁଁ ଯାଉଛି । ସ୍ୱୟମ୍ଭୂ ଠିଆ ହେଲା ଯିବାକୁ । ସୀମା ପୁଣି ଆସି ହାତ ଧରି କହିଲା–“ବସ, ଯିବତ !’’

 

ସ୍ଵୟମ୍ଭୂ କହିଲା–“ଯେଉଁ ଲୋକ ଜବାବ କରି ଜବାବ ରଖି ପାରେନା, ନିୟମ କରି ନିୟମର ମହତ୍ତ୍ଵ ବୁଝି ପାରେନା, ସେ ଲୋକ ପାଖରେ ବସିବା ଦରକାର ନାହିଁ । ନିଜର ରାହା କାଟି ଚାଲିଯିବା ଭଲ ।’’

 

ଚୋରା ଚାହାଣି ଢାଳି ମୁରୁକି ମୁରୁକି ହସି କହିଲା ସୀମା–“ମୁଁ କେବେ ଶପଥ ଭ୍ରଷ୍ଟ ହେବି ନାହିଁ ।’’

 

ଏଥର ସ୍ଵୟମ୍ଭୂର ବଦନମଣ୍ଡଳରେ ଆନନ୍ଦର ଜୁଆର ଖେଳି ଉଠିଲା । ସେ କହିଲା–“ଆଚ୍ଛା, ହେଉ ତୁ ଥା, ମୁଁ ଯାଉଛି ପରେ ଆସିବି ।’’

 

ସ୍ଵୟମ୍ଭୂ ଚାଲିଗଲା । ତା’ ଯିବା ପଥକୁ ଅନାଇ ରହିଥିଲା ସୀମା । ତା’ ମନରେ ତା’ ବାପାଙ୍କର ଚିଠିର ଗୋଟିଏ ବାକ୍ୟ ଖାଲି ଉଁକି ମାରୁଥିଲା । –“ଇତର ଲୋକଙ୍କ ଘରେ ଯାହା ଘଟେ, ତାହା ଯେମିତି ଆମ ଘରେ ପୁନରାବୃତ୍ତି ନହୁଏ ।’’

 

-ବାର-

 

ବାରୁଣୀ ଗଗନରେ ଜବାକୁସୁମର ରକ୍ତିମ ଆଭା ଉକୁଟାଇ ସୂର୍ଯ୍ୟଦେବ ବୁଡ଼ିଲେ । ହୁଏତ ପଲ୍ଲୀର କେଉଁ ଗୋହିରି ପାଖ କିଆବଣ ପାଖରେ ବା ସହରର ଉପଗଳିର ଉପକଣ୍ଠରେ ତମିସ୍ରା ଅସ୍ଥିର ଭାବରେ ପଦଚାରଣା କରୁଥିଲା । ସେ କଳାଝିମିରି ପାଟ ପିନ୍ଧି ଧାଇଁ ଆସିଲା । ବିଷଣ୍ଣ କିଂଶୁକ ମାନର ପାଣ୍ଡୁଲିପିରେ ଅପମାନର ସ୍ଵାକ୍ଷର ଟାଣି ରିଙ୍ଗଣର ଗୌରବ ଗାଇ ଗାଇ କଅଁଳ ନୃତ୍ୟଭଙ୍ଗୀରେ ନାଚି ଉଠିଲା ବି ।

 

ଶେଷ ବସନ୍ତର ସୌରଭ ସାଉଁଳା ପୃଥିବୀ ତମିସ୍ରାର ଗଭୀର ପ୍ରୀତିରେ ଅବଗାହନ କଲା ।

 

କୁଆଡ଼େ ଥାଏ ଏ ତମିସ୍ରା ? କେଉଁ ଉପାଦାନରେ ଗଠିତ ଏ ତମିସ୍ରା ବପୁ ? ତମିସ୍ରାକୁ ଦେଖିହୁଏ, ଅନୁଭବ କରି ହୁଏ ସତ ମାତ୍ର ଏହା କ’ଣ ବୋଲି କଥାରେ ବୁଝାଇ ହୁଏ ନାହିଁ । ପାହାଡ଼ୀ କନ୍ୟା ନଦୀ ନଦୀ ନୀର ଜୁଆର ଭଳି ଏହା ବଢ଼େ ଓ ଭଟ୍ଟା ପଡ଼ିଲା ଭଳି ଛାଡ଼ିଯାଏ । ଆମେ ଭୂଗୋଳର ଅକ୍ଷାଂଶ, ଦ୍ରାଘିମା ଓଟାରି ତମିସ୍ରା ସମ୍ବନ୍ଧରେ ବହୁ ତାତ୍ତ୍ୱିକ ଯୁକ୍ତି ବାଢ଼ିଲେ ହିଁ ଗୋଟିଏ କଥା ସ୍ପଷ୍ଟ ପ୍ରତୀୟମାନ ହୁଏ ଯେ ଜନ୍ମମୃତ୍ୟୁଭଳି ଆଲୋକ ଅନ୍ଧକାର ବି ହେଉଛି ସୃଷ୍ଟିକର୍ତ୍ତାଙ୍କ ସୃଷ୍ଟି ମହିମାରେ ବିଚିତ୍ରତା । ସେ ବିଚିତ୍ରତାକୁ ଭେଦ କରିବା ମଣିଷ ପକ୍ଷରେ ଅସମ୍ଭବ-। ଈଶ୍ଵର ହିଁ ଈଶ୍ଵର । ତାଙ୍କର ମହିମା ସବୁଥିରେ ପ୍ରକଟିତ ।

 

ତାଙ୍କରି ଆଜ୍ଞାରେ ନଦୀ ବହେ, ଝରଣା ଛୁଟେ । ପବନ ବହେ । ଫୁଲ ଫୁଟେ । ବର୍ଷା ବର୍ଷେ । ଜୁଆର ଉଠେ । ଋତୁଚକ୍ରର ଘୂର୍ଣ୍ଣନ ହୁଏ । ମଣିଷ ଯାହା କରେ, ଯାହା ଭାବେ, ଯାହା କହେ, ଯେଉଁ କାର୍ଯ୍ୟରେ ପ୍ରବୃତ୍ତ ହୁଏ ସବୁଥିରେ ଅନ୍ତର୍ଯ୍ୟାମୀ ଅନ୍ତର ଭିତରେ ରହି ଜାଣନ୍ତି । ପୃଥିବୀରେ ସମସ୍ତଙ୍କୁ ଠକି ହୁଏ କିନ୍ତୁ ତାଙ୍କୁ ଠକି ହୁଏ ନାହିଁ ।

 

ମଣିଷ ମଣିଷକୁ ଦୋଷ ପାଇଁ ସାଙ୍ଗେ ସାଙ୍ଗେ ଦଣ୍ଡଦିଏ । ଈଶ୍ଵର ଦଣ୍ଡ ନିଶ୍ଚିତ ମାତ୍ର ଏହା ବିଳମ୍ବରେ କାର୍ଯ୍ୟରେ ପରିଣତ ହୁଏ ବୋଲି, ମଣିଷ ସେ ସମ୍ପର୍କରେ ସହଜରେ ଅବଧାରଣା କରିପାରେ ନାହିଁ । ଭାଗ୍ୟ ବିପର୍ଯ୍ୟୟର ବାହାନା କରି ନାନା ଯୁକ୍ତିର ଅବତାରଣା କରେ । କର୍ମଫଳ ଭୋଗ କଥାଟିକୁ ବିସ୍ମରିଥାଏ ।

 

ରାତ୍ରି ଘନେଇ ଉଠିଲା । ଖିଆ ପିଆସାରି, ସବୁଦିନ ପରି ସୀମାକୁ କୋଳରେ ପୂରେଇ ଶୋଇ ଆଶ୍ୱସ୍ତିରେ ନିଃଶ୍ଵାସ ମାରିଲେ ଅନ୍ଧୁଣୀ ମା ହେମାଙ୍ଗିନୀ ଦେବୀ । ଅଳ୍ପ ସମୟ ପରେ ସେ ଶୋଇ ଘୁଙ୍ଗୁଡ଼ି ମାରିଲେ ।

 

ସୀମା କିନ୍ତୁ ଆଦୌ ଶୋଇପାରୁ ନଥାଏ । ଦେହଟା କାହିଁକି ତା’ର ଥରି ଉଠୁଥାଏ । ଛାତିଟା ଦମ୍‌ ଦମ୍‌ ପଡ଼ୁଥାଏ । ଆଖିରୁ ଧାର ଧାର ହୋଇ ଲୁହ ବହି ଯାଉଥାଏ । ମନେ ହେଉଥାଏ ସତେ ଯେପରି ଦେହର ସବୁଯାକ ରକ୍ତ ପାଣିଫାଟି ଆଖି ବାଟେ ବାହାରିଯିବ । କେତେ ସ୍ମୃତିର ଶର ତା’ ଦେହରେ ଫୋଡ଼ି ହୋଇ ଯାଉଥାଏ । ସେ ଗୋଟିଏ କଥା ଭାବିଲା ବେଳକୁ ଆହତ କପୋତୀର ଅନ୍ତର୍ଦାହରେ ଥରି ଉଠୁଥାଏ । ଯେଉଁ ମା’ ଦଶ ମାସ ଗର୍ଭରେ ଧରି, ହାଣ୍ଡିଏ ହାଣ୍ଡିଏ ଲୁହ ଲହୁ ଢାଳି ତାକୁ ଜନ୍ମ ଦେଲା, ପେଟକୁ ପିଠି କରି ତାକୁ ମଣିଷ କଲା, ନିନ୍ଦା ଅପମାନ ମଥା ପୋତି ସହି ତାକୁ ଅଲିଅଳରେ ବଢ଼ାଇ ପାଠଶାଠ ପଢ଼ାଇଲା, ହାତରୁ ଛଡ଼ାଇ ସବୁ କାମ କରି ଅୟସରେ ବଢ଼ାଇଲା, ନିଜ ଦେହ ମୁଣ୍ଡ ପ୍ରତି ଭ୍ରୂକ୍ଷେପ ନକରି, ତା’ ଦେହରେ ଲାବଣ୍ୟର ଢେଉ ଖେଳାଇବା ପାଇଁ ସତ ଚେଷ୍ଟା କଲା, ସେ ଜନନୀ ଜନ୍ମଭୂମିଶ୍ଚ ସ୍ଵର୍ଗାଦପୀ ଗରୀୟସୀକୁ ଛାଡ଼ି ଯିବ କୁଆଡ଼େ ?

 

ନା-ନା ସେ ଯାଇ ପାରିବ ନାହିଁ । ଅନ୍ଧୁଣୀ ମା’କୁ ଛାଡ଼ି ସେ କେଉଁଠି ସୁଖରେ ରହି ପାରିବ ନାହିଁ । ପୋଡ଼ିଯାଉ ଏ ରୂପ । ଝରି ଯାଉ ଏ ଯୌବନ । ସେ ନିଜର ସ୍ଵାର୍ଥ ପାଇଁ, ପ୍ରୀତି ସମ୍ଭୋଗର ଲାଳସା ପାଇଁ ଅନ୍ଧୁଣୀ ମା’କୁ ଛାଡ଼ି ଯାଇ ପାରିବ ନାହିଁ । ମନକୁ ବିବେକର କଷାଘାତ ଦ୍ଵାରା ଜବତ୍‍ କରିବାକୁ ଚାହେଁ; ମାତ୍ର ପାରେ ନାହିଁ ।

 

ମନ ତା’ର ଉଡ଼େ ଦୁନିଆଁ ପାରିରୁ ଦରିଆ ପାରି । ସ୍ଵାର୍ଥର ଚିଲିକା କୂଳେ କୂଳେ ଧାଏଁ । ଜଳତରଙ୍ଗ ତଳ ପ୍ରବାଳ ପାହାଚରେ ହୀରକର ସ୍ଵପ୍ନରେ ବିହ୍ଵଳ ହୁଏ । କଳ୍ପନାର ସିଡ଼ିରେ ଉଠି ଆକାଶ କୁସୁମ ତୋଳେ । ଲଗାମହୀନ ମନକୁ ସେ ଆୟତ୍ତକୁ ଆଣିପାରେ ନାହିଁ । ମନ କେତେବେଳେ ଆକାଶରେ ଉଡ଼େ, କେତେବେଳେ ଦରିଆରେ ବୁଡ଼େ । ଆଉ କେତେବେଳେ ସ୍ଵୟମ୍ଭୂ ସମ୍ଭବ ପ୍ରୀତିର କଳା ଆଖିରେ ଲଗାଇ ଦିଏ ।

 

ସୀମା ଭାବେ–“ସତେମ ସ୍ଵୟମ୍ଭୂ ଭାଇଟା କେତେ ଭଲପିଲା । କେତେ ଭଲ ନପାନ୍ତି ତାକୁ ? ସେ ଯେଉଁ କଥା କହୁଛନ୍ତି ତାହା ମାନିଲେ ତା’ର ଭବିଷ୍ୟତ ନିଶ୍ଚେ ମଙ୍ଗଳମୟ ହେବ ।’’

 

ଭାବନାର ଭଉଁରି ଭିତରେ ପଡ଼ି ମନ ତା’ର ଚହଲିଗଲା । ଆଖିରୁ ତା’ର ନିଦ୍ରା ଉଭେଇଗଲା । ସେ ଏଥର ଝରକା ଖୋଲିଦେଲା । ସୁବାସିତ ହେମାଳ ପବନ ଦମକା ଦମକା ହୋଇ ଘର ଭିତରକୁ ପଶି ଆସିଲା । ସେଇ ହେମାଳ ପବନ ଆଖିର ଭ୍ରୂଲତା କେଶାରଣ୍ୟରେ ଜଗାଇଲା ତନ୍ଦ୍ରାର ଝଡ଼ । ସୀମା ଶୋଇଗଲା । ଅଚିନ୍ତା ନିଦରେ ଶୋଇଗଲା । ଭୁଲିଗଲା ସେ ଶପଥକୁ । ପାସୋରି ଦେଲା ସେ ସ୍ଵୟମ୍ଭୂର ତାଗିଦ୍‌କୁ ।

 

ବାସ୍ତବିକ ନିଦ୍ରାହିଁ ପୃଥିବୀରେ ସବୁ ବେଦନାର ଉପଶମ ପାଇଁ ପରମ ଔଷଧ । ନିଦ୍ରା ନ ଥିଲେ ମଣିଷ ନୂତନ କର୍ମ କରିବାର ଉଦ୍ଦାମ ପ୍ରେରଣା ଲାଭ କରନ୍ତା କେମିତି ? ଅଶ୍ରୁର ପୀଡ଼ନରୁ ମୁକ୍ତି ପାଇ ଶାନ୍ତିର ନିଃଶ୍ଵାସ ମାରନ୍ତା କେମିତି ? ଶୋକର ସମୁଦ୍ରରୁ ଉଦ୍ଧାର ପାଇ ବିମଳ ଆନନ୍ଦର ସ୍ଵାଦ ଅନୁଭବ କରନ୍ତା କେମିତି ? ସବୁ ବେଦନା, ସବୁ ବିଗ୍ରହ, ସବୁ ଦ୍ଵନ୍ଦ୍ୱ, ସବୁ ବିଷାଦ, ସବୁ ସଂଘର୍ଷ, ସବୁ ବିଦ୍ଵେଷ ଭୁଲିଯିବା କେବଳ ନିଦ୍ରାର ପ୍ରେମାଲିଙ୍ଗନ ଦ୍ଵାରା ସମ୍ଭବ ହୁଏ । ତା’ ନହେଲେ ମଣିଷ ବଞ୍ଚି ପାରନ୍ତା ନାହିଁ ।

 

ନିର୍ଦ୍ଦିଷ୍ଟ ସମୟରେ ସ୍ଵୟମ୍ଭୂ ଆସି ସୀମାଙ୍କ ଘର ଆଗ ପଦ୍ମ ପୋଖରୀ ହୁଡ଼ା ନିକଟରେ ପହଞ୍ଚିଲା । ସେ ହଠାତ୍‌ ଦେଖିଲା, ଗୋଟିଏ ନାରୀମୂର୍ତ୍ତି ପୋଖରୀ ହୁଡ଼ାର ଗୋଟିଏ ଗଛତଳେ ଅଧା ଛାଇ, ଅଧା ଆଲୁଅ ତଳେ ଠିଆ ହୋଇଛି । ସ୍ଵୟମ୍ଭୂ ଭାବିଲା ସେ ନିଶ୍ଚୟ ତା’ର କାମନାର ନାୟିକା, ପ୍ରୀତିର ଅଭିସାରିକା, ମାନସ ମନ୍ଦିରର ଦେବୀପ୍ରତିମା ସୀମା । ତା’ର ଆସିବା ଡେରି ହେତୁ ସେ ଘରୁ ବାହାରି ଚାଲି ଆସି ପ୍ରତୀକ୍ଷାରେ ଅଛି ।

 

ସେ ଏଥର ଗଲା ତା’ର କଳ୍ପନାର ସୀମା ପାଖକୁ । ନାରୀମୂର୍ତ୍ତିଟି ଟିକିଏ ଚମକିଗଲା ।

 

ସ୍ଵୟମ୍ଭୂ କହିଲା–“ସୀମା, କଣ୍ଟା ଝଟା ଭରା ବାଟ । ଆସ୍ତେ ଆସ୍ତେ ପାଦଚିପି ଚାଲ । ଠିଆ ହୁଅ । ମୁଁ ଯାହା କହୁଛି ଶୁଣ ।’’

 

ପୁଣି ନାରୀମୂର୍ତ୍ତିଟିର ପାଖକୁ ଯିବାକୁ ଚେଷ୍ଟା କଲା ସ୍ଵୟମ୍ଭୂ । ନାରୀମୂର୍ତ୍ତିଟି ଆଗେ ଆଗେ ଚାଲିଲା । ତା’ ପଛେ ପଛେ ଚାଲିଲା ସ୍ଵୟମ୍ଭୂ ।

 

ପଦ୍ମପୋଖରୀ ହୁଡ଼ାରୁ ଗଡ଼ିଲେ ପଡ଼େ ଏକ ବଡ଼ ବେଣାପାଟ । କୁଲିଖିଆ ଭରା ବାଟ । ଏହି ପାଟକୁ ସମସ୍ତେ କହନ୍ତି ଗେରସ୍ତମାରି ପାଟ ।

 

ପଦ୍ମପୋଖରୀ ହୁଡ଼ାରେ ଠିଆ ହୋଇ ଗେରସ୍ତମାରୀ ପାଟର ଶେଷରେ ଥିବା ଗାଆଁକୁ ଅନାଇଲେ ଆଖି ପାଏନାହିଁ । ପ୍ରତିବର୍ଷ ବୈଶାଖରେ କେତେ ପଥିକ ଶୋଷରେ ଛଟପଟ ହୋଇ ପ୍ରାଣ ହରାନ୍ତି । ବେଣା ପାଟ ଦେଇ ଗଲାବେଳେ ହରଡ଼ ଚଢ଼େଇଗୁଡ଼ା ବେଣାମୂଳରୁ ଫଡ଼କରି ଉଡିଯାଆନ୍ତି ।

 

ବାଟୋଇ ଚମକି ପଡ଼େ । ପୁରୁଣା ଯକ୍ଷ୍ମାରୋଗୀର ଛାତି ଭଳି ଧପ୍‌ ଧପ୍‌ ପଡ଼େ । ହେଟାବାଘ, ବିଲୁଆମାନଙ୍କର ମେଳା ବସେ ଏ ପାଟରେ ।

 

ସଞ୍ଜହେଲେ ଏଇପାଟରୁ ଶୁଭେ ଆଭିରୀ କୁଳନନ୍ଦନର ବଂଇଶୀ ସ୍ଵର । ବୋହୂ ଭୁଆସୁଣୀମାନେ ଖାଇବା ବନ୍ଦ କରି କଂସା କଂସା ଭାତ ଗୋରୁହାଣ୍ଡିରେ ଟେକି ଦିଅନ୍ତି । କାହିଁକି ଟେକି ଦିଅନ୍ତି, ସେ କଥା କେହି କହି ପାରନ୍ତି ନାହିଁ; ମାତ୍ର ଟେକି ଦିଅନ୍ତି । ଯେଉଁ ସ୍ତ୍ରୀ ଏ ପ୍ରଚଳିତ ପରମ୍ପରାକୁ ଭାଙ୍ଗିବାକୁ ଚେଷ୍ଟାକରେ ସେ ହୁଏ ଆଣ୍ଠୁକୁଡ଼ୀ ।

 

ନାରୀମୂର୍ତ୍ତିଟି ଆଗେ ଆଗେ ଚାଲିଥାଏ । ପଛେ ପଛେ ଚାଲିଥାଏ ସ୍ଵୟମ୍ଭୂ । ଗହୀର ମଝିକୁ ଗଲାପରେ ଗୋଟିଏ ବେଣା ବୁଦା ପାଖରେ ହିଡ଼ ମଝିରେ ବସି ପଡ଼ିଲା ନାରୀମୂର୍ତ୍ତି । ସ୍ଵୟମ୍ଭୂ ଯାଇ ଯେତେବେଳେ ତା’ ପାଖରେ ବସିବାକୁ ଚେଷ୍ଟା କଲା, ସେ ହସିଲା–ଖୁବ୍‍ ଜୋରରେ ହସିଲା-। ସେ ହସର ପ୍ରତିଧ୍ୱନିରେ କମ୍ପିଗଲା ସାରା ଗେରସ୍ତମାରୀ ପାଟଟା । ପାଟ ସେପାଖ ଗାଆଁରୁ ବଡ଼ ଜୋରରେ ଡାକଶୁଭିଲା–“ପାଟ ଭିତରେ କିଏ ବିପଦରେ ପଡ଼ିଛ କିହୋ ?’’

 

ଯଦି କେହି ପାଟ ଭିତରେ ବିପଦରେ ପଡ଼େ, ଏଇମିତି ଡାକ ଗାଆଁବାଲାଙ୍କ ଠାରୁ ଶୁଭେ । ପଥିକ ଯଦି ଉତ୍ତର ଦିଏ, ତେବେ ଗାଆଁର ଲୋକେ ଦଳବାନ୍ଧି ଠେଙ୍ଗାବାଡ଼ି ଧରି, ଆଲୁଅ ଘେନି, ସାହାଯ୍ୟ କରି ଉଦ୍ଧରି ନେବାକୁ ଆସନ୍ତି ।

 

ଏ କ୍ଷେତ୍ରରେ ଉତ୍ତର ଦେବ କିଏ ? ନାରୀମୂର୍ତ୍ତିର ପ୍ରେତହସରେ ଚମକି ପଡ଼ିଲା ସ୍ଵୟମ୍ଭୂ-। ଟିକିଏ ଦେହ କିଳି ଠିଆ ହୋଇଗଲା । ତା’ପରେ ମନ ଦବିଗଲା ତା’ର । ଦେହରୁ ଝାଳ ବୋହିଗଲା । ସେ ଯେଉଁବାଟେ ଆସିଥିଲା, ସେହି ବାଟେ ବାଟେ ପଛକୁ ମୁହଁକରି ଏକମୁହାଁ କରି ଦଉଡ଼ିଲା । ବିଲୁଆ ପଛକୁ ଅନାଇଲା ପରି ସେ ଯେତେବେଳେ ଖଣ୍ଡେ ବାଟ ଆସିଲା ପରେ ପଛକୁ ଫେରି ଅନାଇଲା, ସେତେବେଳେ ଦେଖିଲା ନାରୀମୂର୍ତ୍ତିଟି ତା’ ପଛେ ପଛେ ଦଉଡ଼ିଛି-

 

ସେ ଜୀବନକୁ ପାଣି ଛଡ଼ାଇ ଆହୁରି ଜୋରରେ ଦଉଡ଼ିଲା । ମନରେ ଭାବିଲା ଚିରିଗୁଣିଟାଏ । ତା’ପରେ ଯେତେବେଳେ ଯାଇଁ ପଦ୍ମପୋଖରୀ ହୁଡ଼ାରେ ପୁଣି ପହଞ୍ଚିଲା,–ସେତେବେଳେ ପୁଣି ପଛକୁ ଅନାଇଲା ।

 

ଦେଖିଲା ଆଉ କେହି ନାହିଁ । ବେଣାପାଟ ଭିତରୁ ପୁଣି ଦମକାଏ ହସ ଶୁଭିଲା ।

 

ପଦ୍ମପୋଖରୀ ହୁଡ଼ାରେ ଗୋଟିଏ ଗଛକୁ ଆଉଜି କ୍ଷଣକାଳ ବସିଗଲା । ତଣ୍ଟି ଶୁଖି ଅଠା ହୋଇଗଲା ତା’ର । ସେ କ’ଣ କରିବ କିଛି ବୁଝି ପାରିଲା ନାହିଁ । ପଦ୍ମପୋଖରୀ ଭିତରକୁ ଅତୁଠରେ ପଶି ପେଟେ ପାଣି ପିଇଲା । ହୁଡ଼ା ଉପରକୁ ଉଠୁ ଉଠୁ ଗୋଡ଼ ଖସି ଗଲା ଯେ ଗଡ଼ି ଗଡ଼ି ପାଣି ଭିତରେ ପଡ଼ିଗଲା । ଏତେ ଜୋରରେ ପାଣି ଭିତରେ ପଡ଼ିଲା ଯେ ସେ ଶବ୍ଦରେ ପଦ୍ମପୋଖରୀରେ ଥିବା ରୋହି ଭାକୁର ଯାକ ଦୁମ୍‍ ଦାମ୍‍ ଭୁସ୍‍ଭାସ୍‍ ହୋଇ ଡେଇଁଲେ । ଗାଆଁ ଚଉକିଆ ଗୋବରୀ ଜେନା ଥାନାରୁ ଫେରି, ହୁଦା ବାଡ଼ି ରଖି, ପୋଷାକ ଓହ୍ଲାଇ ଅଣ୍ଟା ପାଣି କରୁଥିଲା । ଚମକି ପଡ଼ି ଛାତିକି ଛ’ ନଣ୍ଡା ଛେପ ଫୋପାଡ଼ିଦେଇ କହିଲା–“କିଏରେ ?’’ ମନକୁ ବୁଝାଇଲା–“ଏତେ ରାତିରେ କିଏ ବା କାହିଁକି ଆସିବ । ଓଧଗୁଡ଼ାଏ ପୋଖରୀ ଭିତରେ ପଶି ବୋଧହୁଏ କଇଁ ମୂଳେ ଛକି ମାଛ ଖାଉଛନ୍ତି । ତାଙ୍କରି ଡରରେ ବଡ଼ ବଡ଼ ମାଛଗୁଡ଼ା ହୁରୁଡ଼ି ଡେଉଁଛନ୍ତି ।’’

 

ଗୋବରୀ ଜେନା ପାଟି ଶୁଣି ସ୍ଵୟମ୍ଭୂ ପୋଖରୀ ଭିତରେ ଛପିଗଲା । ଗୋବରୀ ଜେନା ଯେତେବେଳେ ପୋଖରୀରୁ ଯାଇଁ ଗାଆଁ ଦାଣ୍ଡରେ ଡାକ ଛାଡ଼ିଲା–“ହୁସିଆର ହୋ ହୁସିଆର” ସେତେବେଳେ ସ୍ଵୟମ୍ଭୂ ପୋଖରୀରୁ ଉଠି ହୁଡ଼ା ଉପରକୁ ଆସିଲା । ଲୁଗାଜାମାକୁ ଚିପୁଡ଼ିଲା । ପାହାନ୍ତିଆ ଉତ୍ତଳା ହେମାଳ ପବନରେ ଅଧଘଣ୍ଟା ଭିତରେ ଲୁଗାଜାମା ଶୁଖିଗଲା । ସେ ନୂତନ ବଳ, ନୂତନ ଦମ୍ଭ ହୃଦରେ ଭରି ସୀମାଙ୍କ ଘର ଆଡ଼କୁ ମୁହାଁଇଲା ।

 

ଗୋବରୀ ଜେନାର ବିକଟାଳ ପାଟି ଶୁଣି ସୀମାର ନିଦ ଭାଙ୍ଗିଗଲା । ସୀମା ହେଁସ ଗୁଡ଼ାଟି ଅନ୍ଧୁଣୀ ମା’ କୋଳ ପାଖକୁ ଥୋଇ ଦେଇ କବାଟ ଫିଟାଇ ପଦାକୁ ଉଠି ଆସିଲା ।

 

ଦେଖେତ ଦାଣ୍ଡପିଣ୍ଡା ତଳେ ସ୍ଵୟମ୍ଭୂ ଚୋରଙ୍କ ଭଳି ଠିଆ ହୋଇଛି । ସୀମା’ ତା’ ପାଖକୁ ଯାଇ ପଚାରିଲା–“କ’ଣ ଯିବା ?’’ ସ୍ଵୟମ୍ଭୂ ଅଭିମାନଭରାଗଳାରେ କହିଲା–“ତୋ’ ଧରମ, ମୋ କରମ ।’’

 

ସୀମା ଏତିକିରେ ତରଳିଗଲା । କହିଲା–“ରାତି ପାହି ଯାଉଛି, ଚାଲ, ତାହାହେଲେ ଚଞ୍ଚଳ ପଳାଇ ଚାଲ । ଗେରସ୍ତମାରୀ ପାଟ ପାର ହୋଇଯିବା ।’’

 

ସ୍ଵୟମ୍ଭୂ ଚାଲିଲା ଆଗେ ଆଗେ । ସୀମା ଚାଲିଲା ପଛେ ପଛେ । ତା’ପଛରେ ଚାଲିଲା ସୀମାର ସ୍ନେହଁପାଳିତ କୁକୁର ଶିବାଜୀ ।

 

ସ୍ଵୟମ୍ଭୂ ସୀମା ପାଖରେ ପୂର୍ବରୁ ଘଟିଯାଇଥିବା ଘଟଣା ବିଷୟ ଆଦୌ କହିଲା ନାହିଁ । ମନରେ ତା’ର କିନ୍ତୁ ଆଶଙ୍କା ହେଉଥାଏ ଯଦି ସେ ଚିରିଗୁଣିଟା ପୁଣି ଆମକୁ ଗୋଡ଼ାଏ ? ବାଟ ଓଗାଳେ ? ତେବେ କ’ଣ କରାଯିବ ? ଯଦି ରୂପ ବଦଳାଇ ମଇଁଷି, ଛେଳି, ମେଣ୍ଢା, କୁକୁର ହୋଇ ଆମ ଆଗରେ ଆସି ଠିଆ ହୁଏ ତେବେ ସୀମା ତ ଡରିବ !

 

ତା’ର ମନରେ ବହୁଦିନ ତଳର ଗୋଟିଏ କଥା ଉଙ୍କି ମାରିଲା । ତା’ ଆଈ କହୁଥିଲା ଯେ, ଯଦି ପିନ୍ଧିବା ପଣତ କାନିକୁ ତଳେ ଲୋଟାଇ ଚାଲୁଥିବ ତେବେ ଭୂତ, ପ୍ରେତ, ଚିରିଗୁଣି ପାଖ ପଶି ପାରିବେ ନାହିଁ, ଯାହା ଦୂରରେ ରହି ଡରାଇବେ ।

 

ଏଥର ନିଜେ ପିନ୍ଧାକୁଞ୍ଚଟିକି ତଳେ ଲୋଟାଇଲା । ସୀମାର ପଣତକାନିକି ତଳକୁ ଲଗାଇ ଝୁଲାଇଲା ।

 

ଗୋଟିଏ ନୀଡ଼ ଭାଙ୍ଗି ଆଉ ଗୋଟିଏ ନୀଡ଼କୁ କୁଟା, କାଠି ଆଣି ଭଲଭାବରେ ସଜାଡ଼ିବା ପାଇଁ ଚାଲିଲେ ଦୁଇଜଣ । ସୀମାର ମନ ଆଗଉ ଥାଏ ଯେତିକି ପଛଉଥାଏ ସେତିକି ।

 

ନଦୀ ସମୁଦ୍ରସଙ୍ଗମ ଲାଳସାରେ ତରତର ହୋଇ ବହିଗଲାବେଳେ କ’ଣ ଆଉ ପଛକୁ ଫେରି ଅନାଏ ? ତା’ର କୁଳୁକୁଳୁ ନାଦରେ ଯେଉଁମାନେ ସଦାସର୍ବଦା ବିମୋହିତ ହୁଅନ୍ତି ସେମାନଙ୍କ କଥା କ’ଣ ସ୍ଵପ୍ନରେ ଭାବେ ? ତା’ର ଜଳରେ ଯେଉଁ ପଲ୍ଲୀ-କେଦାରମାଳ ଶସ୍ୟଶ୍ୟାମଳା ହୋଇ ଅନ୍ନମୟ ପିଣ୍ଡକୁ ରକ୍ଷାକରେ ସେହି କ୍ଷେତର କଥା କେବେ କ’ଣ ସେ ବିଚାରେ ? ଉପଳ ପ୍ରୀତିର ମାହାତ୍ମ୍ୟ କେବେ କ’ଣ ତା’ ହୃଦୟକୁ ଆଲୋଡ଼ିତ କରେ ?

 

ନା-ନା-ନା । ଜନ୍ମପରେ ସମୁଦ୍ରସଙ୍ଗମ ହିଁ ନଦୀର ଜୀବନର ପରମ ଲକ୍ଷ୍ୟ । ତାକୁ ଯେତେ ବନ୍ଧ, ବାଡ଼ ଦେଇ ଅଟକାଇଲେ ସେ କଦାପି ତା’ର ପ୍ରିୟର ଆହ୍ୱାନକୁ ଏଡ଼ିପାରିବ ନାହିଁ । ସୁଖ ଆସୁ, ଦୁଃଖ ଆସୁ, ଝଡ଼ ଆସୁ, ବର୍ଷା ଆସୁ, ନିଦାଘ ଆସୁ, ଭୂମିକମ୍ପ ହୋଇ ଧରଣୀ ଫାଟୁ, ପ୍ରଳୟ ସଂଘଟିତ ହୋଇ ଅଜସ୍ର ଅମୂଲ୍ୟ ଜୀବନର ସର୍ବନାଶ ଘଟାଉ, ତଥାପି ନଦୀ ସମୁଦ୍ରସଙ୍ଗମ ସ୍ମୃତିରେ ପାଗଳିନୀ ହେବ । ସେହି ସ୍ମୃତିରେ ହିଁ ସେ ବଞ୍ଚେ । ନଦୀ ତରତର ହୋଇ ଯେତେବେଳେ ଯାଇ ସମୁଦ୍ରର ସାନ୍ନିଧ୍ୟ ଲାଭ କରେ ସେତେବେଳର ଦୃଶ୍ୟ ବାସ୍ତବିକ୍‌ ସ୍ଵର୍ଗୀୟ, ଅନୁପମ, ଅବର୍ଣ୍ଣନୀୟ । ଅନୁଭବୀ ବିନା କେହି ଏହାକୁ ଅନୁଭବ କରିପାରେ ନାହିଁ । ନଦୀ ସମୁଦ୍ରରେ ପଡ଼ିଲାବେଳେ ମୁହାଣରେ ଜଳଭଉଁରୀ ସୃଷ୍ଟି ହୁଏ । ସମୁଦ୍ର ପାଣି ଓ ନଦୀପାଣି ଅଲଗା ଅଲଗା ବାରି ହେଉଥାଏ । ପୁଲିନରେ ଠିଆ ହୋଇ ଅନାଇଲେ ମନେହୁଏ ସତେ ଯେପରି ବିରହବାଧାରେ ବ୍ୟାକୁଳ ହୋଇ ସମୁଦ୍ର ଅଭିମାନରେ ନଦୀର ହାତକୁ ପ୍ରଥମେ ଛିଞ୍ଚାଡ଼ି ଦିଏ । ମୁହଁ ବୁଲାଇ ଅନ୍ୟଆଡ଼କୁ ଅନାଇ ଠିଆ ହୁଏ । ନଦୀ ବହୁ ଅନୁନୟ ବିନୟ କଲାପରେ ସେ ତାକୁ ଗ୍ରହଣ କରେ-। ଦୁଇଟି ପ୍ରାଣର ବୀଣା ଏକ ସ୍ଵରରେ ବାଜିଉଠେ । ପ୍ରକୃତରେ ଅଳ୍ପ ସମୟ ପରେ ନଦୀ ଓ ସମୁଦ୍ରର ସ୍ଵତନ୍ତ୍ରତା ଆଉ ବାରିହୁଏ ନାହିଁ ।

 

ସେହିଭଳି ଝିଅଟିଏ ପରଗୋତ୍ରୀ ହୋଇ ଗଲାବେଳେ ଯେଉଁ କାନ୍ଦ କାନ୍ଦେ ତାହା କେବଳ ଯୁଗଯୁଗର ସ୍ମୃତିକି ଲିଭାଇବା ପାଇଁ, ମାୟାମମତାର ବନ୍ଧନକୁ ଛିଡ଼ାଇ ଦୂରକୁ ଯିବାର ପ୍ରସ୍ତୁତି ପାଇଁ । ଲୋକଲୋଚନ ଅନ୍ତରାଳରେ, ଅଲକ୍ଷ୍ୟରେ ସେ ପ୍ରିୟ-ପ୍ରୀତିର ଉନ୍ମାଦନାରେ ବିହ୍ଵଳହୁଏ । ଖାଇଲେ ଖାଇପାରେ ନାହିଁ, ଶୋଇଲେ ଶୋଇପାରେ ନାହିଁ । ସବୁବେଳେ ସେ ଏକ ଅନନୁଭୂତ ମଧୁର ସ୍ଵାଦର ଅନୁଭୂତି କଳ୍ପନାରେ ଆହରଣ କରି ବ୍ୟସ୍ତ ହୁଏ । ସେ ପୁରୁଣା ସଂକୀର୍ଣ୍ଣ ନୀଡ଼ର ମାୟା କାଟି ଯିବା ପାଇଁ ବ୍ୟାକୁଳତା ପ୍ରକାଶ କରେ । ପରକୁ ଆପଣାର କରି ଚଳିବାର ଚିନ୍ତାରେ ଘାରିହୁଏ । ନିର୍ଦ୍ଦିଷ୍ଟ ସମୟ ଉପସ୍ଥିତ ହୁଏ । ସେ ସଜମନ ଘେନି ଯାଇଁ ସବାରୀରେ ବସେ-। ଏ ଗାଁର ଝିଅ ସେ ଗାଁର ବୋହୂ ହୋଇଥାଏ । ସମସ୍ତଙ୍କ କଥା ଗାଁ ମୁଣ୍ଡରୁ ଭୁଲିବାକୁ ଚେଷ୍ଟାକରେ-। କେତେ କାନ୍ଦ, କେତେ ହସର ଜୀବନ୍ତ ସ୍ମୃତିକି ପାସୋରି ଯିବାକୁ ଚେଷ୍ଟା କରେ-। ଗୋଟିଏ ଗାଆଁର ବିଲ, ବନ, ତୋଟାମାଳ, ନଦୀ, ହ୍ରଦ, ତା’ ମନରୁ ଅପସରି ଯାଆନ୍ତି । ସେ ନୂଆ ସ୍ଥାନରେ ନୂଆ ମଣିଷ ସାଜି ନୂଆ ନୂଆ କଥାରେ ମଜିଯାଏ । ସଂସାରଚକ୍ରରେ ପଡ଼ି ଘୂରେ ।

 

ସେଇମିତି ଝିଅ ଗୋଟିଏ ସୀମା । ରକ୍ତ ମାଂସର ଦେହ । ସଜଫୁଟା ଫୁଲର ମନ । ଛନଛନିଆ ଯୌବନ । କଞ୍ଚା ବୟସ । ବୟସର ଦାଉ ସମ୍ଭାଳିବା କ’ଣ ତା’ ପକ୍ଷରେ ଏତେ ସହଜ-?

 

ମଣିଷ ଯେଡ଼େ ଭଦ୍ର ହୋଇଥାଉ, ଯେତେ ନମ୍ର ହୋଇଥାଉ, ଯେତେ ବିଶ୍ୱାସୀ ହୋଇଥାଉ, ଯେତେ ସତ୍ୟବାନ ହୋଇଥାଉ, ବୟସ ସବୁ ସୁଗୁଣକୁ ନଷ୍ଟକରି ଦେଇ ଦାଣ୍ଡରେ ଗଡ଼ାଇ ହାଟରେ ବୁଲାଇ ଅପମାନିତ କରେ । ଯେ ବୟସର ଦାଉକୁ ଏଡ଼ାଇ ଯୌବନ ବହ୍ନିକୁ ଲୁଚାଇବାକୁ ଚେଷ୍ଟା କରେ ସେ ହୁଏ ନିନ୍ଦିତ, ସେ ହୁଏ ଲାଞ୍ଛିତ । ଦିନେ ସତ୍ୟ ପ୍ରକାଶ ପାଇଯାଏ ।

 

ଅଗଣିତ କ୍ଷୁଧା ଭିତରେ ଯୌବନ କ୍ଷୁଧା ଅନ୍ୟତମ ଓ ପ୍ରଧାନ । ଏହି କ୍ଷୁଧାକୁ ଦମନ କରିବା ସହଜସାଧ୍ୟ ନୁହେଁ । କୋଟିକରେ ଗୋଟିଏ ବି କେହି ଯୌବନର ଜ୍ଵାଳାରୁ ତ୍ରାହି ପାଇ ନାହାନ୍ତି । ମଣିଷ ତ ମଣିଷ; ଦେବତାଙ୍କର ନିସ୍ତାର ନାହିଁ ।

 

ସେହି ବୟସର ଦାଉରେ ଅଧୀରା ହୋଇ, ଯୌବନ ଜ୍ଵାଳାରେ ଅସମ୍ଭାଳ ହୋଇ ସୀମା ବାହାରିଗଲା ଘରୁ । ଯେ ଅନ୍ଧାର ଘରେ ଏକା ଶୁଏ ନାହିଁ, ଧାନ ମରେଇରେ ମୂଷା ଖଡ଼୍‌କି ହେଲେ ଚମକିପଡ଼େ, ଗରମରେ ଅସରପା ଉଡ଼ି ଫରଫର ହେଲେ ଯାହା ଛାତିରେ ଭୟରେ କାତେ ପାଣି ହୋଇଯାଏ, ସେହି ସୀମା ଆଜି ସ୍ଵୟମ୍ଭୂ ସାଙ୍ଗରେ ଅସୀମ ପଥରେ ଯାନ୍ତ୍ରିଣୀ ସାଜି ଚାଲିଛି । ଗୋଡ଼ରେ ବାଟୁଳି ବାଜୁ ନାହିଁ । ଗେରସ୍ତମାରୀ ପାଟକୁ ଅନାଇ ଆଜି ନୁହେଁ ସେ ପିଲାଦିନରୁ ଭୟରେ ଥରି ଉଠେ ।

 

ପହିଲି ଆଷାଢ଼ ଆଦ୍ୟ ବର୍ଷା ଛାଡ଼ିଗଲାପରେ ଅନେକ ସମୟରେ ଗେରସ୍ତମାରୀ ପାଟ ମଝିରେ ସନ୍ଧ୍ୟା ପରେ ପରେ ନିଆଁ ଜଳି ଉଠେ । ସେ ନିଆଁ ବି ଚାଲେ । ବିନ୍ଦୁଏ ନିଆଁ ବି ସିନ୍ଧୁଏ ହୋଇଥାଏ । ସାରା ପାଟ ହାଲୋଳମୟ ଦେଖାଯାଏ । ସୀମା ଭୟରେ କକାଟ କିଳି ଦିଏ । ଝରକା ବନ୍ଦ କରିଦିଏ । ସକାଳ ହେଲେ ତା’ ବାପା ବୋଉଙ୍କ ଆଗରେ କହେ । ବୋଉ କହନ୍ତି ଗେରସ୍ତମାରୀ ପାଟରେ ଯେଉଁ ଆଲୁଅ ଦେଖାଯାଏ ତାହା ସାଧାରଣ ନିଆଁର ଆଲୁଅ ନୁହେଁ । ତାହା ହେଉଛି ଚିରିଗୁଣି ନିଆଁ ।

 

ବାପା ତା’ର ବୋଉ ଉପରକୁ ବିରକ୍ତ ହୋଇ କହନ୍ତି, ଚିରିଗୁଣି ନିଆଁ ଜାଳିବା କଥା ମିଛ-। ସ୍ଥିର ହୋଇ ଯେଉଁ ନିଆଁ ଗହୀର ମଝିରେ ଦେଖାଯାଏ ତାହା ହେଉଛି ଫସଫରସ ପ୍ରଭୃତି ବାଷ୍ପର ଆଲୋକ । ଆଉ ଯେଉଁ ନିଆଁ ଚାଲେ ତାହା ହେଉଛି ବିଲୁଆ ପାଟିର ନିଆଁ ।

 

ସୀମା କିନ୍ତୁ ବାପାଙ୍କର ବଡ଼ ବଡ଼ ବିଜ୍ଞାନସମ୍ମତ କଥା ବୁଝିପାରେ ନାହିଁ । ବୋଉର ସରଳ କଥା ଅତି ସହଜରେ ବୁଝିଯାଏ । ସେ ଜାଣେ ବାପାଙ୍କ ଅପେକ୍ଷା ବୋଉ ତା’ର ବେଶି ଭଲ ପାଆନ୍ତି ତାକୁ । ସେ ବା କାହିଁକି ମିଛ କହନ୍ତେ ?

 

ବୋଉ ତା’ର ପୁଣି ଜୋର୍‍ ଦେଇ କହନ୍ତି–“ସୀମା, ତୁ’ ବାପାଙ୍କ କଥାରୁ କ’ଣ ପାଉଛୁ, ସେ କିଛି ନୁହେଁ, ଚିରିଗୁଣି ନିଆଁ ।’’

 

ବାପା ତା’ର ଆହୁରି ଚିଡ଼ି ଉଠନ୍ତି । ବାପା ବୋଉଙ୍କର କଳିକଜିଆ ହୁଏ । ବୋଉ ତା’ ଜିଦ୍‍ ଛାଡ଼େ ନାହିଁ । ବାପା ତାଙ୍କ ଯୁକ୍ତିରୁ ଓହରନ୍ତି ନାହିଁ । ବରଂ ବାପା ଅଧିକ ବିରକ୍ତ ହୋଇ ବୋଉକୁ କହନ୍ତି–“ପିଲମାନଙ୍କୁ ଭୂତ, ପ୍ରେତ, ଚିରିଗୁଣି ଭୟ ଦେଖାଇ ଏଭଳି ଭାବରେ ଡରାଇବା ଆଦୌ ଉଚିତ ନୁହେଁ । ତାଙ୍କ କଅଁଳ ମନ ଉପରେ ଭୀଷଣ କୁପ୍ରଭାବ ପଡ଼ିବ, ହୃଦୟରେ ଦାରୁଣ ପ୍ରତିକ୍ରିୟା ସୃଷ୍ଟି ହେବ । ସେ ଭୟାଳୁ ହୋଇଯିବେ । ଦେଶ ଦଶର ଭଲ କାମ କରି ପାରିବେ ନାହିଁ-। ତେଣୁ କୌଣସି ପିତାମାତା ତାଙ୍କର ପିଲାମାନଙ୍କୁ ଅଳିକ, ମନଗଢ଼ା, ଉଦ୍ଭଟ କାହାଣୀ କହି ଆଦୌ ଡରାଇବା ଉଚିତ ନୁହେଁ ।’’

 

ସେହି ଗେରସ୍ତମାରୀ ପାଟ ଭିତରେ ଚାଲିଛନ୍ତି ସୀମା ଆଉ ସ୍ଵୟମ୍ଭୂ । ସ୍ଵୟମ୍ଭୂ ଆଗେ ଆଗେ । ସୀମା ପଛେ ପଛେ । ହର ପାର୍ବତୀ ଦୁହେଁ ଭକ୍ତର ଦୁଃଖମୋଚନ କରିବାକୁ ବାହାରିଛନ୍ତି କି ଆଉ ସତେ ?

 

ହଠାତ୍‌ ଚମକି ପଡ଼ି କୁଣ୍ଢାଇ ପକାଇଲା ସ୍ଵୟମ୍ଭୂକୁ ସୀମା । ଭୟରେ ଥରି ଥରି କହିଲା ଚିରିଗୁଣିଟା ।

 

ସ୍ଵୟମ୍ଭୂକୁ ଆଉ ବୁଝିବାକୁ ବାକି ରହିଲା ନାହିଁ । ସେ ମନକଥା ମନରେ ମାରି ପାଦ ପୋତି ଠିଆ ହୋଇଗଲା । ହଠାତ୍‌ ଏକ ବିକଟାଳ ହସରେ ଗେରସ୍ତମାରୀ ପାଟଟା ଚମକି ଗଲା । ସାଙ୍ଗରେ ଯାଇଥିବା କୁକୁର ବି ଭୋ’ ଭୋ’ କରି ଭୁକି ଉଠି ଗୋଡ଼େଇ ନେଇଗଲା ସେହି ଚିରିଗୁଣିଟାକୁ । ଖଣ୍ଡେ ବାଟରେ ତାକୁ ଛାଡ଼ି କୁକୁର ପୁଣି ଫେରି ଆସିଲା । ସ୍ଵୟମ୍ଭୂ ସାହସ ଓ ଦମ୍ଭ ଦେଲା ସୀମାକୁ । ସୀମାର ମନ ବୁଝୁ ନଥାଏ । ଏହି ସମୟରେ ଚିରିଗୁଣି ପାଟିରୁ ପଦେ ଗୀତ ଭାସିଆସିଲା–

 

“ମନ କହୁଛିରେ ପୀରତି ପଥକୁ ତେଜ,

ସେ ବଡ଼ ବିଷମ, ପଥ ଦୁରୂଗମ,

ଭାଙ୍ଗିଯିବ ତୋ’ ମଉଜ ।’’

 

ଗୀତ ଶୁଣିଲା ପରେ ସ୍ଵୟମ୍ଭୂ ଆଉ ସୀମା ହସିହସି ଏକସ୍ଵରରେ କହି ଉଠିଲେ ବାୟାଣୀଟା । ତା’ ନ ହୋଇଥିଲେ ଅଶରୀରୀ ଆତ୍ମା ଗୀତ ଗାଆନ୍ତା କେମିତି ?

 

ଏଥର ପାଦର ଗତି ଆହୁରି ପ୍ରଖର କରି ସୀମା ଆଉ ସ୍ଵୟମ୍ଭୂ ଚାଲିଲେ । କୁକୁର ତାଙ୍କ ପଛେ ପଛେ ଧକେଇ ଧକେଇ ଦଉଡ଼ିଲା ।

 

ଅନ୍ଧୁଣୀ ମା’ କରଲେଉଟାଇ ନିଦ ମଳ ମଳ ଆଖିରେ ହେଁସ ଗୁଡ଼ାକୁ ହଲାଇ ହଲାଇ ଡାକିଲେ–“ସୀମା, ସୀମା କିଲୋ ମୋତେ ଟିକେ ପଦାକୁ ନେଇ ଚାଲ ।’’

 

କେହି ଶୁଣିଲେ ନାହିଁ । ଅନ୍ଧୁଣୀ ମା’ ଭାବିଲେ ସୀମା ବୋଧହୁଏ ପଦାକୁ ଯାଇଛି । ସେ ସୀମାର ଆସିବାକୁ ଅପେକ୍ଷା କଲେ ।

 

ଅନ୍ଧୁଣୀ ମା’ ଜାଣନ୍ତି ନାହିଁ ଯେ, ସୀମା ଆଉ ନାହିଁ । ସେ ହେଁସ ଗୁଡ଼ାକୁ ତାଙ୍କ କୋଳରେ ଶୁଆଇ ଦେଇ ଯୌବନ ପସରା ମୁଣ୍ଡାଇ ପ୍ରୀତି ବିକିବାକୁ ଘରଛାଡ଼ି ଚାଲିଗଲାଣି ଦୂରକୁ-। ବହୁ ଦୂରକୁ ।

 

ଏଇ ତ ଦୁନିଆଁ । ସୀମା ଭଳି ଲାଜକୁଳୀ ଲତା ଅପେକ୍ଷା କରି ନାହିଁ ମାତୃ ଆଦେଶକୁ । ଭୟ କରି ନାହିଁ ସମାଜର ରକ୍ତଚକ୍ଷୁକୁ । ଫେରି ପଢ଼ି ନାହିଁ ବିଗତ ଜୀବନର ଅଶ୍ରୁଳ ପାଣ୍ଡୁଲିପି ପୃଷ୍ଠାକୁ ।

 

ତାରୁଣ୍ୟର ତାଡ଼ନାରେ ଚମକି ପଳାଇ ଯାଇଛି ବିଜୁଳି କନ୍ୟାପରି ଯୋଜନ ଦୂରକୁ । ପ୍ରକୃତରେ ଯୌବନ ଜ୍ଵାଳା ସହିବା ବଡ଼ ଦୁରୂହ । ଫୁଲ ଶରର ଷଣ୍ଢୁଆସୀ ଥରେ ଭୁଷି ହୋଇଗଲେ ଦେହ ମନରେ ଭରି ହୋଇଯାଏ ଅଚିହ୍ନା ବିଷମ ବ୍ୟାଧିର ଯନ୍ତ୍ରଣା । ଛାତିରୁ ଅତରା ଖସେ । ଅଶନ ବସନ ପିତା ଲାଗେ । ସବୁକଥା ପଛରେ ପକାଇ ଦେଇ ଅହର୍ନିଶ ସୃଜନ ଲୀଳା-ମୋହନ ବଂଶୀ ବଜାଇବାକୁ ଇଚ୍ଛାହୁଏ ।

 

ଯେଉଁ ଅନ୍ଧୁଣୀ ମା’ ସୀମା ପାଇଁ ହାଣ୍ଡିଏ ହାଣ୍ଡିଏ ଲୁହ ଲହୁ ଢାଳିଛି, ମଲା ମାଇଲା କାଳରେ ନିଜେ ଉପାସ ରହି ତାକୁ ବଞ୍ଚାଇ ରଖିଛି, ସେହି ଅନ୍ଧୁଣୀ ମା’ର ଅତିରିକ୍ତ ବାତ୍ସଲ୍ୟ ସ୍ନେହ ମମତାକୁ ସ୍ନେହଚକ୍ଷୁରେ ଦେଖିପାରି ନାହିଁ ସୀମା । ଜନନୀର ଅନାବିଳ ନିଷ୍କପଟ ମମତାକୁ ସ୍ଵାର୍ଥପରତା ବୋଲି ଅଭିହିତ କରି ଚାଲିଯାଇଛି ସେ ସ୍ଵୟମ୍ଭୂ ସହିତ ।

 

ସେ ଆଦୌ ମାନସପଟରେ ଅର୍ଚ୍ଚନା କରି ନାହିଁ ମାତୃଶ୍ରଦ୍ଧାକୁ । ସେ କ୍ଷଣକ ପାଇଁ ହୃଦୟରେ ସ୍ଥାନ ଦେଇ ନାହିଁ ରକ୍ତର ଆହ୍ୱାନକୁ । ହନୁ ହାଡ଼ଟିରେ ସେ ଗଡ଼ାଇ ନାହିଁ ଥରଟିଏ ସମବେଦନାର ଉଷ୍ଣ ଅଶ୍ରୁ । ସେ କ୍ଷଣଭଙ୍ଗୁର ଯୌବନ ଉନ୍ମାଦନାରେ, ପ୍ରଣୟ ମଦିର ନିଶାରେ ହୋଇଛି ବିଭୋର । ବିରାଟ ଲୀଳାମୟୀ ପୃଥିବୀକୁ ସେ ମନେ କରିଛି କୌଣସି ହରିହାଟର ଅଗ୍ନି ଅସିଦ୍ଧ ମାଟିସରା । ଭବିଷ୍ୟତର ସୁନେଲି କଳ୍ପନା ପାହାଚକୁ ଚଢ଼ିବା ପାଇଁ ସେ ହୋଇଛି ଉନ୍ମନା ।

 

ଅନ୍ୟଦିଗରୁ ଦେଖିଲେ ଏ ସଂସାରରେ ପ୍ରତ୍ୟେକ ମଣିଷ ସ୍ଵାର୍ଥପର । ନିଜର ସ୍ଵାର୍ଥ ସାଧନ ପାଇଁ ଉଦ୍‌ଗ୍ରୀବ । ଅନ୍ୟକୁ ସୁଖ ସମ୍ଭୋଗର ସୁଯୋଗ ଦେବାକୁ ଏକାନ୍ତ ବୀତସ୍ପୃହ ।

 

ଅନ୍ଧୁଣୀ ମା’ ହେମାଙ୍ଗିନୀଙ୍କର କ’ଣ ବିଜ୍ଞତାର ସହିତ ଧୀରସ୍ଥିର ଭାବରେ ବିଚାର କରିବାର ନଥିଲା ଯେ ନଦୀରେ ନୂଆ କରି ବନ୍ୟା ଆସିଲେ ସେ କୂଳକିନାରା, ବନ୍ଧ, ହିଡ଼, କିଛି ମାନେ ନାହିଁ । ସେ ଉନ୍ମନା ହୋଇ କରାଳରୂପ ଧାରଣ କରେ ।

 

ଯାହା ତା’ ସ୍ରୋତରେ ପଡ଼େ ତାହା ସେ ଭସାଇ ନିଏ । ସେ ଘୃଣାକରେ ନାହିଁ ପୂତିଗନ୍ଧମୟ ମଡ଼ାକୁ, ଖାତିର କରେ ନାହିଁ ବନଗଜ ଉତ୍ପାଟିତ ବିଶାଳ ମହୀରୁହକୁ, ନାସିକା କୁଞ୍ଚନ କରି ଆଡ଼େଇ ଦିଏ ନାହିଁ ଉପଳ ଖଣ୍ଡକୁ । ଅପାଙକ୍ତେୟ ବୋଲି ଆଡ଼େଇ ଦିଏ ନାହିଁ ପୁରୀଷ ଭେଳାକୁ । ପହିଲି ଯୌବନ ସ୍ପର୍ଶରେ ପ୍ରକୃତି, ପ୍ରାଣୀ ସମସ୍ତେ ଅଧୀର ହୁଅନ୍ତି ।

 

ଦେହରେ ମଳୟ ଲାଗି ଯୌବନ ପାଚିଲେ ପୃଥିବୀରେ କେହି ନିଜର ସ୍ଥିତି ବଜାୟ ରଖି ପାରନ୍ତି ନାହିଁ । ଯେଉଁମାନେ ନିଜର ବାହାଦୁରି ଦେଖାଇ ଯୌବନକୁ ଜୟ କରିଛନ୍ତି ବୋଲି ଜନ-ଜଗତ ଆଗରେ ନିଜର ପ୍ରୌଢ଼ି ବଖାଣନ୍ତି ସେମାନେ କେବଳ ଧର୍ମକୁ ଆଖିଠାର ମାରନ୍ତି ସିନା !

 

ଅନ୍ଧୁଣୀ ମା’ ହେମାଙ୍ଗିନୀ ଦେବୀଙ୍କ ଦେହରେ ଯେତେବେଳେ ନୂଆକରି ଯୌବନ ଜୁଆର ଲାଗିଲା, ସେ କ’ଣ ଲୋକଲୋଚନ ଅନ୍ତରାଳରେ ନିଜ ଅଙ୍ଗର ଶୋଭାକୁ ବିଲୋକନ କରି ଚମକି ଉଠୁ ନଥିଲେ ? ବାରବାର ଯାଇଁ ଦର୍ପଣ ଆଗରେ ଠିଆ ହୋଇ ବୁକୁର ସ୍ତବକକୁ ଆଉଁଷି ପୁଲକରେ ରୋମାଞ୍ଚିତ ହୋଇ ଉଠୁ ନଥିଲେ ?

 

ଫୁଲଉପରେ ପ୍ରଜାପତିଟିଏ ବସି ଗୁଣୁଗୁଣୁ ହେଉଥିବାର ଦେଖିଲେ ଦେହରେ ତାଙ୍କର ବେପଥୁ ଭରି ଯାଉ ନଥିଲା ? ନିଦାଘର ଉତ୍ତପ୍ତ ମଧ୍ୟାହ୍ନରେ ପତ୍ର ଗହଳରେ କପୋତ କପୋତୀ ଡେଣା ଫଡ଼ ଫଡ଼ କରି ଚଞ୍ଚୁରେ ଚଞ୍ଚୁକୁ ଯୋଡ଼ି ଅନ୍ତରର ଅନୁରାଗ ବିନିମୟ କଲାବେଳେ ମନକାନନରେ ତାଙ୍କ ଦାବାଗ୍ନି ଜଳି ଉଠୁନଥିଲା ? ସବୁ ଜାଣି, ସବୁ ଶୁଣି ଅନ୍ଧୁଣୀ ମା’ ନୀରବଦର୍ଶିକା ସାଜି ଜଉ ପାଖରେ ନିଆଁକୁ ରଖୁଥିଲେ କାହିଁକି ? ଚୁମ୍ବକ ସହିତ ଲୁହାର ସମ୍ବନ୍ଧକୁ ପ୍ରଶ୍ରୟ ଦେଉଥିଲେ କାହିଁକି ? ତା’ର ଫଳ ସେ ଭୋଗିବେ ନାହିଁ ତ ଆଉ ଭୋଗିବ କିଏ ?

 

ସରଳ ବିଶ୍ଵାସର ବାହନାରେ ପ୍ରତିଦିନ ଶହ ଶହ ଘର ଭାଙ୍ଗେ । କୁଳବଧୂ ବାରବନିତା ସାଜେ । ପ୍ରୌଢ଼ା ଅନୂଢ଼ା ଝିଅ ଅସତୀ, ଦୋଚାରୁଣୀ ଗୁରୁଅପବାଦର ଭାରା ସହ୍ୟ କରି ନପାରି ଆତ୍ମହତ୍ୟାର ପ୍ରଶ୍ରୟ ନିଏ । ତଥାପି ଧର୍ମଭୀରୁ, ସଂସ୍କୃତି ସଚେତନ, ଅତିଥି ପରାୟଣ, ସ୍ନେହ ସାଗର ଓଡ଼ିଆ ଜାତି କାହାକୁ ଅବିଶ୍ଵାସ କରିପାରେନା ।

 

ବିଶ୍ୱାସର ଅନ୍ତରାଳରେ ଅବିଶ୍ଵାସର ଅଭିନୟ ସୁଚାରୁରୂପେ ସମାପିତ ହୁଏ । ଯେତେବେଳେ ନିନ୍ଦାର ନାଗରା ଡିବି ଡିବି ହୋଇ ବାଜେ ସେତେବେଳେ ଯାଇଁ ଚେତା ପଶେ; ମାତ୍ର ସେତେବେଳକୁ ଆଉ କିଛି ନ ଥାଏ । ଗୋଡ଼ ଖସି ଯାଇଥାଏ । ଚକି ନହୁଣୀ କହୁଣୀକି ବୋହିଯାଇ ଥାଏ ।

 

ସବୁଦିନ ପରି ସେଦିନ ବି ରାତି ପାହିଲା । କାଉ କଲା କା’ କୁକୁଡ଼ା ଡାକିଲା–“ଚକ୍ରଧର, ପାରିକର ।’’ ମୁଣ୍ଡିସାହାଡ଼ା ଗଛରେ କପୋତୀ ଗୁମୁରି ଗୁମୁରି ଡାକିଲା–“ମାଣ ପୂରିଲା, ସେର ପୂରିଲା, ଉଠରେ ପୁତ ।’’ ଅନ୍ଧୁଣୀ ମା’ ହେମାଙ୍ଗିନୀ ଦେବୀଙ୍କର ଛାତିରେ ଛନକା ପଶିଲା । ସେ ଭାବିଲେ ଏତେବେଳଯାଏ ସୀମା ଗଲା କୁଆଡ଼େ ? ଆଉ କ’ଣ ଦୁଆରେ ବସିଛି ନା ଫେରିଆସି ତଳେ ଲୁଗା ପାରି ଶୋଇପଡ଼ିଛି ?

 

ସେ ସ୍ଵଭାବସୁଲଭ ସ୍ନେହ ଜର ଜର ଗଳାରେ ତୁହାଇ ତୁହାଇ ଡାକିଲେ–“ମା’ ସୀମା’ ସୀମାକିଲୋ, କୁଆଡ଼େ ଗଲୁ, ରାତି ପାହିଲାଣି । ଦୁଆର ପହଁରି ଗୋବର ପାଣି ପକାଇ ଦେ ।’’

 

“ଶୋଇଛୁ ନା ବସିଛୁ ଶୁଣୁନାହୁଁ କାହିଁକି ? ନା ଆଜି କ’ଣ ତୋ’ ଦେହ ଭଲ ନାହିଁ ?’’

 

ଅନ୍ଧୁଣୀ ମା’ ଯେତେ ଡାକିଲା କେହି ଶୁଣିଲେ ନାହିଁ । କେହିପଦେ ପ୍ରତ୍ୟୁତ୍ତର ଦେଲେ ନାହିଁ । ସକାଳୁଆ ହେମାଳ ପବନ ଖାଲି ସମ ବେଦନାରେ ସାଇଁ ସାଇଁ ହୋଇ ବହିଗଲା । ସେ ପବନରେ ଅନ୍ଧୁଣୀ ମା’ର ତୈଳବିହୀନ ନୁଖୁରା କେଶ ଖାଲି ଫର୍‍ ଫର୍‌ ହୋଇ ଉଡ଼ିଲା ।

 

ତଥାପି ଅନ୍ଧୁଣୀ ମା’ର ମନକୁ ତିଳେହେଲେ ସନ୍ଦେହ ସ୍ପର୍ଶ କରି ନଥିଲା । ସୀମା ଯେ ଅନ୍ଧୁଣୀ ମା’ର ସ୍ନେହ, ଶ୍ରଦ୍ଧାକୁ ପାଦରେ ଦଳି, ତାକୁ ଏକୁଟିଆ ଛାଡ଼ି କୁଆଡ଼େ ଯାଇପାରେ ଏ କଥା ତାହାର ସ୍ଵପ୍ନର ବାହାର ଥିଲା ।

 

ଘଡ଼ିଏ ନୁହେଁ, ଦି’ ଘଡ଼ି ନୁହେଁ; ଓଳିଏ ବି ନୁହେଁ, ଦିନ ମାନ ଅନାଇଲା–ସୀମା ଆଉ ଫେରିଲା ନାହିଁ । ତା’ର ମା’ଙ୍କୁ ନିତ୍ୟ ନୈମିତ୍ତିକ କାର୍ଯ୍ୟରେ ସାହାଯ୍ୟ କଲା ନାହିଁ । ତାଙ୍କୁ ଆଉ ଗାଧୋଇ ଦେଲା ନାହିଁ କି ଶୁଆଇ ଦେଲା ନାହିଁ ।

 

ଚାହୁଁ ଚାହୁଁ ପୁଣି ସନ୍ଧ୍ୟା ଆସିଲା । ଗୋଧନ ବାହୁଡ଼ିଲେ ଗୋଷ୍ଠକୁ । ପକ୍ଷୀଏ କଳକୂଜନ କରି ଫେରିଲେ ନୀଡ଼କୁ । ଚକ୍ରବାକ ଅଶ୍ରୁରେ ବିଦାୟ ମାଗିଲା ପ୍ରିୟତମା ପାଖରୁ ଉଡ଼ିଯିବା ପାଇଁ ଦୂର ଦିଗନ୍ତ ଚୁମ୍ଵିତ ବେଳାଭୂମିକୁ ।

 

ସ୍ତ୍ରୀ କିନ୍ତୁ ଆଉ ଫେରିଲା ନାହିଁ ଅନ୍ଧୁଣୀ ମା’ ନିକଟକୁ । ଅନ୍ଧୁଣୀ ମା’ ସେଇମିତି କାନ୍ଥକୁ ଆଉଜି ବସିଥାଏ । ଧାର ଧାର ହୋଇ ଲୁହ ଆଖିରୁ ବୋହି ଯାଉଥାଏ । ଭୋକରେ ପ୍ରାଣ ଛଟପଟ ହେଉଥାଏ । ଶୋଷରେ ତଣ୍ଟି ଶୁଖି ଅଠା ହୋଇ ଯାଉଥାଏ ।

 

ଅନ୍ଧୁଣୀ ମା’ ତେବେ ବି ସୀମା ଉପରେ ବିରକ୍ତ ହେଉ ନଥାନ୍ତି କି ତା’ର ଅମଙ୍ଗଳ ପାଞ୍ଚୁ ନଥାନ୍ତି । ଯାହାକୁ ସେ କଲିଜା ଫାଡ଼ି ଜନ୍ମ ଦେଇଛନ୍ତି, ଯାହା ପାଇଁ ସେ ମଣିଷ ଜୀବନର ସର୍ବଶ୍ରେଷ୍ଠ ସମ୍ପଦ ଅମୂଲ୍ୟରତ୍ନ ନୟନ ଯୁଗଳକୁ ହରାଇଛନ୍ତି, ତା’ର ଅଶୁଭ ପାଞ୍ଚିବେ କେମିତି ? ଯୁଆଡ଼େ ଯିବ ଯାଉ ସେ । ବନସ୍ତରେ ହାତୀ ବୁଲୁ ଥିଲେ ବି ରଜାର ହାତୀ । ଭାଗ୍ୟଛଡ଼ା ପଥ ନାହିଁ-। ଯାହା ଭାଗ୍ୟରେ ଥିବ ତାହା ଭୋଗିବ ସେ ।

 

ଏଥର କାଣୀ କଳା ବିରାଡ଼ିଟି କୁଜୀ ଅସରପାକୁ ଛକି ଛକି ଚୁପୁ ଚୁପୁ ହୋଇ ଚାଲିଗଲା । ଅନ୍ଧୁଣୀ ମା’ ଖସ ଖସ ଶବ୍ଦ ବାରିଲେ । ବିକଳରେ କରୁଣ ସ୍ଵରରେ ଡାକିଲେ–“ସୀମା କିଲୋ ?’’

 

କାଣୀ ବିରାଡ଼ିଟି ଦୁଇଥର ମ୍ୟାଉଁ ମ୍ୟାଉଁ କରି ଅନ୍ଧୁଣୀ ମା’ ଦେହରେ ଘସିହୋଇ ଚାଲିଗଲା । ତା’ପରେ ଆସିଲା ପବନା । ଦେହରେ ତା’ର ଚାଖଣ୍ଡେ ଚାଖଣ୍ଡେ ଲମ୍ବର ଲୋମ । ପବନ ଭଳି ଗତି ତା’ର ବୋଲି ଗାଆଁରେ ସମସ୍ତେ ତାକୁ ଡାକନ୍ତି ପବନା । ପୂର୍ବପୁରୁଷ ତା’ର ଆସିଥିଲେ ସାତ ନଈ ତେର ସମୁଦ୍ର ପାରି ବିଲାତରୁ । ପବନାର ମା’ ବାପ ଭାରି ସଉକରେ ଥିଲେ-। ଦୁଇ ଦୁଇଟା ଚାକର ତାଙ୍କ ସେବାରେ ନିଯୁକ୍ତ ଥିଲେ । ପଚିଶ ପ୍ରାଣୀଙ୍କର ଖାଦ୍ୟ ତାଙ୍କ ପେଟରେ ପଶୁଥିଲା । ଜମିଦାରଙ୍କର କୁକୁର ପବନା । ଜମିଦାର ଖେଁ କରି କାଶି ଦେଲେ ଯେପରି ଲୋକଙ୍କର ଛାତି ଭୟରେ ଧଡ଼ପଡ଼ କରୁଥିଲା, ପବନା ସେହିପରି ଭୋ’ ଭୋ’ ହେଲେ ଚୋର, ଡକାୟତମାନେ ଶଙ୍କି ଯାଉଥିଲେ । ଜମିଦାରଙ୍କ ଦେଖା କରିବାକୁ ହେଉଥିଲେ, ଆଗେ ପବନାର ସେବା କରିବାକୁ ହେଉଥିଲା । ରଜା, ଜମିଦାର ଗଲେ । ପବନା ଜାତି ଆଜି ଅରକ୍ଷ । ସେମାନେ ଏଣେତେଣେ ବୁଲି ଖାଇ ଜୀବନ ଧାରଣ କରୁଛନ୍ତି ।

 

ପବନା ଯେତେବେଳେ ଘର ଭିତରକୁ ପଶି, ଭାତହାଣ୍ଡିରୁ ଘୋଡ଼ଣି କାଢ଼ିବାକୁ ଚେଷ୍ଟା କଲା, ଅନ୍ଧୁଣୀ ମା’ ଆକୁଳରେ ଡାକିଲେ–‘‘ସୀମା, ସୀମା କିଲୋ ।’’

 

ପବନା ପବନ ବେଗରେ ଘରୁ ବାହାରି ଯାଇ ପଦାରେ ଭୋ’ ଭୋ’ ହୋଇ ଭୁକିଲା । ଅନ୍ଧୁଣୀ ମା’ କାନ୍ଦିଲେ । ମନଭରି କାନ୍ଦିଲେ । କର୍ମକୁ ଆଦରି କାନ୍ଥକୁ ଆଉଜି ସେମିତି ବସିଥାନ୍ତି ସେ ।

 

ଏଥର ଆସିଲା ବାଘଛୁଆଟିଏ । ନାଆଁ ତା’ର ଗରୁଡ଼ଧ୍ଵଜ । ବେକରେ ତିନି ଚାରିହାତ ଲୁହା ଜଞ୍ଜିର ଓହଳିଛି । ପଡ଼ିଶାସାହିର ରାୟ ବାହାଦୁର ବିଷ୍କମ୍ଭକବାବୁଙ୍କ ଫରେନ୍‌ କ୍ଵାଲିଫାଏଡ୍‌ ଜ୍ଵାଇଁ ପାରିଧିକି ଯାଇଁ ଆଣିଛନ୍ତି ସେ ଛୁଆଟିକି । ଶିକାର କରିବାରେ ବିଷ୍କମ୍ଭକ ବାବୁଙ୍କ ଜ୍ଵାଇଁ ଭାରି ଧୁରନ୍ଧର । କେବଳ ଭୁଲରେ ଥରେ ସିନା ରଞ୍ଜାଳୀକି ମାରି ପକାଇଥିଲେ, ମାତ୍ର ଶିକାର କରିବାରେ ତାଙ୍କର ଭାରି ନାଆଁ ଅଛି ।

 

ଗରୁଡ଼ଧ୍ଵଜ ନିଷ୍ପ୍ରାଣ କଢ଼ପରି ନିଷ୍ପାପ । ବାଘର ବଂଶଧର ହୋଇ ମଧ୍ୟ ସେ ବର୍ତ୍ତମାନ ପର୍ଯ୍ୟନ୍ତ ବିରାଡ଼ିର ଫଅଁ ଶିଖିନି । ବାଘ ବାଘୁଣୀ ଦୁହେଁ ଆହାର ଖୋଜି ଯାଇଥିଲା ବେଳେ ଜଣେ ଆଦିବାସୀ ବାଘଛୁଆଟିକି ଧରିପକାଇ ଥିଲା । ବାଘୁଣୀ ବିଚାରୀ ଫେରି କେତେ ଘୁମୁରିଲା । ବନସ୍ଥଳୀକି ହୁଲସ୍ତୁଲ କଲା । ମାତୃହୃଦୟ ତା’ର ତରଳିଗଲା । ବାତ୍ସଲ୍ୟ ମମତା ତା’ର ଉତ୍ତରି ପଡ଼ିଲା ବୁକୁତଳେ । ବାଘଛୁଆଟି ଏବେ ମଧ୍ୟ ହିଂସାର ହଁ–ଅକ୍ଷର ଜାଣିନି । ତା’ ନହେଲେ ତା’ର ଆଜନ୍ମ ଶତ୍ରୁ ମଣିଷ ପିଲା ସାଙ୍ଗରେ ସେ ଖେଳନ୍ତା କେମିତି ?

 

ବାଘ ଛୁଆଟି କେମିତି ଫିଟିଯାଇ ଅଣନିଃଶ୍ଵାସୀ ହୋଇ ଦଉଡ଼ିଆସି କୁଦାମାରି ପଶିଗଲା ଅନ୍ଧୁଣୀ ମା’ଙ୍କର ଘରଭିତରକୁ । ଅନ୍ଧୁଣୀ ମା’ ଡାକିଲେ–“ସୀମା, ଏ ସୀମା କିଲୋ ?’’ ବାଘଛୁଆଟି ଆସି ଚାଟି ପକାଇଲା ତାଙ୍କୁ । ଗନ୍ଧବାରି ଜାଣିଲେ ସେ ବାଘଛୁଆଟିଏ ।

 

ଅନ୍ଧୁଣୀ ମା’ଙ୍କୁ ବାଘଛୁଆଟି ବୋଲି ଜାଣିବାକୁ ବେଶି ସମୟ ଲାଗିଲାନି କାରଣ ଗଡ଼ଜାତରେ ତାଙ୍କର ବାପଘର ଯେଉଁ ଗାଆଁରେ ତାଙ୍କ ବାପଘର ଗାଆଁର ଲୋକେ ଅବଧାନ ଗଛରୁ ଛାଟିଆ ଭାଙ୍ଗି ଚାଟଙ୍କୁ ଗୋଡ଼ାଇଲା ଭଳି, ନିଆଁ ଖୁଣ୍ଟାକୁ ଧରି ବାଘକୁ ଗୋଡ଼ାନ୍ତି । ସଞ୍ଜ ହେଲାମାତ୍ରେ ନର୍ଦ୍ଦମାରେ ପୋକ ସାଲୁ ସାଲୁ ହେଲା ଭଳି ବାଘ, ଭାଲୁ ବାଉଟିଆ, ଝିଙ୍କ ଆସି ବାଡ଼ିରେ ହାଟ ବସାନ୍ତି । ବାଡ଼ିରେ କୌଣସି ଫସଲ ରଖାଇ ଦିଅନ୍ତି ନାହିଁ । ବେଳେ ବେଳେ ହାତୀପଲ ଗାଆଁ ଭିତରକୁ ଚାଲି ଆସନ୍ତି । ଧାନ, ମାଣ୍ଡିଆ, ଚିନାବାଦାମ ପ୍ରଭୃତି ବିଭିନ୍ନ ଫସଲ ନଷ୍ଟକରି ଫେରିଯା’ନ୍ତି । ରଜା ରାଜୁଡ଼ା କଥା । ହାରିଗୁହାରି କେହି ଶୁଣନ୍ତି ନାହିଁ । ବୈଶାଖ ଖରା, ଶ୍ରାବଣର ଧାରା ସହି କୃଷକ ଯେଉଁ ଫସଲ କ୍ଷେତରେ ହସାଏ ତାକୁ ନଷ୍ଟକରି ଦିଅନ୍ତି ପଶୁ । ଜୀବଜନ୍ତୁଙ୍କ ମେଳରେ ଅନ୍ଧୁଣୀ ମା’ ହେମାଙ୍ଗିନୀ ଦେବୀ ଲାଳିତ ପାଳିତ ହୋଇଥିବାରୁ ସେ ଦେହର ଗନ୍ଧ ବାରି ଭାବି ନେଲେ ବାଘଛୁଆଟିଏ । ଦେହ ତାଙ୍କର ଶୀତେଇ ଉଠିଲା । ସେ ହାତ ବଢ଼ାଇଲେ ବାଘଛୁଆ ଆଡ଼କୁ । ବାଘଛୁଆଟି ହାକୁଟି ପକାଇ ଘରୁ ବାହାରି ଦଉଡ଼ି ପଳାଇଲା । ରାତ୍ରି ଘନେଇ ଉଠୁଥିଲା ।

 

ଏଥର ପାଦ ଚିପି ଚିପି ଆସିଲା ପ୍ରବଳ ପ୍ରତାପୀ ରଘୁ ଡକାୟତ । ସେ ଘରର ସର୍ବସ୍ୱ ଲୁଣ୍ଠନ କରି, ଘରୁ ତର ତର ହୋଇ ବାହାରିଗଲା ବେଳେ ଅନ୍ଧୁଣୀ ମା’ ତା’ର ଗୋଡ଼କୁ ଧରିପକାଇ ଆକୁଳରେ କାନ୍ଦି କାନ୍ଦି କହିଲେ “ସୀମା, ସୀମା କିଲୋ ? ତୋର ଆଜି କ’ଣ ହୋଇଛି ? ମୋ’ କଥା ତୁ ଶୁଣୁ ନାହୁଁ କାହିଁକି ? ମୁଁ ତୋର କି ଅପରାଧ କରିଛି ? ମୁଁ ଜାଣିବାରେ ତ ତୋର କୌଣସି କ୍ଷତି କରି ନାହିଁ; ଯଦି ଅଜାଣତରେ କୌଣସି କ୍ଷତି କରିଥିବି ମୋତେ କ’ଣ ସେ ଦୋଷରୁ ମୁକ୍ତ ଦେଲେ ଭଗବାନ ତୋ’ଉପରେ ଅସନ୍ତୁଷ୍ଟ ହେବେ ? ମୁଁ ଯାହା ଅପରାଧ କଲେ ବି ତୋର ଗର୍ଭଧାରିଣୀ ମା’ ।’’

 

ଗୋଟିଏ ଦିନ ମୋତେ ନିର୍ଜଳା ଉପାସରେ ରଖାଇଲୁଣି । ଆଉ କେତେ ସମୟ ରହିବି-? ତୁ’ ଏମିତି ନିର୍ଦ୍ଦୟ ଚୋର, ଡକାୟତଙ୍କ ଭଳି ଚୁପୁ ଚୁପୁ ହୋଇ କୁଆଡ଼େ ଚାଲି ଯାଉଛୁ-? ମୋତେ ଦହଗଞ୍ଜ କଲେ ତୋର ପିଲାପିଲିଙ୍କର ଅମଙ୍ଗଳ ହେବ । ମୋ’ ଆଖିଲୁହରେ ତୋର ସବୁ ଧର୍ମ, ସବୁପୁଣ୍ୟ ଭାସିଯିବ । ତୁ’ ପୃଥିବୀରେ ଯେଉଁଠି ଥିଲେ ମଧ୍ୟ ଶାନ୍ତିରେ ନିଃଶ୍ଵାସ ମାରିପାରିବୁ ନାହିଁ । ଆଜି ଯଦି ତୋ’ର ବାପା ଥାଆନ୍ତେ, ତୁ’ ଏଭଳି ହଇରାଣ ମୋତେ କରନ୍ତୁ କି ? ଦୁନିଆଁରେ ଯଦି ସବୁଠାରୁ ଅରକ୍ଷ, ଅଭାଜନ, ହତଭାଗ୍ୟ ବ୍ୟକ୍ତି କେହି ଥାଏ, ତେବେ ସେ ହେଉଛି ଚକ୍ଷୁହୀନ ବ୍ୟକ୍ତି ସିନା !

 

ଅନ୍ଧୁଣୀ ମା’ଙ୍କର ଏହି ମର୍ମଫଟା କରୁଣ କ୍ରନ୍ଦନରେ ରଘୁଡକାୟତର ମନ ତରଳି ଗଲା-। ମାନବିକତାରେ ହୃଦୟ ତା’ର ଗୁମୁରି ଉଠିଲା । ଆଖିରୁ ତା’ର ଝରି ପଡ଼ିଲା ସମବେଦନାର ଅଶ୍ରୁ-। ସମସ୍ତ ଲୁଣ୍ଠିତ ଜିନିଷପତ୍ର ଘରେ ପୁଣି ଯଥା ସ୍ଥାନରେ ରଖିଦେଲା । ଅନ୍ଧୁଣୀ ମା’ ପାଦ ପାଖରେ ଦଶଟି ଟଙ୍କା ବି ଥୋଇ ଦେଇ ଚାଲିଗଲା । ସେହି ଦିନରୁ ସେ ତ୍ୟାଗକଲା ପରସ୍ଵ ଅପହରଣର ହୀନ ମନୋବୃତ୍ତି ।

 

ରଘୁ ଡକାୟତ ଯିବାର ଅଳ୍ପ ସମୟ ପରେ ଘର ଭିତରକୁ ପଶି ଆସିଲା ଗୋଟିଏ କଞ୍ଚାଖାଇ ବାୟାଣୀ । ଚୁପୁ ଚୁପୁ କରି ଘର ଭିତରକୁ ପଶିଗଲା । ହାଣ୍ଡିରୁ ଖପରାରେ ଭାତ ଆଣି ଦୁଆରେ ଜହ୍ନ ଆଲୁଅରେ ବସି ଖାଇଲା । ସୁଡ଼ୁ ସୁଡ଼ୁ କରି ତୋରାଣି ପିଇଲା ବେଳେ ଅନ୍ଧୁଣୀ ମା’ ଜାଣିଲେ ମଣିଷ ଖିଆର ଶବ୍ଦ । ଅନ୍ଧୁଣୀ ମା’ ଆକୁଳରେ ଡାକିଲେ–ସୀମା, ସୀମା କିଲୋ ? ମା, ତୁ’ ଏକା ଏକା ଖାଉଛୁ ? ଏ ଅନ୍ଧୁଣୀ ମା’ ଭୋକରେ ଛଟପଟ ହେଉଛି, ତୋ’ ହୃଦରେ ଟିକେ ଦୟା ହେଉ ନାହିଁ ?

 

ବାୟାଣୀ ପ୍ରଥମେ ହେଁ-ହେଁ-କରି ହସିଲା । ତା’ପରେ କହିଲା–“ଖାଇବୁ, ଖାଇବୁ ? ହେଉ ନେ ଖା ।’’

 

ଖପରାରେ ବଳିଥିବା କିଛି ସଙ୍କୁଡ଼ି ଭାତକୁ ଆଣି ଅନ୍ଧୁଣୀ ମା’ ଆଗରେ ଥୋଇଦେଲା । ଅନ୍ଧୁଣୀ ମା’ ଉଣ୍ଡାଳି ଉଣ୍ଡାଳି ଜୀବନ ବଞ୍ଚାଇବା ପାଇଁ ସେତକ ଉଦରକୁ କ୍ଷେପିଦେଲା । ପାଣି ଟୋପାଏ ଦେ’ ବୋଲି ବଡ଼ ପାଟି କରି ଡାକିଲା । ଆଉ କେହି ଶୁଣିଲେ ନାହିଁ । ବାୟାଣୀ ଚାଲି ଯାଇଥିଲା ।

 

କୁଆଡ଼େ ଗଲା କେଜାଣି ?

 

ଚାରିଆଡ଼େ ଚହଳ ପକାଇ ଦେଇଛି କଞ୍ଚାଖାଇ ଡାଆଣୀ କଥା । ସେ ଆଗରୁ ଏ ଅଞ୍ଚଳରେ ନଥିଲା । ଏବେ କୁଆଡ଼ୁ ଆସିଛି । ଶ୍ମଶାନରେ ଆସ୍ଥାନ ଜମାଇ ରହିଛି । ମାଲହାଣ୍ଡିରେ ପାଣି ପିଉଛି । ମଲା ମଣିଷ ଦେହରୁ କଞ୍ଚା ମାଉଁସ ମେଞ୍ଚା ମେଞ୍ଚା ଖାଇ ଯାଉଛି । ତିନିମୁହାଣି ଛକରେ ଦିଆ ଯାଉଥିବା ଅମୃତକୁଣ୍ଡକୁ ଖାଉଛି । ରାତିରେ କୋକେଇ କାଠକୁ ଜାଳି ମଶାଣିକି ହାଲୋଳମୟ କରୁଛି । ଅଜଣା ବାଟୋଇମାନେ ତାକୁ ମଶାଣି ଚଣ୍ଡୀ ଭାବି ଭେଟଣା ହୋଇ ମୃତ୍ୟୁମୁଖରେ ପଡ଼ୁଛନ୍ତି । ବୁଢ଼ା ବୁଢ଼ାମାନେ କହୁଛନ୍ତି ସେମାନଙ୍କ ଜୀବନରେ ଅନେକ ପାଗଳା, ପାଗିଳୀ, ବାୟା, ବାୟାଣୀ ଦେଖିଛନ୍ତି, ମାତ୍ର ଏଭଳି ବାୟାଣୀ କେବେ ସେ ଦେଖି ନଥିଲେ ।

 

ଗୋଟିଏ କଥା ସେମାନେ ଲକ୍ଷ୍ୟ କରୁଛନ୍ତି, ଅନ୍ୟାନ୍ୟ ବାୟାଣୀମାନେ ଯେପରି ଉଲଗ୍ନ ହୋଇ ଦାଣ୍ଡ ଘାଟରେ ବୁଲନ୍ତି ଏ ସେପରି ବୁଲୁ ନାହିଁ । ରାତି ଅଧବେଳକୁ ଗୁଣୁଗୁଣୁ ହୋଇ କେତେ ରକମର ଗୀତ ବୋଲୁଛି । ଭାରି ଭଲ ଗୀତ । କେତେବେଳେ ସେ କୁଆଡ଼େ ଯାଉଛି ତା’ର କିଛି ଦେଖା ନାହିଁ ।

 

ଅନ୍ଧୁଣୀ ମା’ କପାଳକୁ ଆଦରି ସେମିତି ବସିଥାନ୍ତି ।

 

-ତେର-

 

ଶ୍ରୀକ୍ଷେତ୍ରରେ ବଡ଼ଦେଉଳରେ ଠାକୁରଙ୍କ ଆଗରେ ବିବାହ ସମାପନ କରି ସ୍ଵୟମ୍ଭୂଙ୍କ ଗ୍ରାମ ଅଭିମୁଖେ ସୀମା ଆଉ ସ୍ଵୟମ୍ଭୂ ଗଲେ ।

 

ତୁଣ୍ଡ ବାଇଦ ସହସ୍ର କୋଶ । ତୁଣ୍ଡରେ ତୁଣ୍ଡରେ ଚାରିଆଡ଼େ ଡିବି ଡିବି ବଚନ ନାଗରା ବାଜିଲା । ରାଜଗୁରୁଙ୍କ ପୁଅ ସ୍ଵୟମ୍ଭୂ ମନକୁ ମନ କୁଆଡ଼େ ଗୋଟାଏ ବାହା ହୋଇ ଚାଲିଆସିଛି ।

 

ସ୍ଵୟମ୍ଭୂ ଯେତେବେଳେ ସୀମାକୁ ନେଇ ତାଙ୍କ ଦାଣ୍ଡଦୁଆରେ ପହଞ୍ଚିଲା । ନବବଧୂକୁ କେହି ଶଙ୍ଖୋଳିଲେ ନାହିଁ । ସୀମାର ମନ ମଉଳି ଗଲା । ନିର୍ଲଜ୍ଜ ମୁହଁକୁ ସଲଜ୍ଜ କରି ମଉଳା ମନ ଘେନି ସେ ଶାଶୁଘରକୁ ପ୍ରବେଶ କଲା । ସ୍ଵୟମ୍ଭୂର ମା’ ରଣଚଣ୍ଡୀ ମୂର୍ତ୍ତିଧରି ଛାଞ୍ଚୁଣିଟାଏ ଆଣି ପିଟି ପକାଇଲେ ସୀମାକୁ । କହିଲେ ଛତରଖାଇ, ବାହାରେ ବାହାରେ ଅବି ମୋ’ ଘରୁ ବାହାରେ । ଯୁଆଡ଼େ ଆସିଛୁ ସିଆଡ଼କୁ ସେ ଭାଡ଼ୁଆକୁ ଘେନି ତୁ’ ଦାରିଆଣୀ ବାହାରି ଯା’ । ସୀମା ଛାତିକୁ ପଥର କରି ଦୁଆର ମୁହଁରେ ଠିଆ ହୋଇଥାଏ । ସ୍ଵୟମ୍ଭୂ ପାଟି ଦି’ଖଣ୍ଡ କରୁ ନଥାଏ । ଆଉ ଜଣେ ରୂପସୀ ତରୁଣୀ କିଏ ରୁଗ୍‌ଣ ଛୁଆଟିକି ଧରି କଇଁ କଇଁ ହୋଇ କାନ୍ଦୁଥାଏ ।

 

ସୀମା ଗୋଡ଼ ଆଗକୁ ପଡ଼ୁ ନଥାଏ କି ପଛକୁ ପଡ଼ୁ ନଥାଏ । ମରଣଠାରୁ ବଳି ଲଜ୍ଜା । ଆଉ କ’ଣ ସେ ଫେରିଯିବ ଅନ୍ଧୁଣୀ ମା’ ନିକଟକୁ ? ସେଠାରେ ବା ଯାଇ କିପରି ସେ ମୁହଁ ଦେଖାଇବ ? ନା ଆତ୍ମହତ୍ୟା କରିବ ?

 

ସୀମା ସ୍ଵୟମ୍ଭୂ ସେମିତି ଠିଆ ହୋଇଥାନ୍ତି । ସ୍ଵୟମ୍ଭୂର ମା’ କବାଟ କିଳି ଚାଲିଗଲେ । ଏ ଦୃଶ୍ୟ ଦେଖିବା ପାଇଁ ଅସଂଖ୍ୟ ଲୋକ ରୁଣ୍ଡ ହେଲେ । ସମସ୍ତେ ଛି ଛାକର କଲେ । ତା’ରି ଭିତରୁ କେତେ ଲୋକ ଯାଇ ସ୍ଵୟମ୍ଭୂର ମା’ଙ୍କୁ ବୁଝାଇଲେ । ପୁଅଟାତ ଯାହା ଭୁଲ କରିଛି କରିଛି । ତାକୁ କ୍ଷମା ଦିଅ । ବୋହୂଟାକୁ ଘରକୁ ଆଣ । ସେ ପରଝିଅଟା ତା’ର ଏବେ ଦୋଷ କ’ଣ ? ପୁଅବୋହୂ ଦି’ଟା ଦାଣ୍ଡରେ ବସିଛନ୍ତି, ତୁମେ କବାଟ କିଳି ଘରେ ରହିଛ, ଦାଣ୍ଡକୁ ଏହା ସୁନ୍ଦର ଦେଖାଯାଉ ନାହିଁ-

 

ପୁରୁଷ ପୁଅ, ଭ୍ରମର ଜାତି । ସେ ଏବେ ଦଶଟା ବାହାହେଲେ ତାଙ୍କୁ କ’ଣ ଦୋଷ ଲାଗି ଯାଉଛି ? ବହୁତ ବୁଝାଇଲା ପରେ ଖଞ୍ଜା ବାହାରେ ଗୋଟିଏ ଘରେ ସୀମାକୁ ରଖାଇବାକୁ ରାଜି ହେଲେ ତା’ର ଶାଶୁ ।

 

ଖଞ୍ଜା ବାହାରେ ଥିବା ଗୁହାଳକୁ ଲାଗି ଗୋଟିଏ ଭଙ୍ଗାଘରେ କର୍ମକୁ ଆଦରି ରହିଲା ସୀମା । ଫଟା କାନ୍ଥରେ ସାପଙ୍କ ବସା । ମଶା, ମାଛି ଭଣ ଭଣ । ଚାଳ ଫୁଟି ଜହ୍ନ ପଡ଼େ ଘର ଭିତରେ ।

 

ସୀମା ମନ ଦୁଃଖରେ ଥାଏ । ଦିନ ପରେ ଦିନ ଗଡ଼ି ଚାଲିଲା । ସେ ତା’ କର୍ତ୍ତବ୍ୟରେ ଆଦୌ ହେଳା କଲା ନାହିଁ । ବାସନ ଧୋଇବା ଠାରୁ ଆରମ୍ଭ କରି ଗୁହାଳ ପୋଛିବା ଯାଏ ସବୁ କାମକଲା । ଧାନ କୁଟିଲା, ମୁଢ଼ି ଭାଜିଲା, ଘରଦ୍ଵାର ସଫାକରି କାନ୍ଥରେ ଚିତା ପକାଇଲା । ସ୍ଵୟମ୍ଭୂଠାରୁ ମଧ୍ୟ ସେ କେତେ ଦିନ ଭଲ ବ୍ୟବହାର ପାଇଲା ନାହିଁ । ସେ ମା’ ଡରରେ ଲୁଚି, ଛପି ସୀମା ସଙ୍ଗରେ କଥାବାର୍ତ୍ତା କରେ ।

 

ସୀମା ନିଜ ଦୋଷ ପାଇଁ ନିଜକୁ ସଂପିହୁଏ–ଭାଗ୍ୟକୁ ନିନ୍ଦେ । ଦିନେ କଥାପ୍ରସଙ୍ଗରେ ଜଣେ ଧାନ କୁଟୁଣୀଠାରୁ ଜାଣିଲା ଯେ ସ୍ଵୟମ୍ଭୂର ଗୋଟିଏ ସ୍ଵୀ ଅଛି । ତା’ ନାଆ ରତ୍ନା । ସେ ପିଲାବେଳେ ଥାଳିରେ ବସି ବିଭା ହୋଇଥିଲା । ବିଭା କ’ଣ ସେ ସେତେବେଳେ ଆଦୌ ଜାଣି ନଥିଲା । ତଥାପି ତା’ ହାତକୁ ଆଉ ଗୋଟିଏ ନିରୀହା ବାଳିକାର ହାତ ସହିତ ଯୋଡ଼ି ହସ୍ତଗଣ୍ଠି ପକାଯାଇଥିଲା । ହସ୍ତଗଣ୍ଠି ଯେତେବେଳେ ପଡ଼ୁଥିଲା ସେତେବେଳେ ହସି ଉଠିଥିଲେ ବରକନ୍ୟା । ସେହି ସ୍ତ୍ରୀର ଗୋଟିଏ ପୁଅ । ଚିର ରୁଗ୍‌ଣ । ହାଡ଼ ଦିଖଣ୍ଡ ଥାଇ ମାଂସ ମିଳାଇ ଯାଇଛି । କେତେ ରକମର ଚିକିତ୍ସା କରାଗଲାଣି, କିଛି ଫଳ ହେଉ ନାହିଁ । ସୀମା ତା’ର ସାଧ୍ୟ ଅନୁଯାୟୀ ପିଲାଟିର ସେବାକଲା । ପ୍ରଥମେ ପ୍ରଥମେ ପିଲାଟିକୁ ସୀମା ନିକଟକୁ ରତ୍ନା ଆଦୌ ଛାଡ଼ୁ ନଥିଲା । ବାର ଲୋକେ ବାର କଥା କହି ତା’ ମୁଣ୍ଡକୁ ବିଗାଡ଼ି ଦେଇଥିଲେ ।

 

ରୁଗ୍‌ଣା ପିଲାଟିକି ସୀମା ଏଭଳି ଭାବରେ ନିଜର କରି ନେଲା ଯେ ସେ ଘଡ଼ିଏ ସୀମାକୁ ଛାଡ଼ି ଅନ୍ୟ କୁଆଡ଼େ ରହି ପାରିଲାନି । ସେ ରତ୍ନାକୁ ଛାଡ଼ି ସୀମାକୁ ମା’ ବୋଲି ଡାକିଲା ।

 

ସୀମା’ ଶାଶୁଙ୍କ ସେବାରେ ଆଦୌ କାର୍ପଣ୍ୟ କଲା ନାହିଁ । ପାଦଧୂଆ ପାଣି ପାଇବାଠାରୁ ଆରମ୍ଭ କରି ଠା’ ପିଢ଼ା ବାଢ଼ିବା ଯାଏ ସବୁକାମ କଲା । ପ୍ରଥମେ ପ୍ରଥମେ ସୀମାକୁ ହାଣ୍ଡିଶାଳ ଘରକୁ ଶାଶୁ ଛାଡ଼ୁ ନଥିଲେ । ଶାଶୁଙ୍କୁ ସେବାରେ ସେ ଏଭଳି ଭାବରେ ମନ କିଣି ନେଲା ଯେ ଶାଶୁ ପୂରାପୂରି ପରିବର୍ତ୍ତନ ହୋଇଗଲେ ।

 

ସମସ୍ତଙ୍କ ଆଗରେ ସୀମାର ପ୍ରଶଂସା ଗାଇଲେ । ତା’ପରେ ରତ୍ନାକୁ ନିଜର କରିବା ପାଇଁ ଚେଷ୍ଟାକଲା ସୀମା । ତା’ର ଗୋଡ଼ ମୋଡ଼ିବାଠାରୁ ଆରମ୍ଭ କରି, ମୁଣ୍ଡ ବାନ୍ଧିବା ଯାଏ ସବୁକାମ ସେ କଲା । କାୟା ସଙ୍ଗେ ଛାୟା ରହିଲା ପରି ତା’ ସଙ୍ଗରେ ରହିଲା । ତା’କୁ କିଛି କାମ କରାଇ ଦେଲା ନାହିଁ । ତା’ ତୁଣ୍ଡର କଥା ତଳେ ପକାଇ ଦେଲା ନାହିଁ ।

 

ଗୋଟିଏ ମାଆର ଦୁଇ ଭଉଣୀ ଭଳି ଚଳିଲେ ଦୁଇ ସଉତୁଣୀ । ସେ ଦେଖିଲା ସେ ସ୍ତମ୍ଭିତ ହୋଇଗଲା, ସୀମାର ଅକଲ ପସନ୍ଦକୁ ପ୍ରଶଂସା ନକରି ରହି ପାରିଲାନି । ସୀମା ସବୁବେଳେ ଏତେ କାମ କଲା ଯେ ତା’ର ଦେହ କ୍ଷୀଣ ହୋଇଗଲା । ରତ୍ନାର ବସିବା ଶୋଇବାକୁ ଶାଶୁ ଭଲ ଚକ୍ଷୁରେ ଦେଖି ପାରିଲେ ନାହିଁ । ସବୁବେଳେ ରଗରଗ ହେଲେ । ଦେଖେଇ ଦେଖଇ ନାନା ହାଡ଼ଶୂଳା କଥା କହିଲେ । ରତ୍ନାକୁ ଶାଶୁ କିଛି କଟୁକଥା କହିଲେ ସୀମା ଦେହରେ ଚାଏଁ ଚାଏଁ ଲାଗିଗଲା ।

 

ସୀମାର ବ୍ୟବହାରରେ ଶାଶୁ ଆଉ ସଉତୁଣୀ କେବଳ ନୁହନ୍ତି, ସାଇପଡ଼ିଶା, ବନ୍ଧୁବାନ୍ଧବ ସମସ୍ତେ ମୁଗ୍‌ଧ ହୋଇଗଲେ । ସୀମାର କାର୍ଯ୍ୟକଳାପରେ ସ୍ଵୟମ୍ଭୂ ନିଜକୁ କୃତ୍ୟ କୃତ୍ୟ ମନେକଲା ।

 

ପୁଅର ବାଳ ଆଖଣ୍ଡଳମଣିଙ୍କ ନିକଟରେ ପଡ଼ିବା ପାଇଁ ତା’ ଜନ୍ମବେଳ ଯଚା ଯାଇଥିଲା-। ଏବେ ତାକୁ ଦୁଇ ପୂରି ତିନି ଚାଲିଲା । ସୀମା ଜିଦ୍‌ ଧରିଲା, ଶୀଘ୍ର ପୁଅର ବାଳ ପକାଇବାକୁ-। ଦିନ ଠିକ୍‌ ହେଲା । ଚନ୍ଦନପୂର୍ଣ୍ଣିମା ଦିନ ତା’ର ବାଳ ପଡ଼ିବ ଆଖଣ୍ଡଳମଣିଙ୍କ ପାଖରେ । ତାକୁ ନେଇ ଯିବ କିଏ ?

 

ରତ୍ନା କହିଲା–“ସୀମା ଯାଉ ।’’ ସୀମା କହିଲା ଅପା ଯା’ନ୍ତୁ । ଶାଶୁ କହିଲେ–“ତୁମେ ଦୁଇଜଣ ଯାକ ଯାଅ । ସ୍ଵୟମ୍ଭୂ ଯାଉ ମୁଁ ଘରେ ରହୁଛି ।’’

 

ସୀମ ଆଉ ରତ୍ନା ଦୁଇଜଣ ଯାକ ଜିଦ୍‍ ଧରି କହିଲେ–“ତୁମେ ନଗଲେ ଆମେ କେହି ଯିବୁ ନାହିଁ ।’’

 

ଶେଷରେ ଚାକର ଚାକରାଣୀଙ୍କୁ ଘରେ ଛାଡ଼ି ସୀମା, ରତ୍ନା, ସ୍ଵୟମ୍ଭୂ, ସ୍ଵୟମ୍ଭୂର ମା’ ସମସ୍ତେ ଗଲେ ଆଖଣ୍ଡଳମଣିଙ୍କ ପାଖକୁ । ସେଠାରେ ବାଳ ପଡ଼ିଲା ଅମ୍ବୁଜର ।

 

ଅମ୍ବୁଜର ବାଳ ପଡ଼ିଲା ପରେ ସେ ଗାଧୋଇଲା । ତାକୁ ପୋଛିଦେଲା ଜଣେ ସ୍ତ୍ରୀ । ସ୍ଵୟମ୍ଭୂର ମା’ କହିଲେ–“ସୀମା, ତୁ’ ଏଠାକୁ ଆସିଲୁ କାହିଁକି ? ମୁଁ କ’ଣ ତାକୁ ନେଇ ଯାଉ ଯାଉ ତୋର ଆମ୍ବିଳା ହୋଇଗଲା ?’’

 

ସ୍ତ୍ରୀ ଲୋକଟି ଅମ୍ବୁଜକୁ କାନିରେ ପୋଛିଦେଇ କାଖେଇ ପକାଇଲା, କମଳ କୋମଳ ଅଧରରେ ଗୋଟିଏ ଚୁମାଟିଏ ଟାଣିଦେଲା ।

 

ପୋଖରୀ ତୁଠରେ ବସିଥିବା ଜଣେ ବୁଢ଼ା ଡାକ ପକାଇଲା–“ବାୟାଣୀଟା, ବାୟାଣୀଟା, ପୁଅକୁ ତା’ଠାରୁ ଘେନିଆସ । ପୁଅକୁ ପୋଖରୀକି ଫୋପାଡ଼ି ଦେଇ ପାରେ ।’’

 

ସ୍ଵୟମ୍ଭୂ ମା’ଙ୍କ ଦେହ ଥରି ଉଠିଲା । ସେ ନିରୀକ୍ଷଣ କରି ଦେଖିଲେ ଯେ ସେ ସୀମା ନୁହେଁ । ଆଉ ଜଣେ କିଏ ଅବିକଳ ସୀମା ଭଳି । ରୂପ, ଗଢ଼ଣ, ଉଚ୍ଚତାରେ ସବୁ ସୀମା ସଙ୍ଗେ ସମାନ ।

 

ବୁଢ଼ା ଡାକ ଶୁଣୁ ଶୁଣୁ ସ୍ତ୍ରୀ ଲୋକଟି ସ୍ଵୟମ୍ଭୂର ମା’ଙ୍କ କାଖକୁ ଟେକିଦେଲା ଅମ୍ବୁଜକୁ । ସ୍ଵୟମ୍ଭୂର ମା’ ଅମ୍ବୁଜକୁ ଆଖି ପିଛୁଳାକେ ଘେନି ପଳାଇ ଆସିଲେ ସୀମା, ଆଉ ରତ୍ନା ଯେଉଁଠାରେ ଥିଲେ ।

 

ଶାଶୁଙ୍କଠାରୁ ସବୁକଥା ଶୁଣୁ ଶୁଣୁ ସୀମା କହିଲା–“ସେ ଉରୁ କି ?’’

 

ଶାଶୁ ପଚାରିଲେ–“କଉ ଉରୁ ?’’

 

ସୀମା କହିଲା–“ତୁମେ ଚିହ୍ନି ପାରିବ ନାହିଁ ।’’

 

ସ୍ଵୟମ୍ଭୂ ଆସି ପହଞ୍ଚିଲା । ଭୋଗରାଗ ଘର୍ଷଣ ସାରି ସମସ୍ତେ ଗାଁ ଅଭିମୁଖେ ବାହାରିଲେ-

 

Unknown

-ଚଉଦ-

 

ମଣିଷର ସବୁ ହେଉଛି ପଟେ, ଭାଗ୍ୟ ହେଉଛି ପଟେ । ଭାଗ୍ୟ ଯଦି ପ୍ରତିକୂଳରେ ଯାଏ, ତେବେ ମଣିଷର ସବୁ ଆଶା, ଆକାଙ୍‌କ୍ଷା ଭଣ୍ଡୁର ହୋଇଯାଏ । ଆପଣାର ଲୋକେ ଶତ୍ରୁ ହୋଇ ମୁହଁକୁ ଅନାନ୍ତି ନାହିଁ । ବାପ ପୁଅକୁ ତେଜ୍ୟପୁତ୍ର କରେ । ମା’ ପିଲାଙ୍କୁ ଛାଡ଼ି ପଳାଏ । ସୁନାର ସଂସାର ଚୂନା ହୋଇଯାଏ । ରାଜେନ୍ଦ୍ର ଫକୀର ହୁଏ । ଫକୀର ମହାମହିମ ସମ୍ରାଟ ସାଜେ-। ସୁଖର ଦିନ ଶେଷ ହୋଇ ଦୁଃଖର ଦିନ ମାଡ଼ିଆସେ । ଅନ୍ଧୁଣୀ ମା’ ହେମାଙ୍ଗିନୀ ଦେବୀଙ୍କର ସେହିଭଳି ସୁଖର ଦିନ ଶେଷ ହୋଇ ଆସିଛି । ସେ ବର୍ତ୍ତମାନ ଦୁଃଖ ସମୁଦ୍ରରେ ଭାସୁଛନ୍ତି ।

 

ଭୋକ ଉପାସରେ ଦିନ କାଟୁଛନ୍ତି । ଆହା କହିବାକୁ ସାହା କେହି ନାହିଁ । ଜୀବନପାତ୍ରରୁ ବଞ୍ଚିବାର ସମସ୍ତ ଆନନ୍ଦ, ଉନ୍ମାଦନା ଶେଷ ହେବାକୁ ବସିଛି ।

 

ଅଦୃଷ୍ଟର ଅଦ୍ଭୁତ ଉପହାସରେ ଚକ୍ଷୁ-ରତ୍ନକୁ ହରାଇ ଯନ୍ତ୍ରଣାର ଘନଅରଣ୍ୟ ଭିତରେ ସେ ପଥବଣା ହୋଇଛନ୍ତି ।

 

ମଣିଷର ସବୁ ଦମ୍ଭ, ସବୁ ଆସ୍ଫାଳନ, ସବୁ ଗର୍ବ, ସବୁ ଆତ୍ମାଭିମାନକୁ କେତେ ଶୀଘ୍ର ଭାଗ୍ୟ ଶେଷକରି ନଦିଏ ସତେ ! ନିଜର ଜନ୍ମକଲା ପୁଅ ଝିଅ ବି ପଚାରନ୍ତି ନାହିଁ ।

 

ସୀମା !

 

ସେଇ ସୀମା କଥା ଚିନ୍ତା କଲେ ମଣିଷ କଳାମୁଣ୍ଡିଆର ବିଶ୍ଵାସଘାତକତା କଥା ସହଜରେ ଅନୁମାନ କରାଯାଇପାରେ । ସୀମା କ’ଣ ନକଲା ସତେ ! ତେବେ ଈଶ୍ଵରଙ୍କ ଇଚ୍ଛା ହିଁ ଇଚ୍ଛା, ମଣିଷର ଇଚ୍ଛା ଯେ ପାଣିଫୋଟକା । ଈଶ୍ଵର ଯାହାକୁ ରଖିବାକୁ ଚାହିଁବେ, ତା’ର କେହି କ୍ଷତି ସାଧନ କରିପାରିବ ନାହିଁ । ଯାହାକୁ ମାରିବାକୁ ଚାହିଁବେ, ପୃଥିବୀର ସମସ୍ତ ଶକ୍ତି ହିଁ ଏକତ୍ର ସମାବେଶ ହେଲେ ବି ତାକୁ ରକ୍ଷାକରି ପାରିବେ ନାହିଁ ।

 

ସୀମା ଗଲାପରେ ଯେଉଁ ବାୟାଣୀ ଆସି ଘରେ ପଶି, ମାଲ ହାଣ୍ଡିରେ ଭାତ ବାଢ଼ି ଖାଇଥିଲା, ସେହି ବାୟାଣୀ ଗଲା କେତେଦିନ ହେଲା ଦିନରେ ଥରେ ଆସି ଗୋଟିଏ ଖପରାରେ କିଛି ଭାତ ଆଣି ଆଉ ଗୋଟିଏ ଖପରାରେ ପାଣି ଆଣି ଅନ୍ଧୁଣୀ ମା’ଙ୍କ ପାଖରେ ଥୋଇ ଚାଲିଯାଏ-

 

କୁଆଡ଼େ ଯାଏ, କାହିଁକି ଯାଏ ସେ ବିଷୟ କିଛି ଜାଣି ହୁଏନା । ତା’ର କାର୍ଯ୍ୟକଳାପରୁ ଅନ୍ଧୁଣୀ ମା’ ଧରି ନେଇଛନ୍ତି ଯେ ସୀମା ପାଗଳୀ ହୋଇଯାଇଛି । କଳାବତୀପାଟଣାର ସବୁ ଲୋକେ କିନ୍ତୁ ଜାଣନ୍ତି, ସୀମା କୁଆଡ଼େ ଚାଲିଯାଇଛି । ବାୟାଣୀ ଦୟା ଉପରେ ଅନ୍ଧୁଣୀ ମା’ ପୂରାପୂରି ବଞ୍ଚନ୍ତି । ତା’ ଅନୁଗ୍ରହ ଉପରେ ପୂରାପୂରି ଭରସା ରଖିଛନ୍ତି ।

 

ହେମାଙ୍ଗିନୀ ଦେବୀ ଭଲ ଅବସ୍ଥାରେ ଥିଲାବେଳେ ଯେଉଁମାନେ ସବୁବେଳେ ଆସି ଆତ୍ମୀୟତାର ଅଭିନୟ କରୁଥିଲେ, ମମତାର ଜାଲ ବୁଣି ବୁଣି ଆଖିରେ ମାୟାଞ୍ଜନ ବୋଳୁଥିଲେ ହେମାଙ୍ଗିନୀ ଦେବୀ ଅନ୍ଧୁଣୀ ହେଲାପରେ ସେମାନେ ଆଉ ଦୁଆର ମାଡ଼ନ୍ତି ନାହିଁ । ଭଲରେ ମନ୍ଦରେ ପଦେ ତୁଣ୍ଡ ଖୋଲି ପଚାରନ୍ତି ନାହିଁ । କେବଳ ମକର ସାହୁର ଧାନକୁଟୁଣୀ ପିତେଇ ଟିକେ ଆସେ । ଅନ୍ଧୁଣୀ ମା’ଙ୍କୁ ଉଠାବସା କରାଏ । ଗାଧୋଇ ଦିଏ ଓ ଅନ୍ୟାନ୍ୟ ଦୈନନ୍ଦିନ କାମ ବି ଶେଷ କରାଇଦିଏ । ବେଳେ ବେଳେ ମୁଢ଼ି କି ଚୁଡ଼ା ପୋଷେ ବା ଚକୁଳି ପିଠା ଫରାଏ ଆଣିଦେଇ କହେ-“ସାଆନ୍ତାଣୀ ଖାଇଦିଅ ।’’

 

ପିତେଇଟା ଭାରି ଭଲ ଲୋକ । ବିଚାରୀ ବାଳୁତ ବିଧବା । ଛାତିକି ଛେପ ପକାଇ ଦେଇ, ଯୌବନକୁ ଛି’ କରି ଦେଇ, ଦେହ କିଳି ରହିଛି । ସେ କାହା ଆଖିର ଭାଷା ବୁଝିବାକୁ ଚେଷ୍ଟା କରେ ନାହିଁ କି କାହା ମନର କଥା ବିଶ୍ଳେଷଣ କରି ଜାଣିବାକୁ ମନ ବଳାଏ ନାହିଁ । ସେ ପାଇଲେ ଖାଏ, ନପାଇଲେ ନାହିଁ । ମୁହଁମାଡ଼ି ଶୁଏ । କାହା ଆଗରେ ମୁହଁ ଖୋଲି କିଛି କହେ ନାହିଁ । ତା’ର ମୁହଁ ଯୁଆଡ଼େ, ଅନୁକୂଳ ସିଆଡ଼େ ।

 

କେତେଲୋକ କେତେକଥା କହନ୍ତି ସେ ସେଥିରେ କାନ ଦିଏ ନାହିଁ । କେତେ ପ୍ରଲୋଭନ ଦେଖାଇ ତା’ର ମନ କିଣିବାକୁ ବସନ୍ତି, ସେ ସେଥିରେ ପଶେ ନାହିଁ । ଯାହାଙ୍କ ଘରେ କୁଟା କୁଟେ, ସେହି ମକର ସାହୁ ମହାଜନ କେତେ ରକମର ଚେଷ୍ଟା କରିଛନ୍ତି ତାକୁ ପାଲରେ ପକାଇବାକୁ, କିନ୍ତୁ ପାରି ନାହାନ୍ତି । ସେ ଡାଳେ ଡାଳେ ଗଲେ ଏ ପତ୍ରେ ପତ୍ରେ ଯାଏ ।

 

ବାପ ମକର ସାହୁ ଠାରୁ ପୁଅ ଶଙ୍କରାଟା ବି ଆହୁରି ନିର୍ଲଜ୍ଜ । ପିତେଇର ବୟସ କେତେ, ଶଙ୍କରାର ବୟସ କେତେ, ତଣ୍ଟି ଚିପି ଦେଲେ କ୍ଷୀର ଭ’କି ବାନ୍ତି କରି ପକାଇବ । ତଥାପି ସେ ପିତେଇକି ଦେଖିଲେ ପାଟିରେ ହୁଇସିଲ୍‌ ବଜାଏ । ନିରୋଳାରେ ଭେଟିଲେ ଅଙ୍ଗଭଙ୍ଗୀ କରି କେତେରକମର ଅଭିନୟ କରେ । ପିତେଇକି ପଇସା ଯାଚେ, ଟଙ୍କାର ଲୋଭ ଦେଖାଏ । ପିତେଇ ସେଥିରେ ପଡ଼େ ନାହିଁ । ନିଜର ବିବେକଟାକୁ ବଡ଼ ମନ କରେ । ନିଜର ସତୀତ୍ଵଟାକୁ ଜୀବନଠାରୁ ବଳି ମନେ କରେ । ନାରୀର ଯଦି କିଛି ମହିମା ପ୍ରକଟିତ ହୁଏ ସେହି ସତୀତ୍ଵ ପାଇଁ । ଫୁଲର ଯେପରି ସୁବାସ, ନାରୀର ସେପରି ସତୀତ୍ଵ ।

 

ଏହି ସତୀତ୍ଵକୁ ଥରେ ଯେ ପରପୁରୁଷ ହାତରେ ଟେକିଦିଏ, ସେ ହୁଏ ନର୍କଗାମିନୀ, କଳଙ୍କିନୀ ।

 

ନଖାଇ ନପିଇ ମରିବ ପଛେ ପିତେଇ, ସେ କଳଙ୍କିନୀ ଅପବାଦ ନେଇପାରିବ ନାହିଁ । କଞ୍ଚାବୟସ ଗଲା, ଛନଛନ ଯୌବନ ଆସି ପାକଳ ହେଲା, ଆଉ ଏ ବୁଢ଼ୀ ବୟସରେ ସେ ଦେହ ଦାହକରି ରୌରବକୁ ଯିବାପାଇଁ ବାଟ ସଫା କରି ପାରିବ ନାହିଁ ।

 

ହେଲେ ମକର ସାହୁ ମହାଜନର ଭୁଆସୁଣୀଟା ଭାରି ଭଲ ଲୋକ । ଦୁଃଖୀ, ରଙ୍କୀ, ଭୋକୀ ଶୋଷୀଙ୍କ ପେଟପାଟଣା କଥା ବୁଝେ । ମକର ସାହୁକୁ ଲୁଚେଇ ଭିକାରିକି ଭିକ ଦିଏ । ନୂଆ ଲୁଗା ଦିଏ । ସେ କିନ୍ତୁ ଭାରି ଭଲପାଏ ପିତେଇକି । ପିତେଇର ବ୍ୟବହାର, ଚାଲିଚଳନ ତା’ ମନରେ ଗଭୀର ରେଖାପାତ କରେ । ସେ ସମସ୍ତଙ୍କ ଆଗରେ ପିତେଇର ପ୍ରଶଂସା କରେ । ଏକମାତ୍ର ଝିଅ ମଞ୍ଜରୀକି ସବୁବେଳେ ପିତେଇ କଥା କହେ । ପିତେଇଟା ଗରିବ ହେଲେ କ’ଣ ହେବ, ତା’ର ମଣିଷ ପଣିଆ ଅଛି । ସେ ଅବସ୍ଥାକୁ ଦେଖି ବ୍ୟବସ୍ଥା କରେ । ମହାଜନିଆଣୀ ଭାରି ବିଶ୍ଵାସ କରେ ପିତେଇକି । ପିତେଇ ବି ସେମିତି ବିଶ୍ଵାସ ରଖିଥାଏ । ଛୁଞ୍ଚିଟାଏ ବି ତଳେ ପଡ଼ିଥିଲେ ଗୋଟାଇ ରଖେ । ଧାପେ ଜିନିଷ ବି ସେ ହାତ ଉଠାପଣ କରି ନିଏ ନାହିଁ ।

 

ମହାଜନିଆଣୀ ଖୁଦ, କୁଣ୍ଡା, ଚାଉଳ ଦିଏ–ତାହା ସେ ନିଏ । ତାହା ତାକୁ ଭୋଗ ବୋଲି ଭାବେ । ପର ଜିନିଷରେ ସେ ଆଖି ଦେବ କାହିଁକି, ପାପ ଅର୍ଜିବ କାହିଁକି । ପିତେଇଠାରୁ ମହାଜନିଆଣୀ ଘରଠାରୁ ବାହାର ପର୍ଯ୍ୟନ୍ତ ସବୁକଥା ସଂଗ୍ରହ କରେ । ତାଙ୍କ ଘରକୁ ନୂଆ ହୋଇ ଆସିଥିବା ଶିକ୍ଷକଙ୍କ ଆଚାର ବ୍ୟବହାର କଥା ବି ସେ ପିତେଇଠାରୁ ଶୁଣେ ।

 

ପିତେଇକି କହିଁକି ନୂଆ ଆସିଥିବା ମାଷ୍ଟ୍ରଙ୍କ ବ୍ୟବହାର ଭଲ ଲାଗେ ନାହିଁ । ସବୁବେଳେ ଗୋଟା ଖାଲି ହସ କ’ଣ ? ମଞ୍ଜରୀ ଯୁବତୀ ଝିଅଟାଏ, ତା’ ସାଙ୍ଗରେ ଏତେ ଫୁସୁ ଫୁସୁ କ’ଣ ?

 

ମଣିଷ ମନ । କଞ୍ଚା ଯୌବନ । କେତେବେଳେ କେଉଁ କଥା । ସବୁକଥା ପରି ଏ କଥା ବି ମହାଜନିଆଣୀ କାନରେ ପିତେଇ ପକାଏ । ମହାଜନିଆଣୀ କିନ୍ତୁ ମଞ୍ଜରୀ ଉପରେ ଦୃଢ଼ ଆସ୍ଥା ରଖିଥିବା ହେତୁ ପିତେଇର କଥା ଆଡ଼େଇ ଦେଇ କହେ–“ଯେଉଁ ନୂଆ ମାଷ୍ଟ୍ରେ ଆସିଛନ୍ତି ସେ ଭାରି ବଡ଼ଲୋକ ପୁଅ । ଖାନ୍‍ଦାନ୍‍ ଘର ପିଲା । ସେ କ’ଣ ଚାହାଳି ଅବଧାନ କି ? ସେ ପରା ଗୋଟା ଡାକ୍ତର । କର୍ମଯୋଗେ ନଳରାଜା ଘୋଡ଼ାଘାସ କାଟିଲା ଭଳି ସେ ଅଦୃଷ୍ଟର ଅଭିଶାପରୁ ଘରଦ୍ଵାର ଛାଡ଼ି ପାଗଳ ହୋଇ ବୁଲୁଛନ୍ତି । ତାଙ୍କୁ କେତେ ମଙ୍ଗାମଙ୍ଗି କରିବାରୁ ସେ ରାଜି ହୋଇଛନ୍ତି ମଞ୍ଜରୀକି ଘଣ୍ଟାଏ ଘଣ୍ଟାଏ ପଢ଼ାଇବାକୁ ।’’

 

ପିତେଇ ପରିଷ୍କାର ବୁଝିଲା ଯେ ପୁଅ ଝିଅ ଯେତେ କୁକର୍ମରେ ରତ ହେଲେ, ଯେତେ ଖରାପ ହେଲେ ବି କୌଣସି ବାପ ମାଆ ନିଜର ପିଲାମାନଙ୍କୁ ଖରାପ କରି କହିପାରନ୍ତି ନାହିଁ । ପିତେଇ ମଧ୍ୟ ମନକଥା ମନରେ ମାରି କହିଲା–“ହଁ...ହଁ ମୁଁ ଏବେ ଜାଣିଲି ମାଷ୍ଟ୍ରଙ୍କ ମୁଣ୍ଡ ଖରାପ ହେତୁ ବୋଧହୁଏ ସେ ହସୁଛନ୍ତି ତ ହସୁଛନ୍ତି, କାନ୍ଦୁଛନ୍ତି ।’’

 

ଦିନେ ଅନ୍ଧୁଣୀ ମା’ କହିଲେ–“ପିତେଇ ଲୋ, ଶୁଣିଲୁଣି; ସୀମା ଫେରି ଆସିଲାଣି ।’’

 

ପିତେଇ ଆନନ୍ଦରେ ନାଚିଗଲା । କହିଲା–“ସତେ ମୁଁ ତ ଏ କଥା ଜାଣି ନାହିଁ । ସେ ଗଲା କୁଆଡ଼େ ?’’

 

ଅନ୍ଧୁଣୀ ମା’ କହିଲେ–“ଗାଧୋଇ ଯାଇଛି, ଆସୁ ।’’

 

ବାୟାଣୀ ପ୍ରତିଦିନ ଆସୁ ଆସୁ ତା’ର ମନର ମମତା-ସମୁଦ୍ର ଉଦବେଳ ହୋଇ ଉଠିଲା-। ତା’ର ହୃଦୟ ପରିବର୍ତ୍ତନ ହୋଇଗଲା । ମସ୍ତିଷ୍କ କୁପ୍ରଭାବ ଶୂନ୍ୟ ହୋଇଗଲା ।

 

ସୀମା ଭଳି ଚଳିଲା ସେ ଅନ୍ଧୁଣୀ ମା’ଙ୍କ ନିକଟରେ । ଅନ୍ଧୁଣୀ ମା’ ସୀମା ବୋଲି ଧରିନେଲା ବାୟାଣୀକି । ବାୟାଣୀ ବି ନିଜକୁ ସୀମା ବୋଲି ପରିଚୟ ଦେଲା । ସେ ବୁଝିଲା, ବୋଧହୁଏ ଅନ୍ଧୁଣୀ ମା’ଙ୍କର ସୀମା ବୋଲି ଗୋଟିଏ ଝିଅ ଥିଲା, କୁଆଡ଼େ ଚାଲିଯାଇଛି ବା ମୃତ୍ୟୁ ମୁଖରେ ପଡ଼ିଛି । ଅନ୍ଧୁଣୀ ମା’ ସବୁବେଳେ ତାକୁ ଝୁରି ଝୁରି କ୍ଷୀଣ ହେଉଛନ୍ତି । ସୁଯୋଗ ନେଲା ବାୟାଣୀ । ନିଜର ପରିଚୟ ଗୋପନ କରି ସେଠାରେ ରହିଲା । ସେ ଅନ୍ଧୁଣୀ ମା’ଙ୍କୁ କହିଲା–“ବୋଉଲୋ, ତୁ ଆଉ ମୋତେ ଏଣିକି ସୀମା ନ ଡାକି ଡାକିବୁ ଶ୍ରୀମା ।’’

 

ଅନ୍ଧୁଣୀ ମା’ ପଚାରିଲେ–‘‘କାହିଁକି ?’’

 

ଉର୍ବଶୀ କହିଲା–“ମୋତେ କାହିଁକି ସୀମା ଅପେକ୍ଷା ଶ୍ରୀମା ଡାକଟା ଭାରି ଭଲ ଲାଗୁଛି-।’’

 

ଅନ୍ଧୁଣୀ କହିଲେ–“ହେଉ । ସେହିଦିନଠାରୁ ଅନ୍ଧୁଣୀ ମା’ ତାକୁ ଡାକନ୍ତି ଶ୍ରୀମା ।’’

 

କଳାବତୀପାଟଣାର ଆବାଳବୃଦ୍ଧ-ବନିତା ସମସ୍ତେ ଜାଣିଲେ ଯେ ସୀମା କୁଆଡ଼େ ଯାଇଥିଲା ଫେରି ଆସିଲାଣି । ବାୟାଣୀ କଥା ସମସ୍ତେ ଭୁଲିଗଲେ । ସମସ୍ତଙ୍କ ଆଖିରେ ନାଚିଲା ପୁଣି ସୀମା । ସୀମା ନାମକୁ ପାସୋରି ସମସ୍ତେ ଡାକିଲେ ଶ୍ରୀମା ।

 

କେତେଲୋକ କେତେ କଥା କହିଲେ । କିଏ ଯଦି କହିଲା–“ଆଲୋ ଶ୍ରୀମା, ତୁ’ଟା ଏଡ଼େ ଅବିବେକୀ ପିଲାଟା, ଅନ୍ଧୁଣୀ ମା’ଟାକୁ ଛାଡ଼ି ଏତେଦିନ ହେଲା ଯାଇଥିଲୁ କୁଆଡ଼େ ? ତୁ’ ଏଡ଼େ ନିର୍ଦ୍ଦୟା ?’’

 

ଆଉ ତେବେ କିଏ କହିଲା–“ଯାଇଥିଲୁ ତ ଯାଇଥିଲୁ, ମା’ ଭାଗ୍ୟରେ ଯାହା ଥାନ୍ତା, ସେ ଭୋଗିଥାନ୍ତା, ତୁ ପୁଣି ଫୁଲେଇ ହୋଇ ଫେରି ଆସିଲୁ କାହିଁକି ?’’

 

ଶ୍ରୀମା କାହାକୁ କିଛି କହେ ନାହିଁ । ଅଳ୍ପ ଦିନ ରହିଲା ପରେ ବାୟାଣୀର ରୂପ ପରିବର୍ତ୍ତନ ହୋଇଗଲା । ଚାହିଁବା, ହସିବା, ଚାଲିବା ସବୁଥିରେ ନୂତନତା ପ୍ରକାଶ ପାଇଲା । ଶୀର୍ଣ୍ଣ ଦେହର ମଉଳା ଯୌବନ ପୁଣି ଛନଛନ ହୋଇ ଉଠିଲା । ପୂର୍ଣ୍ଣ ଯୌବନୋତ୍ତୀର୍ଣ୍ଣ ତନୁ ତନିମା ତା’ର ଲକ୍ଷ ଆଖିର ଆକର୍ଷଣର ହେତୁ ହୋଇ ଉଠିଲା, ତା’ ବିମ୍ବୋଷ୍ଠର ଚପଳ ହସ ଅଜସ୍ର ଦେହରେ ନିଆଁ ଜାଳିଦେଲା । ତା’ର ମାଉଁସିଆ ପୁଷ୍ପିତ ଚିବୁକ ପୁରୁଷର ପୁରୁଷକାରକୁ ହନ୍ତସନ୍ତ କରିବା ପାଇଁ ଚେଷ୍ଟାକଲା । ତା’ର ରୂପର ମୋହିନୀ ଜାଲରେ ଅସଂଖ୍ୟ ମନମୀନ ଧରା ଦେବାକୁ ଉଚ୍ଛନ୍ନ ହେଲେ । ରସାଣିତ ଅଙ୍ଗ ଲାବଣ୍ୟ ଓ ଫେନିଳ ଯୌବନର ଗାଥା କାନକୁ କାନ ବ୍ୟାପିଗଲା-

 

ମକର ସାହୁ ମହାଜନ ପୁଅ ଶଙ୍କରା ଶ୍ରୀମାକୁ ପାଇବା ପାଇଁ ଉଚ୍ଛନ୍ନ ହେଲା । ଅଶନ ବସନ ବିଷ ମଣିଲା । ମାନସିକ ଅଶାନ୍ତି ତା’ର ବଢ଼ିବାକୁ ଲାଗିଲା । ଶୟନ, ସ୍ଵପନ, ଜାଗରଣରେ ସେ ଶ୍ରୀମାକୁ ପ୍ରେମ ମନ୍ଦିରର ଆରାଧ୍ୟ ଦେବତା ରୂପେ ପୂଜାକଲା । ମାତ୍ର ସେ କି ସହଜେ ମିଳିବା ଧନ ! ଶ୍ରୀମାକୁ ଲାଭ କରିବା ଯାହା, ଆକାଶ-କୁସୁମ ହାର କରି ଗଳାରେ ନାଇବା ତାହା ।

 

ଶ୍ରୀମା ନାମଟା ସ୍ମରଣ କଲାମାତ୍ରେ ଶଙ୍କରାର ସର୍ବାଙ୍ଗରେ ବିଜୁଳିର ଚମକ ସୃଷ୍ଟି ହୁଏ । ସ୍ଵପ୍ନ ଓ ସତ୍ୟ ଭିତରେ ଥିବା ତଫାତ୍‌ ତା’ ସମ୍ମୁଖରୁ ଉଭେଇଗଲା । ଅବଦମିତ ପ୍ରୀତି-ପିପାସା ତାକୁ ଉଠାଇ ବସାଇ ଦେଲା ନାହିଁ । ଶ୍ରୀମା ରୂପକୁ ଝୁରି ଝୁରି ବ୍ୟଥା ଓ ବେଦନାରେ ଶଙ୍କରା ମ୍ରିୟମାଣ ହୋଇପଡ଼ିଲା । ଶ୍ରୀମାର କଟାକ୍ଷପାତ ତାକୁ ଶାଣଦିଆ କଟୁରିରେ ହାଣିଲା ପରି ଲାଗିଲା । ଶ୍ରୀମାର ହସ, ଚାହାଣି, ଚଳନଭଙ୍ଗୀ ଶଙ୍କରା ଭଳି ପାଞ୍ଚହାତିଆ ଭେଣ୍ଡାକୁ ମେଣ୍ଢା କରିଦେଲା । ସେ ସବୁବେଳେ ଖାଲି ଶ୍ରୀମା ନାମକୁ ଜପାମାଳି କଲା । ନିଜ ଦେହର କ୍ଷୁଧା ମେଣ୍ଟାଇବାର ବର୍ବର ଲାଳସା ତାକୁ ବିଭ୍ରାନ୍ତ କରିଦେଲା ।

 

ଏକଥା ମକର ସାହୁ ଆଉ ତାଙ୍କ ଭୁଆସୁଣୀଙ୍କ କାନକୁ ଗଲା । ସେମାନେ ଯଥାସାଧ୍ୟ ଚେଷ୍ଟା କଲେ ଶ୍ରୀମାକୁ ବୋହୂ କରିବାକୁ–ହେଲେ କିଛି ଫଳ ହେଲା ନାହିଁ ।

 

ଦିନେ ଶ୍ରୀମା ଗାଧୋଇ ଯାଇଥିଲା ବେଳେ ଶଙ୍କରା କେତେକ ଗୁଣ୍ଡା ପ୍ରକୃତିର ଲୋକଙ୍କ ସାହାଯ୍ୟରେ ତାକୁ ଅପହରଣ କରି ନେଇଯିବାକୁ ଚେଷ୍ଟାକଲା । ଶ୍ରୀମା ବଡ଼ ଜୋରରେ ଚିତ୍କାର କରିବାରୁ ଗାଆଁର ଲୋକେ ଶଙ୍କରାକୁ ଛି ଛାକର କଲେ ।

 

ଶଙ୍କରା କିନ୍ତୁ ସେଥିରେ ଦବିଗଲା ନାହିଁ । ଛାତି ଭିତରେ ତା’ର ପ୍ରେମର ନିଆଁ ଦାଉ ଦାଉ ଜଳୁଥିଲା । ଆଖିରେ ତା’ର ଆକର୍ଷଣର ଜୁଆର ହୁ’ ହୁ ମାଡ଼ୁଥିଲା । ଶଙ୍କରାର ବା କେଉଁ କଥାରେ ଅଭାବ ଅଛି ! ଧନ, ମନ, ବଳ, ବୟସ ସବୁତ ଭରା । ସେ ଦବିଯିବ କାହିଁକି ?

 

ଶ୍ରୀମାକୁ ପାଇବା ପାଇଁ ସେ ତା’ ପ୍ରାଣପଣେ ଚେଷ୍ଟାକଲା । ଅନ୍ଧୁଣୀ ମା’ କାନରେ ଏ କଥା ପଡ଼ିଲା । ଅନ୍ଧୁଣୀ ମା’ କହିଲା–“ସୀମା ଲୋ, ଚାଲ୍‌ ଏ ଗାଁ ଛାଡ଼ି ଅନ୍ୟ କୁଆଡ଼େ ପଳାଇଯିବା-। ଏ ଗାଆଁର ଲୋକେ ତତେ ରଖାଇ ଦେବେ ନାହିଁ ।’’

 

ଶ୍ରୀମା କହିଲା–“ବୋଉ, କୁଆଡ଼େ ଯିବା ? ଏ ସଂସାର ତ ଏକ ଚିଡ଼ିଆଖାନା । ଚିଡ଼ିଆଖାନାରେ ବିଭିନ୍ନ ଜୀବଜନ୍ତୁଙ୍କର ସମାବେଶ ହେଲା ଭଳି, ଏ ସଂସାରରେ ବିଭିନ୍ନ ରକମର ମଣିଷ ଅଛନ୍ତି । ଯେଉଁଠିକି ଗଲେ ମଧ୍ୟ ଶଙ୍କରା ଭଳି ମଣିଷ ଅଛନ୍ତି । ଯିବା କୁଆଡ଼େ ?’’

 

ଆପେ ଭଲ ତ ଜଗତ ଭଲ । ଆମେ ଯଦି ଭଲ ଥିବା ଆମର କେହି କିଛି କରି ପାରିବେ ନାହିଁ । ସାମୟିକ ଦୁର୍ବହ ଓ ଦୁର୍ବିସହ ବିପଦକୁ ଯେ ହସି ହସି ସହେ, ସେ ହେଉଛି ପ୍ରକୃତରେ ମଣିଷ ।

 

ଶ୍ରୀମାର କଥାରେ ଅନ୍ଧୁଣୀ ମା’ କେତେକ ପରିମାଣରେ ଆଶ୍ଵସ୍ତ ହେଲେ ହେଁ ଶାନ୍ତିରେ ନିଃଶ୍ଵାସ ମାରିପାରିଲେ ନାହିଁ । ସବୁବେଳେ ସେ ଖାଲି ଶ୍ରୀମାର ଚିନ୍ତାରେ ବିବ୍ରତ ହେଲେ ।

 

ଶ୍ରୀମା ଛାତିକି ପଥର କରି, ସଂସାର ଜଞ୍ଜାଳ ପଥରେ ପାଦ ଚିପି ଚିପି, ନିଜର ନିତିଦିନିଆ କର୍ତ୍ତବ୍ୟ ପଥରେ ଆଗୁସାର ହେଲା । ସେ ଖୁବ୍‌ ଦମ୍ଭ ଓ ସାହସର ସହିତ ଶଙ୍କରାର ଦୌରାତ୍ମ୍ୟକୁ ମୁକାବିଲା କଲା । ତା’ର ହୃଦୟକୁ ପରିବର୍ତ୍ତନ କରିବା ପାଇଁ ଯଥାସାଧ୍ୟ ଚେଷ୍ଟାକଲା । ଶଙ୍କରା କିନ୍ତୁ କିଛି ଶୁଣିଲା ନାହିଁ । ସେ ଥରଟିଏ ଶ୍ରୀମାର ଅଙ୍ଗ ସ୍ପର୍ଶ କରିବା ପାଇଁ ନିଜର ମନର ବ୍ୟାକୁଳତା ପ୍ରକାଶ କଲା ।

ଶ୍ରୀମା ସେଥିରେ ସମ୍ମତି ପ୍ରଦାନ କରି ଦିନ ଓ ସମୟ ନିର୍ଦ୍ଦିଷ୍ଟ କରି ଦେଲା । ଏ ମିଳନ ଶ୍ରୀମାଙ୍କ ଘର ଆଗରେ ଥିବା ଫୁଲ ବଗିଚାରେ ସମାପନ ହେବାର ବି ଜଣାଇଦେଲା ।

ଶଙ୍କରା ପ୍ରାଣରେ ଆନନ୍ଦର ଢେଉ ଖେଳିଗଲା । ସେ ନିର୍ଦ୍ଦିଷ୍ଟ ଦିନକୁ ଅପେକ୍ଷା କରି ରହିଲା ।

ନିର୍ଦ୍ଦିଷ୍ଟ ଦିନ ଠିକ୍‌ ସମୟରେ ଶଙ୍କରା ଆସି ପହଞ୍ଚିଲା । କିନ୍ତୁ ଶ୍ରୀମାର ଶରୀର ଏତେ ଜୀର୍ଣ୍ଣ ଶୀର୍ଣ୍ଣ ଦେଖାଯାଉଥିଲା ଯେ ଶଙ୍କରା ତାକୁ ଅନ୍ୟ କିଏ ବୋଲି ଭାବିଲା । ତା’ର ପାଦରେ ନ ଥିଲା ମରାଳ ଚାଲି, ଆଖିରେ ନଥିଲା ତୀର୍ଯ୍ୟକ ଚାହାଣି, ଅଧରରେ ନଥିଲା ଦରହାସ । ବିଷାଦରେ ବଦନ କଳା ପଡ଼ିଯାଇଥିଲା । ତଥାପି ଯେଉଁ ଟଙ୍କା ମୁହଁକରେ ବଙ୍କା, ସେଥିରୁ ଗୋଟିଏ ଥଳି ଆଣି ଶ୍ରୀମା ହାତକୁ ବଢ଼ାଇଦେଲା ।

ଶ୍ରୀମା କିନ୍ତୁ ତାକୁ ସ୍ପର୍ଶ କଲା ନାହିଁ । ଧନ ଲୋଭର ପ୍ରଲୋଭନରେ ସେ ପଡ଼ିଲା ନାହିଁ । କହିଲା–“ଧନ ନେଇ ଦେହ ବିକ୍ରି କରିବା ଗଣିକାର କାମ, ପ୍ରେମିକାର କାମ ନୁହେଁ । ପ୍ରେମ ଯେଉଁ ସ୍ଵର୍ଗୀୟ ଜିନିଷ, ତାକୁ ପଇସା ଦେଇ କିଣାଯାଇ ପାରେନା । ପୁରୀ, ଭୁବନେଶ୍ଵର, କୋଣାର୍କ, ତାଜମହଲ ଗଢ଼ିବାକୁ ସିନା ଇଟା, ଚୂନ, ସିମେଣ୍ଟ, ପଥର ଆବଶ୍ୟକ ହୋଇଛି, ମାତ୍ର ପ୍ରେମମନ୍ଦିର ତୋଳିବାକୁ କେବଳ ପବିତ୍ରତା ଓ ଆତ୍ମପ୍ରତ୍ୟୟ ଦରକାର । ଜୋର୍‍ ଜବରଦସ୍ତିରେ କେଉଁଠି ପ୍ରେମ କରାଯାଇ ପାରେନା କିମ୍ବା ପ୍ରେମର ମନ୍ଦିର ତୋଳାଯାଇ ପାରେନା । ମନର ମିଳନ ପରେ ହିଁ ପ୍ରେମର ବୀଜ ଅଙ୍କୁରିତ ହୁଏ । ଏଥିପାଇଁ ଧନ ଦରକାର ପଡ଼େନି କି ଅହଙ୍କାର ଆବଶ୍ୟକ ହୁଏନି-।’’

ଶଙ୍କରା କିନ୍ତୁ ନିଜର ଉଦ୍ଦେଶ୍ୟ ସାଧନ ପାଇଁ ଉଦ୍‍ଗ୍ରୀବ ହୋଇ ଉଠୁଥାଏ । ମଦୁଆ ଲୋକର କାନରେ ଯେପରି କୌଣସି ସତ୍‌ ଉପଦେଶ ପଶେ ନାହିଁ; ସେହିପରି ନଶ୍ଵର ପ୍ରେମପାଗଳ ଯୁବକ ମନରେ ଧର୍ମାଧର୍ମର କଥା କୌଣସି ରେଖାପାତ ପ୍ରଥମେ କରେ ନାହିଁ ।

ଶ୍ରୀମା କହିଲା–“ମୁଁ ତୁମକୁ ଆଉ ବିରକ୍ତ କରିବାକୁ ଚାହେଁନା । ଆସ ବଗିଚାର ସେହି ନିର୍ଜନ ସ୍ଥାନ ଆଡ଼କୁ ନିଜର ଉଦ୍ଦେଶ୍ୟ ସାଧନ ପାଇଁ ଯିବା ।’’

ଶଙ୍କରା ଅତି ଆଗ୍ରହରେ ହିଁ ଭରି, ଶ୍ରୀମା ସାଙ୍ଗେ ସାଙ୍ଗ ଆଗେଇଲା । ଅଳ୍ପ ବାଟ ଗଲା ପରେ ଆଉ ଆଗକୁ ଯିବାକୁ ପଛଘୁଞ୍ଚା ଦେଲା । ଶ୍ରୀମା ବହୁତ ବଳେଇଲା ପରେ ଶଙ୍କରା ଇଚ୍ଛା ବିରୁଦ୍ଧରେ ଆଗେଇଲା । ଏକ ନିରୂପିତ ସ୍ଥାନରେ ଶ୍ରୀମା ଶଙ୍କରାକୁ ବସିବାକୁ କହିଲା ।

ସେ ସ୍ଥାନଟି ପୂତିମୟ ଗନ୍ଧରେ ଫାଟି ପଡ଼ୁଥାଏ । ଶଙ୍କରା ନାକରେ ହାତଦେଇ ଭକ ଭକ ବାନ୍ତି କରି ପକାଇଲା । ଆଗରେ ଥୁଆ ହେଇଥିବା ତିନୋଟି ମାଟି ସରାକୁ ହାତ ଦେଖାଇ ପଚାରିଲା–“ସେଗୁଡ଼ାକ କ’ଣ, ତାହାହିଁ ଏପରି ଦୁର୍ଗନ୍ଧ ହେଉଛି ।’’

ଶ୍ରୀମା କହିଲା–“ତୁମେ ଯେଉଁଥିପାଇଁ ଦିନରାତି ପାଗଳ, ତାହା ସେହି ଯୌବନ ପରା-।’’ ଶଙ୍କରା ବିସ୍ମୟ ବିସ୍ଫାରିତ ନେତ୍ରରେ ଶ୍ରୀମା ମୁହଁକୁ ବଲ ବଲ କରି ଅନାଇ ପଚାରିଲା–“କିପରି-?’’

 

‘‘ଶ୍ରୀମା କହିଲା ତୁମେ ମୋର ଯେଉଁ ରୂପ ଯୌବନକୁ ଦେଖି ପାଗଳ ହେଉଛ–ଏ ତିନୋଟି ସରାରେ ରହିଛି ସେହି ରୂପ ଯୌବନର ଅର୍କ । ଏ ଦେହ କିଛି ନୁହେଁ, କେବଳ ପଚନଶୀଳ ରକ୍ତ, ମାଂସ, ପୁରୀଷରେ ଗଢ଼ା । ଏଗୁଡ଼ିକ ସମ୍ମିଶ୍ରଣରେ ମଣିଷ ଦେହରେ ଭରିଥାଏ ରୂପ ଯୌବନର କେଳି କଦମ୍ବର ଶୀତ୍କାର । ପୁରୁଷ ହୁଏ କନ୍ଦର୍ପ ପରି ରୂପବାନ, ନାରୀ ହୁଏ ରତି ପରି ରୂପବତୀ । ଏହାର ଅପସାରଣରେ ମଣିଷ ହାଡ଼ମାଳ ଘେନି ବୁଲେ । ସେଦିନର ରୂପ ଆଜି ମୋ’ ଦେହରେ ଅଛିକି ?’’

 

ଶ୍ରୀମା ଯେତେ ବୁଝାଇଲେ ବି ଶଙ୍କରାର ମନ ବୁଝୁଛି କେତେକେ ? ଅଗ୍ନିରେ ପଡ଼ି ନିଜତ୍ଵ ବିସର୍ଜନ ଦେବା ଯେଉଁ ପତଙ୍ଗର ଧର୍ମ, ରୂପ ନିଆଁରେ ପଡ଼ି ଜୀବନକୁ ପଳ ପଳ କରି ଜାଳିବା ଯେଉଁ ମଣିଷର ଆଗ୍ନେୟ କାମନା, ତାକୁ ଯେତେ ଉପଦେଶ ଦେଲେ ସେ କ’ଣ ଘେନା କରିବ ?

 

ଶ୍ରୀମା ହାରିଗଲା ବୋଲି ବିଚାରି ନିଜର ପ୍ରତିଜ୍ଞା ପୂରଣ ପାଇଁ ପ୍ରସ୍ତୁତ ହେଲା । ତା’ ପୂର୍ବରୁ ଭକ୍ତି ଗଦ୍‌ ଗଦ୍‌ ଚିତ୍ତରେ ପ୍ରାର୍ଥନା କରି କହିଲା–“ଭଗବାନ ତୁମ ଇଚ୍ଛା ହିଁ ମଣିଷର ଭାଗ୍ୟ । ତୁମେ ଯଦି ମୋତେ ପରନାରୀ କରି ବି ପୁଣି ଅନ୍ୟ ଏକ ପୁରୁଷର କାମନା ବହ୍ନିରେ ପଳ ପଳ କରି ମୋ’ ଦେହ ଜାଳ, ତେବେ ମୁଁ ତାକୁ ତୁମର ଆଶୀର୍ବାଦ ବୋଲି ଧରିନେବି ।’’

 

ଏଥର ଅତି ଉତ୍କଣ୍ଠିତ ଚିତ୍ତରେ ଶଙ୍କରା ଶ୍ରୀମା ଆଡ଼କୁ ହସ୍ତ ସମ୍ପ୍ରସାରଣ କଲା, ମାତ୍ର ଶ୍ରୀମାକୁ ସ୍ପର୍ଶ କରିପାରିଲା ନାହିଁ । ତା’ର ସାରା ଅବୟବ ଜଡ଼ବତ ହୋଇଗଲା । ସେ ଶ୍ରୀମାକୁ ଆଉ ଦେଖି ପାରିଲା ନାହିଁ । ତାକୁ ଜଣାଗଲା ତା’ର ଗର୍ଭଧାରିଣୀ ଜନନୀ ଯେପରି ତା’ ଆଗରେ ହସୁଛି ।

 

ଶଙ୍କରାର ମୁଣ୍ଡ ଲଜ୍ଜାରେ ନଇଁଗଲା । ସେ ସଂବିତ୍‌ ହରାଇଲା ଭଳି ଅନୁମାନ କଲା । ସର୍ବାଙ୍ଗ ତା’ର ସ୍ଵେଦ ଜର ଜର ହୋଇ ବରଡ଼ା ପତର ପରି ଥରି ଉଠିଲା ।

 

କଣ୍ଠ ତା’ର ରୋଧ ହୋଇ ଆସିଲା । ସେ ବହୁ କଷ୍ଟରେ ମାଗିଲା–“ଟୋପେ ପାଣି ।’’

 

ଶ୍ରୀମା ଦଉଡ଼ି ଯାଇ ପାଣି ଆଣି ଦେଲା । ପାଣି ପିଇ ସାରିଲା ପରେ ଶଙ୍କରାର ଜ୍ଞାନ ଉଦୟ ହେଲା ସତେ । ତା’ ଆଖିରୁ ପ୍ରୀତିର ଅଠା ଛାଡ଼ିଗଲା । ବାସନା-ସରିତ ତା’ର ଭଟ୍ଟା ପଡ଼ିଗଲା । ସେ କହିଲା–“ଧନ୍ୟ ତୁମେ ଭଗବାନ, ଧନ୍ୟ ତୁମ ସଂସାର ।’’

 

ଶଙ୍କରା ସେହିଦିନଠାରୁ କୁଆଡ଼େ ଗଲା ଆଉ ତା’ ଖବର କେହି କିଛି କହି ପାରିଲେ ନାହିଁ । କିଏ ଯଦି କହିଲା, ତୀର୍ଥ ଦର୍ଶନରେ ଯାଇଛି, କିଏ ତେବେ କହିଲା, ପ୍ରେମ ପାଗଳ ହୋଇ କୁଆଡ଼େ ଚାଲିଯାଇଛି । ଆଉ ତେବେ କିଏ କହିଲା–“ସେ ବାବାଜି ହୋଇ ହିମାଳୟକୁ ପଳାଇ ଯାଇଛି ।’’

 

ମକର ସାହୁ ଆଉ ମହାଜନିଆଣୀ ବହୁତ କାନ୍ଦିଲେ । ଶଙ୍କରାର କୌଣସି ସନ୍ଧାନ ମିଳିଲା ନାହିଁ ।

 

ତେବେ ବି ଅନ୍ଧୁଣୀ ମା’ ଆଉ ଶ୍ରୀମାକୁ ରକ୍ଷା ମିଳିଲା ନାହିଁ । ଗୋଟିଏ ଦୁଃଖ ନଯାଉଣୁ ଆଉ ଗୋଟିଏ ଦୁଃଖ ଉପସ୍ଥିତ ହେଲା । ପୂର୍ବରୁ କରଜ ଦେଇଥିବା ଟଙ୍କା ବାବଦରେ ଅସଲ ସୁଧ ମିଶାଇ, ନାଲିସ କରି ଭିଟାମାଟି ଖଣ୍ଡିକ ମକର ସାହୁ ନିଲାମ ଉଠାଇଲା । ଶ୍ରୀମା ଯାଇ ବହୁତ ଅନୁନୟ ବିନୟ କରି କହିଲା, ମକର ସାହୁ କିଛି ଶୁଣିଲା ନାହିଁ; ବରଂ ବାଘ ପରି ଗର୍ଜନ ଛାଡ଼ି କହିଲା–“ତୋରି ଯୋଗୁ ପୁଅ ମୋର ବୈରାଗୀ ହୋଇ ଦେଶ ଛାଡ଼ି ଯାଇଛି । ତୁମ ମା’ ଝିଅ ଦୁହିଙ୍କୁ ଏ ଗାଆଁରୁ ନତଡ଼ିଲେ ଶାନ୍ତିରେ ନିଃଶ୍ଵାସ ମାରୁଛି କେଉଁଠି ?’’

 

ଶ୍ରୀମା ଆକୁଳରେ କହିଲା–“ହେ ଭଗବାନ ! ତୁମେ ହିଁ ଭରସା ।’’

 

ଯେଉଁଦିନ ନିଲାମ ନୋଟିସ ନଟକା ହୋଇ, ଡିଙ୍ଗୁରା ଦିଆଗଲା, ସେହିଦିନ ଠାରୁ ମାସକ ଭିତରେ ସାତ ଶହ ଟଙ୍କା ଦେବାକଥା ।

 

ବିପ୍ରବାବୁ ମଲା ପରେ ଅନ୍ଧୁଣୀ ହେମାଙ୍ଗିନୀ ଦେବୀ ଓ ଶ୍ରୀମା ଟଙ୍କା ଆଣି ପେଟକୁ ଖାଇଛନ୍ତି । ବର୍ତ୍ତମାନ ରକ୍ଷା ନାହିଁ ।

 

ଶ୍ରୀମାର ଚିନ୍ତାର ସୀମା ରହିଲା ନାହିଁ । ସବୁବେଳେ ତା’ ମନରେ ଘୁଣ ଖାଇଲା । ଲୁଣ ଖାଏ ହାଣ୍ଡି, ଚିନ୍ତା ଖାଏ ଗଣ୍ଡି । ଦିନକୁ ଦିନ ଝଡ଼ି ଯାଇ କଳାପାଉଁଶ ଭଳି ଦେଖାଗଲା ତା’ ‘ରୂପ’ । ଗୋଟିଏ ଚିନ୍ତା କେଉଁଠୁ ଟଙ୍କା ଆଣି ଭିଟାମାଟି ଖଣ୍ଡକ ରକ୍ଷା କରିବ । ତା’ର ସିନା ବଳ ବୟସ ଅଛି, ସେ କୁଆଡ଼େ ଚାଲିଯାଇ ପେଟ ପାଳିବ, ମାତ୍ର ଅନ୍ଧୁଣୀ ମା’ ଯିବେ କୁଆଡ଼େ ?

 

ନାନା ଚିନ୍ତା ଭିତରେ ଦିନ କାଟିବାକୁ ଲାଗିଲା ଶ୍ରୀମା । ଗାଆଁରେ ବୁଲି କୁଟା କୁଟି କରି ଅନ୍ଧୁଣୀ ମା’ ଓ ସେ ଚଳନ୍ତି । ଚାହୁଁ ଚାହୁଁ ଢିଅ ବାଡ଼ି ନିଲାମର ବେଳ ପାଖେଇ ଆସୁଛି । ନିଲାମ ଦିନ ଯେତେ ପାଖେଇ ଆସୁଛି, ଶ୍ରୀମାର ଉଦବେଗ ଓ ଉତ୍କଣ୍ଠା ସେତେ ବଢ଼ିବାରେ ଲାଗିଛି । ଈଶ୍ଵର ହିଁ ବଡ଼ଲୋକ । ଯାହା ସେ କରିବେ । କେତେ କେତେ ବିପଦରୁ ଉଦ୍ଧରି ଆଣିଲେଣି, ଏଥିରୁ କ’ଣ ତ୍ରାହି କରିବେ ନାହିଁ ? ତାଙ୍କ ଇଚ୍ଛା ।

 

ଶ୍ରୀମା ମନେମନେ କେତେ କଳ୍ପନା କରିଥିଲା ମୂଲ ମଜୁରୀ ଲାଗି ଅନ୍ଧୁଣୀ ମା’କୁ ଚକ୍ଷୁଷ୍ମାନ୍‌ କରିବ, ସେ ଇଚ୍ଛା ତା’ର ଇଚ୍ଛାରେ ହିଁ ରହିଗଲା ।

 

ମେଘ ମେଦୁର ରାତି । କଳାବତୀପାଟଣା ଶୂନଶାନ୍‌ । ଝିଙ୍କାରୀଗୁଡ଼ା ଖାଲି ଝାଇଁ ଝାଇଁ ହେଉଛନ୍ତି । କୁକୁରଗୁଡ଼ା ଭୋ’ ଭୋ’ ଭୁକୁଛନ୍ତି । ଗାଆଁଟା କାହିଁକି ମାଡ଼ି ମାଡ଼ି ପଡ଼ୁଛି ।

 

ପିତେଇ ଆସି ଝରକା ପାଖରେ ଚୁପୁ ଚୁପୁ ଡାକିଲା–“ଶ୍ରୀମା, ଏ ଶ୍ରୀମା କିଲୋ ?’’

 

ଅନ୍ଧୁଣୀ ମା’ ପଚାରିଲେ–“କଏ ?’’

 

ପିତେଇ ଚୁପ୍‌ ହୋଇ ରହିଗଲା । ପିତେଇର ପାଟି ବାରିଛି କିନ୍ତୁ ଶ୍ରୀମା । ଅଳ୍ପ ସମୟ ପରେ ପଦାକୁ ଆସିଲା ସେ । ପିଣ୍ଡାତଳେ ଦେଖିଲା ଠିଆ ହୋଇଛି ପିତେଇ । ପିତେଇ ପାଖକୁ ଲାଗି ଠିଆ ହୋଇଛି ମହାଜନିଆଣୀ । ହାତରେ କ’ଣ ଗୋଟିଏ କନାପୁଡ଼ା ।

 

ଶ୍ରୀମା ଆଶ୍ଚର୍ଯ୍ୟ ହୋଇ ପଚାରିଲା, “ମାଉସୀ, ତୁମେ ଏତେ ରାତିରେ କୁଆଡ଼େ ? ମହାଜନିଆଣୀ କହିଲା–“ନେ’ ଏ ପାଞ୍ଚ ହଜାର ଟଙ୍କା ନେ । ନିଲାମ ଟଙ୍କା ଶୁଝି ଢିଅ ବାଡ଼ି ମୁକୁଳାଇବୁ । ଯାହା ବଳିବ ମା’ ଝିଅ ଦୁଇଜଣ ଯାକ ସୁଖରେ ଚଳିବ । କିନ୍ତୁ ତତେ ମୋର ଗୋଟିଏ କଥା ରଖିବାକୁ ହେବ ।’’

 

ଶ୍ରୀମା କହିଲା–“ରଖିବାର କଥା ହୋଇଥିଲେ ରଖିବି ନାହିଁ କାହିଁକି ?’’

 

କନାପୁଡ଼ାଟିଏ ବଢ଼ାଇ ଦେଇ କହିଲା–“ନେ ୟାକୁ ରଖି ପାଳିବୁ । ତୋତେ ଯିଏ ପଚାରିବ ୟା’କୁ କେଉଁଠୁ ଆଣିଲୁ ? ତୁ’ କହିବୁ ମୁଁ କିଆବଣରୁ ପାଇଛି । ଲାଳବୋଳା ଶିଶୁଟି କୁଆଁ କୁଆଁ ରାବିଲା ।’’

 

ଶ୍ରୀମା କହିଲା–“ନା, ନା, ମାଉସୀ ମୁଁ ଏ କାମକୁ ପାରିବି ନାହିଁ । ତୁମେ ପଛେ ତୁମ ଟଙ୍କା ନେଇଯାଅ ।’’

 

ମହାଜନିଆଣୀ କହିଲା–“ତୁ’ ଯଦି ଏକାମ ପାରିବୁ ନାହିଁ ତେବେ ଏ ଗାଆଁରେ ଆଉ କେହି ଏ କଠିନ କାର୍ଯ୍ୟକୁ ନେଇ ଆଣି ଥୋଇ ପାରିବେ ନାହିଁ ।’’

 

ପାଟିରୁ କଥା ନ ସରୁଣୁ ପିତେଇ ଆଉ ମହାଜନିଆଣୀ ଚାଲିଗଲେ ।

 

ଶିଶୁଟି କୁଆଁ କୁଆଁ ରାବି ଦାଣ୍ଡ କମ୍ପାଇ ଦେଲା । ଶ୍ରୀମା ତର ତର କରି ତାକୁ ଘରକୁ ଆଣି ପଳାଇ ଆସିଲା । ଅନ୍ଧୁଣୀ ମା’ ପଚାରିଲେ–“ଇଲୋ ଶ୍ରୀମା, ତାକୁ କେଉଁଠୁ ଆଣିଲୁ ?’’

 

ଶ୍ରୀମା କହିଲା–“ବୋଉଲୋ, ଏ ପିଲାଟିକୁ କିଏ ଆମ ଦାଣ୍ଡ ଦୁଆରେ ଥୋଇଦେଇ ଯାଇଛି ।’’ ସବୁକଥା ଗୋପନ ରଖିଲା । ଅନ୍ଧୁଣୀ ମା’ଙ୍କୁ କିଛି କହିଲା ନାହିଁ । ଟଙ୍କାକୁ ନେଇ ଟ୍ରଙ୍କରେ ରଖିଲା ।

 

ଦୀପ ଲଗାଇ, ସଳିତା ତେଜି ଦେଖେତ କନ୍ୟାଟି ଚଢ଼େଇ ଛୁଆପରି ନାଲି ଫର ଫର ହୋଇ ଦେଖାଯାଉଛି । ଆଖି ଫିଟି ନାହିଁ । ତା’ର ନାମ ରଖିଲା ସୀମା “ସଳିତା” ।

 

ସୀମାର ଭିତରେ ମାତୃତ୍ଵ ଗୁମୁରି ଉଠିଲା । ସେ ମନଭରି ଶିଶୁଟିକୁ ଦେଖିଲା । ଭାବିଲା, ଧନ୍ୟ ଈଶ୍ଵରଙ୍କ ସୃଷ୍ଟି ! ଧନ୍ୟ ତାଙ୍କ ମହିମା ! ମାଂସରେ ହାଡ଼ ଯୋଡି, ଆଖି ଲଗାଇ, ପାଟି ଖଞ୍ଜି କଥା କୁହାନ୍ତି କେମିତି ? ଜନ୍ମ ଦେଇ ଜନନୀ ପୁଣି ମାଂସ କଣ୍ଢେଇର ତଣ୍ଟି ଚିପି ମାରନ୍ତି କେମିତି ? ସେ କ’ଣ ଜାଣନ୍ତି ନାହିଁ, ମଞ୍ଜି ପୋତିଲେ ଗଛ ହୋଇ ଫଳ ଫଳେ ବୋଲି ? ସବୁ ଜାଣି ଅଜଣା ହୁଅନ୍ତି କେମିତି ?

 

ଅନ୍ଧୁଣୀ ମା’ କହିଲେ–“କାହାର ଏ ଛୁଆକୁ ଆଣିଲୁ । ଏ ଗାଆଁବାଲା ଆମକୁ ଏ ଗାଆଁରେ ଆଉ ରଖାଇ ଦେବେଟି ?

 

ଶ୍ରୀମା ଖାଲି ଦୀର୍ଘନିଃଶ୍ଵାସ ପକାଇ କହିଲା–“ଯାହା ଭାଗ୍ୟରେ ଥିବ ।’’

 

ସତକୁ ସତ ତହିଁ ଆରଦିନ ସକାଳେ ଚାରିଆଡ଼େ ଡିବି ଡିବି ନାଗରା ବାଜିଗଲା ଯେ ଶ୍ରୀମା ଅନୂଢ଼ା ହୋଇ ମଧ୍ୟ ଏକ ଶିଶୁକନ୍ୟା ଜନ୍ମ କରିଛି । କେତେକ ସତ ମଣିଲେ । କେତେକ ବି କିଛି ମଣିଲେ । ଖରାପ କଥାଟାର କିନ୍ତୁ ପ୍ରସାର ବେଶି । ଚାହୁଁ ଚାହୁଁ ଚାରିଆଡ଼େ ଏ ଖବର ପବନ ବେଗରେ ବ୍ୟାପିଗଲା ।

 

ଯେ ଶୁଣିଲା, ସେ କହିଲା–“ମକରସାହୁ ପୁଅ ଶଙ୍କରାର ଏ ଝିଅ ।’’

 

ଶ୍ରୀମା ମୁଣ୍ଡରେ ଚଡ଼କ ପଡ଼ିଲା । ତଥାପି ସେ ନିଜ ବିଶ୍ଵାସରେ ନିଜେ ଅଟଳ ରହିଲା । ଦିନରାତି ଯେ କରୁଛନ୍ତି ସେ ଏ କଥା ବୁଝିବେ ବୋଲି ସାନ୍ତ୍ୱନା ଦେଲା । ସତ କଥା କେବେ ଲୁଚିବ ନାହିଁ ବୋଲି ଆଶ୍ଵସ୍ତ ହେଲା ।

 

ମକର ସାହୁ ଝିଅ ମଞ୍ଜରୀ ମଧ୍ୟ ଅନ୍ୟମାନଙ୍କ ସହିତ ଯୋଗ ଦେଇ, ନିଜେ ପଣସ ଖାଇ ସୀମା ମୁଣ୍ଡରେ ଅଠାବୋଳି ଦେବାକୁ ପ୍ରବଳ ଉଦ୍ୟମ କଲା ।

 

ଶ୍ରୀମା ଉପରକୁ ବିପଦ ମାଡ଼ି ଆସିଲା । ପଞ୍ଚ ପରମେଶ୍ଵର ବସି ସଭା କଲେ । ସଭାରେ ରାୟ ଦିଆଗଲା ଯେ, ବିପ୍ରବାବୁଙ୍କ ଝିଅ ଶ୍ରୀମା କଳାବତୀପାଟଣାର ନାମ ବଦନାମ କରିଛି । ଆସନ୍ତାକାଲି ସନ୍ଧ୍ୟା ଭିତରେ ସେ ଏ ଗାଆଁ ଛାଡ଼ି ଅନ୍ଧୁଣୀ ମା’କୁ ଘେନି ଚାଲିଯାଉ । ତା’ ନହେଲେ ଉଚିତ ପ୍ରତିକାର କରାଯିବ ।’’

 

ପଞ୍ଚ ପରମେଶ୍ଵରଙ୍କ ରାୟ ଶୁଣୁଥିବା ପିତେଇ କପାଳରେ ହାତ ମାରି କହିଲା–“ଓ ହୋ, ଧର୍ମ କ’ଣ ସତେ ଉଠିଗଲା । ପାପ କଲା ଜଣେ, ପ୍ରାୟଶ୍ଚିତ କରିବ ଜଣେ । ଯେ ଦୋଷୀ ସେ କୁଆଡ଼େ ସୁନାପିଲା ହୋଇ ଗଲାଣି । ଆଉ ଯେ ନିର୍ଦୋଷ ସେ ଦଣ୍ଡ ପାଇବ ।’’

 

ପଞ୍ଚ ପରମେଶ୍ଵର ଯେତେବେଳେ ପିତେଇର କଥା ଶୁଣିଲେ ସେତେବେଳେ ତାକୁ ଡକାଇ ଶପଥ ଦେଇ ସବୁକଥା ପଚାରିଲେ । ପିତେଇ ଆମୂଳଚୂଳ ସବୁକଥା କହିଗଲା । ପଞ୍ଚ ପରମେଶ୍ଵରଙ୍କ ଭିତରେ ଜଣେ ବୋଲାଉଥିବା ମକର ସାହୁ ମହାଜନ ଦାନ୍ତ ରଡ଼ ମଡ଼ କରି ଉଠିପଡ଼ି ପିତେଇ ଆଡ଼କୁ ଧାଇଁ ଆସିଲା ଏବଂ ତାକୁ ପଦାଘାତ କଲା ।

 

ଗାଁର ସବୁ ଲୋକମାନେ ଉତ୍ତ୍ୟକ୍ତ ହୋଇଗଲେ । ସେ ଘଟଣା ସହିତ ଓତଃ ପ୍ରୋତଃ ଭାବରେ ଜଡ଼ିତ ସେମାନେ । ସମସ୍ତେ ଏକ ସ୍ଵରରେ କହିଲେ–“ପିତେଇ ଯାହା କହୁଛି ଅକ୍ଷରେ ଅକ୍ଷରେ ସତ ।’’

 

ଆଉ କେତେକ କହିଲେ–“ମକର ସାହୁ ମହାଜନ ପିତେଇକି ମାରିଥିବା ହେତୁ ଏକଶତ ଟଙ୍କା କ୍ଷତିପୂରଣ ସ୍ଵରୂପ ତାକୁ ଦେଇ କ୍ଷମା ମାଗୁ ନଚେତ୍‌ ତା’ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯାଉ ।’’

 

ଜନମତ ଆଗରେ ମକର ସାହୁ ମୁଣ୍ଡ ନୁଆଁଇଲା । ପିତେଇକି ଏକଶତ ଟଙ୍କା ଦେଇ ହାତଧରି କ୍ଷମା ମାଗିଲା । ସମସ୍ତେ ଛି’ ଛାକର କରି ସଭା ଭାଙ୍ଗିଲେ ।

 

ସେହି ରାତିରେ ମଞ୍ଜରୀ ଦଉଡ଼ି ଲଗାଇ ଆତ୍ମହତ୍ୟା କଲା । ଜନାପବାଦକୁ ଛାତିପାତି ସହିବାର ଧୈର୍ଯ୍ୟ ତା’ର ନଥିଲା । ଯେଉଁ ଲୋକମାନେ ଶ୍ରୀମାକୁ ଅସତୀ ବୋଲି ନିନ୍ଦା କରୁଥିଲେ ସେହିମାନେ ଶତଜିହ୍ଵ ହୋଇ ପ୍ରଶଂସା କଲେ ତା’ର ।

 

ସଳିତା ଚନ୍ଦ୍ରକଳା ଭଳି ବଢ଼ିବାକୁ ଲାଗିଲା । ବଡ଼ ହୋଇ ପାଠ ପଢ଼ିଲା । ଶ୍ରୀମା’କୁ ଡାକେ–ମା’ । ଅନ୍ଧୁଣୀ ମା’ଙ୍କୁ ଡାକେ–“ଆଈ ।’’ ସଳିତା ମୁହଁରେ ହସ ଦେଖିଲେ ଶ୍ରୀମା ସବୁ ଦୁଃଖ ଭୁଲିଯାଏ ।

 

ଦିନ ପରେ ଦିନ ଗଡ଼ି ଚାଲିଲା ।

 

ନିଲାମ ଦିନ ଉପସ୍ଥିତ ହେବାରୁ ଶ୍ରୀମା ସାତଶହ ଟଙ୍କା ମକର ସାହୁକୁ ଦେଇ ଭିଟାମାଟି ଖଣ୍ଡିକ ମୁକୁଳାଇ ନେଲା । ଆଉ ଯାହା ଟଙ୍କା ରହିଲା ତାକୁ ଖର୍ଚ୍ଚ ନ କରି ଅନ୍ଧୁଣୀ ମା’କୁ ଚକ୍ଷୁଷ୍ମାନ କରିବା ପାଇଁ ରଖିଲା ।

 

-ପନ୍ଦର-

 

ଆଠ ଦଶ ଦିନ ହେଲା ସ୍ଵୟମ୍ଭୂର ପ୍ରଥମା ପତ୍ନୀ ରତ୍ନା ଭୟଙ୍କର ଜ୍ଵରରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ିରହିଛି । କେତେବେଳେ ହେଲେ ଜ୍ଵରର ବିରାମ ନାହିଁ । କେଉଁ ଡାକ୍ତର ଯଦି କହୁଛନ୍ତି–“ମେଲେରିଆ ଜ୍ଵର” କିଏ ତେବେ କହୁଛନ୍ତି–“ନିଉମୋନିଆ” । ଆଉ ତେବେ କିଏ କହୁଛନ୍ତି–“ଟାଇଫଏଡ୍‌ ।’’

ମଳ, ମୂତ୍ର, ରକ୍ତ ପରୀକ୍ଷା ପରେ ଜଣାଗଲା ଯେ ‘ଟାଇଫଏଡ୍‌’ ।

ଯେତେ ରକମର ଚିକିତ୍ସା କରାଗଲା କିଛି ଫଳ ହେଲା ନାହିଁ । ଜ୍ଵର ଓହ୍ଲାଇଲା ପରେ ସନ୍ନିପାତର ଲକ୍ଷଣ ପ୍ରକାଶ ପାଇଲା । ଯେତେ ଚେଷ୍ଟାକଲେ ବି ସ୍ଵାସ୍ଥ୍ୟର କୌଣସି ଉନ୍ନତି ପରିଲକ୍ଷିତ ହେଲା ନାହିଁ ।

ବଂଶଯାକ ସମସ୍ତେ ଘେରି ରହିଥାନ୍ତି । ହାତ ଠାରି ଡାକିଲା ରତ୍ନା ସୀମାକୁ । ସୀମା ଅଶ୍ରୁ ଛଳ ଛଳ ନେତ୍ରରେ ରତ୍ନା ପାଖରେ ଅମ୍ବୁଜକୁ ନେଇ ବସିଲା । ଅମ୍ବୁଜ ହାତକୁ ସୀମା ହାତ ଉପରେ ରଖି କହିଲା–“ଅମ୍ବୁ ତୋତେ ଲାଗିଲା । ମୁଁ ତୋ’ ପ୍ରତି ଜଣା ଅଜଣାରେ ଯେତେ ଅନ୍ୟାୟ କରିଛି, ଭୁଲିଯାଇ କ୍ଷମା ଦେବୁ । ଆର ଜନ୍ମରେ ଆମେ ଦୁଇଜଣ ଯେମିତି ଦୁଇ ଭଉଣୀ ହୋଇ ଜନ୍ମ ହୁଅନ୍ତି, ସେଥିପାଇଁ ପରମେଶ୍ଵରଙ୍କ ନିକଟରେ ପ୍ରାର୍ଥନା ।’’

ଆଉ କିଛି କହିପାରିଲା ନାହିଁ ସୀମା । ଗୋଟିଏ ହିକା ଆସିଲା । ସବୁ ଶେଷ ହୋଇଗଲା ।

ସୀମା ଭାରି କ୍ଷୀନି ମିନି ହୋଇ କାନ୍ଦିଲା । ଯେ ଶୁଣିଲା ସେ ମନକଷ୍ଟ କଲା । ରତ୍ନାର ଇଚ୍ଛା ମୁତାବକ ତାକୁ ସମାଧି ଦିଆଗଲା ।

ଦିନ ପରେ ଦିନ ଗଡ଼ିଗଲା । ରତ୍ନା କଥା ସମସ୍ତେ ଭୁଲିଗଲେ ।

ସଂସାର ତ ଏୟା । କାଳ କୌଣସି କଥାକୁ ବେଶି ସମୟ ମାନସ ପଟରେ ସ୍ଥାୟୀ କରି ରଖାଇ ଦିଏ ନାହିଁ ।

ରତ୍ନା ମରିଗଲା ପରେ ତା’ର ବାପା ଆସି ପହଞ୍ଚିଲେ । ତା’ର ବାପା ଛଡ଼ା ଆଉ କେହି ନାହାନ୍ତି । ସେ ହେଉଛନ୍ତି ଅଚ୍ୟୁତି ପୋଷ୍ଟମ୍ୟାନ୍‌ । ଆସି ଝିଅକୁ ନଦେଖି ବହୁତ କାନ୍ଦିଲେ ସେ । ସୀମା ବହୁତ ସାନ୍ତ୍ୱନା ଦେଇ ବୁଝାଇଲା–“କହିଲା ମୁଁ ଅଛି, ଆପଣ କାନ୍ଦୁଛନ୍ତି କାହିଁକି ?’’

ଅଚ୍ୟୁତି ତାଙ୍କ ଜୀବନର କାହାଣୀସବୁ ଗୋଟି ଗୋଟି କରି ସୀମା ଆଗରେ କହିଲେ । କଥାବାର୍ତ୍ତାରୁ ସୀମା ଜାଣିନେଲା ଯେ ସେ ହେଉଛନ୍ତି ତା’ର ଅଚ୍ୟୁତି ମାମୁ । ସୀମା ତାଙ୍କର ପାଦ ଧରି କ୍ଷମା ମାଗିଲା । ଅଚ୍ୟୁତି ଯେତେବେଳେ ଜାଣିଲେ ଯେ ସୀମା ହେଉଛି ତାଙ୍କର ଭାଣିଜୀ, ସେତେବେଳେ ସେ ରତ୍ନାକୁ ଭୁଲିଗଲେ ।

ରତ୍ନା ଏବେ କୋଉ ନିଜର ଝିଅ । ଜଣକଠାରୁ ଝିଅ କରି ଆଣି ବିଭା କରାଇଥିଲେ ।

ରତ୍ନା ମଲାପରେ ଦିନକ ପାଇଁ ଅମ୍ବୁଜ ତା’ କଥା ଭାବେ ନାହିଁ । ସୀମା ବି ତାକୁ ଜାଣିବାର ସୁଯୋଗ ଦିଏ ନାହିଁ ଯେ ତା’ର ମା’ ମରିଯାଇଛି ବୋଲି । ସେ ଆଦରରେ ବଢ଼େ ଓ ପଢ଼େ ।

ଏହା ଭିତରେ ସୀମାର ଶାଶୁ ଶଶୁର ଗୋଟିକ ପରେ ଗୋଟିଏ ଡକାଡକି ହୋଇଗଲା ପରି ଇହଧାମ ପରିତ୍ୟାଗ କରି ଚାଲିଗଲେ ।

ସୀମା ଉପରେ ସବୁ ଦାୟିତ୍ଵ ପଡ଼ିଲା । ଘରର ହାନିଲାଭ ସବୁକଥା ବୁଝିଲା ସେ । ସ୍ଵୟମ୍ଭୂ ଗୋଟିଏ କଲେଜରେ ଅଧ୍ୟାପକ ଚାକିରି କଲା ।

ସୀମା ମନରେ ସବୁବେଳେ ଗୋଟିଏ ‘କିନ୍ତୁ’ ରହିଗଲା । ନାରୀ ଜନ୍ମ ତା’ର ବ୍ୟର୍ଥ ହୋଇଗଲା । ତା’ କୋଳ ହସିଲା ନାହିଁ । ସ୍ତନାଗ୍ରରୁ ତା’ର ଅମୃତ ସ୍ଫୁରଣ ହେଲା ନାହିଁ । ଆଣ୍ଠୁକୁଡ଼ୀ ହୋଇ ରହିଗଲା ।

ମଣିଷର ବୟସର ଗୋଟିଏ ସୀମା ଅଛି । ସେହି ସୀମାସ୍ତମ୍ଭ ନିକଟରେ ମଣିଷ ପହଞ୍ଚିଲେ ସନ୍ତାନ ସନ୍ତତିଟିଏ ପାଇଁ ବ୍ୟାକୁଳ ହୁଏ । ହୃଦୟରେ ବାତ୍ସଲ୍ୟ ମମତାର ଆଲୋଡ଼ନ ସୃଷ୍ଟି ହୁଏ । ସେ ବିପୁଳ ବିଭବ ଭିତରେ ଥିଲେ ବି ଶାନ୍ତି ପାଇପାରେ ନାହିଁ । ଅଶେଷ ଖ୍ୟାତି ଲାଭ କରିଥିଲେ ହେଁ ସନ୍ତୋଷ ଲାଭ କରିପାରେ ନାହିଁ ।

ଯେଉଁମାନେ ନିଃସନ୍ତାନ ହୋଇ ଜୀବନଯାପନ କରନ୍ତି ସେମାନେ କେଡ଼େ ହତଭାଗ୍ୟ ସତେ ! ସେମାନଙ୍କ ନଶ୍ଵର ଜନ୍ମ ବୃଥା ସିନା ! ସେମାନଙ୍କର ଜୀବନ ଥାଇ ଯାହା, ନଥାଇ ସେୟା । ଘର ଶ୍ମଶାନ ସଙ୍ଗେ ସମାନ ।

 

ସ୍ଵୟମ୍ଭୂ ପ୍ରିୟତମା ପତ୍ନୀ ସୀମାର ମନକଥା ବୁଝିଲା । ସେ ବି ସମବେଦନା ପ୍ରକାଶ କଲା । ଶିଶିର ବର୍ଷଣରେ ଯେପରି ଫୁଲ ଫୁଟେ ନାହିଁ; ସମବେଦନାରେ କ’ଣ ବନ୍ଧ୍ୟାନାରୀର ପ୍ରାଣରେ ସନ୍ତୋଷର ସ୍ରୋତ ପ୍ରବାହିତ ହୁଏ ?

 

ଅସମ୍ଭବ ! ସମ୍ପୂର୍ଣ୍ଣ ଅସମ୍ଭବ ! ଯେତେ ଯିଏ ମା’ ବୋଲି ଡାକିଲେ ମଧ୍ୟ ଦଶ ମାସ ଗର୍ଭଯନ୍ତ୍ରଣାର ଅଭିଜ୍ଞତା ଅର୍ଜନ ନ କଲେ କୌଣସି ନାରୀ ନିଜକୁ ମାତୃ ଆସନରେ ବସାଇ ପାରେ ନାହିଁ ।

 

କଞ୍ଚାବୟସ ବେଳେ ଯେଉଁ ନାରୀମାନେ ପୁତ୍ର କନ୍ୟା ଦରକାର ନାହିଁ ବୋଲି ହୁରି ଛାଡ଼ନ୍ତି, ସମୟ ଆସେ ଯେତେବେଳେ ସେହିମାନେ ସନ୍ତାନଟିଏ ପାଇବା ପାଇଁ ଅଧୀରା ହୋଇ ଉଠନ୍ତି । ବାର ଉପାସ, ତେର ବ୍ରତ କରନ୍ତି । ଡାକ୍ତର କବିରାଜଙ୍କ ପାଖକୁ ଦଉଡ଼ନ୍ତି । ସବୁ ଥାଇ କିଛି ନଥିଲା ପରି ଅନୁଭବ କରନ୍ତି । ତୀର୍ଥ ଭ୍ରମଣରେ ବାହାରନ୍ତି । ତଥାକଥିତ ସମ୍ଭ୍ରମର ପରଦା ମନ ଉପରୁ ଉଠିଯାଏ ।

 

ସନ୍ତାନ ଚିନ୍ତା ସାଙ୍ଗକୁ ଆଉ ଗୋଟିଏ ଚିନ୍ତା ଏବେ ସୀମାକୁ ଖୁବ୍‌ ଜୋରରେ ଘାରିଛି । ସ୍ଵୟମ୍ଭୂ ତାକୁ ନ କହିଲେ ମଧ୍ୟ ସେ ଭଲ ଭାବରେ ଜାଣି ପାରୁଛି ଯେ, ସ୍ଵାମୀ ତା’ର ଏକ ଭୟଙ୍କର ରୋଗର କରାଳ କବଳରେ ପଡ଼ିବାକୁ ଯାଉଛନ୍ତି । ସବୁବେଳେ ଖେଁ ଖେଁ କାଶୁଛନ୍ତି କାହିଁକି ?

 

ସେ କେତେଥର ମନାକଲାଣି ସିଗାରେଟ ଖାଇବାକୁ ସ୍ଵୟମ୍ଭୂକୁ । ମାତ୍ର ସେ ସିଗାରେଟ ଖାଇବାରୁ ବିରତ ହେଉ ନାହାନ୍ତି ।

 

ତାକୁ ବରାବର ସିଗାରେଟ ଛାଡ଼ିବାକୁ ପ୍ରତିଶ୍ରୁତି ଦେଲେ ମଧ୍ୟ ପୁଣି ସାଙ୍ଗମାନଙ୍କ ମେଳରେ ସିଗାରେଟ ଖାଉଛନ୍ତି । କ’ଣ ସେ ସିଗାରେଟରୁ ମିଳେ ସତେ ! ନିକୋଟିନ ନାମକ ଉତ୍କଟ ବିଷର ଆୟତ୍ତରେ କଲିଜା ଜଳି ପୋଡ଼ି ଯିବା ସାର ହୁଏ ସିନା । ସିଗାରେଟ ଖାଇବା ଯାହା, ଗଞ୍ଜେଇ ଅଫିମ ଖାଇବା ସେୟା । ବରଂ ଗଞ୍ଜେଇ ସିଗାରେଟ ଅପେକ୍ଷା ଭଲ ।

 

ମୁଖରୋଚକ ପାଇଁ, ହଜିମି ପାଇଁ ଖଣ୍ଡେ ବିଡ଼ିଆ ପାନ ଖାଇଦେଲେ ଭଲ । ଯେଉଁମାନେ କିଛି ନଖାନ୍ତି ସେମାନେ କ’ଣ ମଣିଷ ନୁହନ୍ତି ? ସେମାନେ ସଂସାରରେ ରହି ନାହାନ୍ତି ? ହାକିମ ହୁକୁମା ହୋଇନାହାନ୍ତି ? ବଡ଼ଲୋକ ହୋଇନାହାନ୍ତି ?

 

ସବୁ ଚିନ୍ତା ଭିତରେ ଗୋଟିଏ କଥା ଏବେ ତା’ ମନରେ ବେଶି ଉଙ୍କି ମାରୁଛି । ସେ କଥାଟି ଆଉ କିଛି ନୁହେଁ, ଅନ୍ଧୁଣୀ ମା’ ହେମାଙ୍ଗିନୀ ଦେବୀଙ୍କ କଥା । ବୟସର ତାଡ଼ନାରେ, ଯୌବନର ଉନ୍ମାଦନାରେ, ସେ ଯେପରି ଗର୍ଭଧାରିଣୀ ଜନନୀଙ୍କ ପ୍ରତି ଅନ୍ୟାୟ କରିଛି, ପୃଥିବୀରେ କେହି ସେପରି କରିଛି କି ନାହିଁ ସନ୍ଦେହ । ଯଦି କେହି ତାକୁ ସଂସାରରେ ମଣିଷ ରୂପେ ବଞ୍ଚିବାର ସୁଯୋଗ ଦେଇଥାଏ, ତେବେ ସେହି ହେଉଛି ତା’ର ମା । ଯଦି ତା’ର କେହି ମଙ୍ଗଳ ପାଞ୍ଚୁଥାଏ ତେବେ ସେହି ହେଉଛି ବି ତାର ମା’ । ମାତ୍ର ସେ ଯେପରି ବ୍ୟବହାର ମା’ ପ୍ରତି କରିଛି ରୌରବ ନର୍କରେ ପଡ଼ି ଘାଣ୍ଟି ହେବା ଛଡ଼ା ଅନ୍ୟ ଉପାୟ ନାହିଁ ।

 

ଆଉ କ’ଣ ଜୀବନରେ ମା’ ତା’ର ବଞ୍ଚିଥିବ ? ରକ୍ତମାଂସର ଲୋଭରେ ପରିଚାଳିତ ହୋଇ କ’ଣ ନ କରିଛି ସେ ସତେ ? ବିବେକର ତଣ୍ଟି ଚିପି ମାରିଛି । ମାନବିକତାକୁ ହତ୍ୟା କରିଛି । ମା’ ବୋଲି ଯେଉଁ ଦୁଇଟି ଅକ୍ଷର ତାକୁ ନିଜ ଦୋଷରୁ କାଳ କାଳ ପାଇଁ ହରାଇ ବସିଛି ।

 

ତେବେ ସୀମା ଠିକ୍‌ କରିଛି ତା’ର ଅଚ୍ୟୁତି ମାମୁଙ୍କୁ ନେଇ ଟିକେ ଘରଆଡ଼େ ଯାଇଁ ବୁଲି ଆସିବ । ଚିରପରିଚିତ ନଈ, ନାଳ, ତୋଟାମାଳ, ଗୋହିରି, ଗ୍ରାମଦେବବତୀଙ୍କୁ ସଙ୍ଖୋଳି ଆସିବ । ସାଙ୍ଗସାଥୀମାନଙ୍କୁ ଦେଖି ଆସିବ । ଜନ୍ମମାଟିକି ମୁଣ୍ଡିଆ ମାରି କହି ଆସିବ ଯେ, ମୁଁ ଗୋଟିଏ ତୋର ଅଯୋଗ୍ୟ ସନ୍ତାନ ।

 

-ଷୋହଳ-

 

ଗିରିରାଜ ହିମାଳୟର ପାଦଦେଶରେ ଚିର ଶାନ୍ତି ନିକେତନ ଧରାସୁ ଗ୍ରାମ । ଭାଗିରଥୀ କୂଳରେ ଏହି ତୀର୍ଥଭୂମି । ଯେଉଁ ସାଧୁ, ସନ୍ନ୍ୟାସୀ ଓ ଧର୍ମପ୍ରାଣ ବ୍ୟକ୍ତିମାନେ ଗଙ୍ଗୋତ୍ତରୀ ଓ ଯମୁନୋତ୍ତରୀର ଅଭିମୁଖେ ଯାତ୍ରା କରନ୍ତି ସେମାନେ ଧରାସୁ ଗ୍ରାମ ଦେଇ ଯାଆନ୍ତି । ଦୁର୍ଗମ ପଥର ପଥିକ ହେବା ପୂର୍ବରୁ ଧରାସୁ ପଲ୍ଲୀତୀର୍ଥର ସଲିଳ ପାନକରି ନିଜକୁ ଧନ୍ୟ ମନେକରନ୍ତି ।

ମଶୋରୀଠାରୁ ଏହା ଚାଳିଶ ମାଇଲ ଦୂର । ପ୍ରଥମ ଛ’ ସାତ ମାଇଲ ଭଲ ପଥ । ତା’ପରେ ଉଠାଣି ଗଡ଼ାଣି ରାସ୍ତା । ଯେତିକି ରାସ୍ତା ଗଡ଼ାଣି, ସେତିକି ରାସ୍ତା ଉଠାଣି । ଯାନବାହନ ଯିବାର ଉପାୟ ନାହିଁ । କେବଳ ହିଁ ପଦବ୍ରଜରେ ଯିବାକୁ ହେବ । ଯିବାଟା ଆଦୌ ସହଜ ନୁହେଁ, ଖୁବ୍‌ ଆୟାସସାଧ୍ୟ । ସାଧୁସନ୍ଥଙ୍କ ବ୍ୟତୀତ ପ୍ରାୟ ସାଧାରଣ ଯାତ୍ରୀ ପ୍ରାୟ ସେଠାକୁ ଯାଆନ୍ତି ନାହିଁ । ଧରାସୁକୁ ଧରାସ୍ଵର୍ଗ ବୋଲି କୁହାଯାଇଥାଏ ।

ଏହିଠାରେ ଭାଗିରଥୀ ସାଙ୍ଗରେ ମୂଳଧାରା ନଦୀର ସଙ୍ଗମ ହୋଇଛି । ଏହା ଅନ୍ୟ ଏକ ପ୍ରୟାଗ । ଭାଗିରଥୀର ଜଳକଲ୍ଲୋଳର ସୁମଧୁର ମର୍ମସ୍ପର୍ଶୀ ଧ୍ଵନି ଶ୍ରବଣ କଲେ ପ୍ରାଣରେ ଅପୂର୍ବ ଆନନ୍ଦର ସୂତ୍ରପାତ ହୁଏ । ଦେହମନର କ୍ଳାନ୍ତି ଉଭେଇଯାଏ । ଅବୟବ ରୋଗମୁକ୍ତ ହୋଇଯାଏ ।

ଭାଗିରଥୀ ଓ ମୂଳଧାରାର ସଙ୍ଗମସ୍ଥଳରୁ ଅନତି ଦୂରରେ ବସିଲେ ମଣିଷର ପାର୍ଥିବ ଲାଳସା ବିଲୟ ଭଜେ । ନିଶୀଥରେ ଭାଗିରଥୀ ଓ ମୂଳଧାରା ମିଳନସଞ୍ଜାତ ଜଳଭଉଁରୀର ସ୍ଵନ ଯୁଗପତ୍‍ ଆନନ୍ଦ ଓ ବିସ୍ମୟ ସୃଷ୍ଟି କରେ ।

 

ମଧୁଚନ୍ଦ୍ରିକା ଯାପନ କରୁଥିବା ନବ ଦମ୍ପତିଙ୍କର ଫୁସ୍‌ଫୁସ୍‌ କଣ୍ଠର କଥା ଭଳି ଶୁଭେ ।

 

ଏଠାକାର ପ୍ରାକୃତିକ ଦୃଶ୍ୟ ଅତୀବ ରମଣୀୟ । ଏଠାରେ ଦୁଇଟି ମନ୍ଦିର ଅଛି । ଗୋଟିଏ ହେଉଛି ଦେବ ଦେବ ମହାଦେବଙ୍କ ମନ୍ଦିର । ଅନ୍ୟଟି ଜଗଦମ୍ବାଙ୍କ ମନ୍ଦିର । ଦ୍ଵିପନ୍ଵିତା ଅମାବାସ୍ୟା ଦିନ ବହୁଯାତ୍ରୀ ସମାଗମ ହୁଏ । ଏଠାକାର ନୈସର୍ଗିକ ପ୍ରକୃତିର ସ୍ଵର୍ଗୀୟ ଶୋଭାକୁ ଯେତେ ଦେଖିଲେହେଁ ସୁନ୍ଦର ତୃପ୍ତିର ଅବସାଦ ଆସେନାହିଁ । ଅସଂଖ୍ୟ ଅଚିହ୍ନା ଫୁଲର ଗନ୍ଧ ମନ ପ୍ରାଣରେ ଭରିଦିଏ ଶିହରଣ । ପାହାଡ଼ ଗାତ୍ରର କୃଷି କ୍ଷେତ ଦେଖିବାକୁ ଭାରି ମନୋଜ୍ଞ । ପ୍ରବାଦ ଅଛି, ଭାଗିରଥୀ ଓ ମୂଳଧାରା ସଙ୍ଗମସ୍ଥଳରୁ ପାଣି ପିଇଲେ ବନ୍ଧ୍ୟା ନାରୀ ପୁତ୍ରବତୀ ହୁଏ ।

 

ସ୍ଵୟମ୍ଭୂ ସୀମା ଅମ୍ବୁଜକୁ ସାଙ୍ଗରେ ଧରି ଭାରତର ବିଭିନ୍ନ ତୀର୍ଥସ୍ଥାନ ପରିଦର୍ଶନ ଶେଷକରି ଯମୁନୋତ୍ତରୀ ଓ ଗଙ୍ଗୋତ୍ତରୀ ଅଭିମୁଖେ ଯିବାପାଇଁ ଧରାସୁ ଗ୍ରାମଠାରେ ଆସି ପହଞ୍ଚିଲେ । ସୀମା ଜିଦ୍‍ କଲା ଭାଗିରଥୀ ଓ ମୂଳଧାରାର ସଙ୍ଗମସ୍ଥଳରୁ ପାଣି ଆଣି ପିଇବାକୁ । ସ୍ଵୟମ୍ଭୂ ମନାକରି ପାରିଲାନି । ସୀମା ପାଣି ଆଣି ପିଇଲା । ଦିନମଣି ଅସ୍ତପ୍ରାୟ ।

 

ସୀମା କହିଲା, ଆଉ ଆଗକୁ ଯାଇ ହେବନାହିଁ । ଆଜି ଏଠାରେ ରାତ୍ରି କଟାଇବା । ଦୁର୍ଗମ ଗିରି, କଣ୍ଟକମୟ ବନପଥରେ ପଦବ୍ରଜରେ ଚାଲି ଚାଲି କ୍ଳାନ୍ତ ହୋଇ ପଡ଼ିଥିଲେ ସମସ୍ତେ । ତେଣୁ ଜଗଦମ୍ବାଙ୍କ ମନ୍ଦିରର ଅନତି ଦୂରରେ ଗୋଟିଏ ପାହାଡ଼ୀ ଗଛମୂଳେ ଶୋଇ ପଡ଼ିଲେ । ସୀମା ଦେହରେ କ୍ଳାନ୍ତିଜନିତ ଜ୍ଵରର ଉତ୍ତାପ ବଢ଼ିଲା ନଦୀର ଜୁଆର ଭଳି । ପାଦ ଫୁଲି ଉଠିଲା କାକରା ପିଠାଭଳି ।

 

ସ୍ଵୟମ୍ଭୂ ଭାବିଲା ବୋଧହୁଏ ଈଶ୍ଵରଙ୍କର ଇଚ୍ଛାନୁହେଁ ଗଙ୍ଗୋତ୍ତରୀ ଅଭିମୁଖେ ନେବାକୁ । ସବୁ ଆଶା ପଣ୍ଡ ହେଲା । ବାଧ୍ୟହୋଇ ଏଠାରୁ ମଶୋରୀ ଫେରିଯିବାକୁ ହେବ । ଏହିପରି ନାନା ଆଶା ଓ ଆଶଙ୍କା ଭିତରେ ବୁଡ଼ିରହିଥିଲା ବେଳେ ଗୋଟିଏ ଗୁମ୍ଫାରୁ ପ୍ରବଳ ଘଣ୍ଟାଧ୍ୱନି ଶୁଭିଲା । ପାହାଡ଼ ସ୍ଥଳୀ ଉଛୁଳି ପଡ଼ିଲା । ସୀମା କହିଲା–“ଚାଲ, ଗୁମ୍ଫାକୁ ଯାଇଁ ସାଧୁଙ୍କ ଦର୍ଶନ କରି ଆସିବା-।’’

 

ସ୍ଵୟମ୍ଭୂ ପଚାରିଲା–“ତୁ’ କ’ଣ ଯାଇ ପାରିବୁ ସୀମା ?’’ ସୀମା କହିଲା–“ହଁ....”

 

ଦୁହେଁ ଅମ୍ବୁଜକୁ ସାଙ୍ଗରେ ନେଇ ଗଲେ । ଗୁମ୍ଫା ପାଖରେ ପହଞ୍ଚି ଯାହା ଦେଖିଲେ ତାଙ୍କର ବିସ୍ମୟର ସୀମା ରହିଲା ନାହିଁ । ଗୁମ୍ଫା ସମ୍ମୁଖ ଅଙ୍ଗନରେ ଦଶ ବାରଟି ସୁନ୍ଦରୀ ତନ୍ଵୀ ତରୁଣୀ ନାଚିବାରେ ବ୍ୟସ୍ତ ।

 

ସୀମା ଆଉ ସ୍ଵୟମ୍ଭୂଙ୍କୁ ଦେଖିଲା ମାତ୍ରେ ଜଣେ ସୁନ୍ଦରୀ ସସମ୍ଭ୍ରମରେ ପଚାରିଲା–“କାହାକୁ ଖୋଜୁଛ ?’’

 

ସ୍ଵୟମ୍ଭୂ କହିଲା–“ସାଧୁଙ୍କୁ ।’’

 

ସୁନ୍ଦରୀ ଜଣକ କହିଲା–“ବସନ୍ତୁ, ବସନ୍ତୁ ।’’ ତା’ପରେ ସେ ଗୁମ୍ଫା ଭିତରକୁ ଚାଲିଗଲା । ସ୍ଵୟମ୍ଭୂ ମନରେ ଯୁଗପତ୍‌ ବିସ୍ମୟ ଓ ସନ୍ଦେହ ଉଦିତ ହେଲା । ଦୁର୍ଗମ ପାହାଡ଼ ମଧ୍ୟରେ ଏକ ଗୁମ୍ଫା ଭିତରେ ଏଭଳି ସୁନ୍ଦରୀମାନେ ରହିଛନ୍ତି କାହିଁକି ?

 

ଏହି ସମୟରେ ଜଣେ ଯୁବକ ସାଧୁ ଆସି କହିଲେ–“ଶୀଘ୍ର ଏଠାରୁ ସ୍ତ୍ରୀ ପିଲାଙ୍କୁ ଧରି ପଳା ନଚେତ୍‌ ପରିଣାମ ଭୟଙ୍କର ହୋଇପାରେ ।’’

 

ସ୍ୱୟମ୍ଭୂ ଓ ସୀମାର ପ୍ରାଣ ଭୟରେ ଥରି ଉଠିଲା । ବ୍ୟଥା ଭାରାକ୍ରାନ୍ତ ମନ ଓ ପୀଡ଼ିତ ଅନ୍ତର ନେଇ ସ୍ଵସ୍ଥାନକୁ ଫେରିଲେ ସୀମା ଆଉ ସ୍ଵୟମ୍ଭୂ ।

 

ସୀମା ଦେହରେ ଜ୍ଵରର ଉତ୍ତାପ ବେଳକୁ ବେଳ ବଢ଼ିଲା । ସୀମା ବେଦନାରେ ଛଟପଟ ହେଲା । ସ୍ଵୟମ୍ଭୂ ମୋଟେ ଆଖି କଷାକରି ପାରିଲା ନାହିଁ । ଠିକ୍‌ ପାହାନ୍ତା ପହରକୁ ସ୍ଵୟମ୍ଭୂ ଶୋଇ ପଡ଼ିଲା । ସୀମାବି ।

 

ସୀମା ଓ ସ୍ଵୟମ୍ଭୂ ଯେଉଁ ସ୍ଥାନରେ ଶୋଇଥିଲେ ଠିକ୍‌ ସେହି ସ୍ଥାନର ଭିତରୁ ଠକ୍‌ ଠକ୍‌ ଶବ୍ଦ ଶୁଭିଲା । ସ୍ଵୟମ୍ଭୂ ଉଠି ବସିଲା । ସୀମାକୁ ଉଠାଇ ବସାଇଲା । ଆଖି ପିଛୁଳାକେ ଜଣେ ସାଧୁ ଗୋଟିଏ ବଡ଼ ଶଙ୍ଖ ମଲ ମଲ ପଥର ଟେକି ବାହାରିଲେ । ମୁହଁରେ ଲମ୍ବା ଦାଢ଼ି, ଚକ୍ଷୁରେ ବ୍ରହ୍ମ-ତେଜ ଝଟକୁଛି । ଗୈରିକ ବସନ ପରିହିତ ସାଧୁ ଆସି ସୀମାର ଦେହରେ ହାତ ମାରି କହିଲେ–“ଝିଅର କ’ଣ ହୋଇଛି ? ଅସୁସ୍ଥ ପରା ।’’

 

ସୀମା ଅନାଇଲା । ସାଧୁ ଠିଆ ହୋଇ ହସିଲେ । ସେହି ଘନ ଘୋର ଅନ୍ଧକାର ଭିତରେ ହସର ଆଲୋକ ଖେଳିଗଲା । ଅନ୍ଧକାର ରାତିରେ ଲବଣାକ୍ତ ଜଳରାଶିର ଉରସରେ ଆହୁଲାର କରଜ ସ୍ପର୍ଶ ଲାଗିଲେ ଯେପରି ଅପୂର୍ବ ଶୋଭା ସୃଷ୍ଟିହୁଏ, ସେହିପରି ଶୋଭା ସୃଷ୍ଟିହେଲା-

 

ସୀମା ଆଉ ସ୍ଵୟମ୍ଭୂ ମୁଣ୍ଡ ନୁଆଁଇ ପ୍ରଣତି ଜଣାଇଲେ । ଅମ୍ବୁଜ ନିଘୋଡ଼ ନିଦରେ ଶୋଇଥିଲା । ସେମାନେ ମୁଣ୍ଡଟେକି ଅନାଇଲା ବେଳକୁ ସାଧୁ ଅନ୍ତର୍ଦ୍ଧାନ ହୋଇ ଯାଇଥିଲେ ।

 

ସାଧୁଙ୍କ ହସ୍ତର ସ୍ପର୍ଶ ଲାଭ କଲାପରେ ସୀମା ଦେହରୁ ଜ୍ଵରର ଉତ୍ତାପ କମିଗଲା । ଜ୍ଵରଜନିତ ସମସ୍ତ ଆନୁଷଙ୍ଗିକ ବେଦନାର ବିଲୋପ ଘଟିଲା । ସ୍ଵାମୀ ସ୍ତ୍ରୀ ଦୁହେଁ ଆନନ୍ଦରେ ନାଚି ଉଠିଲେ । ସାଧୁଙ୍କ ଉଦ୍ଦେଶ୍ୟରେ କୃତଜ୍ଞତା ପ୍ରକାଶ କଲେ ।

 

ଚାହୁଁ ଚାହୁଁ ରାତି ପାହିଲା । ସୀମା ଆଉ ସ୍ଵୟମ୍ଭୂ ସେଦିନ ଧରାସୁରେ ରହିଲେ । ରାତି ଅଧବେଳକୁ ସାଧୁଙ୍କର ଦିବ୍ୟଦର୍ଶନ ସେମାନେ ପୁଣି ଲାଭକଲେ ।

 

ସାଧୁ ହସି ହସି କହିଲେ–“ଆଜି ଯମୁନୋତ୍ତରୀ ଅଭିମୁଖେ ଗଲ ନାହିଁ କାହିଁକି ?’’

 

ସ୍ଵୟମ୍ଭୂ କହିଲା–“ଆସନ୍ତାକାଲି ଯିବୁ ।’’

 

ରାତ୍ରିଟି କଟାଇ ତହିଁ ଆରଦିନ ସକାଳୁ ସ୍ଵାମୀ, ସ୍ତ୍ରୀ ଦୁହେଁ ଯମୁନୋତ୍ତରୀ ଅଭିମୁଖେ ଯାତ୍ରା କଲେ । ଧରାସୁଠାରୁ ଦଶମାଇଲ ଦୂରରେ ଯମୁନାର ଦର୍ଶନ ମିଳିଲା । ଏହିଠାରେ ରାତିଟି କଟାଇଲେ ସ୍ଵୟମ୍ଭୂ ଓ ସୀମା । ଭାଦ୍ରବମାସ ହେଲେ ମଧ୍ୟ ଏଠାରେ ମାଘମାସର ଶୀତ ଅନୁଭୂତ ହେଉଥିଲା ।

 

ମହାତୀର୍ଥ ଯମୁନୋତ୍ତରୀ ଆଉ ମୋଟେ ଚାରିମାଇଲ ରହିଲା । ଏହି ଚାରିମାଇଲ ହି ସବୁଠାରୁ ଦୁର୍ଗମ ଦୁରୂହ ପଥ । ଯେ ଏ ସ୍ଥାନକୁ ଯାଇଥିବେ ସେ ଏକଥା ଜାଣିଥିବେ ।

 

ଏଠାକାର ଦୁର୍ଲଭ ଦୃଶ୍ୟ ଅବିସ୍ମରଣୀୟ । ସମୁଦ୍ରପତ୍ତନରୁ ପ୍ରାୟ ଏଗାର ହଜାର ଫୁଟ ଉପରେ ଯମୁନୋତ୍ତରୀ ମନ୍ଦିର । ଏଠାକୁ ଯିବା କିନ୍ତୁ ଏତେ ସହଜ ନୁହେଁ । ପ୍ରତି ମୁହୂର୍ତ୍ତରେ ପ୍ରାଣଯିବାର ଆଶଙ୍କା ରହିଛି । ପାହାଡ଼ ଶିଖରୀରୁ ତଳକୁ କେତେ ଫୁଟ ମାତ୍ର ଆସିଲେ ଦେଖିବାକୁ ମିଳେ ଯେ, ଚିରଯୌବନା ଯମୁନା ଚିର ତୁଷାରମଣ୍ଡିତ ନଗ୍ନପର୍ବତର ଧୂସର ବର୍ଣ୍ଣର ପଥରକୁ ଛାତିରେ ଜାକି ଜଳକ୍ରୀଡ଼ାରେ ସତତ ଉନ୍ମନା ହେଉଛି । ଯମୁନା ପ୍ରାୟ ଚାରିପାଞ୍ଚଟି ଧାର ହୋଇ ନିମ୍ନଦିଗକୁ ପ୍ରଧାବିତ ହେଉଛି । ଏଠାରେ ପ୍ରତି ପଦ ବିପଦସଂକୁଳ ।

 

ଚିର ତୁଷାରମଣ୍ଡିତ ଅସଂବୃତ୍ତ ପର୍ବତ ସ୍ତର ଉପରେ କାଠ ପଥରରେ ଗଢ଼ା ଯମୁନୋତ୍ତରୀ ମନ୍ଦିର । ଏଠାରେ ଯମୁନାର ଧାର ପାଞ୍ଚ, ଛ’ ହାତ ଚୌଡ଼ା । ଏହା ଯମୁନାର ଉତ୍ସସ୍ଥଳୀ ନୁହେଁ ।

 

ଏଠାକାର ନିର୍ଜନତା ଭୀମ, ଭୟଙ୍କର, ଅକଳ୍ପନୀୟ । ଯମୁନାର ଅପୂର୍ବଗତି, ଭୟାନକ ଗର୍ଜନ, ଭୀମକାନ୍ତ ରୂପ ସଂଦର୍ଶନ କରି ଜୀବନକୁ ଧନ୍ୟ ମଣିଲେ ସୀମା ଆଉ ସ୍ଵୟମ୍ଭୂ । ଯାତ୍ରା ତାଙ୍କର ସାର୍ଥକ ହୋଇଛି ବୋଲି ଭାବିଲେ ସେ ।

 

କାଳୀ-କମଳୀ-ଓ୍ୱାଲା-ଧର୍ମଶାଳା ଏଠାରେ ଯାତ୍ରୀମାନଙ୍କର ଏକମାତ୍ର ଆଶ୍ରୟସ୍ଥଳ । କେଦାରନାଥ ଓ ବଦ୍ରୀନାଥକୁ ପ୍ରତିବର୍ଷ ଯେତେ ଯାତ୍ରୀ ଯାଆନ୍ତି ଏଠାକୁ ପ୍ରାୟ ତେତେ ଆସନ୍ତି ନାହିଁ-। ଏଠାକୁ ଆସିବା ବହୁ ଆୟାସସାଧ୍ୟ ହୋଇଥିବାରୁ ଯେଉଁ ଯାତ୍ରୀମାନେ ବଡ଼ ଆଶାକରି ଯମୁନୋତ୍ତରୀ ଅଭିମୁଖେ ଆସନ୍ତି, ସେମାନେ ପ୍ରାୟ ଧରାସୁଠାରେ ଭାଗିରଥୀ ଓ ମୂଳଧାରା ସଙ୍ଗମ ସ୍ଥଳରେ ବୁଡ଼ ପକାଇ ଫେରିଯାଆନ୍ତି । ଯେଉଁମାନେ ଯମୁନୋତ୍ତରୀ ମନ୍ଦିର ପର୍ଯ୍ୟନ୍ତ ଆସନ୍ତି ସେମାନଙ୍କୁ ବହୁ କଷ୍ଟ ଭୋଗିବାକୁ ପଡ଼େ ।

 

ଯମୁନୋତ୍ତରୀ ମନ୍ଦିର ପାଖରେ କେହି ନଥାନ୍ତି । ଏଠାରୁ ଚାରି ମାଇଲ ଦୂର ଖରଶାଳୀ ଆରଣ୍ୟକ ଗ୍ରାମଠାରୁ ଗୋଟିଏ ପଣ୍ଡା ପ୍ରତିଦିନ ଏଠାକୁ ଆସେ । ପ୍ରତିଦିନ ଦିନ ଥାଉ ଥାଉ ସେବା ପୂଜା ସାରି ଫେରିଯାଏ ।

 

ଦିନେ ଦିନେ ସେ ଯାତ୍ରୀମାନଙ୍କ ଅନୁରୋଧରେ ଯମୁନୋତ୍ତରୀ ମନ୍ଦିର ପାଖରେ ଅଳ୍ପ ଦୂରରେ ରହେ । ରାତ୍ରି ଯାପନ କରେ ।

 

ସ୍ଵର୍ଗ ଏକ କଳ୍ପନାର ବସ୍ତୁ । ଯମୁନୋତ୍ତରୀ କିନ୍ତୁ ବାସ୍ତବ ସ୍ଵର୍ଗ । ଏଠାକାର ପ୍ରାକୃତିକ ଦୃଶ୍ୟ ଅବର୍ଣ୍ଣନୀୟ । ମନେହୁଏ ଯମୁନାର ପୁଣ୍ୟ ସଲିଳ ଧାର ଦେବମନ୍ଦିରର ମହିମା ଗାନ କରିବା ସଙ୍ଗେ ସଙ୍ଗେ ଦେବଅର୍ଚ୍ଚନାର ସ୍ରୋତ ବଜ୍ରନିର୍ଘୋଷ କଣ୍ଠରେ ଉଚ୍ଚାରଣ କରେ ।

 

ଯମୁନୋତ୍ତରୀ ମନ୍ଦିରର ଅଳ୍ପ ଉତ୍ତରରେ ଚାରି ପାଞ୍ଚଟି ଉଷ୍ଣପ୍ରସ୍ରବଣ ଅଛି । ଉଷ୍ଣପ୍ରସ୍ରବଣର ଗତି ମଧ୍ୟ ଖୁବ୍‌ ପ୍ରଖର । ଏହା କେତୋଟି ସୁନିର୍ମିତ ପ୍ରସ୍ତର କୁଣ୍ଡ ଦେଇ ଆସି ସୁଶୀତଳ ଯମୁନାର ଧାରା ସହିତ ମିଶିଛି ।

 

ଉଷ୍ଣପ୍ରସ୍ରବଣର କୁଣ୍ଡଗୁଡ଼ିକ ଏତେ ଉତ୍ତପ୍ତ ଯେ ସେଠାରେ ଯାତ୍ରୀମାନେ ରୁଟି ବେଲି ପକାଇ ଦିଅନ୍ତି । ତାହା ପ୍ରଥମେ ବୁଡ଼ିଥାଏ । ତା’ପରେ ଫୁଲି ଭାସି ଉଠେ । ଯାତ୍ରୀମାନେ ଆନନ୍ଦରେ ଆଣି ଖାଆନ୍ତି । ସେହିପରି ନୂତନ କପଡ଼ାରେ ଚାଉଳ, ପରିବା ବାନ୍ଧି ପକାଯାଏ । ଅଳ୍ପ ସମୟପରେ ତାହା ସିଦ୍ଧ ହୋଇଯାଏ । ଯାତ୍ରୀମାନେ ତାହା ଆଣି ପାତ୍ରରେ ନିଜ ରୁଚି ମୁତାବକ ଖାଦ୍ୟ ପ୍ରସ୍ତୁତ କରି ଉଦରକୁ କ୍ଷେପଣ କରନ୍ତି ।

 

ଏହି ଯମୁନୋତ୍ତରୀ ମନ୍ଦିରଯାଏ ମଣିଷ ଆସେ । ତା’ପରେ ପଡ଼େ ଦେବରାଜ୍ୟ । ତେଣିକି ଅନ୍ନମୟ ପିଣ୍ଡଧାରଣକାରୀ ମଣିଷ କୌଣସିମତେ ଯାଇ ପାରେନା । ମଣିଷର ମନ ଯେତେ ଦୁନିଆ ପାରି, ଦରିଆ ପାରି ବୁଲୁ ପଛେ, ଯେତେ ଉତୁଙ୍ଗ ଶିଖର ଉଚ୍ଚକୁ ଉଠୁ ପଛେ, ତା’ର ଦେହକୁ ନର୍କକୁଣ୍ଡ କରି ବିଧି ଛାଡ଼ି ଦେଇଛି ।

 

ଯମୁନୋତ୍ତରୀ ମନ୍ଦିରରେ ରାତ୍ରୀ ଯାପନ କରିବା ପାଇଁ ସୀମା ଏକଜିଦ୍‌ ଧରିଲା । ସ୍ଵୟମ୍ଭୂ ଯେତେ ବାରଣ କଲେ ମଧ୍ୟ ସୀମା ମାନିଲା ନାହିଁ । ଚାହୁଁ ଚାହୁଁ ଦିନମଣି ଅସ୍ତ ହେବାକୁ ବସିଲେ । ପଣ୍ଡା ଆସି ଯେତେ ବୁଝାଇଲେ ମଧ୍ୟ ସୀମା ରାଜି ହେଲା ନାହିଁ । ସୀମାର କରୁଣ କ୍ରନ୍ଦନରେ ପଣ୍ଡାର ହୃଦୟ ତରଳିଗଲା ।

 

ସେ, ସୀମା, ସ୍ଵୟମ୍ଭୂ ଆଉ ଅମ୍ବୁଜକୁ ସାଙ୍ଗରେ ଘେନି ମନ୍ଦିରଠାରୁ ଅଳ୍ପ ଦୂରରେ ଥିବା ଏକ ପ୍ରକାଣ୍ଡ ଗୁମ୍ଫାକୁ ଗଲେ । କାରୁକାର୍ଯ୍ୟ ବିମଣ୍ଡିତ ଗୁମ୍ଫାଟିର ଗଠନ ଚମତ୍କାର । କେତେଖଣ୍ଡ ପାଷାଣର ସଂଯୋଜନ ମାତ୍ର । ଏପରି ଭାବେ ବିନ୍ଧାଣି ତାକୁ ନିର୍ମାଣ କରିଛି ଯେ ତା’ ଭିତରକୁ ଶୀତ, କାକର, ଖରା, ବର୍ଷା, ଝଡ଼, ପବନ କିଛି ପ୍ରବେଶ କରି ପାରେନା ।

 

ପଣ୍ଡାର ବ୍ୟବହାରରେ ସୀମା ଆଉ ସ୍ଵୟମ୍ଭୂ ମୁଗ୍ଧ ହୋଇଗଲେ । ନାନାଦି ସୁସ୍ଵାଦୁ ଫଳ ଭକ୍ଷଣ କରି ସମସ୍ତେ ରାତ୍ରିଭୋଜନ ଶେଷକଲେ ।

 

ତା’ପରେ ଭାସି ଆସିଲା ବ୍ୟାଘ୍ର, ଭଲ୍ଲୁକ, ଗଣ୍ଡା, ଗୁଞ୍ଜର, ସିଂହର ଗର୍ଜନ । ବନସ୍ଥଳୀ ଉଠିଲା ପଡ଼ିଲା । ସୀମା ଭୟରେ କାତର ହୋଇ ସ୍ଵୟମ୍ଭୂକୁ ଜାବୁଡ଼ି ଧରିଲା । ସ୍ଵୟମ୍ଭୂ ମଝିରେ ଶୋଇ ଗୋଟିଏ ହାତ ଅମ୍ବୁଜ ଉପରେ ପକାଇଥାଏ । ଆଉ ଗୋଟିଏ ହାତକୁ ସୀମା ଉପରେ ପକାଇଥାଏ । ମଝିରେ ମଝିରେ ସୀମା ଚିତ୍କାର କରି ଉଠୁଥାଏ ।

 

ପଣ୍ଡା ଶୁଣି ଶୁଣି ଅଭୟ ଦେଲା ସୀମା ଆଉ ସ୍ଵୟମ୍ଭୂଙ୍କୁ । “ଭୟ କରିବାର କିଛି ନାହିଁ । ବଣର ପଶୁପକ୍ଷୀ ହେଲେବି ସେମାନେ ଈଶ୍ଵର ଆଜ୍ଞାର ଅଧୀନ । ବିନା ଭଗବତ୍‌ ଆଦେଶରେ ସେମାନେ କାହାରି କିଛି କ୍ଷତିସାଧନ କରନ୍ତି ନାହିଁ । ସେମାନଙ୍କୁ ହିଂସ୍ରକ ବୋଲି ମଣିଷ ଆଖ୍ୟା ଦେଲେହେଁ ସେମାନେ ମଣିଷଠାରୁ କମ୍‍ ହିଂସ୍ରକ ।

 

ସେମାନେ ସେମାନଙ୍କ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି । ଆହାର ଅନ୍ଵେଷଣରେ ବୁଲୁଛନ୍ତି । ଆମର କ୍ଷତିସାଧନ କରିବେ କାହିଁକି ? ତୁମେମାନେ ନୂଆକରି ପଶୁମାନଙ୍କର ଗର୍ଜନ ଶୁଣୁଛ ବୋଲି ଭୟ କରୁଛ, ମାତ୍ର ଏହା ତ ଆମର ଦେହର ମଳି । ଆମେ ପଶୁପକ୍ଷୀଙ୍କ ମେଳରେ ବଂଶାନୁକ୍ରମେ ବଢ଼ି ଆସିଛୁ । ବାଘ, ସିଂହ, ହସ୍ତୀ ଆମର ବନ୍ଧୁ । ସେମାନେ ଆମଙ୍କୁ ଦେଖିଲେ ବାଟ ଭାଙ୍ଗି ଯାଆନ୍ତି ।’’

 

ଏହାପରେ ଭାସି ଆସିଲା ବେଦର ମନ୍ତ୍ରଧ୍ୱନି । ସ୍ଵୟମ୍ଭୂ ପଚାରିଲା–ରାତ୍ରି ଅର୍ଦ୍ଧରେ ମନ୍ତ୍ରଧ୍ଵନି ଶୁଭୁଛି କେଉଁଠି ?

 

ପଣ୍ଡା କହିଲେ–“ଏହା ମୁନିଋଷିମାନଙ୍କ ପୂତକଣ୍ଠରୁ ଭାସି ଆସୁଛି । ମୁନିଋଷିମାନଙ୍କର ଚିର ଆବାସ ସ୍ଥଳୀ ଏହି ଦେବଭୂମି ।’’

 

ନାନା କଥାବାର୍ତ୍ତା, ଆଲୋଚନା କରୁ କରୁ ସୀମା, ସ୍ଵୟମ୍ଭୂ ଓ ପଣ୍ଡା ଶୋଇ ପଡ଼ିଲେ । ଅଳ୍ପ ସମୟ ପରେ ସୀମାର ନିଦ୍ରା ଭାଙ୍ଗିଗଲା । ସୀମା ଅନାଇ ଦେଖେ ତ ଧରାସୁରେ ଦର୍ଶନ ଲାଭ କରିଥିବା ସାଧୁ ଆସି ତା’ ମୁଣ୍ଡ ପାଖରେ ବସି ତାକୁ ପଚାରୁଛନ୍ତି–

 

“ସୀମା, ତୁ’ କୁଆଡ଼େ ଏତେ କଷ୍ଟକରି ଆସିଛୁ ?’’

 

ସୀମା ତା’ର ମନୋଭାବ ବ୍ୟକ୍ତ କଲା ଅଶ୍ରୁ ଛଳ ଛଳ ନେତ୍ରରେ ।

 

ସିଦ୍ଧ ସାଧକ କହିଲେ–“ତୁ’ କ’ଣ ପାଗଳୀ ହେଲୁ ସୀମା ? ଘର ଦେବତା ନ ପୂଜି, ଦୂର ଦେବତାକୁ ଖୋଜି ଆସିଛୁ । ଯେଉଁ ଦେବତାକୁ ଖୋଜି ଯମୁନୋତ୍ତରୀ ଆସିଛୁ ସେହି ଦେବତା ବି ତୋର ହୃଦ-ମନ୍ଦିରରେ ଦିବସ ରାତି ବିରାଜମାନ କରୁଛନ୍ତି । ତୁ’ ଟିକିଏ ପାର୍ଥିବ ଲାଳସା ଜଞ୍ଜାଳ ପରିହାର କରି, ଦିବ୍ୟଦୃଷ୍ଟିରେ ଦେଖିଲେ ଜାଣିପାରିବୁ ଯମୁନୋତ୍ତରୀ ମନ୍ଦିରର ଦେବତା ତୋ’ ହୃଦୟରେ ଅନନ୍ତ ଶୟନରେ ଜାଗ୍ରତ ଅଛନ୍ତି । ପୁରୀ, ବଦ୍ରୀନାଥ, ଦ୍ଵାରକା, ଯମୁନୋତ୍ତରୀ ପ୍ରଭୃତି ସବୁ ତୀର୍ଥକ୍ଷେତ୍ରରେ ଏକ ଦେବତା, ମାତ୍ର ଆକୃତି ଭିନ୍ନ ଭିନ୍ନ ।

 

ତା’ପରେ ସୃଷ୍ଟିକର୍ତ୍ତାଙ୍କ ସୃଷ୍ଟିରେ ଜନନୀ ହେଉଛନ୍ତି ପ୍ରଥମ ଆରାଧ୍ୟା ଦେବୀ । ତାଙ୍କର ସେବା, ପୂଜାରେ ଯେ ହେଳା କରେ ସେ କାଳ କାଳ ଦୁଃଖ ଦୁର୍ବିପାକର ଶିକାର ହୁଏ । କୁମ୍ଭିପାକ ନର୍କରେ ଘାଣ୍ଟି ହୁଏ । ମୃତ୍ୟୁପରେ ଯମୁନାର ଭାତୃ ଦରବାରରେ ତା’ର ଆଗେ ବିଚାର ହୋଇ କଠିନ ଦଣ୍ଡ ଦିଆଯାଏ । ତୁ’ ସେହି ମାତୃ ପ୍ରତି ଅବହେଳା ପ୍ରଦର୍ଶନ କରି ସନ୍ତାନ ସନ୍ତତିର ମୁଖ ଦର୍ଶନରୁ ବଞ୍ଚିତ ହୋଇଛୁ, ପତି ତୋର ରୋଗଗ୍ରସ୍ତ ହୋଇଛନ୍ତି । ତୋର ଅନ୍ଧୁଣୀ ମା’ ଆଖିରୁ ଲୁହ ଗଡ଼ୁନାହିଁ, ରକ୍ତ ଗଡ଼ୁଛି । ସେଥିରେ ମିଶି ଗଡ଼ୁଛି ଅଭିଶାପର ଜଳ ।

 

ତୋର ଭଲ ଗତି ଥିଲେ ତୁ’ ଏଠାରୁ ତୋ’ର ସ୍ଵାମୀ ଓ ସାବତ ପୁତ୍ରକୁ ନେଇ ଶୀଘ୍ର ଫେରିଯାଇ ଅନ୍ଧୁଣୀ ମା’ର ଆରାଧନାରେ ଲାଗ । ତା’ ନହେଲେ ତୋତେ ରକ୍ଷା ନାହିଁ । ତୋ’ର ଆହୁରି ସର୍ବନାଶ ଘଟିବ । ପାପର ପ୍ରାୟଶ୍ଚିତ ଶୀଘ୍ର ନହେଲେ ତୋ’ର ସ୍ଵାମୀଙ୍କର ମହାପ୍ରୟାଣ ଘଟିବାର ସମ୍ଭାବନାର ପଥ ଉଜ୍ଜ୍ୱଳ ହୋଇଉଠିବ । ଏହାପରେ ସାଧୁ ଅନ୍ତର୍ଦ୍ଧାନ ହେଲେ ।’’

 

ଚମକି ପଡ଼ିଲା ସୀମା । ଦେହ ତା’ର ଥରି ଉଠିଲା । ଆଖିରୁ ତା’ର ବୋହିବାକୁ ଲାଗିଲା ଅଶ୍ରୁର ଯମୁନାଧାର । ମୁହଁମାଡ଼ି ଶୋଇ ଅତୀତର ସ୍ମୃତି ତର୍ପଣ କଲା ସୀମା । ଦୁଃଖ ବେଦନାରେ ମ୍ରିୟମାଣା ହୋଇ କଇଁ କଇଁ କାନ୍ଦିଲା ସେ ।

 

ପଣ୍ଡା ଡାକ ଛାଡ଼ିଲେ–“ଇରେ ବାବୁ, ସେ ମା’ କାହିଁକି ବିଳି ବିଳଉଛି, ରାତି ପାହି ଆସିଲାଣି ତାକୁ ହଲାଇ ଦିଅ ।’’

 

ସ୍ଵୟମ୍ଭୂ ହଲାଇ ଦେଲା ସୀମାକୁ । ସୀମା ଆହୁରି ଜୋରରେ କାନ୍ଦି ଉଠିଲା । ସ୍ଵୟମ୍ଭୂ ଯେତେବେଳେ କାନ୍ଦିବାର କାରଣ ଜାଣିବା ନିମନ୍ତେ ଏକ ଜିଦ୍‍ କଲା, ସୀମା ସବୁ କଥା କହିଗଲା ।

 

ପଣ୍ଡା କହିଲେ–“ମା, ତୁମେ ଅତ୍ୟନ୍ତ ମହୀୟସୀ ମହିଳା । ତୁମର ଯମୁନୋତ୍ତରୀ ଆସିବା ସଫଳ ହୋଇଛି । ସାଧୁ ଦର୍ଶନ କରି ମଧ୍ୟ ଧନ୍ୟ ହୋଇଛ । ତେଣୁ ତୁମେ ଆଉ କାଳ ବିଳମ୍ବ ନକରି ମାତୃଦର୍ଶନ ନିମିତ୍ତ ଶୀଘ୍ର ଏଠାରୁ ଫେରିଯାଅ ।’’

ଏଥର ସୀମା ସ୍ଵୟମ୍ଭୂକୁ କହିଲା, ‘‘ରାତି ପାହି ଆସିଲାଣି । ଅମ୍ବୁଜକୁ ଉଠାଇ ଦିଅ । ପ୍ରାତଃକର୍ମ ସାରି ଶୀଘ୍ର ଶୀଘ୍ର ଏଠାରୁ ଫେରିଯିବା ।’’

ସ୍ଵୟମ୍ଭୂ ଦେଖେତ ଅମ୍ବୁଜ ନାହିଁ । ଛାତି ତା’ର ଆଶଙ୍କାରେ ଥରି ଉଠିଲ । ସେ “ଅମ୍ବୁଜ, ଅମ୍ବୁଜ”ଯେତେ ଡାକିଲା କେହି ଶୁଣିଲେ ନାହିଁ ।

ପଣ୍ଡା ବି ମନେମନେ ପ୍ରମାଦ ଗଣିଲେ । ଏହି ସମୟରେ ପଦାରେ ଖୁବ୍‌ ଜୋରରେ ପାଟି ଶୁଭିଲା–“ବଣୁଆ ହାତୀ, ବଣୁଆ ହାତୀ, ସାବଧାନ ।’’

ସମସ୍ତେ ପଦାକୁ ଗଲେ । ଦେଖିଲେ ଗୁମ୍ଫା ନିକଟରେ ଗୋଟିଏ ହାତୀ ଶୁଣ୍ଢରେ ଅମ୍ବୁଜକୁ ଧରି ଦୋଳିରେ ଝୁଲାଇଲା ଭଳି ଝୁଲାଉଛି । ଅମ୍ବୁଜ କାନ୍ଦୁଛି । ତା’ର କାନ୍ଦଣା ଶୁଣି, ସୀମା କାନ୍ଦି କାନ୍ଦି ବନସ୍ଥଳୀ କମ୍ପାଇ ଦେଲା । ସ୍ଵୟମ୍ଭୂ ପଥର ଉପରେ ମୁଣ୍ଡ ପିଟିଲା । ପଣ୍ଡାଙ୍କ ଆଖିରୁ ବି ଲୁହ ଗଡ଼ି ପଡ଼ିଲା । କିଛି ଫଳ ହେଲା ନାହିଁ । ସମସ୍ତେ ଅମ୍ବୁଜର ପ୍ରାଣହାନିର ଆଶଙ୍କା କଲେ ।

ଅନନ୍ତ ଯାହାକୁ ରଖିବେ ବଳବନ୍ତ ବା ତା’ର କରିବ କ’ଣ ? ଏହି ସମୟରେ ଜଣେ ଯୁବକ ସାଧୁ ଆସି ହସ୍ତୀଟିକି କହିଲେ–“ଏ ମଘବା ସେ କ’ଣ ହେଉଛି ? ଦେଖ, ବାଳୁତର ଯେପରି କୌଣସି କ୍ଷତି ନହୁଏ ।’’

ସାଧୁଙ୍କ କଥା ଶ୍ରବଣ କଲାମାତ୍ରେ ହସ୍ତୀଟି ଅମ୍ବୁଜକୁ ତଳେ ଶୁଆଇ ଦେଇ ଦଉଡ଼ି ବଣ ଭିତରକୁ ପଳାଇ ଗଲା । ସାଧୁ ତାକୁ ଉଠାଇ କାଖେଇ ପକାଇଲେ । ତା’ କାନରେ କ’ଣ ଚୁପୁ ଚୁପୁ କହିଦେଲେ, ଅମ୍ବୁଜ ଖିଲି ଖିଲି କରି ହସି ଉଠିଲା ।

 

ସୀମା, ସ୍ଵୟମ୍ଭୂ ଓ ପଣ୍ଡା ସମସ୍ତେ ସାଧୁଙ୍କ ପାଖକୁ ଦଉଡ଼ିଗଲେ । ସାଧୁ ସମସ୍ତଙ୍କୁ ଦେଖି ମୃଦୁ ମୃଦୁ ହସିଲେ । ସେ ହସରୁ ଝରି ପଡ଼ିଲା ସମବେଦନାର କଣିକା । ଶୁଭାଶିଷର ଧାରା ।

 

ସାଧୁ ସୀମା ଆଡ଼କୁ ଅନାଇ ଅମ୍ବୁଜକୁ ଦେଖାଇ କହିଲେ–“ଏ କ’ଣ ତୁମର ପୁଅ ?’’

 

ସୀମା ବେଦନା ବିଜଡ଼ିତ ଥର ଥର କଣ୍ଠରେ କହିଲା “ହଁ ହଁ....”

 

ସାଧୁ ଏଥର ସ୍ଵୟମ୍ଭୂକୁ ଲକ୍ଷ୍ୟ କରି ପଚାରିଲେ–“ତୁମର ଘର କେଉଁଠି ବାବା ?’’

 

ସ୍ଵୟମ୍ଭୂ ବିନମ୍ରରେ ଉତ୍ତର ଦେଲା–“ଦେବଭୂମି ଉତ୍କଳରେ ।’’

 

ସାଧୁ ହସିଲେ । ପୁଣି ହସିଲେ । ଅତୀତର କେତେ କଥା ତାଙ୍କ ମନରେ ଉଙ୍କିମାରିଲା । ସେ ପ୍ରଥମେ ସୀମାକୁ ଦେଖି ଭାବିଥିଲେ ଏ ବୋଧହୁଏ ତାଙ୍କର ପ୍ରିୟତମା ପତ୍ନୀ ଉର୍ବଶୀ ।

 

ବାସ୍ତବିକ ଉର୍ବଶୀ ଓ ସୀମା ଭିତରେ ରୂପ, ବୟସ, ଆଙ୍ଗିକ ଗଠନରେ ବିଶେଷ ତାରତମ୍ୟ ନାହିଁ । ସେ ହସିଲେ ଉର୍ବଶୀ ହସିଲା ଭଳି ଦିଶେ । ସେ ଚାଲିଲେ ଉର୍ବଶୀ ଚାଲିଲା ଭଳି ଜାଣିହୁଏ । ସେ କଥା କହିଲେ ଉର୍ବଶୀର କଣ୍ଠ ଭଳି ଶୁଭେ । ପ୍ରଥମେ ସାଧୁ ଏକ ଅସୁବିଧାଜନକ ପରିସ୍ଥିତିରେ ପଡ଼ିଗଲେ ।

 

ତା’ପରେ ଜାଣିଲେ ଯେ ସେ ଉର୍ବଶୀ ନୁହେଁ; ଅନ୍ୟ ଏକ ନାରୀ । କଥାବାର୍ତ୍ତା ପ୍ରସଙ୍ଗରେ ସାଧୁ, ସ୍ଵୟମ୍ଭୂ ଓ ସୀମା ସମସ୍ତେ ଉତ୍କଳର ଅଧିବାସୀ ବୋଲି ଚିହ୍ନା ପରିଚୟ ହେଲେ ।

 

ପ୍ରକୃତରେ ଦୂର ବିଦେଶରେ ଯେତେବେଳେ ଏକା ଗାଆଁର, ଏକା ଜିଲାର, ଏକା ପ୍ରଦେଶର ଲୋକ ଦେଖାଚାହାଁ ହୁଅନ୍ତି, ସେତେବେଳେ ପ୍ରାଣରେ ଆନନ୍ଦର ନିର୍ଝର କଳ କଳ ନାଦରେ ବହିଯାଏ । ସମୟେ ସମୟେ ଆନନ୍ଦାଶ୍ରୁ ଗଡ଼ିପଡ଼େ । ଗାଁମୁଣ୍ଡର ଗୋହିରି ପାଖ କିଆବଣ, ଶ୍ମଶାନ, ନଦୀ, ପୋଖରୀ, ତୋଟାମାଳ, ସବୁ ମନରେ ପଡ଼ିଯାଏ । କେତେ କାନ୍ଦ କେତେ ହସର ସ୍ମୃତି ମନରେ ଉଙ୍କିମାରେ । ସାଙ୍ଗସାଥୀ, ପ୍ରିୟଜନମାନଙ୍କ ମୁଖକମଳ ଯେଣିକି ଚାହିଁଲେ ତେଣେ ନୟନରେ ନାଚିଯାଏ । ସେତେବେଳେ ପରାପରର ଭେଦ ରହେ ନାହିଁ । ସୀମିତ ସ୍ଵାର୍ଥର କରଣୀ କାଟୁକରେ ନାହିଁ । ସ୍ନେହ, ମମତାରେ ହୃଦୟ ଉଦବେଳିତ ହୁଏ । ଜନ୍ମମାଟିର ପବିତ୍ର ସ୍ମୃତି ତର୍ପଣ କରୁ କରୁ ସାଧୁଙ୍କର ନୟନଯୁଗଳ ଉଜ୍ଜ୍ୱଳ ହୋଇ ଉଠିଲା, ମନରେ ସାମାନ୍ୟ ଚାଞ୍ଚଲ୍ୟ ଦେଖା ଦେଲା । ସ୍ଵୟମ୍ଭୂ ସୀମା ସାଧୁଙ୍କୁ ବଳାଇଲେ ଜନ୍ମଭୂମିର ପରିଦର୍ଶନରେ ଯିବାପାଇଁ-। ସାଧୁ ପ୍ରଥମେ ଅମଙ୍ଗ ହେଲେ । ସୀମା ଏପରି ଜିଦ୍‍ କଲା ଯେ ସାଧୁ ତା’ର ସସ୍ନେହ ଅନୁରୋଧକୁ ଆଦୌ ଏଡ଼ାଇ ପାରିଲେ ନାହିଁ ।

 

ପଣ୍ଡା ଅଦୂରରେ ଠିଆ ହୋଇ ଏସବୁ ଦୃଶ୍ୟ ଅବଲୋକନ କରି ସ୍ଵପ୍ନ କି ସତ୍ୟ ବୋଲି ଭାବୁଥାଏ । ନିଜ ଉପରେ ବାରବାର ଦୃଷ୍ଟିପାତ କରି ନିଜର ସ୍ଥିତି ସମ୍ବନ୍ଧରେ ସଚେତନ ହୋଇ ଉଠୁଥାଏ ।

 

ସୀମା ଓ ସ୍ଵୟମ୍ଭୂ ଏଥର ପଣ୍ଡାଙ୍କ ନିକଟରୁ ବିଦାୟ ମାଗିଲେ । ତାଙ୍କର ଅକୁଣ୍ଠ ସାହାଯ୍ୟ, ସ୍ନେହ, ମମତା ପାଇଁ କୃତଜ୍ଞତା ଜ୍ଞାପନ କଲେ । ପଣ୍ଡାଙ୍କୁ ଯେତେବେଳେ ବିଦାୟ ସ୍ଵରୂପ ଦଶଟି ଟଙ୍କା ଦେଲେ, ସେ ନେଲେ ନାହିଁ । ସେ ବରଂ ଅମ୍ବୁଜ ହାତରେ ଓଲଟି ପଞ୍ଚଟଙ୍କା ଖୁସିରେ ଦେଇ କହିଲେ, “ନେ ମିଠେଇ କିଣି ଖାଇବୁ I”

 

ଅମ୍ବୁଜ ଟଙ୍କା ହାତରେ ଧରି ଆନନ୍ଦରେ ନାଚିଗଲା । ପଣ୍ଡାଙ୍କ ଆଖିରୁ ଦି’ ଟୋପା ଆନନ୍ଦାଶ୍ରୁ ଗଡ଼ିପଡ଼ିଲା ।

 

ସ୍ନେହ ମମତାର ଦୁନିଆଁ ଏ । ମଣିଷ ସ୍ନେହ ମମତାର ସାମାନ୍ୟ ସନ୍ଧାନ ପାଏ ଯେଉଁଠି ଆଉଜି ପଡ଼େ ସେଇଠି । ଫୁଲ ଭିତରେ ମଧୁ ରହିଲା ପରି ମଣିଷ ଭିତରେ ଈଶ୍ଵର ସ୍ନେହ, ମମତାର ଭଣ୍ଡାର ରଖିଛନ୍ତି । ଏହି ସ୍ନେହ, ମମତାର ଧାରା ଉଦ୍‌ଗତ ହେଲେ ମଣିଷ ସବୁ ଈର୍ଷା, ଦ୍ଵେଷ, ଅପମାନ, ନିନ୍ଦା ଭୁଲିଯାଏ । ତା’ ନ ହୋଇଥିଲେ ମଣିଷ ହୋଇଥାନ୍ତା ନୀରସ ତରୁବର ସଦୃଶ ।

 

ପଣ୍ଡାଙ୍କଠାରୁ ଅଶ୍ରୁରେ ବିଦାୟ ମାଗି ସ୍ଵୟମ୍ଭୂ ଓ ସୀମା ଯମୁନୋତ୍ତରୀରୁ ଫେରିଲେ । ଯମୁନୋତ୍ତରୀର ଅଳ୍ପ ଦୂରରେ ଥିବା ସାଧୁଙ୍କ ଆଶ୍ରମରେ ସମସ୍ତେ ଯାଇ ପହଞ୍ଚିଲେ । ଆଶ୍ରମ ଭିତରେ ପହଞ୍ଚୁ ପହଞ୍ଚୁ ସୀମା ଓ ସ୍ଵୟମ୍ଭୂ ସ୍ଵର୍ଗୀୟ ସୁଖ ଅନୁଭବ କଲେ । ଆଶ୍ରମର ଶୋଭା ସଂଦର୍ଶନ କରି ନିଷାଦ ବି ସନ୍ଥ ପାଲଟି ଯିବ ।

 

ଆଶ୍ରମର ଏକ ପାଖରେ ଚିରଯୌବନା ଉନ୍ମନା ଶମନା-ସ୍ଵସା ନବ-ପୁଷ୍ପିତା, ନବ-ନବୀନା ଭଳି ଛୁଟୁଛି । ଅନ୍ୟ ପାଖରେ ଚିର ତୁଷାରାବୃତ ଗିରିଶୃଙ୍ଗମାନ ଅଭେଦ୍ୟ ପ୍ରାଚୀର ରୂପେ ଠିଆ ହୋଇଅଛି । ଆଉ ଦୁଇ ପାଖରେ ଘଞ୍ଚ ଅରଣ୍ୟାନୀ । ଆଶ୍ରମରେ ପ୍ରବେଶ କଲାମାତ୍ରେ ପ୍ରାଣରେ ଅପୂର୍ବ ଆନନ୍ଦର ସଞ୍ଚାର ହୁଏ । ପାର୍ଥିବ ଜଞ୍ଜାଳର ଯାତନା ଉଭେଇଯାଏ । କକୁଭ, ମୃଗ ଶାବକ, ଚେମରୀ ଗାଈ, କସ୍ତୁରୀମୃଗ, ଗଣ୍ଡା, ଗୟଳମାନଙ୍କର ଆଶ୍ରମ ଭିତରକୁ ଅବାଧ ପ୍ରବେଶ ଦେଖିଲେ ମନରେ ଯୁଗପତ୍‌ ଭୟ ଓ ବିସ୍ମୟ ସୃଷ୍ଟି ହୁଏ । ବଣର ପଶୁ ବି ଏମିତି ପୋଷାମାନେ ସତେ !

 

ଅସଂଖ୍ୟ ଅଚିହ୍ନା ପକ୍ଷୀର ମଧୁର କାକଳିରେ କର୍ଣ୍ଣ ପବିତ୍ର ହୋଇଯାଏ । ଆଶ୍ରମବାସିନୀ ଶିଷ୍ୟ-ଶିଷ୍ୟାମାନଙ୍କର ସୌଜନତାବୋଧରେ ଯେ କୌଣସି ବ୍ୟକ୍ତି ସ୍ତମ୍ଭୀଭୂତ ହୋଇଥାଏ ।

 

ଚିର ଶାନ୍ତିମୟ ଆଶ୍ରମର ଫୁଲଗଛଛାଇରେ ଶ୍ୟାମଳ ଦୂର୍ବା ଉପରେ ସ୍ଵୟମ୍ଭୂ ଓ ସୀମା ଗଭୀର ନିଦ୍ରାରେ ଚାହୁଁ ଚାହୁଁ ଶୋଇଗଲେ । ଅମ୍ବୁଜ ଆଶ୍ରମର ବଗିଚାରେ ବୁଲି ନାନା ରକମର ସୁସ୍ଵାଦୁ ଫଳ ଭକ୍ଷଣ କଲା ।

 

କିଛି ସମୟ ପରେ ଆଶ୍ରମ ସ୍ଥଳ ଘଣ୍ଟା, କରତାଳ, ଶଙ୍ଖ ଓ ମୃଦଙ୍ଗ ଧ୍ଵନିରେ କମ୍ପି ଉଠିଲା-। ସୀମା ଓ ସ୍ଵୟମ୍ଭୂ ଉଠି ଦେଖିଲେ, ସାଧୁଙ୍କୁ ଘେରି ଶିଷ୍ୟ-ଶିଷ୍ୟାମାନେ ଉଦଣ୍ଡ ପ୍ରେମ କୀର୍ତ୍ତନରେ ଉନ୍ମତ୍ତ ହୋଇଛନ୍ତି । କିଛିକ୍ଷଣ ପରେ ସଂକୀର୍ତ୍ତନ ବନ୍ଦ ହେଲା । ସୀମା ଓ ସ୍ଵୟମ୍ଭୂ ଫଳମୂଳ ଭୋଜନରେ ଆପ୍ୟାୟିତ ହେଲେ ।

 

ସାଧୁ ଶିଷ୍ୟବର୍ଗଙ୍କୁ ଆଶ୍ରମର ଭାର ଦେଇ ଜନ୍ମଭୂମିର ଦର୍ଶନ ନିମନ୍ତେ ବାହାରିଲେ ।

 

ଶିଷ୍ୟ-ଶିଷ୍ୟାମାନେ କରୁଣ କ୍ରନ୍ଦନରେ ଆଶ୍ରମସ୍ଥଳୀ କମ୍ପାଇଲେ ।

 

ଅଶ୍ରୁ ହେଉଛି ମମତାର ପ୍ରତୀକ, ସ୍ତୂପୀକୃତ ବେଦନାର ଔଷଧ । ସାଧୁ ସନ୍ନ୍ୟାସୀ, ସାଂସାରୀ ସମସ୍ତେ ଅଶ୍ରୁରେ ନିଜର ଆନ୍ତରିକତାର ପରିଚୟ ପ୍ରଦାନ କରନ୍ତି । ସମସ୍ତେ ଯେତେବେଳେ ବାହାରିଲେ ସେତେବେଳେ ଅମ୍ବୁଜ ଏକ ଜିଦ୍‍ ଧରିଲା ଯେ–“ମୁଁ ଏଠାରେ ରହିବି, ଯିବି ନାହିଁ ।’’

 

ସୀମା ସ୍ଵୟମ୍ଭୂ ମନେମନେ ପ୍ରମାଦ ଗଣିଲେ । ଯେତେ ବୁଝାଇଲେ ମଧ୍ୟ ଅମ୍ବୁଜ ରାଜି ହେଲା ନାହିଁ । ସାଧୁ ଯେତେବେଳେ କହିଲେ–“ଚାଲ, ବାବା ମୋ’ ସାଙ୍ଗରେ ପୁଣି ଆସିବୁ,” ଅମ୍ବୁଜ ସେତେବେଳେ ଯାଇଁ ବାପ ମା’ଙ୍କ ପାଖକୁ ଗଲା । ସମସ୍ତେ ଆଶ୍ରମ ପରିତ୍ୟାଗ କରି ଧରାସୁ ଅଭିମୁଖେ ବାହାରିଲେ । ଆଶ୍ରମର କେତେଜଣ ଶିଷ୍ୟ ସାଧୁଙ୍କୁ ବଳାଇ ଦେବାକୁ ଧରାସୁ ଯାଏ ଆସିଲେ ।

 

ଧରାସୁଠାରୁ ସେମାନେ ଫେରିଗଲେ । ସୀମା, ସ୍ଵୟମ୍ଭୂ ଓ ସାଧୁ ପୁଣି ଗୋଟିଏ ଦିନ ଧରାସୁରେ ରହିଲେ ।

 

ସାଧୁଙ୍କ ପ୍ରତି ଅଜସ୍ର ଲୋକ ସମ୍ମାନ ଜଣାଉଥାନ୍ତି । ଦୂବ ଲାଗି କାନିସିରୀ ପାଣି ପାଇଲା ଭଳି ସୀମା, ସ୍ଵୟମ୍ଭୂ ସାଧୁଙ୍କ ପାଇଁ ଅଶେଷ ସମ୍ମାନ ଲାଭ କରୁଥାନ୍ତି । ତାଙ୍କ ପ୍ରାଣ ଆନନ୍ଦରେ ନାଚି ଉଠୁଥାଏ । ସାଧୁଙ୍କର କି ମହିମା ସତେ !

 

ମଣିଷ ଭଗବତ୍‌ ପ୍ରେରଣାରେ ଉଦ୍‌ବୁଦ୍ଧ ହେଲେ, ଆଶୀର୍ବାଦରେ ବଳୀୟାନ ହୋଇ ଦିବ୍ୟଜ୍ଞାନ ଲାଭକଲେ, ତା’ର ଶତ୍ରୁ ମିତ୍ର କେହି ରହନ୍ତି ନାହିଁ, ପରାପର, ଭେଦାଭେଦ ଭାବ ଉଭେଇ ଯାଏ । ବିଶ୍ଵ କଲ୍ୟାଣରେ ସେ ସତତ ଉଦ୍‌ବୁଦ୍ଧ ହୁଏ । ବୁଦ୍ଧ, ଖ୍ରୀଷ୍ଟ, ମହମ୍ମଦ, ଗାନ୍ଧୀ, ବିବେକାନନ୍ଦ ପ୍ରଭୃତି ସେହି ଭଗବତ୍‌ କରୁଣାରେ ମହାତ୍ମା ସିନା !

 

ମହତୀ ତିଷ୍ଠତି ପାଷାଣମ୍‌ । ପାଷାଣଠାରେ ଦେବତ୍ଵ ଆରୋପ କଲେ ସେ ଯେପରି ଦେବତା ପାଲଟିଯାଏ, ଭଗବତ କରୁଣା-ମଳୟ ଯାହାଠାରେ ଲାଗେ, ସେ ପ୍ରଚଣ୍ଡ ମୂର୍ଖ ହେଲେବି ପ୍ରସିଦ୍ଧ ମହାତ୍ମା ରୂପେ ଜନନେତ୍ରରେ ପ୍ରତିଭାତ ହୁଏ । ଦିବ୍ୟଦର୍ଶିତାର ଉତ୍ତୁଙ୍ଗ ସୋପାନରେ ଆରୋହଣ କରି ଅଜ୍ଞାନ ଅନ୍ଧକାର ବିନାଶୀ, ଧର୍ମ ସଂସ୍ଥାପନା କରେ । ସାଧୁମାନଙ୍କୁ ପରିତ୍ରାଣ କରି କୁପଥଗାମୀମାନଙ୍କୁ ସତ୍‌ ପଥକୁ ଆଣେ । ମଣିଷ ଦେହରେ ଦିବ୍ୟଜ୍ଞାନ ଦେଖି ଭଗବାନ ନିଜେବି ସନ୍ତୁଷ୍ଟ ହୁଅନ୍ତି ।

 

ଧରାସୁରେ ଗୋଟିଏ ଦିନ ରହଣୀକାଳରେ ବିମ୍ବାଧର ବାବୁ, ତାଙ୍କ ସ୍ତ୍ରୀ ସୁକୀର୍ତ୍ତି ଦେବୀ ଓ କନ୍ୟା ତଟିନୀ ସାଙ୍ଗରେ ବି ସୀମା ଓ ସ୍ଵୟମ୍ଭୂ ପ୍ରଭୃତିଙ୍କର ପରିଚୟ ଘଟିଲା । ସାଧୁ ଯେ ବରେନ୍ଦ୍ର ଛଡ଼ା ଅନ୍ୟ କେହି ନୁହଁନ୍ତି ସେମାନେ ପରିଷ୍କାର ଭାବରେ ଜାଣିଲେ । ଆଉ ଜାଣି କିଛି ଲାଭ ନଥିଲା-। ସାଧୁ ଅତିମାନବ ସ୍ତରକୁ ଯାଇ ତ୍ରିକାଳଜ୍ଞ ହୋଇ ସାରିଥିଲେ । ସେ ଆଉ ନଶ୍ଵର ଜଞ୍ଜାଳରେ ଘାଣ୍ଟିହେବାକୁ ପସନ୍ଦ କରୁ ନଥିଲେ ।

 

ସମସ୍ତେ ସେଠାରୁ ସାଙ୍ଗ ହୋଇ ଜନ୍ମଭୂମି ଉଦ୍ଦେଶ୍ୟରେ ପ୍ରତ୍ୟାବର୍ତ୍ତନ କଲେ ।

 

-ସତର-

 

ଅପରାହ୍ନ ଉତ୍ତୀର୍ଣ୍ଣ ପ୍ରାୟ । ଅନ୍ଧୁଣୀ ମା’ କାହିଁକି କଇଁ କଇଁ ହୋଇ କାନ୍ଦି ଅଶ୍ରୁମୋଚନ କଲେ । ଶ୍ରୀମା ଯେତେ ବୁଝାଇଲେ ମଧ୍ୟ ସେ ଆଦୌ ବୁଝିଲେ ନାହିଁ । କୋହ ଉପରେ ଖାଲି କୋହ ଉଠିଲା ।

 

ଆଉ କିଛି ନୁହେଁ, ତାଙ୍କର ସ୍ଵର୍ଗତଃ ସ୍ଵାମୀ ବିପ୍ରବାବୁଙ୍କ କଥା ଖାଲି ମନେପଡ଼ି କୋହ ଉଠୁଥିଲା । ଶ୍ରୀମା ପୁଣି ହାତକୁ ଦିହାତ ହୋଇ ପାରିଲା ନାହିଁ ସେଥିପାଇଁ ବି ସେ ବିଷାଦ ବେଦନାରେ ମ୍ରିୟମାଣ ହୋଇ ପଡ଼ିଲେ । ଶ୍ରୀମା ନାରୀ ଜନ୍ମ ଲାଭକରି ଯଦି ମାତୃତ୍ଵର ସ୍ଵାଦ ନବାରିଲା, ସଂସାର କ’ଣ ନଜାଣିଲା, ସ୍ଵାମୀ ପୁଅ କ’ଣ ଅନୁଭବ ନକଲା ତେବେ ତା’ର ନାରୀଜନ୍ମ ଅକାରଣ ନୁହେଁ କି ?

 

ଏଇମିତି ନାନା କଥା ଭାବି ଅନ୍ଧୁଣୀ ମା’ ଅଧୀରା ହୋଇ ଉଠୁଥିଲେ । ମନକଥା ମନରେ ମାରି ଶ୍ରୀମା କହୁଥିଲା–“ମା’ ଯେତେବେଳେ ଯାହା ଭୋଗିବାର ଅଛି, ତାହା ଭୋଗିବାକୁ ହେବ । ମନ କଷ୍ଟକରି ଲାଭ କ’ଣ ?’’

 

ଏହି ସମୟରେ ସଳିତା ଅଣନିଃଶ୍ଵାସୀ ହୋଇ ଦଉଡ଼ି ଆସି ଧକେଇ ଧକେଇ କହିଲା–“ଆଈ, ଆମ ଘରଆଡ଼କୁ କେତେଗୁଡ଼ିଏ ଲୋକ କାହିଁକି ଆସୁଛନ୍ତି ।’’

 

ଚମକି ଉଠିଲେ ଅନ୍ଧୁଣୀ ମା’ । ତାଙ୍କ ମନରେ ଆଶଙ୍କାର ଜୁଆର ଖେଳିଗଲା । ସେ କେତେ କଥା ମନେମନେ ଭାବିଗଲେ ।

 

ଗୋଟିଏ କଥା ବେଶୀ ତାଙ୍କ ପ୍ରାଣକୁ ଆଲୋଡ଼ିତ କରିବାକୁ ଲାଗିଲା । ତାଙ୍କର ଶ୍ରୀମାକୁ ବୋଧହୁଏ ଦଳବାନ୍ଧି ଜବରଦସ୍ତ ନେଇ ଯିବାକୁ କେହି ଆସୁଛନ୍ତି ।

 

ଗଲା କେତେଦିନ ହେଲା ଅନେକ ଲୋକଙ୍କର ଚକ୍ଷୁ ଶ୍ରୀମା ଉପରେ କେନ୍ଦ୍ରୀଭୂତ ହୋଇଛି । ସେମାନେ ନାନାଦି କୂଟ ଚକ୍ରାନ୍ତ କରି ଶ୍ରୀମାକୁ ନେଇଯିବାର କୌଶଳ ଖଞ୍ଜୁଛନ୍ତି । କିଏ କେତେ ରକମର ଛଳନା କରି ଆସୁଛନ୍ତି । ସାତବର୍ଣ୍ଣୀ ଏଣ୍ଡୁଅ ଭଳି ବେଶ ବଦଳାଇ ନାନାକଥା କହୁଛନ୍ତି । ଅନ୍ଧୁଣୀ ମା’ ଭଲ ଭାବରେ ବୁଝିପାରୁଛନ୍ତି ଯେ ଯେଉଁମାନେ ତାଙ୍କ ନିକଟକୁ ଆସୁଛନ୍ତି ସେମାନେ ସମସ୍ତେ ବିଷକୁମ୍ଭ-ପୟୋମୁଖ ।

 

ଶ୍ରୀମାର ରୂପ ସେମାନଙ୍କ ଆଖିରେ ଭେଳିକି ଲଗାଇଛି । ଶ୍ରୀମାର ସୁଠାମ ତନୁ ସେମାନଙ୍କ ମନରେ ଇନ୍ଦ୍ରଧନୁର ମାୟା ଲଗାଇଛି ।

 

ଅନ୍ଧୁଣୀ ମା’ଙ୍କର ବିବ୍ରତ ଅବସ୍ଥା ଦେଖି ଶ୍ରୀମା ଦାଣ୍ଡଦୁଆରେ ଯାଇଁ ଅନାଇ ଦେଖିଲା, ସ୍ତ୍ରୀ ପୁରୁଷ ମିଶି ଚାରି ପାଞ୍ଚ ଜଣ ତାଙ୍କ ଘରଆଡ଼କୁ ଆସୁଛନ୍ତି । ଜଣେ ଜଟା କୌପିନଧାରୀ ସାଧୁ ବି ତାଙ୍କ ସାଙ୍ଗରେ ଅଛନ୍ତି ।

 

ଶ୍ରୀମା ମନରେ ବାର ବାର ଗୋଟିଏ ପ୍ରଶ୍ନ ଉଦିତ ହେଲା ଯେ ସେମାନେ କାହିଁକି ଆସୁଛନ୍ତି ? ସେ କୌଣସି ସମାଧାନର ସୂତ୍ର ଖୋଜି ପାଇଲା ନାହିଁ । ସେମାନେ ଯେତେବେଳେ ଆସି ତାଙ୍କ ଦାଣ୍ଡଦୁଆରେ ପହଞ୍ଚିଲେ ସେ ଦଉଡ଼ି ଯାଇ ଦାଣ୍ଡକବାଟ ଲଗାଇ ଦେଲା ।

 

ଅନ୍ଧୁଣୀ ମା’ ପାଖରେ ବସି କାଉଥଣ୍ଟରୁ ଖସି ପଡ଼ିଥିବା ପାହାଡ଼ୀ ମୂଷାଛୁଆ ପରି ଥରିଲା ।

 

ଅନ୍ଧୁଣୀ ମା’ ପଚାରିଲେ–“ସେମାନେ ଆମ ଘରଆଡ଼େ ଆସୁଛନ୍ତି ?’’

 

ଶ୍ରୀମା କହିଲା–“ବୋଉ ତୁ’ ପାଟି କରନା । ସେମାନେ ସମସ୍ତେ ଆସି ଆମ ଦାଣ୍ଡଦୁଆରେ ବସି କବାଟ ପେଲୁଛନ୍ତି । ଜଣେ ଯୁବତୀ କିଏ “ବୋଉ, ବୋଉ ଡାକୁଛି ।’’

 

ଅନ୍ଧୁଣୀ ମା’ କହିଲେ–“ତୁ’ ଭଲକରି କବାଟ ଦେଇଛୁ ତ ? ପୋଷା ଡାହୁକକୁ ପିଞ୍ଜରାରେ ପୂରାଇ, ବଣରେ ଥୋଇ ଅନ୍ୟଡାହୁକ ଶିକାରୀ ଧରିଲା ଭଳି ବୋଧହୁଏ କେହି ମାୟାବୀ ତୋତେ ନେବା ପାଇଁ ସୁନ୍ଦରୀ ସ୍ତ୍ରୀମାନଙ୍କୁ ସାଙ୍ଗରେ ଧରି ଆସିଛି । ତୁ’ ସେ ମନ ଭୁଲାଣିଆ ଡାକ ଆଦୌ ଶୁଣନା ।’’

 

ବେଳକୁ ବେଳ “ବୋଉ ବୋଉ”, ଡାକ ଘନ ଘନ ଶୁଭିଲା । ଗାଆଁ ଯାକର ଲୋକ ଆସି ରୁଣ୍ଡ ହେଲେ । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ–“କିଏ ରେ ଏମାନେ ?’’

 

ପିତେଇ ଆସି ଡାକିଲା–“ସାଆନ୍ତାଣୀ, ଶ୍ରୀମାକୁ କୁହ କବାଟ ଫିଟାଉ । ଏମାନେ କୌଣସି ଖଳ ପ୍ରକୃତିର ଲୋକ ନୁହନ୍ତି ।’’

 

ପିତେଇକି ଭାରି ବିଶ୍ଵାସ କରନ୍ତି । ଅନ୍ଧୁଣୀ ମା’ ତା’ ପାଟି ଶୁଣିବା ମାତ୍ରେ ଝିଅକୁ କହିଲେ, “ଯା’ କବାଟ ଫିଟାଇ ଦେ ।’’

 

ଶ୍ରୀମା ପାଦ ଚିପି ଚିପି ଅତି ସନ୍ତର୍ପଣରେ କବାଟ ଫିଟାଇ ଦେବାମାତ୍ରେ ଘର ଭିତରକୁ ପଶିଆସିଲେ ବିମ୍ବାଧର ବାବୁ, ସୁକୀର୍ତ୍ତି, ତଟିନୀ, ଅଚ୍ୟୁତି ପୋଷ୍ଟମ୍ୟାନ, ସୀମା ଓ ସାଧୁ । ସ୍ଵୟମ୍ଭୂ ପଛରେ ଆସିଲା । ଶ୍ରୀମା ଠିଆ ହୋଇଥିଲା ଦାଣ୍ଡ କବାଟକୁ ଆଉଜି । ସେ ଶ୍ରୀମାକୁ ସୀମା ଭାବି କହିଲା–“ଚାଲ୍‌, ଏଠି କାହିଁକି ଠିଆ ହୋଇଛୁ ?’’

 

ଶ୍ରୀମା କିଛି ଜବାବ ଦେଲା ନାହିଁ । ସ୍ଵୟମ୍ଭୂ ତା’ର ହାତକୁ ଧରିବା ପାଇଁ ହସ୍ତ ପ୍ରସାରଣ କଲାମାତ୍ରେ ଶ୍ରୀମା ଘର ଭିତରକୁ ବିଜୁଳି ବେଗରେ ଚାଲିଗଲା ।

 

ଶ୍ରୀମା ଯାଇଁ ଦେଖିଲା–ଅବିକଳ ତା’ରି ଭଳି ଜଣେ ଯୁବତୀ ଅନ୍ଧୁଣୀ ମା’ର ପାଦତଳେ ପଡ଼ି ପିଲାଙ୍କ ଭଳି କାନ୍ଦୁଛି ।

 

ଅନ୍ଧୁଣୀ ମା’ ଡାକିଲେ “ଶ୍ରୀମା, ମା’ ଶ୍ରୀମା ! କୁଆଡ଼େ ଗଲୁ ଟିକେ ମୋ ପାଖକୁ ଆ । ମୋ’ ମୁଣ୍ଡଟା କାହିଁକି ବୁଲାଇ ଦେଉଛି । ଭୂମିକମ୍ପ ହେଉଛି ନା କ’ଣ ? ମନଟା କାହିଁକି ଏପରି ଗୋଳେଇଘାଣ୍ଟି ହେଉଛି ।’’

 

ସୀମା ଏଥର ଯାଇଁ ଅନ୍ଧୁଣୀ ମା’କୁ ଜୋରରେ ଧରି କାନ୍ଦି କାନ୍ଦି କହିଲା–“ବୋଉ ମୋତେ କ୍ଷମା କର । ମୁଁ ଯେତେ ଦୋଷ କଲେ ବି ତୋର ଝିଅ । ତୁ ଯଦି ମୋ କଥା ନ ଶୁଣିବୁ, ମୋ ଦୋଷ କ୍ଷମା ନ କରିବୁ ତେବେ ମୁଁ ନିଶ୍ଚୟ ଏ ଜୀବନ ହାରିବି ।’’

 

ଅନ୍ଧୁଣୀ ମା’ କହିଲେ–“ଆଲୋ ଶ୍ରୀମା, ଏ କିଏ ? ଏ କ’ଣ କହୁଛି ?’’

 

ଶ୍ରୀମା କହିଲା–“ବୋଉ, ସେ ଯାହା କହୁଛନ୍ତି ତାହା ଅକ୍ଷରେ ଅକ୍ଷରେ ସତ ।’’

 

ଅନ୍ଧୁଣୀ ମା’ କହିଲେ–“ସେ ଯଦି ସୀମା, ତାହାହେଲେ ତୁ କିଏ ?’’

 

ଶ୍ରୀମା ଅଶ୍ରୁ ଗଦ୍‌ ଗଦ୍‌ କଣ୍ଠରେ କହିଲା–“ବୋଉ, ମୁଁ ପ୍ରକୃତରେ ସୀମା ନୁହେଁ କି ଶ୍ରୀମା ନୁହେଁ । ମୋ’ ନାଆଁ ଉର୍ବଶୀ । ମୋ’ ଜୀବନର କାହାଣୀ କହି ବସିଲେ ସାତଖଣ୍ଡ ପୋଥି ହେବ ।’’

 

ଅନ୍ଧୁଣୀ ମା’ କହିଲେ–“ହଁ, ହଁ କହ କହ । ତୋ’ର ଜୀବନର କାହାଣୀ କହ । ମୋର କାନ ପବିତ୍ର ହେଉ ।’’

 

ଉର୍ବଶୀ କହିଲା–“ସେ ସବୁ ବହୁତ କଥା । ମୋର ବାପଘର ଅନୁଗୁଳରେ । ମୋର ଜଣେ ଡାକ୍ତରଙ୍କ ସହିତ ବିବାହ ସମାପନ ହୋଇଥିଲା । ମୋର ଶଶୁର ଯେ ବଡ଼ ନିଷ୍ଠୁର, ଅର୍ଥଲୋଭୀ । ଶାଶୁ ଯେ ଭାରି ଦୟାବତୀ । ମଣିଷ ଭଳି ମଣିଷ । ମୋରି ଯୋଗୁଁ ସେ ଇହଧାମ ତ୍ୟାଗ କଲେ । ବିବାହବେଦୀରେ ଜବାବ କରିଥିବା ଯୌତୁକ ଜିନିଷ ନଦେବାରୁ ଶଶୁର ବଡ଼ ଖପା ହେଲେ । ସ୍ଵୟମ୍ଭୂ ବୋଲି କୌଣସି ଲୋକ ସହିତ ମୋର ଆଦୌ ଚିହ୍ନା ପରିଚୟ ନଥିଲେ ମଧ୍ୟ ତାଙ୍କ ସହିତ ମୁଁ ପାପ ପ୍ରଣୟରେ ସଂପୃକ୍ତ ବୋଲି ମୋ’ ବିରୁଦ୍ଧରେ ଗୋଟିଏ ଚିଠି ସାହାଯ୍ୟରେ ଅଭିଯୋଗ ଆଣିଲେ । ଆଉ କ’ଣ କହିବାକୁ ଯାଉଥିଲା ଉର୍ବଶୀ, କହି ପାରିଲାନି । କଣ୍ଠ ତା’ର ରୁଦ୍ଧ ହୋଇଗଲା । ପାଖରେ ଠିଆ ହୋଇଥିବା ଅଚ୍ୟୁତି ପୋଷ୍ଟମ୍ୟାନ ଦଉଡ଼ିଯାଇଁ କହିଲା–“ଉର୍ବଶୀ, ମୋତେ ଯାହା ଦଣ୍ଡ ଦେବାର ଦିଅ । ମୁଁ ବରେନ୍ଦ୍ରକୁ ସୀମାକୁ ବିଭା କରିବା ପାଇଁ ଏତେ ଷଡ଼ଯନ୍ତ୍ର କରିଥିଲି । ପରଝିଅକୁ ଉଡ଼ାଇ ଦେବାର ଫଳ ଏବେ ଭୋଗୁଛି ମୁଁ । ସ୍ତ୍ରୀ ମଲା, ପୁତ୍ର କନ୍ୟା ମଲେ । ଗୋଟିଏ ଝିଅ କରି ବିଭା କରିଥିଲି ସେ ବି ମଲା । ମୁଁ ଲଙ୍କାପୋଡ଼ା ବାନର ହୋଇ ଏବେ ମଝିଦାଣ୍ଡରେ ବସି ଭାଗ୍ୟକୁ ଉଣ୍ଡାଳୁଛି ।’’

 

ତଟିନୀ ଦଉଡ଼ି ଯାଇଁ ଉର୍ବଶୀକୁ କୁଣ୍ଢେଇ ପକାଇ “ଉର୍ବଶୀ ଅପା, ଉର୍ବଶୀ ଅପା” କହି ଭୋ, ଭୋ, ରଡ଼ିଛାଡ଼ିଲା । ସୁକୀର୍ତ୍ତି ଦେବୀ ଉର୍ବଶୀକି ଧରି କହିଲେ–“ଉର୍ବଶୀ, ମା’ ମୋର, ତୋତେ ଆଉ ଏ ଜୀବନରେ ଦେଖିବାର ଆଶା ନଥିଲା । ଭାଗ୍ୟରେ ଥିଲାକୁ ଦେଖିଲି । ବିମ୍ବାଧରବାବୁଙ୍କ ଆଡ଼କୁ ହାତ ଦେଖାଇ କହିଲେ–“ଯା ମଉସାଙ୍କୁ ଦଣ୍ଡବତ କର ।’’

 

ଉର୍ବଶୀ ଯାଇଁ ବିମ୍ବାଧର ବାବୁଙ୍କୁ ଦଣ୍ଡବତ କରି ପାଦଧୂଳି ଆଣି ମୁଣ୍ଡରେ ମାରିଲା ।

 

ସୀମା ଆଉ ସ୍ଵୟମ୍ଭୂ ଦୁଇଜଣ ଯାକ ଯାଇଁ ପୁଣି ଅନ୍ଧୁଣୀ ମା’ଙ୍କ ପାଦଧରି ନିଉଛାଳି ହୋଇ କ୍ଷମା ମାଗିଲେ ।

 

ଅନ୍ଧୁଣୀ ମା’ କହିଲେ–“ମୋତେ କ୍ଷମା ମାଗିବା ଦରକାର ନାହିଁ । ତୁମେ ଦୁଇଜଣ ମୋତେ ଆଜି ଯାହା ଲାଗି ଏଠାରେ ଦେଖିଲ ସେଇ ଉର୍ବଶୀର ଚରଣ ତଳେ ପଡ଼ି କ୍ଷମା ମାଗ । ତୁମର ମଙ୍ଗଳ ହେବ । ପୁତ୍ର କନ୍ୟା ସୁଖରେ ରହିବେ । ମୁଁ ତୁମର ମା’ ନୁହେଁ । ସେ ତୁମର ବଡ଼ ଭଉଣୀ ଓ ମା ।’’

 

ସୀମା ଓ ସ୍ଵୟମ୍ଭୂ ଉର୍ବଶୀ ଆଡ଼କୁ ଆଗେଇ ଗଲେ । ଉର୍ବଶୀର ପାଦ ଧରିବାକୁ ସୀମା ଗଲାବେଳେ ଉର୍ବଶୀ କହିଲା–“ଛି, ଭଉଣୀ, ସେପରି କରନା । ମଣିଷର କି ରାଗ ଅଛି ? ସବୁ ହେଉଛି ସେହି ସର୍ବନିୟନ୍ତା ପରମେଶ୍ଵରଙ୍କ ଖେଳ । ତାଙ୍କରି ଉଦ୍ଦେଶ୍ୟରେ ପ୍ରଣତି ବାଢ଼ ।’’

 

ଅନତି ଦୂରରେ ଠିଆ ହୋଇ ସେତେବେଳକୁ ସାଧୁ ଅଶ୍ରୁ ଗଡ଼ାଉଥିଲେ । ପାର୍ଥିବ ଜଞ୍ଜାଳର ଅଗ୍ନି, ତାଙ୍କ ମନ-ପ୍ରାନ୍ତରରେ ଜଳି ଉଠୁଥିଲା । ହୃଦୟ ବ୍ୟାକୁଳ ହୋଇ ଉଠୁଥିଲା ।

 

ସେ ନିଜକୁ ସଂଯତ କରି ଦୀର୍ଘନିଃଶ୍ଵାସ ପକାଇ କହୁଥିଲେ–“ପ୍ରଭୁ, ପ୍ରକୃତରେ ତୁମ୍ଭେ ହିଁ ଦୟାମୟ ।’’ ସୁକୀର୍ତ୍ତି ଦେବୀ ଏଥର କ’ଣ ଚୁପୁଚୁପୁ କରି ଉର୍ବଶୀ କାନରେ କହିଦେଲେ । ଉର୍ବଶୀ ମୁଣ୍ଡରେ ଓଢ଼ଣା ଟାଣି ଅନ୍ୟ ଆଡ଼କୁ ମୁହଁ ଫେରାଇ ନେଲା । ସାଧୁଙ୍କ ଚକ୍ଷୁ ସହିତ ତା’ର ଚକ୍ଷୁର ମିଳନ ହୋଇଗଲା । କେହି କାହାକୁ କିଛି କହି ପାରିଲେ ନାହିଁ । ଉଭୟଙ୍କ ଆଖିରୁ ଲୁହର ମନ୍ଦାକିନୀ ଛୁଟୁଥିଲା । ଦୀର୍ଘ ବିରହ ବିଚ୍ଛେଦରେ ଶୁଷ୍କ, ଶିଥିଳ ହୋଇଥିବା କଳାଶିରାଗୁଡ଼ିକ ପ୍ରେମ-ବାରି ପ୍ରାପ୍ତି ନିମନ୍ତେ ପ୍ରଫୁଲ୍ଲିତ ହୋଇ ଉଠିଲେ । ତା’ର ହୃଦୟରେ ସୃଷ୍ଟି ହେଲା ଅଜସ୍ର କାମନାର ତରଙ୍ଗ । ସାରା ଅବୟବ ପୁଲକମୟ ହୋଇ ଉଠିଲା । ତା’ର ମୁଖରେ ଉଦ୍ଭାସିତ ହେଲା ସତୀତ୍ଵ ମହିମାର ଦିବ୍ୟଜ୍ୟୋତି ।

 

ସାଧୁ ସେତେବେଳେ ଅତୀତର ଭୁଲ୍‍ ପାଇଁ ମନେମନେ ଅନୁତାପ କରୁଥିଲେ । ସେ ଏଥର ଉର୍ବଶୀ ଆଡ଼କୁ ହସ୍ତ ବଢ଼ାଇ କ୍ଷମା ମାଗିଲେ । ଉର୍ବଶୀ ସାଧୁଙ୍କର ହସ୍ତରେ ହସ୍ତ ମିଳାଇ ଛଳ ଛଳ ନେତ୍ରରେ କହିଲା–“ମୁଁ ତୁମ ପଥରେ ଆଉ କଣ୍ଟକ ବିଛାଇବାକୁ ଚାହେଁନା । ତୁମକୁ ପୁଣି ପାର୍ଥିବ ଜଞ୍ଜାଳ ଭିତରକୁ ଟାଣିଆଣି ଛଟପଟ କରି ମାରିବାକୁ ଚାହେଁନା । ତୁମେ ଯେଉଁ ପଥରେ ଯାଇଛ, ମୋତେ ସେହି ପଥରେ ନିଅ ।’’

 

ଉର୍ବଶୀର କଥା ଶୁଣି ସମସ୍ତେ ଧନ୍ୟ ଧନ୍ୟ କଲେ । ଧନ୍ୟ ଉର୍ବଶୀ । ଧନ୍ୟ ତୋ’ର ପିତ ମାତା । ତୋ’ରି ଭଳି ନାରୀ ପୃଥିବୀର ଅସହାୟ ଅବସ୍ଥା ବେଳେ ଜନ୍ମ ହେବା ଦରକାର । ପରୋପକାର, ତିତିକ୍ଷା, ସ୍ନେହ ମମତା, ଧୈର୍ଯ୍ୟର ଜୀବନ୍ତ ପ୍ରତିମା ତୁ । ସତୀତ୍ଵର ପରାକାଷ୍ଠା ପ୍ରତିପାଦନକରି ପୃଥିବୀକି କରିଛୁ ତୁ’ ଧନ୍ୟ । ତୁ’ ରଖିଛୁ ଆଦର୍ଶର ଚୂଡ଼ାନ୍ତ ନିଦର୍ଶନ ।

ମନ୍ଦିରକୁ ଯାଇ ଦେବତାଙ୍କୁ ଦର୍ଶନ କଲା ଭଳି ଶହଶହ ଲୋକ ଆସି ସାଧୁଙ୍କୁ ଦେଖିବା ପାଇଁ ରୁଣ୍ଡ ହେଲେ । ମଧୁର-ମିଳନର ବାର୍ତ୍ତା ଚାରିଆଡ଼େ ପ୍ରଚାରିତ ହୋଇଗଲା ।

ଉର୍ବଶୀ ଓ ସୀମା ଦୁଇଜଣ ଯାକ ରନ୍ଧାବଢ଼ା କଲେ । ତଟିନୀ ତାଙ୍କୁ ସାହାଯ୍ୟ କଲା । ବିମ୍ବାଧରବାବୁ, ସୁକୀର୍ତ୍ତି, ଅଚ୍ୟୁତି ପୋଷ୍ଟମ୍ୟାନ ଅନ୍ଧୁଣୀ ମା’ଙ୍କ ନିକଟରେ ବସି କଥାବାର୍ତ୍ତା ହେଲେ ।

ସାଧୁ ଏକୁଟିଆ ଗୋଟିଏ ସ୍ଥାନରେ ବସିଲେ । ତାଙ୍କ ପାଖରେ ଅସଂଖ୍ୟ ଲୋକ ଆସି ରୁଣ୍ଡ ହୋଇ, ତାଙ୍କ ମୁଖରୁ ବେଦ ବେଦାନ୍ତର ତତ୍ତ୍ଵ ସବୁ ଶୁଣିଲେ । ତାଙ୍କ ମୁଖରୁ ଈଶ୍ଵରଙ୍କ ମହିମା ଶୁଣି ନିଜକୁ ଧନ୍ୟ ମନେ କଲେ । ତାଙ୍କର ପଦରଜ ନେଇ ଆବାଳବୃଦ୍ଧବନିତା ସମସ୍ତେ ମୁଣ୍ଡରେ ଲଗାଇ କୃତ୍ୟ କୃତ୍ୟ ହେଲେ ।

ସେ ସ୍ପର୍ଶ କଲାମାତ୍ରେ ଚିରରୋଗୀ ନିରୋଗ ହୋଇଗଲା । ସେ ଆଶୀର୍ବାଦ କଲାମାତ୍ରେ ଅପୁତ୍ରିକ ପୁତ୍ର ଲାଭ କରିବାର ଆଶା ମନେମନେ ପୋଷଣ କଲା । ସେ ହାତ ମାରି ଦେଲା ମାତ୍ରେ ସର୍ପଦଂଶନରେ ଅଚେତ୍‌ ଥିବା ବ୍ୟକ୍ତି ସାଙ୍ଗେ ସାଙ୍ଗେ ଜ୍ଞାନ ଫେରି ପାଇଲା ।

ମକର ସାହୁ ମହାଜନ ଓ ମହାଜନିଆଣୀ ସାଧୁଙ୍କ ଦର୍ଶନ ନିମନ୍ତେ ଆସି କ୍ଷଣକାଳ ନୀରବ ହୋଇ ଠିଆ ହୋଇଗଲେ । ମହାଜନିଆଣୀ ସାଧୁଙ୍କ ଆଡ଼କୁ ଅଙ୍ଗୁଳି ଦେଖାଇ ନିଜର ସ୍ଵାମୀକି କହିଲା–“ଏ କ’ଣ ବରେନ୍ଦ୍ର ବାବୁ ମାଷ୍ଟର, ଯାହାଲାଗି ମଞ୍ଜରୀ ଆତ୍ମହତ୍ୟା କଲା ?’’

ମକର ସାହୁ କହିଲା–“ହଁ, ହଁ, ସିଏ ସେହି ଡାକ୍ତର ବରେନ୍ଦ୍ର । ରୂପ ତା’ର ବଦଳି ଯାଇଛି-। ମନ ତା’ର ମୁନି-ଋଷିଙ୍କ ମନ ହୋଇଯାଇଛି । ସେ ସାଂସାରିକ ଜଞ୍ଜାଳକୁ ପରିହାର କରି ଜ୍ଞାନ, ସାଧନା ବଳରେ ଭଗବତ୍‌ ଦୟାରୁ ଅତିମାନବ ସ୍ତରକୁ ଉଠୁଛି । ଇନ୍ଦ୍ରିୟମାନଙ୍କୁ ଦମନ କରି ସେ ହୋଇଛି ଜିତେନ୍ଦ୍ରିୟ । ସେ ଆନନ୍ଦମୟ ରୂପରେ ଜନନେତ୍ରରେ ପ୍ରତିଭାତ ହୋଇ ବିତରଣ କରୁଛି ଜ୍ଞାନର କଣିକା । ଅଶରଣ ଜନଙ୍କୁ ଦେଉଛି ଶରଣ । ଅଭାଜନ ଜନଙ୍କୁ କରୁଛି ଭାଜନ-। ସେ ମାରଣା ରତ୍ନାକରରୁ ହୋଇଛି ବାଲ୍ମୀକି । ଅତୀତ ତା’ର ରହିଗଲାଣି କାଳର କରାଳ ଗହ୍ଵରରେ-। ତାକୁ ଆଉ ନିଖାରି ଲାଭ ନାହିଁ ।’’

ମକର ସାହୁ ମହାଜନ ଓ ତା’ର ସ୍ତ୍ରୀ ଦୁଇଜଣ ଯାଇଁ ଠିଆହେଲେ ସାଧୁଙ୍କ ନିକଟରେ । ସାଧୁ ହସ୍ତ ଉଠାଇ ବସିବା ପାଇଁ ନିର୍ଦ୍ଦେଶ ଦେଲେ । ମହାଜନିଆଣୀ କହିଲା–“ସାଧୁଙ୍କୁ ପଚାରିଲେ କହିବେ ଶଙ୍କରକୁ ଦେଖିଛନ୍ତି କି ନାହିଁ ?’’

ସାଧୁଙ୍କ କାନରେ ଏକଥା ବାଜିଲା । ସେ କହିଲେ–“ହଁ ହଁ, ସେ ଯମୁନୋତ୍ତରୀରେ ମୋ’ରି ଆଶ୍ରମରେ ଅଛି ।’’

ମକର ସାହୁ ଓ ମହାଜନିଆଣୀର ଆନନ୍ଦର ସୀମା ରହିଲା ନାହିଁ । ସେମାନେ ସାଧୁଙ୍କ ସାଙ୍ଗରେ ଯାଇଁ ପୁଅକୁ ଥରେ ଦେଖି ଆସିବା ପାଇଁ ମନସ୍ଥ କଲେ ।

ଏତିକିବେଳେ ଅମ୍ବୁଜ ଆଉ ସଳିତା ଦଉଡ଼ା ଦଉଡ଼ି ହୋଇ ସୀମାଙ୍କ ଘର ଆଗ ପଦ୍ମପୋଖରୀ ହୁଡ଼ାଆଡ଼କୁ ଦଉଡ଼ି ଦଉଡ଼ି ଗଲେ ପିଜୁଳି ଗଛରୁ ପାରି ଖାଇବାକୁ । ମହାଜନିଆଣୀ ଡାକିଲା–“ଆଲୋ ହେ ସଳିତା, ଇଆଡ଼େ ଆସିଲୁ ଆସିଲୁ ?’’

ସଳିତା ଶୁଣିଲା ନାହିଁ । ମହାଜନିଆଣୀକି ଦାନ୍ତ ନିକୁଟି ଖତେଇ ହୋଇ ଚାଲିଗଲା ।

ତଳେ ରହିଲା ସଳିତା । ଗଛ ଉପରେ ଚଢ଼ି ପିଜୁଳି ଖାଇଲା ଅମ୍ବୁଜ । ସଳିତା ଯେତେ ମାଗିଲା, ଅମ୍ବୁଜ ଆଦୌ ଦେଲା ନାହିଁ । ମାଙ୍କଡ଼ ଭଳି ଦରଖିଆ ପିଜୁଳିକୁ ତଳକୁ ପକାଇଲା । ଅମ୍ବୁଜ କହିଲା–“ତୁ’ ଯଦି ମୋ’ କଥା ରଖିବୁ, ତେବେ ମୁଁ ତୋତେ ପିଜୁଳି ଦେବି ।’’

ସଳିତା କହିଲା–“ହଁ ତୁମେ ଯାହା କହିବ ମୁଁ ତାହା କରିବି ।’’

ଅମ୍ବୁଜ କହିଲା–“ଯଦି ତୁ ଆମ ସଙ୍ଗରେ ଆମ ଘରକୁ ଯିବୁ ତେବେ ଯାଇ ମୁଁ ପିଜୁଳି ଦେବି ।’’

ସଳିତା କହିଲା–“ହଁ ହଁ, ଯିବି ।’’

ଏଥର ଅମ୍ବୁଜ ପିଜୁଳି ତଳେ କାଣ୍ଡି କରି ପକାଇଲା । ସଳିତା ପିଜୁଳି ଖାଇ ଆନନ୍ଦରେ ନାଚିଲା । ସୀମା ଆଉ ଉର୍ବଶୀ ଦୁହେଁ ଅମ୍ବୁଜ ଓ ସଳିତା କଥା ଶୁଣି ହସି ହସି ଗଡ଼ିଗଲେ ।

ସମସ୍ତେ ଖିଆ ପିଆ ସାରିଲେ । ସାଧୁ ଫେରିଯିବା ପାଇଁ ଉଚ୍ଛନ୍ନ ହେଲେ ।

ସମସ୍ତେ ଏକସ୍ଵରରେ ସାଧୁଙ୍କୁ ଆଉ କେତେ ଦିନ ରହିବା ପାଇଁ ଅନୁରୋଧ କଲେ ।

ସାଧୁ ସମ୍ମତି ଜଣାଇଲେ ।

 

-ଅଠର-

 

ଚକ୍ଷୁ ଦାନ କରିବା ପାଇଁ ପିତେଇ ଏକ ଜିଦ୍‍ ଧରିଛି । ତିନି ଦିନ ହେଲା ସେ ଆଉ ବିଛଣାରୁ ଉଠୁ ନାହିଁ । ବାତ, ପିତ, କଫ ତାକୁ ରୁନ୍ଧି ଦେଇଛି ।

 

ଉର୍ବଶୀ ଆଉ ସୀମା ତା’ପାଇଁ ବହୁତ କଷ୍ଟ କଲେଣି ମାତ୍ର ବଞ୍ଚିବାର ଆଶା ଦେଖାଯାଉ ନାହିଁ । ପିତେଇ କୃତଜ୍ଞତାର ନମୁନା ସ୍ଵରୂପ ଚକ୍ଷୁ ଦୁଇଟିକି ଅନ୍ଧୁଣୀ ମା’ଙ୍କ ହସ୍ତରେ ଉତ୍ସର୍ଗ କରିବାକୁ ଚାହୁଁଛି ।

 

ଆଜି ମଲେ କାଲିକି ଦୁଇଦିନ ହେବ । ହାଡ଼ ଥାଇ ମାଂସ ପଚି ମିଳାଇ ଯିବ । ହାଡ଼କୁ ମାଟି ଖାଇ ପାପରା କରିଦେବ । ଜିଇଁ ଥାଉଁ ଥାଉଁ ଅନ୍ଧୁଣୀ ମା’ଙ୍କ ପରି ଉପକାରୀ ଜନକୁ ଚକ୍ଷୁ ଦୁଇଟି ଦେଲେ ସେ ହେଲେ କିଛିଦିନ ପୃଥିବୀରେ ଆନନ୍ଦରେ କାଳାତିପାତ କରିପାରିବେ ।

 

ଅନ୍ଧୁଣୀ ମା’ଙ୍କର ଉପକାର କଥା ଭୁଲିପାରି ନାହିଁ ପିତେଇ । କଳାବତୀପାଟଣା ଗାଆଁର ଲୋକେ ଯେତେବେଳେ ତାକୁ ଉଡ଼େଇ ବୁଡ଼େଇ ଦେବାକୁ ବସିଥିଲେ, ସେ ଯେତେବେଳେ ଦୁଃଖ ସମୁଦ୍ରରେ ଭାସୁଥିଲା, ସେତିକିବେଳେ ତାକୁ ସାହସ ଦେଇଥିଲେ, ବଳ ଦେଇଥିଲେ, ବରାଭୟ ଦେଇଥିଲେ ଅନ୍ଧୁଣୀ ମା’ । ଅନ୍ନ, ପାଣି ଦେଇ ବି ତା’ ପିଣ୍ଡ ବଞ୍ଚାଇ ରଖିଥିଲେ । ଆଜି ସେ ତାଙ୍କୁ ନିନ୍ଦିବ କେମିତି ? ସେ ମରିବ ପଛେ, ତାହା କରିପାରିବ ନାହିଁ । ଦୁନିଆଁରେ ମରତନୁ ବହି କେ କାହା ସ୍ନେହ ମମତା ସତେ ଭୁଲିପାରେ ? ସେ ଭୁଲେ ସେ ମଣିଷ ନୁହେଁ ଅମଣିଷ ।

 

ପିତେଇର ଜିଦ୍‍ ରହିଲା । ଚକ୍ଷୁ ଦାନ କରି ଧୂଳି ଧୂସରିତ ଧରଣୀର ମାୟା ତେଜି ଚିର ଆନନ୍ଦମୟ ସ୍ଵର୍ଗ ଭୁବନକୁ ଚାଲିଗଲା । ସମସ୍ତଙ୍କ କାତର ଅନୁରୋଧରେ ସାଧୁ ଅନ୍ଧୁଣୀ ମା’ଙ୍କୁ ଚକ୍ଷୁଷ୍ମାନ୍‌ କଲେ ।

 

ଅନ୍ଧୁଣୀ ମା’ ଭଲ ହେବାଯାଏ ସମସ୍ତେ ରହିଲେ । ସେ ଯେତେବେଳେ ଆଖି ଖୋଲି ଦେଖିଲେ କିଏ ସୀମା କିଏ ଉର୍ବଶୀ ବୋଲି ଜାଣିପାରିଲେ ନାହିଁ ।

 

କୌତୁକ କରି ଉର୍ବଶୀ ଯଦି କହିଲା–“ବୋଉ, ମୁଁ ସୀମା ।’’ ସୀମା ତେବେ କହିଲା–“ବୋଉ, ମୁଁ ଉର୍ବଶୀ ।’’

 

ଭାଗ୍ୟର ଅଭିନୟ ସୁଚାରୁରୂପେ ସମ୍ପନ୍ନ ହେଲା । ଦୁର୍ଭାଗ୍ୟ ଯବନିକା ପତନର ଅନ୍ତରାଳରେ ରହି ପରାଜୟ ଗ୍ଳାନିରେ ମ୍ରିୟମାଣ ହୋଇ, ପ୍ରେତର ବିକଟ ଚିତ୍କାରରେ ପୃଥିବୀ ଫଟାଇ ଦେଲା । ଅସଂଖ୍ୟ ଲୋକ ଦେଖିବାକୁ ଆସିଲେ ହେମାଙ୍ଗିନୀ ଦେବୀଙ୍କୁ । ଯେଉଁମାନେ ମୁହଁ ମୋଡ଼ି, ବାଟ ଭାଙ୍ଗି ଯାଇଥିଲେ ସେହିମାନେ ଆସି ଫୁଲେଇ ହୋଇ, ବଳେ ବଳେ କେତେ କଥା କହିଲେ । ଏଇତ ଦୁନିଆଁ ! ସୁଖର ସାଥୀ ସମସ୍ତେ । ଦୁଃଖରେ କେବଳ ପ୍ରାଣ କାନ୍ଦେ ତାରି–ଯିଏ ମଣିଷ, ମାନବିକତା ଯାହାର ପରମ ଭୂଷଣ ।

 

ଦିନକର କଥା । ସୀମା, ଉର୍ବଶୀ ଓ ସ୍ଵୟମ୍ଭୂ ପ୍ରଭୃତି ବସିଛନ୍ତି । ତଟିନୀ ଆସି କହିଲା–ଉର୍ବଶୀ ଅପା, ଗୋଟାଏ ମଜାକଥା ଦେଖିବ ଆସ ।

 

ହେମାଙ୍ଗିନୀ ଦେବୀଙ୍କ ସମେତ ସମସ୍ତେ ଗଲେ । ଦେଖିଲେ–“ଅମ୍ବୁଜ ଓ ସଳିତା ଧୂଳିର ବେଦୀରେ ବସି ପତ୍ର ନୋଳ ମୁକୁଟ ବାନ୍ଧି ବିଭା ହେଉଛନ୍ତି । ପୁରୋହିତ ସାଜିଛି ଗାଆଁର ଅନ୍ୟ ଏକ ନଙ୍ଗଳା ପିଲା ।

 

ଉର୍ବଶୀ ଓ ସୀମା ହସି ହସି ଗଡ଼ିଗଲେ । ହେମାଙ୍ଗିନୀ ଦେବୀ କହିଲେ–“ହସୁଛୁ କ’ଣ ! ମୁଁ କହୁଛି ତୁମେ ଦୁଇ ସମୁନ୍ଦୁଣୀ ହୁଅ ।’’

 

ସୀମା ଆଉ ଉର୍ବଶୀ ଏକ ସ୍ଵରରେ କହିଲେ–“ବୋଉ ତୋ’ କଥା କ’ଣ ଭାଙ୍ଗି ଦେଉଛୁ ନା କ’ଣ ?’’

 

ଏହି ସମୟରେ ସାଧୁ ଆଶୀର୍ବାଦ କରୁଥିଲେ–“ତୁମ୍ଭେମାନେ ଦୀର୍ଘଜୀବୀ ହୁଅ । ସତ୍ୟ ପଥ, ଧର୍ମ ପଥରେ ତୁମର ମତି ରହୁ । ବିଶ୍ଵପ୍ରେମରେ ଉଦ୍‌ବୁଦ୍ଧ ହୋଇ ପରମେଶ୍ୱରଙ୍କଠାରେ ଲୟ ରଖ ।’’

 

ଅମ୍ବୁଜ ଓ ସଳିତାଙ୍କ ନାମରେ କରିଥିବା ସକଳ ସମ୍ପତ୍ତିର ଏକ ଉଇଲ୍‌କୁ ହାତରେ ଧରି ଅଦୂରରେ ମକର ସାହୁ ମହାଜନ ଓ ତା’ର ସହଧର୍ମିଣୀ ତାଳିମାରି କିରି କିରି ହୋଇ ହସୁଥିଲେ ।

Image